Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଚାଷୀମାନଙ୍କ ପାଇଁ ଏକ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : କୋରନା ମହାମାରୀ ସମୟରେ ଦେଶର କୋଟି କୋଟି ଚାଷୀମାନଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୃଷି ଭିତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ କୃଷକ, ପି.ଏ.ସି.ଏସ,ଏଫ.ପି.ଓ, କୃଷି ଉଦ୍ୟୋଗୀ ମାନେ ସେମାନଙ୍କର କୃଷି ଭିତିଭୂମି ନିର୍ମାଣ କରିପାରିବେ।

ଏହି ନୂଆ ଯୋଜନା ଅନୁଯାୟୀ କୃଷକ ଗୋଷ୍ଠୀ ଏବଂ କୃଷି ସମିତି ଶସ୍ୟ ରଖିବା ପାଇଁ ନୂତନ ଗୋଦାମ, ଶୀତଳ ଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ ସମ୍ବନ୍ଧୀୟ ଶିଳ୍ପ ନିର୍ମାଣ କରିବା ପାଇଁ ଋଣ ନେଇପାରିବେ। ଏହା ଦ୍ୱାରା କୃଷକ ଏବଂ କୃଷି କ୍ଷେତ୍ରକୁ ଆର୍ଥିକ ସ୍ତରରେ ସହାୟତା ମିଳିବା ସହ ଦେଶର ସମସ୍ତ କୃଷକ ଭାଇ ମାନେ ଏହାର ଲାଭ ଉଠାଇ ପାରିବେ। କୃଷି ଭିତିଭୂମି ପାଣ୍ଠି ହେଉଛି ଏକ ମଧ୍ୟମ – ଦୀର୍ଘ ମିଆଦି ଆର୍ଥିକ ଋଣ ସୁବିଧା। ଏହାର ଅବଧୀ ୧୦ ବର୍ଷ ଅର୍ଥାତ୍ ୨୦୨୯ ପର୍ଯ୍ୟନ୍ତ ରହିଛି।

ଗ୍ରାମୀଣ କ୍ଷେତ୍ରରେ ଘରୋଇ ପୁଂଜି ବିନିଯୋଗ ଦ୍ୱାରା ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି କିଷାନ ରେଲ ଯୋଜନା ହେଉଛି ରେଳ ଟ୍ରାକରେ ଚାଲୁଥିବା ଶୀତଳ ଭଣ୍ଡାର। ଏହି ରେଳଗାଡି ମୁମ୍ବାଇର ଦେବଲାଲିରୁ ବିହାରର ଦାନାପୁର ପର୍ଯ୍ୟନ୍ତ ଚାଲିବ। ଏହା ଦ୍ୱାରା ଫଳ, ପନିପରିବା, କ୍ଷୀର ଇତ୍ୟାଦି ସତେଜ ରହିବ। ଚାଷୀମାନେ ନିଜର ଫସଲକୁ ସହରକୁ ପଠାଇ ଲାଭବାନ ହୋଇ ପାରିବେ। ଆଗାମୀ ଦିନରେ କିଷାନ ରେଲ୍ ଦେଶର ଅନ୍ୟ ରାଜ୍ୟଗୁଡିକରେ ଆରମ୍ଭ ହେବ।