Categories
ଆଜିର ଖବର

ପ୍ରଶ୍ନପତ୍ର ବିଭ୍ରାଟ ପରେ ଉଭାନ୍‌ ହେଲା ଓଏମ୍‌ଆର୍‌ ସିଟ୍‌

ଓଡ଼ିଶା ସରକାରଙ୍କ ମୁଣ୍ଡବ୍ୟାଥାର କାରଣ ପାଲଟିଛି ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ । ସ୍ଵଚ୍ଛ ଓ ସଂସ୍କାରମୂଳକ ପଦକ୍ଷେପ ନେଇ ମାଟ୍ରିକ୍‌ ପରୀକ୍ଷା ପରିଚାଳିତ କରିବାକୁ ସରକାରଙ୍କ ତରଫରୁ ଅନେକ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ଦିନରୁ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇ ଶିକ୍ଷାବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ଗତକାଲି ଗଣିତ ପ୍ରଶ୍ନପତ୍ରର ‘ସେଟ୍‌ ଡି’ ଭାଇରାଲ୍ ହୋଇଥିଲା। ପରୀକ୍ଷା ଚାଲିଥିଲା ବେଳେ ବଲାଙ୍ଗିର ଓ କଳାହାଣ୍ଡିରେ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ଏହି ଘଟଣାରେ ୩ ଜଣଙ୍କୁ ସସ୍‌ପେଣ୍ଡ୍ କରାଯାଇଥିବାବେଳେ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ପ୍ରଶ୍ନପତ୍ର ଭାଇରାଲ୍‌ ପରେ ପରେ ଓଏମ୍‌ଆର୍‌ ସିଟ୍‌ ଉଭାନ ହେବା ଘଟଣା ଶିକ୍ଷାବ୍ୟବସ୍ଥାକୁ ଆହୁରି ହରଡ଼ଘଣାରେ ପକାଇଛି । ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ପଡ଼ିଆ ହାଇସ୍ସ୍କୁଲରୁ ଗଣିତ ଓଏମ୍‌ଆର୍‌ର ୧୦୮ଟି ସିଟ୍‌ ଉଭାନ୍‌ ହୋଇଛି । ଏ କଥା ଜଣାପଡ଼ିବା ପରେ ସ୍କୁଲ୍ କର୍ତ୍ତୃପକ୍ଷ ପଡ଼ିଆ ଥାନାରେ ଏତଲା ଦେଇଛନ୍ତି। ପରୀକ୍ଷା କେନ୍ଦ୍ରରୁ କିପରି ଓଏମ୍‌ଆର୍‌ ସିଟ୍ ଗାଏବ ହେଲା, ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍‌। ପରୀକ୍ଷା ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କୁ ପଚରାଉଚରା କରାଯାଉଛି।