Categories
ବିଶେଷ ଖବର ବ୍ୟବସାୟ

ଏଥର ମିଶନ ଶକ୍ତି ବିଭାଗ ପାଇଁ ୨,୫୫୪ କୋଟି ଟଙ୍କାର ବଜେଟ, କଣ ହେବ ??

ଭୁବନେଶ୍ୱର: ମିଶନ ଶକ୍ତି ଆଜି ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏଥି ନିମନ୍ତେ ମହିଳାମାନଙ୍କୁ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରି ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସରକାରୀ ଯୋଜନାରେ ସଂପୃକ୍ତ କରାଇ ସଶକ୍ତ କରାଯାଉଛି। ନିରନ୍ତର ଆର୍ଥିର୍କ ସହାୟତା, ଦକ୍ଷତା ବିକାଶ ତାଲିମ ଏବଂ ନୂତନ ଜୀବିକାର ରାହା ଦେଖାଇ ରାଜ୍ୟ ସରକାର ପ୍ରତ୍ୟେକ ମହିଳାଙ୍କ ମନରେ ଆତ୍ମବିଶ୍ୱାସ ଏବଂ ଗର୍ବର ଭାବନା ସୃଷ୍ଟି କରିଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ କହିଛନ୍ତି।

ଆଜି ପୂର୍ବାହ୍ନରେ ଗୀତ ଗୋବିନ୍ଦ ସଦନଠାରେ ମିଶନ ଶକ୍ତି ବିଭାଗ ଦ୍ୱାରା ଆଗତ ୨୦୨୩-୨୪ ମସିହା ବଜେଟ ମୁଖ୍ୟାଂଶ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି ଯେ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ମିଶନ ଶକ୍ତି ବିଭାଗ ପାଇଁ ୨,୫୫୪ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି, ଯାହା ଗତ ବର୍ଷର ବଜେଟ ତୁଳନାରେ ୨୭ ପ୍ରତିଶତ ଅଧିକ।

ଗତିଶୀଳତା ହେଉଛି ସଶକ୍ତିକରଣ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି ଯେ ମିଶନ ଶକ୍ତି ସ୍କୁଟର ଯୋଜନାରେ କମୁ୍ୟନିଟି ସପୋର୍ଟ ଷ୍ଟାଫ୍‌ ଏବଂ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାଙ୍କ ପାଇଁ ବୈଦୁ୍ୟତିକ ସ୍କୁଟର ନିମନ୍ତେ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନା ଅଧିନରେ ଇଲେକ୍‌ଟି୍ରକ୍‌ ସ୍କୁଟର କ୍ରୟ ପାଇଁ ଦିଆଯାଉଥିବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସଂପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି। ଏଥି ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ ପୁଣି କହିଛନ୍ତି ଯେ ମିଶନ ଶକ୍ତି ବିଭାଗ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ଏଥି ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ପ୍ରତିଷ୍ଠା କରିବା ପାଇଁ ଅନୁମୋଦନ କରିଛନ୍ତି। ଇଣ୍ଡଷ୍ଟି୍ରଆଲ ପାର୍କ ପ୍ରତିଷ୍ଠା ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦ୍ୟୋଗୀରେ ରୂପାନ୍ତରଣ କରିବା ଦିଗରେ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବିନା ସୁଧରେ ମିଶନ ଶକ୍ତି ଋଣକୁ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇ ଦେବା ପାଇଁ ୨୨୦ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥା କରାଯାଇଛି। ମା’ମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସୁଧରିହାତି ଫେରସ୍ତ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି।

ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‌ କହିଛନ୍ତି ଯେ ସ୍ୱୟଂ ସହୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବା ପାଇଁ ତାଲିମ, ଜୀବନଜୀବିକା ଓ ଦକ୍ଷତା ବିକାଶ ଉପରେ ମିଶନ ଶକ୍ତି ବିଭାଗ ଦ୍ୱାରା ଗୁରୁତ୍ୱ ଦିଆଯାଉଛି। ବ୍ଲକ୍‌ ସ୍ତରରେ କୃଷି ପ୍ରକ୍ରିୟାକରଣ, ବିୟୁଟି, ଡିଜିଟାଲ ଓ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ, ଫ୍ୟାସନ୍‌ ଡିଜାଇନିଂ, କାଫେ ଏବଂ ଖାଦ୍ୟ ପ୍ରସ୍ତୁତି ଇତ୍ୟାଦି ଉପରେ ତାଲିମ ପାଇଁ ୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସାରା ରାଜ୍ୟରେ ୫୦୦ଟି ମିଶନ ଶକ୍ତି ବଜାର ପ୍ରତିଷ୍ଠା କରାଯିବ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧୦ ହଜାର କୋଟି ଟଙ୍କା ମୂଲ୍ୟର ସରକାରୀ ବ୍ୟବସାୟ ଯୋଗାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏଥି ପାଇଁ ୩୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିକେୟନ୍‌ କହିଛନ୍ତି।

ଶ୍ରୀମତୀ କାର୍ତ୍ତିକେୟନ୍‌ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ କହିଛନ୍ତି ଯେ ୩୦ ଗୋଟି ଜିଲ୍ଲାସ୍ତରୀୟ ମିଶନ ଶକ୍ତି ମହାସଂଘକୁ ୧ କୋଟି ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ପ୍ରଦାନ ବ୍ୟବସ୍ଥା କରାଯାଇଛି। ୩୩୮ ଗୋଟି ବ୍ଲକ୍‌ସ୍ତରୀୟ ମହାସଂଘକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ପ୍ରଦାନ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ମହାସଂଘର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ପାଇଁ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଛି।

ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ନିମନ୍ତେ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି। ବ୍ଲକ୍‌ ଓ ପଞ୍ଚାୟତ ସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟାଙ୍କ ପାଇଁ ବୈଠକ ଓ ଗସ୍ତ ଭତ୍ତାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ସବୁ ବ୍ୟବସ୍ଥା ନିମନ୍ତେ ବାର୍ଷିକ ୨୬୬.୫୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିିକେୟନ୍‌ ପ୍ରକାଶ କରିଛନ୍ତି।

ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ନିୟମିତ ବୈଠକ ଓ ତାଲିମ ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ସାମ୍ରଗୀର ବିକି୍ର ବ୍ୟବସ୍ଥା ନିମନ୍ତେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ୱାର୍ଡରେ ମିଶନ ଶକ୍ତି ଗୃହ ଏବଂ ବ୍ଲକ୍‌ ଓ ଜିଲ୍ଲାସ୍ତରରେ ମିଶନ ଶକ୍ତି ଭବନ ନିର୍ମାଣ କରାଯାଉଛି। ସେହିଭଳି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ପାଇଁ କାର୍ଯ୍ୟାଳୟ ସହିତ ମାର୍କେଟ କମ୍ପ୍ଲେକ୍ସ ବ୍ୟବସ୍ଥା କରାଯାଇଛି। ଏଥି ନିମନ୍ତେ ୩୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିକେୟନ୍‌ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମିଶନ ନିର୍ଦ୍ଦେଶାଳୟର କାର୍ଯ୍ୟନିର୍ବାହୀ ଡ. ଥିରୁମାଲା ନାୟକ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ପ୍ରଶଂସା କରି କହିଥିଲେ ଯେ ଆପଣମାନଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ସଂପୂର୍ଣ୍ଣ ଭରସା ରହିଛି। ଆପଣମାନେ ମଧ୍ୟ ଗାଁ ଗାଁରେ ବିକାଶର ନେତୃତ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଓ ଭରସାକୁ ସାକାର କରିପାରିଛନ୍ତି।

ଜାତୀୟ ପତାକା ତିଆରି ପରି ଏକ ମର୍ଯ୍ୟଦାପୂର୍ଣ୍ଣ ଦାୟିତ୍ବ ଅର୍ପଣ କରିଥିବାରୁ ମିଶନ ଶକ୍ତିର ମା ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ। ମିଶନ ଶକ୍ତିରେ ସାମିଲ ହୋଇ ଆମେ ଗର୍ବିତ ବୋଲି ସେମାନେ ପ୍ରକାଶ କରିବା ସହିତ ଏଥିପାଇଁ ଆଜି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭାର ବିକାଶ ହୋଇପାରିଛି ବୋଲି ସେମାନେ କହିଥିଲେ ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଲକଡାଉନରେ ଏସଏଚଜି କୁ ବିନା ସୁଧରେ ଦିଆଗଲା ୧୪୫ କୋଟି ଟଙ୍କାର ଋଣ, ମିଶନଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଓ ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶକ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

1-୧୪ ଦିନ କ୍ୱାରାଣ୍ଟାଇନ୍‌ ଅବଧି ପୂରଣ ପରେ କେତେକ କ୍ଷେତ୍ରରେ କୋଭିଡ୍‌-୧୯ ଚିହ୍ନଟ ହେବା ଲକ୍ଷ୍ୟ କରି ତଥା ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ଏବଂ କୋଭିଡ୍‌-୧୯ ରୋଗପୁଷ୍ଟି ଅବଧି ସଂପର୍କିତ କେତେକ ରିପୋର୍ଟକୁ ବିଚାର କରି ପୂର୍ବରୁ ଘୋଷିତ ୧୪ ଦିନ କ୍ୱାରାଣ୍ଟାଇନ୍‌ ଅବଧିକୁ ରାଜ୍ୟ ସରକାର ୨୮ ଦିନକୁ ବୃଦ୍ଧି କରିଛନ୍ତି। ଓଡ଼ିଶାକୁ ଫେରୁଥିବା ସମସ୍ତ ବ୍ୟକ୍ତି ୨୮ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ ପୁନଃ ଗୁରୁତ୍ୱାରୋପ କରିଛନ୍ତି।୨୧ ଦିନ ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ଅବଧି ମଧ୍ୟରେ ସେମାନଙ୍କର ସନ୍ତୋଷଜନକ ଆଚରଣ ଓ ସ୍ୱାସ୍ଥ୍ୟାବସ୍ଥାକୁ ବିଚାର କରି ପରେ ୭ ଦିନ ପାଇଁ ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ ନିମନ୍ତେ ଅନୁମତି ମିଳିପାରିବ। ହୋମ୍‌ କ୍ୱାରାଣ୍ଟାଇନ୍‌ ସମୟରେ ସଂପୃକ୍ତ ବ୍ୟକ୍ତି ନିର୍ଦ୍ଧାରିତ କ୍ୱାରାଣ୍ଟାଇନ୍‌ ନିୟମଗୁଡ଼ିକ କଡ଼ାକଡ଼ି ପାଳନ କରିବେ।

2-ରାଜ୍ୟରେ କୋଭିଡ୍‌-୧୯ ପଜିଟିଭ୍‌ ସଂଖ୍ୟା ଗତ ଏକ ମାସରୁ ଊଦ୍ଧ୍ୱର୍ ସମୟ ମଧ୍ୟରେ ବିଶେଷ ବୃଦ୍ଧି ପାଇନଥିବା ବେଳେ ଗତ ଅଳ୍ପ କେତେଦିନ ମଧ୍ୟରେ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ ଏଥି ପାଇଁ ଜନସାଧାରଣ ବିଶେଷ ଭୟଭୀତ ହେବାର କାରଣ ନାହିଁ। ଏହି ପଜିଟିଭ୍‌ଗୁଡ଼ିକ ବାହାର ରାଜ୍ୟରୁ ଆସି ବିଭିନ୍ନ ସଂଗରୋଧ କେନ୍ଦ୍ର (କ୍ୱାରାଣ୍ଟାଇନ୍‌ ସେଣ୍ଟର)ରେ ରହିଥିବା କିଛି ଲୋକଙ୍କଠାରେ ହିଁ ଚିହ୍ନଟ ହୋଇଛି। ମାତ୍ର ସଙ୍ଗରୋଧ ଓ ନିର୍ଦ୍ଦେଶାବଳୀ ଅନୁପାଳନ ବଳରେ କରୋନାକୁ ପ୍ରତିହତ କରାଯାଇପାରିବ।

3-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, କୋଭିଡ୍‌-୧୯ ଲକ୍‌ ଡାଉନ୍‌ର ଅସାଧାରଣ ପରିସ୍ଥିତିରେ ରାଜ୍ୟର ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କର ଖାଦ୍ୟ ନିରାପତ୍ତା ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ସକି୍ରୟ ଅଂଶଗ୍ରହଣ ସହିତ ସେମାନଙ୍କ ନିଃସ୍ୱାର୍ଥପର ସେବା, ଉତ୍ସାହ ଓ ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଛନ୍ତି।

4-ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନିରାଶି୍ରତ ଏବଂ ଅସହାୟ ଲୋକମାନଙ୍କୁ ଲକ୍‌ଡାଉନ ସମୟରେ ମାଗଣା ରନ୍ଧାଖାଦ୍ୟ ଯୋଗାଇବାରେ ୭୧୨୭ଟି ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇ ୧ କୋଟି ୫୬ ଲକ୍ଷ ମିଲ୍‌ ଯୋଗାଇ ଦେଇଛନ୍ତି। ପୌରାଞ୍ଚଳରେ ଆହାର କେନ୍ଦ୍ର ପରିଚାଳନାରେ ମଧ୍ୟ ସେମାନେ ସକି୍ରୟ ଭୂମିକା ଗ୍ରହଣ କରିଛନ୍ତି। ଏ ପର୍ଯ୍ୟନ୍ତ ଆହାର କେନ୍ଦ୍ରଗୁଡ଼ିକୁ ୨ ଲକ୍ଷ ୫ ହଜାର ମିଲ୍‌ ଯୋଗାଇ ଦେଇଛନ୍ତି। ହସ୍‌ପିଟାଲ୍‌ରେ ଚିକିତ୍ସିତ ୪୪,୮୩୨ ରୋଗୀଙ୍କୁ ଖାଦ୍ୟ ପ୍ରସ୍ତୁତ କରି ଯୋଗାଇ ଦେଇଛନ୍ତି। କୋଭିଡ୍‌-୧୯ କଠିନ ପରିସ୍ଥିତିରେ ନିରାଶ୍ରିତ ଓ ଅସହାୟ ଲୋକମାନଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇଦେବାରେ ଏହି ମା’ମାନଙ୍କ ଅବଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତି ମିଲ୍‌ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦିଆଯିବ ବୋଲି ଘୋଷଣା କରିଛନ୍ତି।

5-ଲକ୍‌ ଡାଉନ୍‌ ସମୟରେ ୧୨୪୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ୪୦ ଲକ୍ଷରୁ ଊଦ୍ଧ୍ୱର୍ ମାସ୍କ ତିଆରି କରି ସ୍ୱଳ୍ପ ମୂଲ୍ୟରେ ଜନସାଧାରଣଙ୍କୁ ଯୋଗାଇ ଦେଇଛନ୍ତି। ଲକ୍‌ ଡାଉନ୍‌ରେ ଦୋକାନବଜାର ବନ୍ଦଥିବାବେଳେ ରାସନ୍‌ ଏବଂ ପନିପରିବା ଯୋଗାଇବାରେ ସ୍ୱୟଂ ସହାୟକ ଗୋଷ୍ଠୀର ୮୦୦୦ ସଦସ୍ୟା ଅନୁରୂପ ଭାବେ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ଦ୍ୱାରା ୫୯୫ଟି ଦୋକାନ ଓ ୧୫୪ଟି ମୋବାଇଲ୍‌ ଭ୍ୟାନ୍‌ ମାଧ୍ୟମରେ ୧୫,୨୭୪ କ୍ୱିଣ୍ଟାଲ୍‌ ପରିମାଣର ପନିପରିବା ଓ ଶୁଖିଲା ରାସନ୍‌ ସାମଗ୍ରୀ ବିକି୍ର ହୋଇଛି।

6-ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମା’ ଏସବୁ କାର୍ଯ୍ୟକ୍ରମ ସହିତ ମାଛଚାଷ, ଛତୁଚାଷ, ପନିପରିବା ଚାଷ, ଫାର୍ମ ପଣ୍ଡ ପରିଚାଳନା, ଗୋପାଳନ, ଅଙ୍ଗନବାଡିକୁ ଟେକ୍‌ ହୋମ୍‌ ରାସନ୍‌ ଯୋଗାଣ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁଲଭ ମୂଲ୍ୟ ଦୋକାନ ପରିଚାଳନା ଆଦି ମାଧ୍ୟମରେ ଅର୍ଥନୈତିକ କାର୍ଯ୍ୟକଳାପ ଜାରି ରଖିଛନ୍ତି।

7-ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ଅପ୍ରେଲ ମାସରୁ ଏ ପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ୧୪୫ କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯାଇଛି।

8-ନିଜ ପରିବାରର ସଦସ୍ୟମାନଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ପୃଥକ ରଖିବା ସହିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବାଧ୍ୟତାମୂଳକ ସଙ୍ଗରୋଧ ପାଳନ କରିନଥିବା ଲୋକମାନଙ୍କୁ ସେମାନଙ୍କ ଘରକୁ ଆସିବାକୁ ନଦେଇ ସେମାନଙ୍କ ଗ୍ରାମରେ କୋଭିଡ୍‌-୧୯ ବିରୋଧରେ ହେଉଥିବା ଯୁଦ୍ଧରେ ଜଣେ ଜଣେ କୋଭିଡ୍‌ ସଂଗ୍ରାମୀ ଭାବରେ ଭୂମିକା ନିର୍ବାହ କରିବାକୁ ମିଶନ ଶକ୍ତିର ନିର୍ଦ୍ଦେଶିକା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନଙ୍କୁ ଅନୁରୋଧ କରିଛନ୍ତି ।

9-ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୬୩୪୦ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୫୨,୭୨୩ ଜଣ ଫେରିଛନ୍ତି । ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି।

10-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏସ୍‌ସିବି ମେଡିକାଲ୍‌ କଲେଜ, କଟକର ଟେଲିମେଡିସିନ୍‌ ସେଣ୍ଟରରେ ଘରୋଇ ଚିକିତ୍ସକ/ଇଏସ୍‌ଆଇ ହାସପାତାଳଗୁଡ଼ିକ ନିମନ୍ତେ କୋଭିଡ୍‌-୧୯ ପରିଚାଳନା ସଂପର୍କିତ ଓ୍ବେବ୍‌ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଏବଂ ଏଥିରେ ୨୫୦ରୁ ଊଦ୍ଧ୍ୱର୍ ଡାକ୍ତର ଅଂଶଗ୍ରହଣ କରଛନ୍ତି।

11-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୪,୩୦୮ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୫,୭୫,୨୧୫ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

12-ଆଜି ରାଜ୍ୟର ୪୯୯୪ ଗ୍ରାମ ପଞ୍ଚାୟତରେ ୩,୧୮,୬୩୦ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୩୫,୧୫୪ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି।

13-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୮ରୁ ମଇ ୯ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୩୧ଟି ମାମଲା ଦାୟର କରାଯାଇଛି। ସେଥିରୁ ୨୮ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ, ୧ଟି ଗୁଜବ ପ୍ରଚାର ପାଇଁ ଏବଂ ୧ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ। ବିଭିନ୍ନ ଅଭିଯୋଗରେ ୪୯ ଜଣଙ୍କୁ ଗିରଫ କରାଯାଇଛି।