ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ମୋ ସରକାରରେ ସାମିଲ ହୋଇଛି ଶ୍ରମ ଏବଂ ଇଏସ୍ଆଇ ବିଭାଗ । ଶ୍ରମ ଏବଂ ଶ୍ରମିକ କଲ୍ୟାଣ ବିଭାଗରେ ସଚେତନତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରାଯାଇଛି । ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାରରେ ଶ୍ରମ ଏବଂ ଶ୍ରମିକ କଲ୍ୟାଣ ବିଭାଗକୁ ସାମିଲ କରିଛନ୍ତି । ଏହା ସହିତ ଶ୍ରମିକଙ୍କ ସୁରକ୍ଷା ପାଇଁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପ୍ରଣୟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରମ ଏବଂ ଶ୍ରମିକ କଲ୍ୟାଣ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହିତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏବଂ 5ଟି ସଚିବ ଭିକେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ ।
Tag: Mosarkar
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ଆଜି ମୋ’ ସରକାରରେ ସାମିଲ୍ ହୋଇଛି ’’ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ। ଲୋକସେବା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି।
ରାଜ୍ୟର ସହରାଞ୍ଚଳରେ ଉତ୍ତମ ପାନୀୟ ଜଳ ଯୋଗାଣ ଯୋଗାଇ ଦେବା ସହିତ ସହରାଞ୍ଚଳରେ ରହୁଥିବା ଗରିବ ଲୋକମାନଙ୍କୁ ଜାଗା ମିଶନ୍ ଜରିଆରେ ମୌଳିକ ଅଧିକାର ଯୋଗାଇ ଦେବା ପାଇଁ ସ୍ଥିର କରାଯାଇଛି। ଜାଗା ମିଶନ୍ ଜରିଆରେ ସହରାଞ୍ଚଳର ପଚାଶ ହଜାର ଲୋକମାନଙ୍କୁ ଥଇଥାନ କରାଯିବା ନେଇ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ଅନ୍ୟ ସଚିବମାନେ ଉପସ୍ଥିତ ରହିଥିଲେ।
ମୋ’ ସରକାର ଯୋଜନାରେ ପ୍ରଥମେ ଥାନା ଓ ଡାକ୍ତରଖାନା ରହିଥିବାବେଳେ ଆଜି ମୋ’ ସରକାରରେ ଅଧୀନରେ ‘ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ସାମିଲ୍ କରାଯାଇଛି। ପୂର୍ବରୁ ମୋ’ ସରକାର ଅଧୀନରେ କୃଷି, ଉଚ୍ଚଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶକୁ ମଧ୍ୟ ସାମିଲ୍ କରାଯାଇଥିଲା ।
କେଦାର ମିଶ୍ର
ଆଜି ଯାଏ ବିଜୁ ଜନତା ଦଳ ଓ ଏହାର ସରକାର ପରିଚାଳନାରେ ବରିଷ୍ଠ ପ୍ରଶାସକ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ପ୍ରଚ୍ଛନ୍ନ ହାତ ରହିଛି ବୋଲି ଚର୍ଚ୍ଚା ହେଉଥିଲା। ପାଣ୍ଡିଆନଙ୍କୁ ନେଇ ବହୁ ପ୍ରକାର କଳ୍ପନା ଜଳ୍ପନା, ଗୁଜବ-କାହାଣୀ ଓ ସଙ୍କେତ ସବୁ ମିଳୁଥିଲା। ସରକାର ଉପରେ ତାଙ୍କର ପ୍ରଭାବକୁ ନେଇ ଚର୍ଚ୍ଚା ବି ହେଉଥିଲା। ହେଲେ ଖୋଲାଖୋଲି ତାଙ୍କୁ କେହି ଦେଖୁନଥିଲେ ବା ତାଙ୍କ କଥା ଶୁଣିବାକୁ ମିଳୁନଥିଲା। ଅନେକ ତ ତାଙ୍କ ଚେହେରା ମଧ୍ୟ କେବେ ଦେଖିନଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠୁ ଘନିଷ୍ଠ ଓ ସବୁଠୁ ବିଶ୍ଵସ୍ତ ଅଧିକାରୀ ଭାବରେ କେବଳ ନୁହେଁ, ସେ ଏକ ପ୍ରକାର ମୁଖ୍ୟମନ୍ତ୍ରୀଙ୍କ ଛାଇ ଭଳି ରହିଥିବା କଥା ସମସ୍ତେ ଜାଣନ୍ତି। ପାଣ୍ଡିଆନଙ୍କ ଆଗରୁ ଆହୁରି ଅନେକ ପ୍ରଶାସକ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଥିଲେ। ହେଲେ ନବୀନ ବାବୁ କାହା ଉପରେ ଏତେଟା ନିର୍ଭରଶୀଳ କେବେ ବି ନଥିଲେ। ଏବେ ବିଜେଡ଼ିର ଅସଲ ଡୋରି ଯେ ପାଣ୍ଡିଆନଙ୍କ ହାତରେ ଏକଥା ସ୍ପଷ୍ଟ ହୋଇ ଯାଇଛି। ବିଜେଡ଼ିର ଦଳୀୟ ବ୍ୟାପାରରେ ପାଣ୍ଡିଆନ ଏବେ ମଧ୍ୟ ଆଢୁଆଳରେ ରହୁଛନ୍ତି। ରହିବା ସ୍ଵାଭାବିକ ମଧ୍ୟ। ଏଯାଏ ସେ ସର୍ବ ଭାରତୀୟ ସେବାର ଅଧିକାରୀ ଭାବରେ ହିଁ କାମ କରୁଛନ୍ତି। ତେଣୁ ଦଳର ପରିଚାଳନା ଲାଗି ସେ ପରୋକ୍ଷ ସହାୟତା କରୁଛନ୍ତି।
୨୦୧୯ ନିର୍ବାଚନ ଆଗରୁ ସରକାର ଚଳାଇବାରେ ପାଣ୍ଡିଆନଙ୍କର ସ୍ପଷ୍ଟ ଭୂମିକା ରହୁଥିଲେ ହେଁ ସେ ଖୋଲାଖୋଲି ନିଜକୁ ଲୋକଙ୍କ ଆଗରେ ଉପସ୍ଥାପିତ କରୁ ନଥିଲେ। ପ୍ରଶାସନର ସବୁ ଛୋଟ ବଡ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସେ ହିଁ ନେଉଥିଲେ। ହେଲେ ପ୍ରଶାସନିକ ସ୍ତରରେ ସେ ନିଜକୁ ଜଣେ କନିଷ୍ଠ ଅଧିକାରୀର ଭୂମିକାରେ ସୀମିତ ରଖିବାକୁ ଚେଷ୍ଟା କରୁଥିଲେ। ୨୦୧୯ ନିର୍ବାଚନ ପରେ ସରକାର ଗଠନ, ପରିଚାଳନା ଓ ନୀତିଗତ ନିଷ୍ପତ୍ତି କ୍ଷେତ୍ରରେ ପାଣ୍ଡିଆନଙ୍କର ସ୍ପଷ୍ଟ ସ୍ଵାକ୍ଷର ଏବେ ବାରି ହୋଇ ପଡୁଛି। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ତାଙ୍କୁ ପ୍ରତ୍ୟକ୍ଷ କର୍ତ୍ତାର ଭୂମିକାରେ ଦେଖିବାକୁ ମିଳିଲା। ତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ଏକ ଫଟୋଗ୍ରାଫ ବିଜେଡ଼ିର ପ୍ରାୟ ସବୁ ତୁଙ୍ଗ ନେତା ଶେୟାର କରିଥିଲେ ଓ ସେଥିରୁ ସ୍ପଷ୍ଟ ସଙ୍କେତ ମିଳିଥିଲା ଯେ, ପାଣ୍ଡିଆନଙ୍କ ଭୂମିକା ଏଥର ସରକାରରେ ଯଥେଷ୍ଟ ପ୍ରଭାବଶାଳୀ ହେବାକୁ ଯାଉଛି।
ପରେ ପରେ “ଫାଇଭ ଟି” ବିଭାଗ ସୃଷ୍ଟି କରି ତାହାର ଦାୟିତ୍ଵ ପାଣ୍ଡିଆନଙ୍କୁ ଦିଆଗଲା। ଏହାର ସ୍ପଷ୍ଟ ଅର୍ଥ ଥିଲା ପ୍ରଶାସନରେ ମୁଖ୍ୟମନ୍ତ୍ରୀଙ୍କ ପରେ ବାସ୍ତବ ମୁଖିଆ ହେଉଛନ୍ତି ପାଣ୍ଡିଆନ। ଟେକ୍ନୋଲୋଜି, ଟ୍ରାଂସପେରେନ୍ସି, ଟାଇମ, ଟିମ ୱାର୍କ ଓ ଟ୍ରାନ୍ସଫର୍ମେସନ ଭଳି ପାଞ୍ଚୋଟି ଶବ୍ଦ ଭିତରେ ପୂରା ପ୍ରଶାସନର ଦାୟିତ୍ଵ ତାଙ୍କୁ ଦିଆଗଲା। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟ ଭିତରେ ନିଜକୁ ସୀମିତ ନ ରଖି ପୁରା ପ୍ରଶାସନରେ ନିଜର ନେତୃତ୍ଵ ଜାହିର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦେଇଥିବାର ସ୍ପଷ୍ଟ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟରେ ଅବସରପ୍ରାପ୍ତ ଉନ୍ନୟନ କମିଶନର ଆର. ବାଲକୃଷ୍ଣନ ମୁଖ୍ୟ ପରାମର୍ଶଦାତା ଭାବରେ ଯୋଗଦେବା ପରେ, ପାଣ୍ଡିଆନ ଏବେ ନିଜ ଭୂମିକାକୁ ଆଉ ଆଢୁଆଳରେ ରଖିବାକୁ ଚାହିଁ ନାହାନ୍ତି।
ଗତକାଲି ନବୀନ ସରକାରର ଜନ ସମ୍ପର୍କ ଯୋଜନା “ମୋ ସରକାର”ର ଉଦ୍ଘାଟନ ଅବସରରେ ଭାଷଣ ଦେଇ ପାଣ୍ଡିଆନ ଯେଉଁ ଭାଷାରେ ଓ ଯେତିକି ଆତ୍ମ ବିଶ୍ବାସର ସହିତ ନିଜର ବକ୍ତବ୍ୟ ରଖିଛନ୍ତି, ସେଥିରୁ ସେ ହିଁ ରାଜ୍ୟ ପ୍ରଶାସନର ଦ୍ଵିତୀୟ କ୍ଷମତା କେନ୍ଦ୍ର ବୋଲି ବାର୍ତ୍ତା ପ୍ରଶାସନକୁ ଦିଆ ଯାଇଛି। ପ୍ରଶାସକ ମହଲରେ ଓଡିଆ ବନାମ ଅଣ ଓଡିଆ ବିଭାଜନର ଯେଉଁ ମୃଦୁ ଗୁଞ୍ଜରଣ ରହିଥିଲା, ତାହାରି ଉପରେ ପଣ୍ଡିଆନଙ୍କ ଏ ନୂଆ ଅବତାର ପ୍ରଚଣ୍ଡ ପ୍ରହାର କରିଛି। ବିଜେଡି ସରକାରର କାମ କରିବା ଶୈଳୀ ଅନ୍ୟ ଚାରି ଥର ଭଳି ପାରମ୍ପରିକ ହେବନାହିଁ, ବରଂ ତଳୁ ଉପର ଯାଏ ପ୍ରଶାସନକୁ କଡାକଡି ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ କ୍ରିୟାଶୀଳ କରିବାକୁ ଉଦ୍ୟମ ହେବ ବୋଲି ପାଣ୍ଡିଆନ ସ୍ପଷ୍ଟ କରି ଦେଇଛନ୍ତି।
ତେବେ ପ୍ରଶାସନ ଓ ବିଜେଡି ଭିତରେ ଏହାକୁ ନେଇ କି ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି, ତାହା ସମୟ କ୍ରମେ ଜଣା ପଡିବ। ଆଜିର ତାରିଖରେ ବିଜେଡ଼ିର ପୂରା କ୍ୟାଡର ପାଣ୍ଡିଆନଙ୍କ ପ୍ରଭାବକୁ ସ୍ଵୀକାର କରୁଛନ୍ତି। ବିଜେଡ଼ିର ନିର୍ବାଚନୀ ସଫଳତା ପଛରେ ପାଣ୍ଡିଆନଙ୍କ ସୁଚିନ୍ତିତ ରଣ କୌଶଳକୁ ସବୁ ନେତା ମାନୁଛନ୍ତି। ତେଣୁ ବିଜେଡି ଭିତରୁ ଏହାକୁ ନେଇ କେହି ପ୍ରଶ୍ନ ଉଠାଇବାର ସମ୍ଭାବନା ନାହିଁ। କେବଳ ପ୍ରଶାସନିକ ସ୍ତରରେ କାନକୁହା ବିରୋଧ କିଛି କିଛି ରହିବ।
ତେବେ ଏହି ସମଗ୍ର ଘଟଣାକ୍ରମ ଉପରେ ଆମର ପ୍ରଶ୍ନ ହେଉଛି, ଭି. କାର୍ତ୍ତିକେୟ ପାଣ୍ଡିଆନ ଆଗାମୀ ଦିନରେ ରାଜ୍ୟ ରାଜନୀତିର ମଙ୍ଗ ଧରିବାକୁ ଭିନ୍ନ ଭୂମିକା ପାଇଁ ପ୍ରସ୍ତୁତ ହେଉଛନ୍ତି କି ?