କେଦାର ମିଶ୍ର
ଯେ କୌଣସି ଟିଭି ଚାନେଲ, ଯେ କୌଣସି ଭାଷାରେ ଖୋଲିଲେ, ସେଥିରେ ମୋଦୀ ବନ୍ଦନା ବାଜୁଛି। ପ୍ରଧାନମନ୍ତ୍ରୀ କଣ କହିଲେ, କଣ ପିନ୍ଧିଲେ, କେମିତି ଚାଲିଲେ, ତପସ୍ୟା କଲା ବେଳେ ତାଙ୍କ ଦେହରୁ କେମିତି ଜ୍ୟୋତି ବାହାରୁଥିଲା, ସେ କେମିତି ପାକିସ୍ତାନକୁ ଛାନିଆ କରି ରଖିଛନ୍ତି ଇତ୍ୟାଦି ଇତ୍ୟାଦିର ଟିକିନିକି ଖବର ଆମେ ଦେଖାଇ ଚାଲିଛୁ। ପ୍ରଧାନମନ୍ତ୍ରୀଙ୍କୁ ଯଦି ବିରୋଧୀ ଦଳ ସମାଲୋଚନା କଲେ (ଯାହାକି ବିରୋଧୀ ଦଳର ସାମ୍ବିଧାନିକ ଓ ନୈତିକ ଦାୟିତ୍ଵ) ତାଙ୍କ ଉପରେ ମାଡି ବସି ଆମେ ତାଙ୍କ ଗଳା ବନ୍ଦ କରି ଦେଉଛୁ। ମୋଦୀ ଖେଳୁଥିବା ପ୍ରତି ବଲ କୁ ମାଷ୍ଟର ଷ୍ଟୋକ ବୋଲି କହି ଷ୍ଟାଡିୟମ ବାହାରେ ଆମେ “ଚିୟର ଲିଡର” ର ଭୂମିକା ତୁଲାଉଛୁ। ପ୍ରଧାନମନ୍ତ୍ରୀ ହିଁ ଏକମାତ୍ର ଏ ଦେଶର ତ୍ରାଣକର୍ତ୍ତା ବୋଲି କହି ଆମର ବନ୍ଦନା ଗାନ ଶୁଣି ପୃଥିବୀର ଗଣମାଧ୍ୟମରେ ଭାରତର ଗଣମାଧ୍ୟମକୁ ସରକାରଙ୍କ ବୋଲକରା ବୋଲି କୁହାଯାଉଛି। ହେଲେ ଯାହା ଲାଗି ଆମର ଏତେ ପ୍ରେମ, ସେ କିନ୍ତୁ ଆମକୁ ଆଜି ବି ଅବିଶ୍ଵାସ କରୁଛନ୍ତି। ଯେଉଁ ପ୍ରଧାନମନ୍ତ୍ରୀଙ୍କ ଲାଗି ଆମର ସବୁ ପ୍ରାଇମ ଟାଇମ ନିବେଦିତ, ସେ ଆମକୁ ଅବିଶ୍ଵସ୍ତ ବୋଲି କହୁଛନ୍ତି। ଗଣମାଧ୍ୟମର ମୋଦୀଙ୍କ ପ୍ରତି ରହିଥିବା ଏକ ପାଖିଆ ପ୍ରେମର କରୁଣ କାହାଣୀ ଆମକୁ ଶୁଣାଇଛନ୍ତି, ଚଳିତ ବର୍ଷର ନୋବେଲ ପୁରଷ୍କାର ବିଜେତା ଅଭିଜିତ ବାନାର୍ଜୀ।
ନୋବେଲ ପୁରସ୍କାର ଘୋଷଣା ହେବା ପରେ ପ୍ରଥମ ଥର ଲାଗି ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଭାରତ ଆସିଛନ୍ତି ଓ ସୌଜନ୍ୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଦେଖା କରିବା ଏକ ସାଧାରଣ ଘଟଣା। ତେବେ ମୋଦୀ ସରକାରର ଅର୍ଥନୈତିକ ନୀତି ଓ ଆର୍ଥିକ ପରିଚାଳନାକୁ ନେଇ ଅନେକ ସମୟରେ ଆଲୋଚନା କରିଥିବା ପ୍ରଫେସର ବାନାର୍ଜୀଙ୍କୁ ନେଇ ବିଜେପି ଓ ସଂଘ ପରିବାରର ଅନେକ ସନ୍ଦେହ ରହି ଆସିଛି। ଅନେକ ସମୟରେ ବିଜେପି ମନ୍ତ୍ରୀମାନେ ପ୍ରଫେସର ବାନାର୍ଜୀଙ୍କୁ “ବାମପନ୍ଥୀ” ଓ ତାଙ୍କ ବିଚାର ଲୋକଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଛି ବୋଲି କହିଛନ୍ତି। ତା ସତ୍ତ୍ୱେ ମଧ୍ୟ ସୌଜନ୍ୟତା ଓ ଜାତୀୟତା ଦୃଷ୍ଟିରୁ ଜଣେ ଭାରତୀୟ ଯେତେବେଳେ ଏତେ ବଡ ସମ୍ମାନ ପାଉଛନ୍ତି, ତାଙ୍କୁ ବଧେଇ ଜଣାଇବା ପ୍ରଧାନମନ୍ତ୍ରୀଙ୍କ ନୈତିକ କର୍ତ୍ତବ୍ୟ।
ଏ କ୍ଷେତ୍ରରେ ଏକ ବଡ ଉଦାହରଣ ପ୍ରସ୍ତୁତ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ। ସଂଯୋଗ କ୍ରମେ ବିଜେପି ସରକାର ଅମଳରେ ହିଁ ଅର୍ଥନୀତିରେ ଦୁଇଜଣ ଭାରତୀୟ ନୋବେଲ ପୁରସ୍କାର ପାଇଛନ୍ତି। ବୈଚାରିକ ଦୃଷ୍ଟିରୁ ପ୍ରଫେସର ଅମର୍ତ୍ତ୍ୟ ସେନ ଓ ପ୍ରଫେସର ଅଭିଜିତ ବାନାର୍ଜୀ ବିଜେପି ଓ ସଂଘ ପରିବାରର ବିରୋଧୀ। ତେବେ ୧୯୯୮ରେ ଯେତେବେଳେ ପ୍ରଫେସର ସେନ ନୋବେଲ ପୁରସ୍କାର ପାଇଲେ, ତାକୁ ଏକ ଜାତୀୟ ଉତ୍ସବ ଭାବରେ ବାଜପାୟୀ ସରକାର ଗ୍ରହଣ କରିଥିଲା। ୧୯୯୯ ରେ ପ୍ରଫେସର ସେନଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ “ଭାରତ ରତ୍ନ” ପ୍ରଦାନ କରି ବାଜପାୟୀ ନିଜର ଉଦାର ହୃଦୟର ପ୍ରମାଣ ଦେଇଥିଲେ। ଅଭିଜିତ ବାନାର୍ଜୀଙ୍କ କ୍ଷେତ୍ରରେ ଏହାର ଠିକ ବିପରୀତ ଆଚରଣ ଦେଖିବାକୁ ମିଳୁଛି। ପ୍ରଫେସର ବାନାର୍ଜୀଙ୍କ ସହ ଦେଖା ହେବାର ପ୍ରଥମ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଥିଲେ- ମୁଁ ଦେଖୁଛି, ମିଡିଆ କେମିତି ଆପଣଙ୍କୁ ମୋ ବିରୋଧରେ କୁହାଇବାକୁ ଚେଷ୍ଟା କରୁଛି।
ଏଇଟା ହିଁ ଆଜିର ତାରିଖରେ ସବୁଠୁ ବଡ ଖବର। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କୁହାଇବାକୁ ଭାରତର ଗଣମାଧ୍ୟମ କୌଣସି ସୁଯୋଗ ସୃଷ୍ଟି କରିବାକୁ ଭୟ କରୁଛି। ଅପରିହାର୍ଯ୍ୟ ପରିସ୍ଥିତି ନ ଆସିଲେ ମିଡିଆରେ ସରକାର ବିରୋଧୀ ସ୍ଵର ଶୁଣିବାକୁ ମିଳୁନାହିଁ। ପ୍ରଫେସର ବାନାର୍ଜୀ ଏହା ପୂର୍ବରୁ ବିମୂଦ୍ରାକରଣ ଓ କର୍ପୋରେଟ ତୁଷ୍ଟିକରଣ ଭଳି ବ୍ୟବସ୍ଥାକୁ ବିରୋଧ କରିଛନ୍ତି। ତେବେ ନୋବେଲ ପୁରଷ୍କାର ପାଇବା ଆଗରୁ ପ୍ରଫେସର ବାନାର୍ଜୀ ବା ପ୍ରଫେସର ଏଷ୍ଟର ଦଫ୍ଲୋ ଙ୍କୁ ଭାରତୀୟ ଟିଭି ଚାନେଲରେ କେହି କେବେ ଦେଖି ନଥିଲେ। ନୋବେଲ ପୁରଷ୍କାର ଏକ ଅପରିହାର୍ୟ ପରିସ୍ଥିତି ସୃଷ୍ଟି କଳା, ଯେଉଁଥିରେ ଏମାନଙ୍କ ଉପସ୍ଥିତି ମିଡିଆ ଲାଗି ନିତାନ୍ତ ଆବଶ୍ୟକ ଥିଲା। ତେବେ ମିଡିଆ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କୁହାଇବାକୁ ଚେଷ୍ଟା କରୁଛି ଓ ଏଥିଲାଗି ପ୍ରଫେସର ବାନାର୍ଜୀ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଆମେ କେମିତି ଦେଖିବା? ପ୍ରଧାନମନ୍ତ୍ରୀଙ୍କ ପାଇଁ ସବୁବେଳେ ନିଜକୁ ନିବେଦିତ କରି ରଖିଥିବା ଆମର ଗଣମାଧ୍ୟମ ଲାଗି ଏହା ହୃଦୟ ଭାଙ୍ଗିଦେଲାପରି ଏକ ବାର୍ତ୍ତା ନୁହେଁ କି?
ତେବେ ଏହା ପ୍ରଥମଥର ଲାଗି ଘଟୁନାହିଁ। ପ୍ରଧାନମନ୍ତ୍ରୀ ଭାବେ ଦ୍ଵିତୀୟ ଥର ଦାୟିତ୍ଵ ନେବା ପରେ ସେ ତାଙ୍କର ସାଂସଦ ମାନଙ୍କୁ କହିଥିଲେ- ମିଡିଆଠାରୁ ବଞ୍ଚିକି ରୁହ। ଉଭୟ ଛପାସ ଓ ଦିଖାସ ଗଣମାଧ୍ୟମ ଠାରୁ ଦୂରରେ ରହିବାକୁ ସେ ତାଙ୍କର ନେତାମାନଙ୍କୁ କହି ଆସୁଛନ୍ତି। ଏତେ ଆତ୍ମ ସମର୍ପଣ ଓ ବ୍ୟବସ୍ଥାର ଦାସତ୍ଵ ସ୍ଵୀକାର କଲାପରେ ବି ଆମର ଗଣମାଧ୍ୟମ ପ୍ରତି ଆପଣଙ୍କର ଏତେ ରାଗ କାହିଁକି ପ୍ରଧାନମନ୍ତ୍ରୀ ମହୋଦୟ!!