Categories
ଆଜିର ଖବର

୧୦ ଦଫା ଦାବି ନେଇ ଲୋୟର ପିଏମ୍‌ଜିଠାରେ ନିଖିଳ ଓଡ଼ିଶା ଠିକାଦାର ମହାସଂଘର ବିଶାଳ ସମାବେଶ

ଭୁବନେଶ୍ବର, ୨୪/୧୧: (ସମୀକ୍ଷା ବ୍ୟୁରୋ): ଆଜି ଭୁବନେଶ୍ବରସ୍ଥିତ ଲୋୟର ପିଏମ୍‌ଜିଠାରେ ନିଖିଳ ଓଡ଼ିଶା ଠିକାଦାର ମହାସଂଘର ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ମହାସଂଘ ୧୦ ଦଫା ଦାବି ନେଇ ସମାବେଶ କରିଛନ୍ତି। ଆଗାମୀ ଦିନରେ ଏହି ଦାବି ପୂରଣ ନ ହେଲେ ସମଗ୍ର ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି ଏହି ମହାସଂଘର ସଭାପତି ପ୍ରଭାତ ଦାଶ।

ଏହି ମହାସଂଘର ଦାବି ଗୁଡ଼ିକ ମଧ୍ୟରେ ରହିଛି – ୨୦୧୪ର ସ୍ଥିରୀକୃତ ସୂଚୀ ଦରରେ ପରିବର୍ତ୍ତନ କରାଯାଇ ୨୦୧୯ ମୂଲ୍ୟ ଭିତ୍ତିରେ ପୁନଃଆକଳନ , ଭାରତ ସରକାରଙ୍କ ଷ୍ଟାଣ୍ଡାଡ ଡାଟା ବୁକ୍‌ ଓ ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀର ତୁରନ୍ତ ପ୍ରଚଳନ, ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ୧୪.୯୯ର ସମ୍ପୂର୍ଣ୍ଣ ପ୍ରତ୍ୟାହାର, ମାନ୍ୟବର ହାଇକୋର୍ଟଙ୍କ ବର୍ଦ୍ଧିତ ମୂଲ୍ୟ ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ ପ୍ରାପ୍ୟ ପ୍ରଦାନ, ଶ୍ରମିକ ମଜୁରୀର ଉଚିତ ନିର୍ଦ୍ଧାରଣ ଏବଂ ଠିକାଦାରଙ୍କ ତତ୍‌ ସମ୍ପର୍କିତ ପ୍ରାପ୍ୟ ପ୍ରଦାନ, ତେଲେଙ୍ଗାନା ସରକାରଙ୍କ ନୀତି ଅନୁଯାୟୀ ଜିଏସ୍‌ଟି ପାଇଁ ୧୦ ପ୍ରତିଶତ ଅଧିକ ପ୍ରାପ୍ୟ ପ୍ରଦାନ, କୌଣସି ବାହ୍ୟ ସର୍ତ୍ତ ବ୍ୟତୀତ କେବଳ ଲାଇସେନ୍ସ୍‌ କ୍ଷମତା ଅନୁଯାୟୀ କାର୍ଯ୍ୟାଦେଶ, ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ସଞ୍ଚୟ ପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ, ବ୍ୟବସ୍ଥା ନଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ଏବଂ ରୟାଲିଟି ରସିଦ ଦାଖଲ ନିର୍ଦ୍ଦେଶର ତୁରନ୍ତ ପ୍ରତ୍ୟାହାର ଆଦି କରିବାକୁ ଦାବି କରିଛନ୍ତି। ଆଜି ଲୋୟର ପିଏମ୍‌ଜିଠାରେ ଏକ ହଜାରରୁ ଉର୍ଦ୍ଧ୍ବ ଠିକାଦାର ସମାବେଶ ହୋଇ ନିଜ ଦାବି ପାଇଁ ଦୃଢ ଦାବି କରିଛନ୍ତି।