ଭୁବନେଶ୍ବର: ଆଜି ଗୃହରେ ବ୍ୟୟ ମଂଜୁରୀ ବିଲ ଉପସ୍ଥାପନା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ବିସ୍ତୁତ ବକ୍ତବ୍ୟ ରଖିଛନ୍ତି। ସେ ଯାହା କହିଛନ୍ତି ତାହା ହେଲା
1. ମୁଁ ଏହି ପବିତ୍ର ଗୃହରେ ଚଳିତ ମାସ 25 ତାରିଖରେ ବର୍ଷ 2024-25ର ବଜେଟ୍ ଉପସ୍ଥାପନ କରିଥିଲି । 29 ଓ 30 ତାରିଖରେ ଏହି ବଜେଟ୍ ଉପରେ ସାଧାରଣ ଆଲୋଚନା ସରିଛି । ବଜେଟ ପ୍ରକ୍ରିୟା ସମ୍ପୂର୍ଣ ହୋଇ ବର୍ଷ 2024-25 ର ପୂର୍ଣାଙ୍ଗ ବ୍ୟୟ ମଞ୍ଜୁରୀ ବିଧେୟକ ଏହି ଗୃହରେ ଅନୁମୋଦନ ପାଇଁ ସେପ୍ଟେମ୍ବର 10 ତାରିଖରେ ଉପସ୍ଥାପନ କରାଯିବ।
2. ନିର୍ବାଚନ ପୂର୍ବରୁ ପୂର୍ବ ସରକାରଙ୍କ ଦ୍ଵାରା ଆଗତ ଓ ପାରିତ ହୋଇଥିବା ଲେଖାନୁଦାନ ଅଟକଳ 31 ଜୁଲାଇ, 2024 ପର୍ଯ୍ୟନ୍ତ ବୈଧ। ଏଣୁ ଚଳିତ ମାସ 25 ତାରିଖରେ ଉପସ୍ଥାପିତ 2024-25 ଆର୍ଥିକ ବର୍ଷର ପୁର୍ଣ୍ଣାଙ୍ଗ ବଜେଟରୁ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସରକାରଙ୍କ ଆବଶ୍ୟକୀୟ ଖର୍ଚ୍ଚ ଭରଣା ପାଇଁ ଏକ ଲେଖାନୁଦାନ ବିନିଯୋଗ ବିଧେୟକରେ ଏ ପବିତ୍ର ଗୃହର ଅନୁମୋଦନ ଆବଶ୍ୟକ।
3. ଏହି ଅବଶ୍ୟକତାକୁ ଦୃଷ୍ଟିରେ ରଖି, ଏ ଗୃହରେ ମୁଁ 95 ହଜାର କୋଟି ଟଙ୍କାର ଲେଖାନୁଦାନ ବିନିଯୋଗ ବିଧେୟକ, ଗୃହର ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଛି । ଏହି ଲେଖାନୁଦାନରେ ରାଜସ୍ୱ ବ୍ୟୟ ପାଇଁ 30 ପ୍ରତିଶତ, ପୁଞ୍ଜି ବ୍ୟୟ ପାଇଁ 40 ପ୍ରତିଶତ, ବିପର୍ଯ୍ୟୟ ପରିଚାଳନା, ସାମାଜିକ ସୁରକ୍ଷା, ପେନସନ, ନ୍ୟାୟପାଳିକା ଓ ନିର୍ବାଚନ ପାଇଁ ଅର୍ଥ ରାଶି ଅନ୍ତର୍ଭୁକ୍ତ କରାଯାଇଛି।
ଏହାଦ୍ୱାରା ସରକାରଙ୍କର ବିଭିନ୍ନ ଯୋଜନା ନିମନ୍ତେ ଆବଶ୍ୟକୀୟ ଖର୍ଚ୍ଚ ପାଇଁ ସମ୍ବଳ ଯୋଗାଇବା ସମ୍ଭବପର ହେବ ଏବଂ ଜରୁରୀକାଳିନ କାର୍ଯ୍ୟ ଗୁଡିକ ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ। ଏହି ବିଧେୟକକୁ ଗୃହର ମଞ୍ଜୁରୀ ମିଳିଲେ, ଏ ଅର୍ଥ ରାଜ୍ୟର ସର୍ବାଙ୍ଗୀନ ବିକାଶ ସହ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ବିନିଯୋଗ ହୋଇପାରିବ।
4. ଗତ 29 ଓ 30 ତାରିଖରେ ଏ ଗୃହରେ ବଜେଟ 2024-25 ଉପରେ ସାଧାରଣ ଆଲୋଚନା ଅବସରରେ ବଜେଟର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଗତ କାଲି ଏ ଗୃହରେ ମୁଁ ମୋର ଉତ୍ତର ବିସ୍ତାରରେ ରଖିଥିଲି। ଆଜି ଲେଖାନୁଦାନ ବିନିଯୋଗ ବିଧେୟକ ଉପରେ ଏ ଗୃହରେ ଆଲୋଚନା ହୋଇ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସାଧାରଣ ଆଲୋଚନାରେ ଉଭୟ ବିରୋଧି ଓ ଶାସକ ଦଳର ସଦସ୍ୟ ମାନେ ଭାଗ ନେଇଛନ୍ତି।
ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ତେବେ ବଜେଟ ଉପରେ ସାଧାରଣ ଆଲୋଚନା ଏବଂ ଆଜିର ଆଲୋଚନାରେ ଅନେକ ସମାନ ପ୍ରସଙ୍ଗ ଉତ୍ଥାପନ କରାଯାଇଛି, ଯାହାର ଉତ୍ତର ମୁଁ ଗତକାଲି ଏ ଗୃହରେ ରଖିସାରିଛି। ସାଢେ ଚାରି କୋଟି ଓଡିଆ ଆମର ବଜେଟ ପାଇଁ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିରେ ଅନେକ ଲୋକଙ୍କ ମତାମତ ମଧ୍ୟ ମୁଁ ଉପସ୍ଥାପିତ କରିଥିଲି। ସମୟର ସ୍ଵଳ୍ପତା ହେତୁ ମୁଁ ମୋର ଉତ୍ତରରେ ସେ ପ୍ରସଙ୍ଗ ଗୁଡିକର ପୁନରାବୃତ୍ତି କରିବି ନାହିଁ।
5. ଏହି ବଜେଟ୍ “ବିକଶିତ ଓଡିଶା” ଗଠନ ଦିଗରେ ଆମର ପ୍ରଥମ ଗୁରୁତ୍ୱପୂର୍ଣ ପଦକ୍ଷେପ । ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଓ ଆମ ସଂକଳ୍ପ ପତ୍ରରେ ଥିବା ପ୍ରତିଶ୍ରୁତି ଗୁଡିକର ସଫଳ ରୂପାୟନ ପାଇଁ ଏହି ବଜେଟ ଏକ ନିଷ୍ଟାପର ଉଦ୍ୟମ । ଏହି ବଜେଟରେ ଜନ କଲ୍ୟାଣ ଏବଂ ରାଜ୍ୟର ସାମଗ୍ରିକ ବିକାଶ ନିମନ୍ତେ ଅନେକ ଗୁଡିଏ ନୂତନ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି ।
ଏଥିରେ ସାମାଜିକ ନ୍ୟାୟ, ଭିତ୍ତିଭୂମିର ଉନ୍ନତି, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା, ବଞ୍ଚିତଙ୍କ ପାଇଁ ସାମାଜିକ ନିରାପତ୍ତା, ମହିଳା, ଯୁବ ବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ସଂଖ୍ୟାଲଘୁ, ଭିନ୍ନକ୍ଷମ, ତଥା ବରିଷ୍ଠ ନାଗରିକ ମାନଙ୍କ ସଶକ୍ତିକରଣ ମାଧ୍ୟମରେ ସାମୁହିକ ବିକାଶ ତଥା ଦୃଢ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି।
6. ମାନ୍ୟବର ସଦସ୍ୟ ମାନଙ୍କ ସଦୟ ଅବଗତି ନିମନ୍ତେ ମୁଁ ଏଠାରେ ଆଉଥରେ ଉଲ୍ଲେଖ କରିବାକୁ ଚାହେଁ ଯେ, ଆର୍ଥିକ ବର୍ଷ 2024-25 ପାଇଁ ମୋଟ 2 ଲକ୍ଷ 65 ହଜାର କୋଟି ଟଙ୍କା ବଜେଟ୍ ଅଟକଳ ହୋଇଅଛି। ବଜେଟ୍ ଅଟକଳ ଠାରୁ ପ୍ରାୟ 15 ପ୍ରତିଶତ ଅଧିକ ଅଟେ । ଏଥିରେ କାର୍ଯ୍ୟକ୍ରମ ବ୍ୟୟ 1 ଲକ୍ଷ 55 ହଜାର କୋଟି ଟଙ୍କା ଆକଳନ କରାଯାଇଛି ଯାହାକି 2023-24 ଆର୍ଥିକ ବର୍ଷ ତୁଳନାରେ 24 ପ୍ରତିଶତ ଅଧିକ ଅଟେ ।
7. ଏହି ବଜେଟରେ ସାମାଜିକ କ୍ଷେତ୍ର (Social Sector Expenditure) ପାଇଁ ମୋଟ 1 ଲକ୍ଷ 10 ହଜାର 2 ଶହ 47 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ଯାହାକି ଚଳିତ ବର୍ଷ ବଜେଟର 41.6 ପ୍ରତିଶତ ଅଟେ । ସେହିପରି ଅର୍ଥନୈତିକ କ୍ଷେତ୍ର (Economic Sector Expenditure) ପାଇଁ ମୋଟ 84 ହଜାର 1 ଶହ 35 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ଯାହାକି ଚଳିତ ବର୍ଷ ବଜେଟର 31.7 ପ୍ରତିଶତ ଅଟେ ।
ଏହିପରି ଭାବରେ ଉନ୍ନୟନ ମୂଳକ ଖର୍ଚ୍ଚ (Development Expenditure) 2023-24 ରେ ମୋଟ ବଜେଟର 69 ପ୍ରତିଶତ ଥିବାବେଳେ ବର୍ଷ 2024-25 ବଜେଟରେ 73.3 ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେହିପରି ପୁଞ୍ଜି ବ୍ୟୟ ବାବଦକୁ 58 ହଜାର 1 ଶହ 95 କୋଟି ଟଙ୍କା ଅଟକଳ ହୋଇଛି ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (GSDP) ର 6 ଦଶମିକ 3 ପ୍ରତିଶତ ଅଟେ । ଏହା ଖର୍ଚ୍ଚର ଗୁଣବତ୍ତାରେ ଉନ୍ନତିକୁ ସୂଚାଉଛି । ଏହା ଏକ ଦୂରଦୃଷ୍ଟି ସଂପନ୍ନ ବଜେଟ ।
8. ବିରୋଧୀ ଦଳର ମାନ୍ୟବର ସଦସ୍ୟମାନେ ଆଜି ଆଲୋଚନାରେ କେତେକ ପ୍ରସଙ୍ଗ ଉଠାଇଛନ୍ତି । ଆଲୋଚନା କ୍ରମରେ ଶାସକ ଦଳର ସଦସ୍ୟମାନେ କେତେଟି ପ୍ରସଙ୍ଗର ଉତ୍ତର ରଖିସାରିଛନ୍ତି । ତେଣୁ ମୁଁ କେତେଟି ମୁଖ୍ୟ ପ୍ରସଙ୍ଗରେ ମୋର ଉତ୍ତର ରଖିବି ।
9. ବିରୋଧୀ ଦଳ ଉତ୍ତର ଶୁଣିବା ଆଗରୁ କକ୍ଷତ୍ୟାଗ କଲେ। ବିରୋଧୀ ଦଳ ନ ଶୁଣି ପଳାଇବା ଦୁଃଖର କଥା। ଏହା ସଂପୂର୍ଣ୍ଣ ପ୍ରାୟୋଜିତ। ବିଜୁ ଜନତା ଦଳ ଯେହେତୁ ଆଗରୁ କେବେ ବିରୋଧୀ ଦଳରେ ନ ଥିଲା, ତେଣୁ ଏବେ ବୋଧେ ତାହା ସେମାନେ ଅଭ୍ୟାସ କରୁଛନ୍ତି।
10. ଆଜି ଗୃହରେ ବିରୋଧୀ ଦଳର ମାନ୍ୟବର ବିଧାୟକମାନେ ବାରମ୍ବାର ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଜାଣିଛନ୍ତି କି, ଗତ ୨୪ ବର୍ଷରେ ଅନେକ ଥର ବିଭିନ୍ନ ଜାତୀୟ ପ୍ଲାଟଫର୍ମରେ ଏ କଥା ଉଠିଛି ଏବଂ ପ୍ରତ୍ୟାଖାନ ମଧ୍ୟ ହୋଇଛି।
11. ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ବ୍ୟବସ୍ଥା ପ୍ରଥମେ ପଞ୍ଚମ ଅର୍ଥ କମିଶନ ୧୯୬୯ ମସିହାରେ ସୁପାରିଶ କରିଥିଲେ। ଏଥିପାଇଁ ସ୍ୱତନ୍ତ୍ର ମାନଦଣ୍ଡ ରହିଛି । ଯେପରିକି ପାହାଡିଆ ଅଞ୍ଚଳ, କମ ଜନସଂଖ୍ୟା ସାନ୍ଧ୍ରତା, ଦେଶର ସୀମାବର୍ତ୍ତୀ ରାଜ୍ୟ, ଆର୍ଥିକ ଓ ଭିତ୍ତିଭୂମି କ୍ଷେତ୍ରରେ ଅତି ପଛୁଆଥିବା ରାଜ୍ୟ ଏବଂ ରାଜ୍ୟର ସମ୍ବଳ ସଂଗ୍ରହର କୌଣସି ଉତ୍ସ ନଥିବ। ଏ ସବୁ ମାନଦଣ୍ଡ ପୂରଣ ହେଲେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବାର ସମ୍ଭାବନା ରହିଛି।
12. ଓଡିଶା ଏ ସବୁ ମାନଦଣ୍ଡ ପୂରଣ କରି ପାରୁନଥିବାରୁ ଏହା ବାରମ୍ବାର ଅଗ୍ରାହ୍ୟ ହୋଇଛି। ଏହା ସତ୍ତ୍ୱେ ମଧ୍ୟ ପୂର୍ବ ସରକାର ବିଭିନ୍ନ ଫୋରମ୍ରେ ଯଥା ଅର୍ଥ କମିଶନ, ନୀତି ଆୟୋଗ ଏବଂ କେନ୍ଦ୍ର ସରକାରଙ୍କୁ ଏ ସଂପର୍କରେ ଦାବୀ କରିଆସୁଥିଲା। ଉଦ୍ଦେଶ୍ୟ କେବଳ ରାଜନୀତି ଥିଲା। ରାଜନୈତିକ ଫାଇଦା ପାଇଁ ଦାବୀ କରାଯାଉଥିଲା। ନିର୍ବାଚନ ପୂର୍ବରୁ ଏ ଦାବୀ ଅଧିକ ଉଠୁଥିଲା। ଓଡିଶା ଲୋକଙ୍କ ସ୍ୱାର୍ଥ ସୁରକ୍ଷା ସେମାନଙ୍କର ଲକ୍ଷ୍ୟ ନଥିଲା।
13. ଆଜି ସେମାନେ ବିହାର ଓ ଆନ୍ଧ୍ର ପ୍ରଦେଶକୁ କେନ୍ଦ୍ର ବଜେଟ୍ରେ ଅଧିକ ଅର୍ଥ ବରାଦ ହୋଇଥିବା କଥା କହୁଛନ୍ତି। ସେମାନଙ୍କର ୧୨ଟି, ୧୬ଟି ସାଂସଦ ଥିବାରୁ ସେମାନେ ଅଧିକ ଅର୍ଥ ପାଉଛନ୍ତି ବୋଲି କହୁଛନ୍ତି। ବିଜୁ ଜନତା ଦଳର ତ ୨୦ଟି ସାଂସଦ ଥିଲେ। ସେମାନେ କାହିଁକି ଅଧିକ ଅର୍ଥ ଆଣିପାରୁ ନଥିଲେ? ଓଡିଶା ପାଇଁ କିଛି ନାହିଁ ବୋଲି କହୁଛନ୍ତି। ସେମାନେ କେନ୍ଦ୍ର ବଜେଟ୍କୁ ଭଲ ଭାବରେ ପଢିଛନ୍ତି କି? ଅନୁଶିଳନ କରିଛନ୍ତି କି?
14. ୨୦୧୪ ପୂର୍ବରୁ ରେଳ ବଜେଟ ପାଇଁ କେତେ ଅର୍ଥ ମିଳୁଥିଲା ଏବଂ ଏବେ କେତେ ମିଳୁଛି ତାହା ବିରୋଧୀ ଦଳର ନେତାମାନେ ଭଲ ଭାବରେ ଜାଣିଛନ୍ତି। ରେଳ ବଜେଟ ପାଇଁ ସେମାନେ ଆମକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ଚଳିତ ବର୍ଷର ରେଳ ବଜେଟ୍ରେ ଓଡିଶାକୁ ୧୦,୫୦୦ କୋଟିରୁ ଅଧିକ ଟଙ୍କା ମିଳିଛି। ଏହା ୨୦୧୪ ପୂର୍ବର ବଜେଟ୍ ଅପେକ୍ଷା ୧୨.୫ ଗୁଣ ଅଧିକ। ଏହା ସେମାନେ କହୁଥିବା ସ୍ବତନ୍ତ୍ର ପ୍ୟାକେଜରୁ ଅଧିକ ନୁହେଁ କି? ତଥାପି ସେମାନେ କହୁଛନ୍ତି ଓଡିଶାକୁ ସ୍ୱତନ୍ତ୍ର ବ୍ୟୟ ବରାଦ ହୋଇନାହିଁ । ସରକାରଙ୍କୁ ଉପଯୁକ୍ତ ପ୍ରସ୍ତାବ ନ ଦେଇ ଗୃହ ତ୍ୟାଗ କରି ଚାଲିଯାଉଛନ୍ତି। ଏହା ଦୁର୍ଭାଗ୍ୟଜନକ। କେବଳ ରାଜନୀତି।
15. ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ୨୦୨୩-୨୪ରେ ୯.୫୭ ଲକ୍ଷ ଘର ମିଳିଛି। ପୂର୍ବ ବର୍ଷ ଗୁଗଡିକ ଅପେକ୍ଷା ଏହା ଦୁଇ/ତିନି ଗୁଣ ଅଧିକ। ଏହା କଣ ସ୍ୱତନ୍ତ୍ର ବ୍ୟୟ ବରାଦ ନୁହେଁ? ଏଥିରେ ମଧ୍ୟ ସେମାନେ ଫେଲ୍ ମାରିଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ଘର ନ ଦେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦେଲେ। ତାସହିତ ଦୁଇ ଲକ୍ଷ ଘର ଦେଇ ନ ପାରି ଫେରାଇ ଦେଲେ।
16. କେନ୍ଦ୍ର ଭୂପୃଷ୍ଟ ପରିବହନ ମନ୍ତ୍ରୀଙ୍କୁ ଭୁବନେଶ୍ୱର ଚତୁପାର୍ଶ୍ୱରେ ରିଂ ରୋଡ କରିବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି। ଏଥିରେ ୧୧୧.୨ କିଲୋମିଟର ରିଂ ରୋଡ ପାଇଁ କେନ୍ଦ୍ର ସରକାର ୫୨୦୦ କୋଟି ବ୍ୟୟ ଅଟକଳ କରିଛନ୍ତି। ଏହା ହେଉଛି ପୂର୍ବୋଦୟ ବିକାଶର କଥା। ଏହା ଯେକୌଣସି ସ୍ବତନ୍ତ୍ର ଅନୁଦାନ ଠାରୁ ଯଥେଷ୍ଟ ଅଧିକ।
ଏହାଛଡା ମଧ୍ୟ ଓଡିଶାରେ ଭିତ୍ତିଭୂମିର ବିକାଶ ପାଇଁ ଅନେକ ପ୍ରକଳ୍ପ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। କୋଷ୍ଟାଲ ହାଇୱେର ଫୋର୍ ଲେନିଂ ପାଇଁ ମଧ୍ୟ ପ୍ରସ୍ତାବ ଚୂଡାନ୍ତ ହେବାକୁ ଯାଉଛି । ଏହା ଯେକୌଣସି ସ୍ବତନ୍ତ୍ର ଅନୁଦାନ, ସ୍ବତନ୍ତ୍ର ପ୍ୟାକେଜ ଠାରୁ ବହୁତ ଅଧିକ। ଏହାସହିତ ଓଡିଶାରେ ଇକୋନୋମିକ୍ କରିଡର, ଶିଳ୍ପ ପ୍ରତିଷ୍ଠା, ବଡବିଲ୍ରୁ ପାରାଦୀପ ପର୍ଯ୍ୟନ୍ତ ରାସ୍ତାର Eight-laning ଆଦି ଅନେକ ପ୍ରକଳ୍ପ ଚୂଡାନ୍ତ ପର୍ଯ୍ୟାୟରେ ଅଛି ।
17. ବିରେଧୀ ଦଳର ସଦସ୍ୟ କେନ୍ଦ୍ର ବଜେଟରେ ଓଡିଶା ପାଇଁ କଣ ଅଛି, ସେ ବିଷୟରେ ପ୍ରଶ୍ନ କରିଛନ୍ତି । ମୁଁ ଚଳିତ ବଜେଟକୁ ଯିବା ପୂର୍ବରୁ ଗତ 10 ବର୍ଷରେ ଓଡିଶା କେନ୍ଦ୍ରରୁ କେତେ ଟଙ୍କା ପାଇଛି ତା ବିଷୟରେ ଏ ଗୃହକୁ ଜଣାଇବାକୁ ଉଚିତ ମନେକରୁଛି । ଗତ 10 ବର୍ଷରେ ଅର୍ଥାତ ବର୍ଷ 2014-15 ରୁ 2023-24 ମଧ୍ୟରେ ଓଡିଶା କେନ୍ଦ୍ର ସରକାରଙ୍କ ଠାରୁ କେନ୍ଦ୍ର ଟିକସରୁ ରାଜ୍ୟ ଅଂଶ ଓ କେନ୍ଦ୍ରୀୟ ଅନୁଦାନ ବାବଦକୁ ମୋଟ 5 ଲକ୍ଷ 10 ହଜାର 646 କୋଟି ଟଙ୍କା ପାଇଅଛି ।
ତେବେ ତା ପୂର୍ବ 10 ବର୍ଷରେ ଅର୍ଥାତ ବର୍ଷ 2004-05 ରୁ 2013-14 ମଧ୍ୟରେ ଓଡିଶା କେନ୍ଦ୍ର ସରକାରଙ୍କ ଠାରୁ ଏ ବାବଦକୁ ମୋଟ 1 ଲକ୍ଷ 45 ହଜାର 576 କୋଟି ଟଙ୍କା ପାଇଥିଲା । ତେଣୁ ବର୍ଷ 2004-05 ରୁ 2013-14 ତୁଳନା ବର୍ଷ 2014-15 ରୁ 2023-24 ମଧ୍ୟରେ ଓଡିଶା କେନ୍ଦ୍ର ସରକାରଙ୍କ ଠାରୁ ପ୍ରାୟ 3 ଗୁଣରୁ ଅଧିକ ଅର୍ଥ ପାଇଅଛି ।
18. 2014 ମସିହାରେ ଆମ ଯଶସ୍ଵୀ ପ୍ରଧାନ ମନ୍ତ୍ରୀ କ୍ଷମତାକୁ ଆସିବା ପରେ ଆଉ ଏକ ଐତିହାସିକ ନିଷ୍ପତ୍ତି ନେଇ କେନ୍ଦ୍ର ଟିକସରୁ ରାଜ୍ୟ ମାନଙ୍କୁ ହସ୍ତାନ୍ତରର ପ୍ରତିଶତ (Vertical Transfer) 32 ରୁ 42 କୁ ବୃଦ୍ଧି କରିଥିଲେ । ଏହି ଐତିହାସିକ ନିଷ୍ପତ୍ତି ଫଳରେ କେନ୍ଦ୍ର ଟିକସରୁ ରାଜ୍ୟ ଅଂଶ ବାବଦକୁ ପ୍ରାପ୍ତି ବାର୍ଷିକ ପ୍ରାୟ ଏକ ତୃତୀୟାଂଶ ବୃଦ୍ଧି ପାଇଲା । ଏହାର ସୁଫଳ ଓଡିଶା ସମେତ ସମସ୍ତ ରାଜ୍ୟ ପାଇଛନ୍ତି ।
19. ଏଥର ମୁଁ ଚଳିତ ବର୍ଷର କେନ୍ଦ୍ର ବଜେଟରେ ଓଡିଶା କି ସୁଫଳ ପାଇବ ସେ ବିଷୟରେ ଆଲୋଚନା କରିବି । ପ୍ରାକ ବଜେଟ ଆଲୋଚନାରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ପାଖରେ ଆମର ଦାବିକୁ ସମ୍ମାନ ଜଣାଇ କେନ୍ଦ୍ର ବଜେଟରେ ରାଜ୍ୟ ମାନଙ୍କୁ ପୁଞ୍ଜି ଖର୍ଚ୍ଚ ପାଇଁ ସହାୟତା (SACI) ରାଶିକୁ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ଓଡିଶାକୁ ପ୍ରାୟ ୬ ହଜାର କୋଟି ଟଙ୍କାର ଅତିରିକ୍ତ ସହାୟତା ମିଳିବ।
ସେହିପରି ଓଡିଶାର କେନ୍ଦ୍ର ଟିକସରୁ ରାଜ୍ୟ ଅଂଶ ପ୍ରାପ୍ତିକୁ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ ତୁଳନାରେ ପ୍ରାୟ 12 ଶହ କୋଟି ଟଙ୍କା ବୃଦ୍ଧି କରିଛନ୍ତି । ଓଡିଶାର ପର୍ଯ୍ୟଟନ ବିକାଶ ପାଇଁ କେନ୍ଦ୍ର ସରକାର ବଜେଟରେ ସ୍ୱତନ୍ତ୍ର ସହାୟତା ପାଇଁ ଘୋଷଣା କରିଛନ୍ତି । ପୂର୍ବୋଦୟ ଯୋଜନାରେ ଓଡିଶାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଆମ ରାଜ୍ୟରେ ପୁଞ୍ଜି ନିବେଶ ଓ ଶିଳ୍ପ ବିକାଶରେ ସହାୟକ ହେବ। ଏହାଛଡା ସମସ୍ତ କେନ୍ଦ୍ର ପ୍ରବର୍ତ୍ତୀତ ଯୋଜନାରେ ଆମେ ସଠିକ କେନ୍ଦ୍ର ଅଂଶ ପାଇବୁ। ତେଣୁ ମାନ୍ୟବର ବିରୋଧୀ ଦଳର ସଦସ୍ୟଙ୍କ ଆଶଙ୍କା ଓ ଅଭିଯୋଗ ସମ୍ପୂର୍ଣ୍ଣ ନିରାଧାର।
20. ଆମ ସରକାର ଲୋକଙ୍କ ସରକାର। ଆମର ପ୍ରଥମ ବଜେଟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏକ ପଦକ୍ଷେପ । ମୁଁ ଏଠାରେ ଉଲ୍ଲେଖ କରିବାକୁ ଚାହେଁ ଯେ, 2024-25 ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାକୁ ଅଧିକ ବ୍ୟାପକ ଏବଂ ଭାଗୀଦାରୀ କରିବା ନିମନ୍ତେ ତା.19.06.2024 ରିଖରେ ସରକାର ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଜନସାଧାରଣଙ୍କ ମତାମତ ଆହ୍ୱାନ କରିଥିଲେ । ତେବେ ଚଳିତ ବର୍ଷ ଜନସାଧାରଣଙ୍କ ଠାରୁ ପ୍ରାୟ 12 ହଜାର ପରାମର୍ଶ ଆସିଥିଲା, ଯାହାକି ବିଗତ ବର୍ଷ ତୁଳନାରେ 6 ଗୁଣ ଅଧିକ ଅଟେ। ଓଡିଶାର ଜନସାଧାରଣ ଏହି ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ବିପୁଳ ସଂଖ୍ୟାରେ ତାଙ୍କର ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିବାରୁ, ଆମେ ତାଙ୍କ ନିକଟରେ କୃତଜ୍ଞ ।
21. ଏକ ଉତ୍ତରଦାୟୀ ଓ ନାଗରିକ କୈନ୍ଦ୍ରିକ ବ୍ୟବସ୍ଥାକୁ ପ୍ରାଥମିକତା ଦେବାକୁ ଯାଇ ଆମେ ନିୟମିତ ଅଭିଯୋଗ ଶୁଣାଣି ଓ ସେଗୁଡିକର ସମାଧାନ ପାଇଁ ଜୁଲାଇ ପହିଲା ୨୦୨୪ ରୁ Chief Minister’s Grievance Cell ଆରମ୍ଭ କରିଛୁ। ମୁଁ, ମୋର କ୍ୟାବିନେଟ୍ର ସହଯୋଗୀମାନେ ମିଶି ଜନସାଧାରଣଙ୍କ ସମସ୍ୟା ଶୁଣୁଛୁ ଏବଂ ତା’ର ସମାଧାନ କରୁଛୁ। ଆଗରୁ Grievance Cellକୁ ନଗଣ୍ୟ କରାଯାଇଥିଲା। ପୂର୍ବ ମୁଖ୍ୟମନ୍ତ୍ରୀ ୧୬ ବର୍ଷ ଧରି Grievance Cellକୁ ଆସୁ ନଥିଲେ। ଆମେ ସେ କଥା କରିବୁ ନାହିଁ। ଆଗକୁ ଏହା କେବଳ ରାଜଧାନୀରେ ସୀମିତ ନ ରହି, RDC ସ୍ତରରେ ମଧ୍ୟ କାର୍ଯ୍ୟକାରୀ କରାଯିବ। ଏହା ସରକାରଙ୍କୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସହାୟକ ହୋଇଛି, ଯାହା ଦ୍ୱାରା ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଥିବା ଦୂରତା ହ୍ରାସ ପାଇଛି । ସୁଶାସନ ମାଧ୍ୟମରେ ଜନସେବା ଯୋଗାଇବା ଆମର ପ୍ରାଥମିକ ଦାୟିତ୍ୱ ।
22. ଉତ୍ତମ ଆର୍ଥିକ ପରିଚାଳନା ଦ୍ୱାରା ହିଁ ଏକ ଉନ୍ନତ ଓ ବିକଶିତ ରାଜ୍ୟ ଗଠନ ସମ୍ଭବପର । ମୁଁ ଏଠାରେ ସୂଚାଇ ଦେବାକୁ ଚାହେଁ ଯେ, ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ସହ ରାଜସ୍ୱ ବଳକା ଏବଂ ଋଣ ଅର୍ଥ ପୂର୍ଣ୍ଣତଃ ପୁଞ୍ଜି ବିନିଯୋଗ ପାଇଁ ଆମେ ପ୍ରତିଶ୍ରୃତିବଦ୍ଧ । କ୍ଷେତ୍ରୀୟ ଅସାମଞ୍ଜସ୍ୟ ଦୂର କରିବା ପାଇଁ North Odisha Development Council ଗଠନ କରାଯିବ। ଏଥିପାଇଁ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମୁଁ ଏକ କମିଟି ମଧ୍ୟ ଗଠନ କରିଛି।
ସେହିପରି South Odisha Development Council ଗଠନ କରିବା ପାଇଁ ମଧ୍ୟ ଆମେ ନିଷ୍ପତ୍ତି ନେଇଛୁ। ସବୁ ଅଞ୍ଚଳର ବିକାଶ ହେବ। କୌଣସି ଅଞ୍ଚଳ ଅବହେଳିତ ହୋଇ ରହିବ ନାହିଁ। ଏହି ବଜେଟ ରାଜ୍ୟ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ ଏବଂ ଆର୍ଥିକ ସୁପରିଚାଳନା ମଧ୍ୟରେ ସମନ୍ଵୟ ରକ୍ଷା କରିବାର ଏକ ସୁଚିନ୍ତିତ ପ୍ରୟାସ। ପୂର୍ବ ସରକାର କେନ୍ଦ୍ର ସରକାରଙ୍କ କେତେକ ଯୋଜନା କାର୍ଯ୍ୟକାରୀ କରୁ ନଥିଲେ। ଆମେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ପୁରା ସୁଯୋଗ ନେଉଛୁ। କେନ୍ଦ୍ର ସରକାରଙ୍କ ଯୋଜନା ତଥା ରାଜ୍ୟ ସ୍ତରୀୟ ଯୋଜନାଗୁଡିକର ସଂଯୋଜନ ମାଧ୍ୟମରେ ଆମେ ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛୁ।
23. ଏହି ପରିପ୍ରେକ୍ଷୀରେ, ବର୍ଷର ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସରକାରଙ୍କ ଆବଶ୍ୟକୀୟ ଖର୍ଚ୍ଚ ଭରଣାକୁ ଦୃଷ୍ଟିରେ ରଖି, ବର୍ଷ 2024-25 ର ବଜେଟ୍ ପାଇଁ ଉପସ୍ଥାପିତ ଲେଖାନୁଦାନ ବିନିଯୋଗ ବିଧେୟକକୁ ଏହି ଗୃହର ଅନୁମୋଦନ ମିଳିଲେ, ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକ ଅର୍ଥ ବ୍ୟୟ କରିପାରିବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟସେବା, ପେନ୍ସନ୍ ଆଦି ସେବାକୁ ଚାଲୁ ରଖିପାରିବା। ତେଣୁ ମୁଁ ଏ ଗୃହର ସମସ୍ତ ସଦସ୍ୟ ମାନଙ୍କୁ ଏହି ବିଧେୟକକୁ ପାରିତ କରିବା ପାଇଁ ଅନୁରୋଧ କରୁଅଛି