Categories
ଜାତୀୟ ଖବର ବିଶେଷ ଖବର

ସିବିଏସ୍‌ଇ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ଓଡିଶା କ୍ୟାଡର ଆଇଏଏସ ମନୋଜ ଆହୁଜା, ଚ୍ୟାଲେଞ୍ଜ ବେଶୀ

ନୂଆଦିଲ୍ଲୀ, ଓଡିଶା ପାଇଁ ଏକ ଖୁସି ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ। ଦେଶର ପ୍ରତିଷ୍ଠିତ ଶିକ୍ଷା କେନ୍ଦ୍ର ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରି ଏଡୁକେସନ ବା ସିବିଏସଇ ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ମନୋଜ ଆହୁଜା। ମନୋଜ ହେଉଛନ୍ତି 1990 ବ୍ୟାଚର ଓଡିଶା କ୍ୟାଡରର ଆଇଏଏସ ଅଧିକାରୀ। ମନୋଜ ଓଡିଶାରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ଡେପୁଟେସନରେ ଯାଇ ବର୍ତ୍ତମାନ ଲାଲବାହଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନ ଏକାଡେମୀର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ଆଜି କେନ୍ଦ୍ର ସରକାର ଅତିରିକ୍ତ ଶାସନ ସଚିବ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି। ପୂର୍ବରୁ ଏହି ସିବିଏସସି ଅଧ୍ୟକ୍ଷ ପଦରେ ଥିବା ଅନୀତା କାରୱାଲଙ୍କୁ ବଦଳ କରାଯାଇ ସ୍କୁଲ ଶିକ୍ଷା ବିଭାଗର ସଚିବ ଭାବେ ନିଯୁକ୍ତ ଦିଆଯାଇଛି। ସେହିପରି ଆଉ ଜଣେ ଓଡିଶା କ୍ୟାଡର ଆଇଏଏସ ଆରତୀ ଆହୁଜାଙ୍କୁ ମଧ୍ୟ ବଦଳି କରାଯାଇଛି। ତାଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ ଦିଆଯାଇଛି। ଆରତୀ ହେଉଛନ୍ତି ମନୋଜ ଆହୁଜାଙ୍କ ଧର୍ମପତ୍ନୀ।

ସିବିଏସସି ର ଅଧ୍ୟକ୍ଷ ଭାବେ ମନୋଜଙ୍କୁ ବର୍ତ୍ତମାନ ବଡ ଚ୍ୟାଲେଞ୍ଜ ନେବାକୁ ପଡିବ। କାରଣ କୋରନା ଭାଇରସ ଯୋଗୁଁ ବୋର୍ଡର 10ମ ଏବଂ 12ଶ ଶ୍ରେଣୀର ପରୀକ୍ଷା ହୋଇପାରି ନାହିଁ। ଅନ୍ୟପଟେ ଛାତ୍ରଛାତ୍ରୀଙ୍କର ଶିକ୍ଷା ବର୍ଷ ଶେଷ ହେବାରେ ଲାଗିଛି। ତେଣୁ ବିଶ୍ବବିଦ୍ୟାଳୟ ନାମଲେଖା ପୂର୍ବରୁ ଏ ପରୀକ୍ଷା ଶେଷ କରି ରେଜଲଟ ବାହାର କରିବା ମନୋଜଙ୍କ ପାଇଁ ଏକ ବଡ ପରୀକ୍ଷା କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାନ ଦେଶର ପ୍ରାୟ 30 ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମନୋଜଙ୍କ ଉପରେ ନିର୍ଭର କରୁଛି।