Categories
ଆଜିର ଖବର ଖେଳ

ଟେଷ୍ଟ ସିରିଜ୍‌ରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ : ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ପାଣ୍ଡ୍ୟାଙ୍କ ପିଠିରେ ହୋଇଥିବା ସର୍ଜରୀର ପରୀକ୍ଷଣ ପାଇଁ ଲଣ୍ଡନ ଗସ୍ତ କରିବା ପରେ ଶନିବାର ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅସ୍ଥିଶଲ୍ୟ ବିଶେଷଜ୍ଞ ଜେମ୍‌ସ ଆଲିବୋନ୍‌ଙ୍କୁ ଭେଟିବା ପାଇଁ ହାର୍ଦ୍ଦିକ ଲଣ୍ଡନ ଗସ୍ତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପାଣ୍ଡ୍ୟା ଏବଂ ବୁମ୍‌ରା ଏକତ୍ର ଆହତ ହୋଇଥିବା ବେଳେ ଉଭୟ ଏନ୍‌ସିଏରେ ନିଜର ଚିକିତ୍ସା କରାଇବା ପରିବର୍ତ୍ତେ ବ୍ୟକ୍ତିଗତ ଭାବରେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓଙ୍କ ନିକଟରେ ଚିକିତ୍ସା କରାଇଥିଲେ । ଏହାପରେ ଏନ୍‌ସିଏ ପକ୍ଷରୁ ଉଭୟଙ୍କ ଫିଟ୍‌ନେସ୍‌ ଟେଷ୍ଟ ନିଆଯାଇନଥିଲା । ଏହାପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ହସ୍ତକ୍ଷେପ ପରେ ଏନ୍‌ସିଏ ଉଭୟଙ୍କ ଫିଟନେସ୍‌ ପରୀକ୍ଷଣ କରିଥିଲେ । ପାଣ୍ଡ୍ୟାଙ୍କ ସହିତ ଏନ୍‌ସିଏ ଫିଜିଓ ଆଶିଷ କୌଶିକ୍‌ ଏହି ଗସ୍ତରେ ରହିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ବୁମ୍‌ରାଙ୍କ ଫିଟ୍‌ନେସ୍‌ ଟେଷ୍ଟ : ଦ୍ରାବିଡଙ୍କୁ ଟ୍ବିଟ୍ଟରରେ ସମାଲୋଚନା

ନୂଆଦିଲ୍ଲୀ,21/12 : ପେସ୍‌ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଫିଟନେସ୍‌ ଟେଷ୍ଟ ପ୍ରତ୍ୟାଖ୍ୟାନ କରିଥିବା କାରଣରୁ ଏନ୍‌ସିଏ ମୁଖ୍ୟ ରାହୁଲ ଦ୍ରାବିଡଙ୍କୁ ଟ୍ବିଟ୍ଟରରେ ସମାଲୋଚନା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନିୟମ ଅନୁସାରେ ଖେଳାଳି ଆହତ ହେଲେ ଜାତୀୟ କ୍ରିକେଟ ଏକାଡେମୀରେ ରହି ସୁସ୍ଥ ହୁଅନ୍ତି । ମାତ୍ର ବୁମ୍‌ରା ବ୍ୟକ୍ତିଗତ ଭାବରେ ଚିକିତ୍ସିତ ହୋଇଥିବାରୁ ଶୁକ୍ରବାର ପରୀକ୍ଷଣ ପାଇଁ ଏନ୍‌ସିଏ ପକ୍ଷରୁ ମନା କରି ଦିଆଯାଇଥିଲା । ବ୍ୟକ୍ତିଗତ ଭାବରେ ବୁମ୍‌ରାଙ୍କୁ ନିଜର ସ୍ବାସ୍ଥ୍ୟଗତ ସାର୍ଟିଫିକେଟ୍‌ ଆଣିବା ପାଇଁ ଏନ୍‌ସିଏ ମୁଖ୍ୟ ରାହୁଲ ଦ୍ରାବିଡ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଟ୍ବିଟ୍ଟରରେ ଦ୍ରାବିଡଙ୍କୁ କ୍ରୀଡାପ୍ରେମୀଙ୍କ ପକ୍ଷରୁ ସମାଲୋଚନା କରାଯାଇଥିଲା । ବିସିସିଆଇର ନିର୍ଦ୍ଦେଶରେ ବୁମ୍‌ରା ବିଶାଖାପଟ୍ଟନମ ଯାଇ ନେଟ୍‌ସରେ ବୋଲିଂ କରିଥିଲେ । ଏହାପରେ ବିସିସିଆଇ ପକ୍ଷରୁ ଏନ୍‌ସିଏ ନିକଟରୁ ସ୍ବାସ୍ଥ୍ୟଗତ ସାର୍ଟିଫିକେଟ୍‌ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବିସିସିଆଇ ସିଭାପତି ସୌରଭ ଗାଙ୍ଗୁଲି ଏହି ମାମଲାରେ ଦ୍ରାବିଡଙ୍କ ସହିତ କଥା ହେବେ ବୋଲି କହିଥିବା ବେଳେ ଦ୍ରାବିଡଙ୍କ ପ୍ରତିକ୍ରିୟା ଜଣାପଡି ନାହିଁ । (ଏଜେନ୍ସୀ)