Categories
ବିଶେଷ ଖବର

ବାରିପଦାରେ ମୋଦୀ କଣ କହିବେ? ରାଜ୍ୟ ସରକାର ବିରୋଧରେ ନ କହିବା ଏବେ ମୋଦୀ ରଣନୀତିର ସବୁଠୁ ବଡ ଆବଶ୍ୟକତା କି??

କେଦାର ମିଶ୍ର

ପ୍ରଧାନମନ୍ତ୍ରୀ ଗୋଟେ ସଭାରେ କଣ କହିବେ, ତାର ରାଜନୈତିକ ଗୁରୁତ୍ଵ ସବୁବେଳେ ଅଧିକ। ତାହା ପୁଣି ଯଦି ନିର୍ବାଚନ ସମୟ ହୋଇଥାଏ, ତାହେଲେ ପ୍ରଧାନମନ୍ତ୍ରୀଙ୍କ କଥାକୁ ଅଧିକ ମନ ଦେଇ ଶୁଣିବାକୁ ହୁଏ। ତାଙ୍କ କଥା ଭିତରୁ ଅନେକ କଥା ଖୋଜିବାକୁ ପଡେ। ତେବେ ନରେନ୍ଦ୍ର ମୋଦୀ ଆଜି ବାରିପଦାରେ କଣ କହିବେ, ତାକୁ ନେଇ ସତରେ ଆମ ମନରେ କିଛି ଉତ୍ସାହ ଅଛି କି? ମାତ୍ର ୧୪ ଦିନ ତଳେ ପ୍ରଧାନମନ୍ତ୍ରୀ ଖୁର୍ଦ୍ଧା ଓ ଭୁବନେଶ୍ବରରେ ଦୁଇଟି ସଭାରେ ଭାଷଣ ଦେଇ ଯାଇଛନ୍ତି। ଆଜି ବାରିପଦା ଆସିବେ ଓ ଆଉ କିଛି ଦିନ ପରେ ବଲାଙ୍ଗୀର କୁ ମଧ୍ୟ ଆସିବେ। ସେ ଦେଶର ପ୍ରଧାନମନ୍ତ୍ରୀ, ତେଣୁ ରାଜ୍ୟକୁ ଯେତେ ଆସିବେ ସେତେ ଭଲ। ତେବେ ତାଙ୍କ ଆସିବାରେ ବା ତାଙ୍କ କହିବାରେ ରାଜ୍ୟର ରାଜନୀତିରେ କିଛି ପ୍ରଭାବ ପଡୁଛି କି ନାହିଁ, ସେ କଥାର ଆକଳନ କରିବା ଆଜି ଜରୁରୀ।

୨୦୧୪-୧୫ ବେଳକୁ ମୋଦୀ ଯେଉଁଠି ଯାହା କହୁଥିଲେ, ତାହା ପଥରର ଗାର ବୋଲି ଲୋକ ଭାବୁଥିଲେ। ତାଙ୍କୁ ସମାଲୋଚନା କରିବାକୁ ଆଗ ପଛ ଅନେକ କଥା ବିଚାରିବାକୁ ପଡୁଥିଲା। ସାଧାରଣ ଲୋକଙ୍କ ଭିତରେ ମୋଦୀ ଗୋଟେ ପ୍ରକାର ଦେବଦୂତ ଥିଲେ। ଆଜି କିନ୍ତୁ ମୋଦୀ ବିରୋଧୀଙ୍କ ସଂଖ୍ୟା ଅଚାନକ ବଢିଯାଇଛି। ଯଦିଓ ତାଙ୍କର ଭକ୍ତ ଏବେବି ଅଛନ୍ତି, ସେମାନେ ଏବେ ପ୍ରାୟ କୋଣଠେସା। ସେମାନଙ୍କ ସଂଖ୍ୟା ବିଜେପିର ଟ୍ରୋଲ ଆର୍ମୀ ଓ ସୋସିଆଲ ମିଡିଆ ପ୍ରଭାଗରେ ଇ ସୀମିତ। ସାଧାରଣରେ ମୋଦୀ କୁହୁକ ଭାଙ୍ଗୁଛି ଓ ସେ ଭାଙ୍ଗିବାର ଲକ୍ଷଣ ଗତ ଡିସେମ୍ବର ମାସରେ ପାଞ୍ଚୋଟି ରାଜ୍ୟ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ହୋଇଯାଇଛି। ସେହି ପୃଷ୍ଠଭୂମିରେ ମୋଦୀ ବାରିପଦା ସଭାରେ କଣ କହିବେ ଓ ତାଙ୍କ କହିବାର ରାଜନୈତିକ ପ୍ରଭାବ କଣ ରହିବ, ସେ ସମ୍ପର୍କରେ ଗୋଟେ ଆନୁମାନିକ ରଚନା ଲେଖା ଯାଇପାରେ।

ମୋଦୀ ଖୁର୍ଦ୍ଧା ସଭାରେ ରାଜ୍ୟ ସରକାରଙ୍କ ପ୍ରତି ନରମ ଥିଲେ, କିନ୍ତୁ ବାରିପଦା ସଭାରେ ସେ ଟିକେ ଗରମ ହୋଇପାରନ୍ତି। କାରଣ, ପଞ୍ଚାୟତ  ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେପିର ପ୍ରଦର୍ଶନ ବେଶ ଭଲ ଥିଲା। ବିଜେପିର ସାଙ୍ଗଠନିକ ସ୍ଥିତି ଏବେ ମୟୂରଭଞ୍ଜ ଜିଲ୍ଲାରେ ଭଲ ରହିଛି। ତେଣୁ, କର୍ମୀଙ୍କୁ ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଟିକେ ଆକ୍ରାମକ ହୋଇପାରନ୍ତି। ତେବେ ତାଙ୍କ ଆକ୍ରମଣର ମୂଳ ବିନ୍ଦୁ କଣ ରହିବ? ନବୀନ ସରକାର କୃଷି ଋଣ ଛାଡ କରନ୍ତୁ ବୋଲି ମୋଦୀ ଓଡିଶା ବିଜେପିର ଦାବୀକୁ ଦୋହରାଇବେ କି? ଏହାର ଉତ୍ତର ହେଉଛି, ସ୍ପଷ୍ଟ ଭାବରେ ନା। କାରଣ ନୂଆ ବର୍ଷ ଦିନ ମୋଦୀ ଏଏନଆଇ କୁ ସାକ୍ଷାତ୍କାର ଦେଇ ସ୍ପଷ୍ଟ ଭାବରେ କୃଷିଋଣ ଛାଡ ବିରୋଧରେ କହିଛନ୍ତି। ତା ସହିତ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରେ ଓଡିଶା ସରକାରଙ୍କ “କାଳିଆ’ ଯୋଜନାର ଆଭିମୁଖ୍ୟ ହିଁ ପ୍ରତିଫଳିତ।

ସେହିପରି ନବୀନ ସରକାରକୁ ପିସି ସରକାର ବୋଲି ଆଗରୁ ଥରେ ପ୍ରଧାନମନ୍ତ୍ରୀ କହିଥିଲେ। ଚିଟଫଣ୍ଡ  ଦୁର୍ନୀତି କଥା ମଧ୍ୟ ପ୍ରଧାନମନ୍ତ୍ରୀ ଉଠାଇଥିଲେ। ତେବେ ଏ ପ୍ରସଙ୍ଗରେ ଲୋକ ପଚାରିବେ, କେନ୍ଦ୍ର ସରକାରଙ୍କ ସିବିଆଇ ତାହେଲେ କରୁଛି କଣ? ଚିଟ ଫଣ୍ଡ ଦୁର୍ନୀତିର ତଦନ୍ତ କେଉଁ କାଳରୁ ଶୀତଳ ଭଣ୍ଡାରରେ ପଡି ରହିଛି। ନିର୍ବାଚନ ଆଗରୁ ସେ ନଥି ଫିଟିଲେ ଫଳ ଓଲଟା ହୋଇପାରେ। ତେଣୁ ପ୍ରଧାନମନ୍ତ୍ରୀ ଦୁର୍ନୀତି ବିରୋଧରେ ଯାହା କହିବେ, ତାହାର କୌଣସି ବିଶେଷ ଆଧାର ନାହିଁ।

ତେବେ ପ୍ରଧାନମନ୍ତ୍ରୀ କଣ କହିବେ ବୋଲି ଭାବିଲା ବେଳକୁ, ଆମକୁ ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ  ଚେହେରା ଦିଶି ଯାଉଛି। କେସିଆର ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀଙ୍କୁ ଭେଟି ସାରିବା ପରେ ମୋଦୀଙ୍କୁ ଭେଟି କି ବାର୍ତ୍ତା ଦେଇଛନ୍ତି କେଜାଣି, ପ୍ରଧାନମନ୍ତ୍ରୀ ଏବେ କେସିଆରଙ୍କୁ ଉଚ୍ଛ୍ଵସିତ ପ୍ରଶଂସା କରୁଛନ୍ତି। ଏହାର ଅର୍ଥ ହେଉଛି, କେସିଆର ମୋଦୀଙ୍କ ଦୂତ ଭାବରେ ଓଡିଶା ଆସିଥିଲେ। ତେଣୁ ରାଜନୈତିକ ବାଧ୍ୟବାଧକତା କାରଣରୁ ମୋଦୀ  ନବୀନ ସରକାରକୁ ସମାଲୋଚନା କଲେ ମଧ୍ୟ, ୨୦୧୯ମଇ ମାସ ବେଳକୁ ତାଙ୍କର ଆଖି ନିବଦ୍ଧ ରହିଥିବ। ଯେତେ ବାହାସ୍ଫୋଟ ମାରିଲେ ମଧ୍ୟ ବିଜେପି ନେତୃତ୍ୱ ଭଲ ଭାବରେ ଜାଣନ୍ତି ଯେ ଏହି ନିର୍ବାଚନରେ ନିଜ ଦମ୍ଭରେ ସରକାର ଗଢିବାର ସ୍ଥିତି ବିଜେପିର ନାହିଁ। ତେଣୁ ନବୀନଙ୍କ ନିର୍ବାଚନ ପରବର୍ତ୍ତୀ ସମର୍ଥନ ଲାଗି ବାଟ ଖୋଲା ରଖିବାକୁ ବିଜେପି ଏକ ପ୍ରକାର ବାଧ୍ୟ।

ଆପାତତଃ, ବାରିପଦାରେ ଖୁର୍ଦ୍ଧାର ପୁନରାବୃତ୍ତି ହିଁ ହେବ।

Categories
ବିଶେଷ ଖବର

ମୋଦୀ ଆସୁଛନ୍ତି, ହେଲେ ମୋଦୀଙ୍କ ନେତୃତ୍ୱ କୁ ଓଡିଶା କେବେହେଲେ ସ୍ଵୀକାର କରିଛି କି?

ସମୀକ୍ଷା ବ୍ୟୁରୋ-

ଆସନ୍ତା ଡିସେମ୍ବର ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି। ମୋଦୀଙ୍କ ଗସ୍ତ ପାଇଁ ଓଡିଶା ବିଜେପିର ଟ୍ୟାଗ ଲାଇନ ରହିଛି #ମୋଦୀ ଆସୁଛନ୍ତି। ଭଲକଥା, ଦେଶର ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆସିବା ଶୁଭ ଖବର। ଓଡିଶା ଆସିବା ସହିତ ଓଡିଶା ପାଇଁ କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ମଧ୍ୟ ଆନନ୍ଦର କଥା। ତେବେ ମୋଦୀ ଆସିଲେ ନୂଆ ଓଡିଶା ଗଢା ହେବ, ମୋଦୀ ଆସି ବିଜେପିକୁ ବିଜୟର ମନ୍ତ୍ର ଦେବେ, ମୋଦୀ ଆସି ଏୟା କରିବେ, ମୋଦୀ ଆସି ସେଯା କରିବେ….ଏ ପ୍ରକାର ପ୍ରଚାରର କିଛି ଅର୍ଥ ନାହିଁ, ଏତିକି ଓଡିଶାର ବିଜେପି ବୁଝିବା ଉଚିତ। ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଯେଉଁ ଯେଉଁ ଜାଗାରେ ପ୍ରଧାନମନ୍ତ୍ରୀ ରାଲି କରିଥିଲେ, ସେହି ସବୁ ସ୍ଥାନର ୭୦% ଜାଗାରେ ବିଜେପି ହାରିଛି, ଏ ଖବର ମଧ୍ୟ ଆମେ ଜାଣିଛୁ। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ବାରମ୍ବାର ଆସିଛନ୍ତି ଓ ଆସୁଛନ୍ତି। ଯେତେଥର ପ୍ରଧାନମନ୍ତ୍ରୀ ଆସୁଛନ୍ତି, ସେତେଥର ପ୍ରଚାର ହେଉଛି, ବିଜ୍ଞାପନ ବାହାରୁଛି, ଗଣମାଧ୍ୟମ ରେ ଏଥିପାଇଁ “ମାହୋଲ” ତିଆରି ହେଉଛି, ହେଲେ ଫଳ ଘର ସବୁଠାର ଶୂନ। ୨୦୧୪ ରେ ସାରା ଦେଶରେ ଯେତେବେଳେ ପ୍ରଚଣ୍ଡ କଂଗ୍ରେସ ବିରୋଧୀ ହାୱା ଥିଲା ଓ ସେହି ପୃଷ୍ଠଭୂମିରେ ମୋଦୀଙ୍କୁ ନେଇ ଗୋଟେ ବଡ ହାୱା ସୃଷ୍ଟି କରାଯାଇଥିଲା, ସେତେବେଳେ ମଧ୍ୟ ମୋଦୀ ଓଡିଶାରେ ବିଫଳ ହୋଇଥିଲେ।  ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ଅନେକଥର ଓଡିଶା ଆସିଥିଲେ ମଧ୍ୟ ବିଜେପିର ସଂଗଠନ ବା ପତିଆରା ଉପରେ ତାର ବିଶେଷ କିଛି ପ୍ରଭାବ ପଡିନାହିଁ।

ମୋଦୀ ଆସିବା ପୂର୍ବରୁ ଓ ପରେ ଗୁଡାଏ ଗେରୁଆ ପୋଷ୍ଟର, ପତାକା ଓ ହୋର୍ଡିଙ୍ଗ ବଢିବା ଛଡା ଅଧିକ କିଛି କେବେ ହୋଇନି। ଅବଶ୍ୟ ଆମ ଟେଲିଭିଜନ ଆଙ୍କରମାନେ ମୋଦୀଙ୍କୁ ଦେଖି ଟିକେ ବେଶୀ ଉତ୍ସାହିତ ଲାଗନ୍ତି। ୨୦୧୪ରେ ମୋଦୀଙ୍କ ଲୋକପ୍ରିୟତାର ଶୀର୍ଷ ସମୟରେ ତାଙ୍କର ପ୍ରଭାବ ଓଡିଶା ଉପରେ ପଡିଲାନି ତ, ଆଜି କି ପ୍ରଭାବ ପଡିବ, ଏ ପ୍ରଶ୍ନକୁ ନେଇ କିଛି ଆଲୋଚନା ହେଉନାହିଁ କାହିଁକି? ଏପରିକି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ମୋଦୀ ଓଡିଶାରେ ନିର୍ବାଚନ ପ୍ରଚାର କରୁଥିଲେ। ତାଙ୍କ ସଭାରେ ଯେତିକି ଲୋକ ଯୋଗାଡ ହୋଇ ଆସନ୍ତି, ସେମାନେ ବି ବୋଧେ ମୋଦୀଙ୍କ ଦ୍ଵାରା ପ୍ରଭାବିତ ହୁଅନ୍ତିନୀ। ନଚେତ ବିଜେପିର ସ୍ଥିତି ଯଥା ପୂର୍ବମ ତଥା ପରଂ ହୋଇନଥାନ୍ତା। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଯେଉଁ ସାମାନ୍ୟ ସଫଳତା ପାଇଥିଲା, ତାକୁ ନେଇ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶରେ ବଢେଇ ଚଢେଇ ପ୍ରଚାର କରିଥିଲେ। ତେବେ ପଞ୍ଚାୟତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିନଥିଲେ କିମ୍ବା ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିଜର ନେତୃତ୍ବର ସ୍ଥାଣୁତା କାରଣରୁ ଏକପ୍ରକାର ନିର୍ବାଚନରେ ବସିପଡିଥିଲା। ଏହାର ସୁଯୋଗ ପାଇ ବିଜେପି ଅଳ୍ପ କିଛି ଜିଲ୍ଲା ପରିଷଦ ଆସନରେ ସଫଳ ହୋଇଥିଲା। ତେବେ ଏହାକୁ ମଧ୍ୟ ମୋଦୀଙ୍କ ସଫଳତା ବୋଲି ଓଡିଶାର ବିଜେପି ନେତୃତ୍ୱ ପ୍ରଚାର କରିଥିଲେ।

ଯେତେବେଳ ପର୍ୟନ୍ତ ରାଜ୍ୟ ବିଜେପି ନିଜର ନେତା ସ୍ଥିର କରିନାହିଁ, ସେତେବେଳ ପର୍ୟନ୍ତ ଏହା ରାଜ୍ୟବାସୀଙ୍କ ବିଶ୍ଵାସଭାଜନ ହୋଇପାରିବ ନାହିଁ। ନରେନ୍ଦ୍ର ମୋଦୀ ଓଡିଶାର ନେତା ବା ଓଡିଶା ବିଜେପିର ଚେହେରା ନୁହନ୍ତି। ଓଡିଶା ଲାଗି ଏକ ସ୍ପଷ୍ଟ ଚେହେରା ନ ବାଛିବା ଯାଏ ବିଜେପି ଏମିତି ଭାସମାନ ଅବସ୍ଥାରେ ରହିଥିବ। ଧର୍ମେନ୍ଦ୍ର, ଜୁଏଲ, ପ୍ରତାପ, କେଭି ଇତ୍ୟାଦି ନାଁ ଭିତରେ ଛନ୍ଦି ହେଉଥିବା ରାଜ୍ୟ ବିଜେପି ନେତୃତ୍ୱ ହଠାତ ନୂଆ କରି ଆସିଥିବା ଅପରାଜିତା ଷଡଙ୍ଗୀଙ୍କ ଆଗରେ ବାମନ ମନେ ହେଉଥିବେ। ସବୁଠୁ ମଜାର କଥା ହେଉଛି, ମୋଦୀ ଆସୁଛନ୍ତି, ଏ କଥାକୁ ନେଇ ଲୋକଙ୍କ ମନରେ ଯେତିକି ଚର୍ଚ୍ଚା ନାହିଁ, ତାଠୁ ଅଧିକ ଚର୍ଚ୍ଚା ଅଛି ମୋଦୀଙ୍କ ସଭାରେ ଅପରାଜିତା କେଉଁ ଆସନରେ ବସିବେ। ଅପରାଜିତା ଏବେ ସବୁ ରାଜ୍ୟ ନେତାଙ୍କୁ ଟପି  ଗଣମାଧ୍ୟମ ଓ ସୋସିଆଲ ମିଡିଆ ରେ ଅଧିକ ଜାଗା ନେଇସାରିଲେଣି। ମୋଦୀଙ୍କ ସଭାରେ ଏବେ ଅପରାଜିତାଙ୍କ ଚୌକି ବିଷୟରେ ଅଧିକ ଚର୍ଚ୍ଚା ହେବା, ବେଶ ମଜାଦାର ମନେହେଉଛି।

ଏହା ସହିତ ମୋଦୀ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ “ବର୍ଷିବେ” କି ନାହିଁ ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ୟା ପୂର୍ବରୁ କଟକ ସଭାରେ ମୋଦୀ ନବୀନଙ୍କ ଉପରେ ଢେର ବର୍ଷିଥିଲେ। ତେବେ ନବୀନଙ୍କ ଉପରେ ମୋଦୀ ଯେତେ ବର୍ଷୁଛନ୍ତି, ନବୀନ ସେତେବେଶୀ ପ୍ରସନ୍ନ ମନେ ହେଉଛନ୍ତି। ଏପଟେ ମୋଦୀ ନବୀନଙ୍କ ଉପରେ ବର୍ଷୀୟ ସାରି ସଂସଦରେ ବିଜେଡ଼ିର ସମର୍ଥନ ଅତି ସହଜରେ ହାସଲ କରିପାରୁଛି। ରାଷ୍ଟ୍ରପତି ନିର୍ବାଚନ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ତଥା କେତୋଟି ଗୁରୁତ୍ୱପୂର୍ଣ୍ଣ ବିଲ ପାସ କରାଇବାରେ ବିଜେଡି ମୋଦୀ ସରକାରକୁ ସହଯୋଗ ଦେଇଛି। ତେଣୁ ମୋଦୀଙ୍କ ବର୍ଷା ଘଡଘଡି ସହିତ ଏ ଭିତିରି ବୁଝାମଣା ବିଷୟରେ ଲୋକ ବେଶ ଭଲ ଭାବରେ ଜାଣନ୍ତି।

ତେଣୁ ମୋଦୀ ଆସୁଛନ୍ତି ବୋଲି ବିଜେପିର ପ୍ରଚାର ସେମିତି କିଛି ପ୍ରଭାବ ସୃଷ୍ଟି କରିବାର ସମ୍ଭାବନା ନାଇଁ। ହଁ, ଏହାକୁ ନେଇ କେବଳ ଟେଲିଭିଜନ ଷ୍ଟୁଡିଓ ରେ କିଛି ଭଲ ଚଷୁକୁଟା ଅବଶ୍ୟ ହେବ!!