Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଟିଡିସିରେ ସାମିଲ ହେଲା ୧୦ଟି ନୂଆ ଗାଡି, ପର୍ଯ୍ୟଟକ ପରିବହନରେ ୩ କୋଟି ଟଙ୍କା ଲାଭାଂଶ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟକମାନଙ୍କୁ ଯାତ୍ରାକାଳୀନ ନୂତନ ଅନୁଭୂତି ଆଣିଦେବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୧୦ଟି ନୂତନ ଗାଡ଼ିକୁ ସାମିଲ କରାଯାଇଛି। ଏହି ୧୦ଟି ଗାଡ଼ି ମଧ୍ୟରୁ ୪ଟି ଇନୋଭା କ୍ରେଷ୍ଟା, ୪ଟି ସ୍ୱିଫଫ୍‌ ଡିଜାୟାର-ସିଡାନ୍‌ ଏବଂ ୨ଟି ଟେମ୍ପୋ ଟ୍ରାଭେଲର ସାମିଲ ରହିଛି।

ଏଥି ସହ ଦୁଇଟି ଭଲ୍‌ବୋ ବସ୍‌ ଏବଂ ଲକଜରୀ କୋଚ୍‌ ଥିବା ୨ଟି ଅନ୍ୟାନ୍ୟ ଗାଡ଼ି ମଧ୍ୟ ଆଗାମୀ ମାସରେ ସାମିଲ କରାଯିବାର ଯୋଜନା ରହିଛି। ଏଥିରେ ଅତ୍ୟାଧୁନିକ ଓ ପରିବେଶ ଅନୁକୂଳ ସୁବିଧା ଉପଲବ୍ଧ ରହିଛି। ଏହା ଦ୍ୱାରା ନିରନ୍ତର ପର୍ଯ୍ୟଟନ ସୁବିଧା ଉପଲବ୍ଧ ହୋଇପାରିବ ଏବଂ ପର୍ଯ୍ୟଟକମାନେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ବୈଭବକୁ ଉପଭୋଗ କରିପାରିବେ।

ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଚିନ୍‌ ରାମଚନ୍ଦ୍ର ଯାଦବ, ଜେନେରାଲ୍‌ ମ୍ୟାନେଜର ଡ. ଲଲାଟେନ୍ଦୁ ସାହୁ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରାକାଳୀନ ସେବା ଯୋଗାଇଦେବାର ଲକ୍ଷ୍ୟ ରଖି ଓଟିଡିସି ଏହି ନିଷ୍ପତ୍ତି ଗ୍ରହଣ କରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଓଟିଡିସିର ପର୍ଯ୍ୟଟନ ପରିବହନ କ୍ଷେତ୍ରରେ ୧.୯୪ କୋଟି ଟଙ୍କା ଲାଭାଂଶ ମିଳିଥିବାବେଳେ ଏହି ନୂତନ ଗାଡ଼ିଗୁଡ଼ିକ ସାମିଲ ହେବା ପରେ ଆସନ୍ତା ଆର୍ଥିକ ବର୍ଷରେ ୩.୧୦ କୋଟି ଟଙ୍କା ଲାଭାଂଶ ବୃଦ୍ଧି ହେବ ବୋଲି ନିଗମ ପକ୍ଷରୁ ଆକଳନ କରାଯାଇଛି।

ଆଜି ନୂତନ କରି ସାମିଲ ହୋଇଥିବା ଗାଡ଼ିକୁ ମିଶାଇ ଓଟିଡିସିର ସମୁଦାୟ ଗାଡ଼ି ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି କରାଯାଇ ପର୍ଯ୍ୟଟକମାନଙ୍କୁ ଆନୁଷଙ୍ଗିକ ଉନ୍ନତ ସେବା ପ୍ରଦାନ କରାଯିବ ବୋଲି ଓଟିଡିସି ଅଧ୍ୟକ୍ଷ ଡ. ମହାନ୍ତି ସୂଚନା ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫-‘ଟି’ ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍‌ଙ୍‌କ ଦିଗ୍‌ଦର୍ଶନରେ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ରୂପାନ୍ତରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି।

ରାଜ୍ୟରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଉଭୟ ଜାତୀୟ ଓ ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ହୋଇଥିବାରୁ ୫-‘ଟି’ ଉପକ୍ରମକୁ ଆଧାର କରି ଉନ୍ନତ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟଟକମାନଙ୍କୁ ଯାତ୍ରାକାଳୀନ ସୁବିଧା ଓ ସୁରକ୍ଷା ଯୋଗାଇବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ଡ. ମହାନ୍ତି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଟିଡିସି ପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହ ୨୦୨୩ ପାଳିତ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ନିଗମର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଭିଜିଲାନ୍ସ ସଚେତନତା ସପ୍ତାହ ୨୦୨୩ ପାଳନ କରାଯାଇ ସଚ୍ଚୋଟତା, ନୈତିକତା ରକ୍ଷା ସହ ଦୁର୍ନୀତି ବିରୋଧରେ ଲଢ଼େଇ ପ୍ରତି ଗଭୀର ପ୍ରତିବଦ୍ଧତା ପ୍ରଦର୍ଶନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଓଟିଡିସିର ଅଧ୍ୟକ୍ଷ ଡଃ. ଲେନିନ ମହାନ୍ତି ଯୋଗଦେଇ ଉପସ୍ଥିତ ନିଗମର ସମସ୍ତ ଡିଭିଜନର ମୁଖ୍ୟ ଓ କର୍ମଚାରୀମାନଙ୍କୁ ବୃତ୍ତିଗତ ତଥା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା, ସମସ୍ତ ଦାୟିତ୍ଵକୁ ସାଧୁତା ଏବଂ ସ୍ୱଚ୍ଛତାର ସହ ସମ୍ପାଦନ କରିବା, ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା ଆଦି ସଂପର୍କରେ ଦୁର୍ନୀତି ନିବାରଣ ଶପଥପାଠ କରାଇଥିଲେ।

ସ୍ୱଚ୍ଛତା,ଉତ୍ତରଦାୟିତ୍ୱ ଏବଂ ସତର୍କତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଓଟିଡିସି ପକ୍ଷରୁ ସପ୍ତାହବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଜାରି ରହିବ ବୋଲି ଓଟିଡିସି ଅଧ୍ୟକ୍ଷ ଡଃ. ମହାନ୍ତି ପ୍ରକାଶ କରିଥିଲେ।

କାର୍ଯ୍ୟରେ ସର୍ବୋଚ୍ଚ ନୈତିକତା ଏବଂ ନିଷ୍ଠା ବଜାୟ ରଖିବା ପାଇଁ ଓଟିଡିସିର ପ୍ରତିବଦ୍ଧତାକୁ ଦୋହରାଇବା ସହ ଦୁର୍ନୀତିମୁକ୍ତ ରହିବା ପାଇଁ ସର୍ବଦା ସଜାଗ ରହିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ସମସ୍ତ କର୍ମଚାରୀଙ୍କୁ ଏହି ମୂଲ୍ୟବୋଧକୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟଶୈଳୀରେ ପ୍ରୟୋଗ କରିବାକୁ ଉତ୍ସାହିତ କରିଥିଲେ।

ଏହି ପ୍ରତିବଦ୍ଧତା ଓଟିଡିସିର କାର୍ଯ୍ୟ ପରିଚାଳନାକୁ ସୁଦୃଢ କରିବା ସଙ୍ଗେ ସଙ୍ଗେ ଏକ ଦୁର୍ନୀତିମୁକ୍ତ ସମାଜ ଗଠନର ଆହ୍ୱାନ ଭଳି ବୃହତ ମିଶନରେ ସହାୟକ ହେବ ବୋଲି ଓଟିଡିସି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଟିଡିସିକୁ ହେଲା ୪୪ ବର୍ଷ: ବିଶେଷ ଅବଦାନ ପାଇଁ ଦିଆଗଲା ପୁରସ୍କାର

ଭୁବନେଶ୍ବର: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୪ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଏହି ଅବସରରେ ଯୋଗଦେଇ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି କହିଲେ ଯେ ଓଟିଡିସି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ରାଜ୍ୟ ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ଅଗ୍ରଣୀ ଭୂମିକା ତୁଲାଇଛି।

ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ସହ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟକୁ ସଂରକ୍ଷଣ ରଖିବାରେ ସକ୍ଷମ ହୋଇଛି। ପର୍ଯ୍ୟଟନ କ୍ଷେତ୍ରରେ ସମଗ୍ର ଦେଶରେ ଅନ୍ୟରାଜ୍ୟ ପାଇଁ ଓଟିଡିସି ଉଦାହରଣ ସୃଷ୍ଟି କରିଥିବା ନେଇ ଡଃ ମହାନ୍ତି ଉଲ୍ଲେଖ କରିଥିଲେ। ବିଭିନ୍ନ ପର୍ବପର୍ବାଣୀରେ ପିଠା ବିକ୍ରୟ କରି ୧୬ ଲକ୍ଷ ଟଙ୍କା ଲାଭ କରିଥିବା ବେଳେ ମୋଟ ବ୍ୟବସାୟରେ ଓଟିଡିସି ଗତବର୍ଷ ୫ କୋଟି ଟଙ୍କା ଲାଭ କରିଥିବା ସେ ଉଲ୍ଲେଖ କରିଥିଲେ। ନିଗମର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ବେଳେ ଏହି ଲାଭାଂଶ ବହୁଗଣିତ ହେବ ବୋଲି ସେ କହିଥିଲେ।

ସେହିଭଳି ପର‌୍ୟ୍ୟଟନ ବିଭାଗ ନିର୍ଦ୍ଦେଶକ ତଥା ଓଟିଡିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଯୋଗଦେଇ କହିଲେ ଯେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ଓଟିଡିସି ଗୁରୁ ଭୂମିକା ଗ୍ରହଣ କରିଛି। ପର୍ଯ୍ୟଟନ ଓ ଭ୍ରମଣ କ୍ଷେତ୍ରରେ ଥିବା ବ୍ୟାପକ ସୁଯୋଗକୁ ଆପଣେଇବାରେ ଏହା ସଫଳହୋଇଛି। କରୋନା ମହାମାରୀ ସମୟରେ କାର୍ଯ୍ୟକରି ଓଡିଟିସି ଏହାର ଦକ୍ଷତା ପ୍ରତିପାଦିତ କରିଥିବା ସେ କହିଥିଲେ। ଓଡିଶା ୱାକ୍ସ, ତାଳଦଣ୍ତା ଓ କଟକରେ ବୋଟ କ୍ଲବ ଖୋଲିବା ସହ ନୂତନ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ଓଟିଡିସି ଆଗରେ ରହିଥିବା ଶ୍ରୀ ଯାଦବ କହିଥିଲେ।

ଏହି ଅବସରରେ ଓଟିଡିସି ଜେନେରାଲ ମ୍ୟାନେଜର ଡଃ ଲଲାଟେନ୍ଦୁ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପର‌୍ୟ୍ୟଟନର ପ୍ରୋତ୍ସାହନ କ୍ଷେତ୍ରରେ ଓଟିଡିସିର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ପୂର୍ବରୁ ଓଟିଡିସି ପରିସରରେ ଚାରାରୋପଣ କରାଯିବା ସହ ଉନ୍ନତିକରଣ ହୋଇଥିବା ୧୨ଟି ଶଯ୍ୟାକୁ ଲୋକାର୍ପିତ କରାଯାଇଥିଲା। ପ୍ରାରମ୍ଭରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ସେହିଭଳି ନିଗମର ଉତ୍କର୍ଷତା କ୍ଷେତ୍ରରେ ପୁରୀ ଓ ଗୋପାଳପୁର ସ୍ଥିତ ପାନ୍ଥନିବାସ, ଭୁବନେଶ୍ୱରସ୍ଥିତ ନିମନ୍ତ୍ରଣ ରେସ୍ତରାଁ ସମେତ ଓଟିଡିସିର ବିଭିନ୍ନ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ କର୍ମଚାରୀ ଶ୍ରୀମତୀ ବିଦୁ ନାୟକ, ଶ୍ରୀ କେଦାର ବାରିକଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ପ୍ରତିଷ୍ଠା ଦିବସର ଉପହାର ପ୍ରଦାନ କରାଯାଇଥିଲା। ଏଥିସହ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଫୁଡ ବ୍ଲଗର ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଓଡିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା,ପର‌୍ୟ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ବାଳମୁକୁନ୍ଦ ଭୂୟାଁ, ଶ୍ରୀ ଅନନ୍ତ ନାରାୟଣସିଂ ଲାଗୁରୀ, ଓଡିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ, ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କମ୍ପାନୀ ସେକ୍ରେଟାରୀ ଶ୍ରୀ ପ୍ରଶାନ୍ତ କୁମାର ପଣ୍ତା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପସ୍ଥାପିକା ଶୋଭନା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଲକଡାଉନରେ ରଜର ମଜା ନେବା ପାଇଁ ଓଟିଡିସି ତରଫରୁ ଆରମ୍ଭ ହେଲା ‘ପିଠା ଅନ୍ ହ୍ବିଲ୍’ କାର୍ଯ୍ୟକ୍ରମ

ଭୁବନେଶ୍ବର, ଆସନ୍ତାକାଲି ହେଉଛି ଓଡିଶାର ଗଣପର୍ବ ରଜ। ତିନିଦିନ ଧରି ସାରା ଓଡିଶାରେ ଏହି ପର୍ବ ପାଳନ କରାଯିବ। ହେଲେ କୋରନା ପାଇଁ ସାରା ଓଡିଶାରେ ଲାଗିଛି ଲକ ଡାଉନ। ରଜ ପରେ ଖୋଲିବ ଏହି ଲକ ଡାଉନ। ତେବେ ଲୋକଙ୍କୁ ରଜର ସ୍ବାଦ ଚଖାଇବା ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଆରମ୍ଭ ହୋଇଛି ‘ପିଠା ଅନ୍ ହ୍ବିଲ୍’ କାଯ୍ୟକ୍ରମ।

ଆଜି ଭୁବନେଶ୍ବରସ୍ଥିତ ପାନ୍ଥନିବାସଠାରେ ଏହି କାର‌୍ୟ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ଏଥିରେ ଏକ ଗାଡି ଭିତରେ ଭଳିକି ଭଳି ରଜପିଠା ରଖି ବିଭିନ୍ନ ସ୍ଥାନରେ ବିକ୍ରି କରାଯିବ। ଚଲିତ ବର୍ଷ ଭୁବନେଶ୍ବର ସହିତ ସମ୍ବଲପୁରରେ ଏହି ‘ପିଠା ଅନ୍ ହ୍ବିଲ୍’ କାର୍ଯ୍ୟକ୍ରମ କରାଯିବ।

ଏହି ଗାଡିରେ ୪ ପ୍ରକାରର ପୋଡପିଠା, ଆରିଶା, କାକରା, ଏଣ୍ଡୁରୀ ପରି ପ୍ରାୟ ୧୨ ପ୍ରକାରର ପିଠା ରହିବ। ଭୁବନେଶ୍ବରରେ ଏହି ‘ପିଠା ଅନ୍ ହ୍ବିଲ୍’ ମାଷ୍ଟରକ୍ୟାଣ୍ଟିନ, ଖଣ୍ଡଗିରି, ସିଆରପି ଛକ, ପଟିଆ, ଚନ୍ଦ୍ରଶେଖରପୁର ଏବଂ ରୂପାଲି ଛକରେ ରହି ବିକ୍ରି କରାଯିବ। ଏହିପିଠା ଓଡିଶାର ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନା ସମୟରେ ଯୋଦ୍ଧାଙ୍କୁ ଆହାର ଯୋଗାଇଲା ଓଟିଡିସି

ଭୁବନେଶ୍ବର, କରୋନା ଲଢ଼େଇରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ନିଜକୁ ସାମିଲ କରିଛି ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ରହିବା ନିମନ୍ତେ ପାନ୍ଥନିବାସଗୁଡ଼ିକୁ ଉନ୍ମୁକ୍ତ କରାଯାଇଛି। ସେହିପରି ଦୈନିକ ମିଲ୍ ପ୍ରସ୍ତୁତ କରାଯାଇ କୋଭିଡ୍ ଯୋଦ୍ଧାମାନଙ୍କ ସମେତ ରୋଗୀଙ୍କୁ ପ୍ରଦାନ କରାଯାଉଛି। ଏପରିକି ପୁରୀରେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବାୟତମାନଙ୍କୁ ଖାଦ୍ୟ ଯୋଗାଯାଉଛି। ଗତ ଥର ମଧ୍ୟ ଓଟିଡିସି ତରଫରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଉଥିଲା।

Categories
ଆଜିର ଖବର ଆଞ୍ଚଳିକ ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟ ପର୍ଯ୍ୟଟନ ବିଭାଗ ଖୋଲିବ ଓଡିଆ ରେସ୍ତୋରାଁ ‘ନିମନ୍ତ୍ରଣ’, ମିଳିବ ଖାଣ୍ଟି ଓଡିଆ ଖାଦ୍ୟ

ଭୁବନେଶ୍ବର, ଓଡିଆ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଖୁବ ଶିଘ୍ର ଓଡିଶା ପର୍ଯ୍ୟଟନ ବିଭାଗ ରାଜ୍ୟରେ ଖୋଲିବ ରେସ୍ତୋରାଁ। ଯାହାର ନାମ ରଖାଯାଇଛି ‘ନିମନ୍ତ୍ରଣ’ ବୋଲି ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ କହିଛନ୍ତି। ଏଥିରେ ଓଡିଆ ଖାଦ୍ୟ ପ୍ରସ୍ତୁତିରେ ଅଭିଜ୍ଞତା ଥିବା କୁକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ବିଭାଗ ଭୁବନେଶ୍ବର, ପୁରୀ ଏବଂ ସମ୍ବଲପୁରରେ ଏହି ରେସ୍ତୋରାଁ ଖୋଲିବ ବୋଲି ନିଷ୍ପତି ନେଇଛି। ଏଥିସହିତ ଏହି ତିନି ସହରରେ ବିଭାଗ ‘ଫୁଡ ଅନ ହ୍ବିଲ୍’ ର ମଧ୍ୟ ଶୁଭାରମ୍ଭ କରିବ। ଏହା ଦ୍ବାରା ଓଡିଶାକୁ ଆସୁଥିବା ପର୍ଯ୍ୟଟକ ଓଡିଆ ଖାଦ୍ୟର ମଜ୍ଜା ନେଇପାରିବେ ବୋଲି ବିଭାଗ ଆଶା ରଖିଛି।

Categories
ଆଜିର ଖବର ବ୍ୟବସାୟ

ପସନ୍ଦ ଆପଣଙ୍କର ରୋଷେଇ ଆମର, ଆରମ୍ଭ ହେଲା ପାନ୍ଥନିବାସ ପ୍ରସ୍ତୁତ ଓଡିଆ ଖାଦ୍ୟର ଅନଲାଇନ ସେବା

ଭୁବନେଶ୍ବର, ପସନ୍ଦ ଆପଣଙ୍କର ରୋଷେଇ ଆମର, ଏପରି ଏକ ସ୍ଲୋଗାନ ନେଇ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଆରମ୍ଭ କଲା ଅନଲାଇନ ଖାଦ୍ୟ ଯୋଗାଣ ସେବା। ପାନ୍ଥନିବାସ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଏଣିକି ଅନଲାଇନରେ ଉପଲବ୍ଧ କରାଇବା ପାଇଁ କରାଯାଇଛି ଏହି ବ୍ୟବସ୍ଥା। ସେଥିପାଇଁ ପର୍ଯ୍ୟଟନ ଉନ୍ନୟନ ନିଗମ ବା ଓଟିଡିସି ସ୍ବୁଗି ଓ ଜୋମାଟୋ ସହିତ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛି।

ବୁଝାମଣା ଅନୁସାରେ ଏହି ଅନଲାଇନ ଯୋଗାଣ ସଂସ୍ଥା ପାନ୍ଥନିବାସ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଡୋର ଟୁ ଡୋର ସେବା ପ୍ରଦାନ କରିବ। ପ୍ରଥମ ପର୍ଯ୍ୟାୟରେ ଓଟିଡିସି ଭୁବନେଶ୍ବର, କଟକ, ପୁରୀ ଓ ରାଉରକେଲାରେ ଏହି ବ୍ୟବସ୍ଥା ଆରମ୍ଭ କରିବ ବୋଲି ନିଷ୍ପତି ହୋଇଛି। ଏଥିରେ ଓଡିଶାର ପାଂରପାରିକ ଖାଦ୍ୟ, ନିରାମିଷ ଓ ଆମିଷ ଖାଦ୍ୟ ଯୋଗାଣ କରାଯିବ। ଏପରିକି ସ୍ବତନ୍ତ୍ର ପୂଜା ଦିନମାନଙ୍କରେ ପିଠା, ପୋଡପିଠା, କାକରା ପିଠା ପ୍ରଭୃତି ମଧ୍ୟ ପ୍ରଦାନ କରାଯିବ।

ବର୍ତ୍ତମାନ ହୋଟେଲ ରେଷ୍ଟୁରାଣ୍ଟ ବନ୍ଦ ଥିବା ବେଳେ ପାନ୍ଥ ନିବାସର ଏହି ପଦକ୍ଷେପ ନିଶ୍ଚିତ ଆଦୃତ ହେବ ବୋଲି ଆଶା କରାଯାଉଛି।

Categories
ଫଟୋ ଖବର

ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ରାସ୍ତାରେ ପାରାକୁ ଦେଉଛନ୍ତି ଖାଦ୍ୟ

ଭୁବନେଶ୍ବର, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଅଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ସେ ନିଜ ଅଫିସ କାମ ଶେଷ କରି ଫେରିବା ବେଳେ ରାସ୍ତାରେ ଓହ୍ଲାଇ ପାରାମାନଙ୍କୁ ଖାଇବାକୁ ଦେଉଛନ୍ତି। ଶ୍ରୀମୟୀ ପକ୍ଷୀମାନଙ୍କୁ ବେଶ୍ ଭଲ ପାଆନ୍ତି। ବର୍ତ୍ତମାନ ଲକଡାଉନ ଯୋଗୁଁ ପକ୍ଷୀମାନେ ଖାଦ୍ୟ ଖାଇବାରେ ସମସ୍ୟା ଦେଖାଦେଇଛି। ତାହାକୁ ଦୃଷ୍ଟିରେ ରଖି ସେ ଏପରି ପଦକ୍ଷେପ ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଦେଶ ଭ୍ରମଣର ସ୍ୱତନ୍ତ୍ର ପ୍ୟାକେଜ ଗୋ-ଗ୍ଲୋବାଲ ନେଇ ଓଟିଡିସି ପକ୍ଷରୁ ଘୋଷଣା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଆଉ ପାଦେ ଆଗକୁ ଯାଇଛି । ଓଡ଼ିଶାର ପର୍ଯ୍ୟଟକ ମାନଙ୍କର ସୁଖ ସୁବିଧାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଓଟିଡିସି ଗୋ-ଗ୍ଲୋବାଲ ନାମରେ ଏକ ବିଦେଶ ଭ୍ରମଣର ଏକ ସୁଲଭ ତଥା ସ୍ୱତନ୍ତ୍ର ପ୍ୟାକେଜ ଉପଲବ୍ଧ କରାଇଛି । ଏହି ବିଦେଶ ଭ୍ରମଣ ମଧ୍ୟରେ ଓଡ଼ିଶାର ପର୍ଯ୍ୟଟକ ମାନେ ଥାଇଲାଣ୍ଡ, ମଲେସିୟା, ସିଙ୍ଗାପୁର, ଇଣ୍ଡୋନେସିଆର ବାଲି ଏବଂ ଦୁବାଇ ଇତ୍ୟାଦି ସ୍ଥାନକୁ ବୁଲିବାକୁ ଯାଇପାରିବେ । ଥାଇଲାଣ୍ଡ ଯିବା ପାଇଁ ଦେୟ ୨୪୯୯୦ ଟଙ୍କା ରହିଥିବା ବେଳେ ମାଲେସିୟା ପାଇଁ ୨୯,୯୯୦ ଟଙ୍କା, ସିଙ୍ଗାପୁର ପାଇଁ ୩୯,୯୯୦ ଟଙ୍କା , ଇଣ୍ଡୋନେସିଆର ବାଲି ପାଇଁ୩୪,୯୯୦ ଟଙ୍କା ଏବଂ ଦୁବାଇ ନିମନ୍ତେ ୫୩,୯୯୦ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି । ଏହି ସମସ୍ତ ସ୍ଥାନକୁ ଯିବାଆସିବା ଓ ରହିବା ସମୟ ତିନି ରାତି ଓ ଚାରିଦିନ ମଧ୍ୟରେ ସୀମିତ ରହିବ । ଏହି ଦେୟ ମଧ୍ୟରେ ଯିବାଆସିବା ଭଡା, ଭିସା ଖର୍ଚ୍ଚ, ଭ୍ରମଣ ବୀମା, ହୋଟେଲ ରହଣି, ପ୍ରାତଃ ଭୋଜନ, ରାତ୍ରି ଭୋଜନ ଇତ୍ୟାଦି ଅନ୍ତର୍ଭୁକ୍ତ ବୋଲି ଆଜି ଓଟିଡିସି ପକ୍ଷରୁ ପ୍ରକାଶ କରାଯାଇଛି । ସ୍ଥାନୀୟ ପାନ୍ଥ ନିବାସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଗମର ଅଧକ୍ଷା ଶ୍ରୀମୟୀ ମିଶ୍ର ଏହି ସୂଚନା ପ୍ରଦାନ କରିଛନ୍ତି ।