Categories
ଆଜିର ଖବର ଜାତୀୟ ଖବର

ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ କାର୍ଯ୍ୟକ୍ରମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଭିନ୍ନ ମଧ୍ୟସ୍ଥିଙ୍କ ସହ ସମନ୍ୱୟ ସ୍ଥାପନ କରି ଅଶ୍ଳୀଳ, ଅସଭ୍ୟ ଏବଂ କେତେକ କ୍ଷେତ୍ରରେ ପର୍ଣ୍ଣୋଗ୍ରାଫିକ୍‌ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ୧୮ଟି ଓଟିଟି ପ୍ଲାଟଫର୍ମକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେଇଛି। ଭାରତରେ ୧୯ଟି ୱେବସାଇଟ୍, ୧୦ଟି ଆପ୍ (ଗୁଗୁଲ୍ ପ୍ଲେ ଷ୍ଟୋରରେ ୭ଟି, ଆପଲ୍ ଆପ୍ ଷ୍ଟୋରରେ ୩ଟି) ଏବଂ ଏହି ପ୍ଲାଟଫର୍ମ ସହ ଜଡ଼ିତ ୫୭ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତରେ ସର୍ବସାଧାରଣଙ୍କ ନଦେଖିବା ପାଇଁ ଅଚଳ କରାଯାଇଛି।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ‘ସୃଜନଶୀଳ ଅଭିବ୍ୟକ୍ତି’ ଆଳରେ ଅଶ୍ଳୀଳତା, ଅସଭ୍ୟତା ଏବଂ ଅପମାନଜନକ କାର୍ଯ୍ୟକ୍ରମ ପ୍ରସାର ନ କରିବା ପାଇଁ ପ୍ଲାଟଫର୍ମଗୁଡ଼ିକର ଦାୟିତ୍ୱ ଉପରେ ବାରମ୍ବାର ଜୋର୍‌ ଦେଇ କହିଥିଲେ। ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଶ୍ରୀ ଠାକୁର ଘୋଷଣା କହିଛନ୍ତି ଯେ ଅଶ୍ଳୀଳ ଓ ଅସଭ୍ୟ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ୧୮ଟି ଓଟିଟି ପ୍ଲାଟଫର୍ମକୁ ବନ୍ଦ କରି ଦିଆଯାଇଛି।

ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, ୨୦୦୦ର ବ୍ୟବସ୍ଥା ଅନୁଯାୟୀ ଭାରତ ସରକାରଙ୍କ ଅନ୍ୟ ମନ୍ତ୍ରଣାଳୟ/ବିଭାଗ ଏବଂ ଗଣମାଧ୍ୟମ ଓ ମନୋରଞ୍ଜନ, ମହିଳା ଅଧିକାର ଏବଂ ଶିଶୁ ଅଧିକାର କ୍ଷେତ୍ରରେ ଗଭୀର ଜ୍ଞାନ ରହିଥିବା ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।

ଓଟିଟି ପ୍ଲାଟ୍ଫର୍ମଗୁଡ଼ିକର ତାଲିକା

ଡ୍ରିମ୍‌ ଫିଲ୍ମସ ଭୁଭି ୟେସମା ଅନ୍‌କଟ୍‌ ଆଡ୍ଡା ଟ୍ରାଇ ଫ୍ଲିକ୍ସ ଏକ୍ସ ପ୍ରାଇମ୍‌
ନିଓନ୍‌ ଏକ୍ସ ଭିଆଇପି ବେଶରମ୍ସ ହଣ୍ଟର୍ସ ରେବିଟ୍‌ ଏକ୍ସଟ୍ରାମୁଡ୍‌ ନ୍ୟୁ ଫ୍ଲିକ୍ସ
ମୁଡ୍‌ ଏକ୍ସ ମୋଜ୍‌ଫ୍ଲିକ୍ସ ହଟ୍‌ ସଟ୍ସ ଭିଆଇପି ଫୁଗି ଚିକୁଫ୍ଲିକ୍ସ ପ୍ରାଇମ୍‌ ପ୍ଲେ

କାର୍ଯ୍ୟକ୍ରମର ପ୍ରକୃତି

ଏହି ପ୍ଲାଟଫର୍ମଗୁଡିକରେ ହୋଷ୍ଟ ହୋଇଥିବା କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଶ୍ଳୀଳ, ଅସଭ୍ୟ ଏବଂ ମହିଳାମାନଙ୍କୁ ଅପମାନଜନକ ଢଙ୍ଗରେ ଚିତ୍ରିତ କରାଯାଇଥିବା ଜଣାପଡିଛି । ଏଥିରେ ନଗ୍ନତା ଏବଂ ଯୌନ କ୍ରିୟାକୁ ବିଭିନ୍ନ ଅନୁପଯୁକ୍ତ ପରିପ୍ରେକ୍ଷୀରେ ଚିତ୍ରିତ କରାଯାଇଥିଲା, ଯେପରିକି ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ, ଅନୈତିକ ପାରିବାରିକ ସମ୍ପର୍କ ଇତ୍ୟାଦି । ଏହି ବିଷୟବସ୍ତୁରେ ଯୌନ ନିର୍ଯାତନା ଏବଂ କେତେକ କ୍ଷେତ୍ରରେ କୌଣସି ବିଷୟଗତ କିମ୍ବା ସାମାଜିକ ପ୍ରାସଙ୍ଗିକତା ବିହୀନ ଅଶ୍ଳୀଳ ଏବଂ ଯୌନ ଅଶ୍ଳୀଳ ଦୃଶ୍ୟର ଲମ୍ବା ଅଂଶ ଅନ୍ତର୍ଭୁକ୍ତ ଥିଲା ।

ଏହି ବିଷୟବସ୍ତୁ ଆଇଟି ଆଇନର ଧାରା ୬୭ ଓ ୬୭ଏ, ଆଇପିସିର ଧାରା ୨୯୨ ଏବଂ ଅଶ୍ଳୀଳ ମହିଳା ପ୍ରତିନିଧି (ନିଷେଧ) ଆଇନ, ୧୯୮୬ର ଧାରା ୪ର ଉଲ୍ଲଂଘନ ବୋଲି ପ୍ରାଥମିକ ଦୃଷ୍ଟିରୁ ନିର୍ଦ୍ଧାରଣ କରାଯାଇଥିଲା।

ଗୁରୁତ୍ୱପୂର୍ଣ୍ଣ ଦର୍ଶକ ସଂଖ୍ୟା

ଗୁଗୁଲ୍ ପ୍ଲେ ଷ୍ଟୋରରେ ଗୋଟିଏ ଓଟିଟି ଆପ୍ ୧ କୋଟିରୁ ଅଧିକ ଡାଉନଲୋଡ୍ ହୋଇଥିବା ବେଳେ ଅନ୍ୟ ଦୁଇଟି ଆପ୍ ୫୦ ଲକ୍ଷରୁ ଅଧିକ ଡାଉନଲୋଡ୍ ହୋଇଛି। ଏହାବ୍ୟତୀତ, ଏହି ଓଟିଟି ପ୍ଲାଟଫର୍ମଗୁଡିକ ଟ୍ରେଲର, ନିର୍ଦ୍ଦିଷ୍ଟ ଦୃଶ୍ୟ ଏବଂ ବାହ୍ୟ ଲିଙ୍କଗୁଡିକ ପ୍ରସାରଣ କରିବା ପାଇଁ ସୋସିଆଲ ମିଡିଆକୁ ବ୍ୟାପକ ଭାବରେ ବ୍ୟବହାର କରିଥିଲେ ଯାହାର ଉଦ୍ଦେଶ୍ୟ ଦର୍ଶକମାନଙ୍କୁ ସେମାନଙ୍କ ୱେବସାଇଟ୍ ଏବଂ ଆପ୍ ପ୍ରତି ଆକୃଷ୍ଟ କରିବା। ସମ୍ପୃକ୍ତ ଓଟିଟି ପ୍ଲାଟଫର୍ମର ସୋସିଆଲ ମିଡିଆ ଆକାଉଣ୍ଟରେ ସମୁଦାୟ ୩୨ ଲକ୍ଷରୁ ଅଧିକ ଉପଭୋକ୍ତା ଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଆକାଉଣ୍ଟ ସଂଖ୍ୟା
ଫେସ୍‌ବୁକ୍‌ ୧୨
ଇନଷ୍ଟାଗ୍ରାମ୍‌ ୧୭
ଏକ୍ସ(ପୂର୍ବର ଟୁଇଟର୍‌) ୧୬
ୟୁଟ୍ୟୁବ୍‌ ୧୨

ଓଟିଟି ପ୍ଲାଟଫର୍ମ ଗୁଡିକ ସହ ନିରନ୍ତର ଯୋଗାଯୋଗ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କ୍ରମାଗତ ଭାବରେ ଓଟିଟି ପ୍ଲାଟଫର୍ମ ଏବଂ ଆଇଟି ନିୟମ, ୨୦୨୧ ଅଧୀନରେ ସ୍ଥାପିତ ସେମାନଙ୍କର ସ୍ୱ-ନିୟାମକ ସଂସ୍ଥାମାନଙ୍କ ସହିତ ବୈଠକ, ୱେବିନାର, କର୍ମଶାଳା ଇତ୍ୟାଦି ମାଧ୍ୟମରେ ସଚେତନତା ପ୍ରୟାସ କରିଥାଏ ।

ଓଟିଟି ଶିଳ୍ପର ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ। ଭାରତର ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ୱେବ୍ ସିରିଜ୍ ପାଇଁ ଉଦଘାଟନୀ ଓଟିଟି ପୁରସ୍କାର ପ୍ରଚଳନ, ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଓଟିଟି ପ୍ଲାଟଫର୍ମ ସହ ସହଯୋଗ ଏବଂ ଆଇଟି ନିୟମ, ୨୦୨୧ ଅଧୀନରେ ସ୍ୱ-ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇ ଏକ କୋହଳ ନିୟାମକ ଢାଞ୍ଚା ପ୍ରତିଷ୍ଠା କରିବା ସମେତ ଅନେକ ପଦକ୍ଷେପ ନିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଫିଲ୍ମ ‘ଅନ୍ନପୂର୍ଣ୍ଣି’ରେ ଭଗବାନ ରାମଙ୍କୁ ଅପମାନିତ କରିଥିବା ଅଭିଯୋଗ: ଅଭିନେତ୍ରୀ ନୟନତାରାଙ୍କ ବିରୋଧରେ ଏଫ୍ଆଇଆର୍

ନୂଆଦିଲ୍ଲୀ: OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରଦର୍ଶିତ ହୋଇଥିବା ଫିଲ୍ମ ‘ଅନ୍ନପୂର୍ଣ୍ଣି’ ପ୍ରଭୁ ଶ୍ରୀ ରାମଙ୍କୁ ଅପମାନିତ କରିବା ଏବଂ ହିନ୍ଦୁ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ଜବଲପୁରରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ପାଇଁ ଚଳଚ୍ଚିତ୍ରର ନିର୍ମାତା-ନିର୍ଦ୍ଦେଶକ ତଥା ମୁଖ୍ୟ ଅଭିନେତ୍ରୀ ନୟନତାରାଙ୍କ ସମେତ ପୁରା ଷ୍ଟାର କାଷ୍ଟଙ୍କ ବିରୋଧରେ ଏକ ହିନ୍ଦୁ ସଂଗଠନ ପକ୍ଷରୁ ଏକ ଏଫଆଇଆର ଦାଖଲ କରାଯାଇଛି।

ହିନ୍ଦୁ ସେବା ପରିଷଦର ଅତୁଲ ଜେସୱାନି କହିଛନ୍ତି ଯେ, ଅନ୍ନପୂର୍ଣ୍ଣି ଚଳଚ୍ଚିତ୍ରରେ ଏପରି ଅନେକ ଦୃଶ୍ୟ ରହିଛି, ଯାହା ହିନ୍ଦୁ ଧର୍ମର ଆରାଧ୍ୟ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମଙ୍କୁ ଅପମାନିତ କରାଯାଇଛି। ଏହି ଚଳଚ୍ଚିତ୍ରରେ ଭଗବାନ ଶ୍ରୀ ରାମଙ୍କ ବିରୋଧରେ ଅନୁପଯୁକ୍ତ ମନ୍ତବ୍ୟ ଦେଇ ହିନ୍ଦୁମାନଙ୍କ ଭାବନା କ୍ଷତିଗ୍ରସ୍ତ ହୋଇଛି। ଜେସୱାନୀଙ୍କ ଅନୁଯାୟୀ ଏହି ଫିଲ୍ମରେ ଲଭ ଜିହାଦ ଦେଖାଯାଇଛି। ଚଳଚ୍ଚିତ୍ରର କଳାକାର ଏହା ମଧ୍ୟ ଦର୍ଶାଇଛନ୍ତି ଯେ, ପ୍ରଭୁ ଶ୍ରୀ ରାମ ନିର୍ବାସନ ସମୟରେ ପଶୁମାନଙ୍କୁ ହତ୍ୟା କରି ମାଂସ ଖାଉଥିଲେ।

FIR ପଞ୍ଜିକୃତ:

ବାସ୍ତବରେ ହିନ୍ଦୁ ସେବା ପରିଷଦ ମଙ୍ଗଳବାର ଦିନ ଜବଲପୁରର ଓମତି ପୋଲିସ ଷ୍ଟେସନରେ ଷ୍ଟାର କାଷ୍ଟଙ୍କ ସହ ନିର୍ମାତା-ନିର୍ଦ୍ଦେଶକଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି ଏବଂ ଫିଲ୍ମ ‘ଅନ୍ନପୂର୍ଣ୍ଣି’କୁ ହିନ୍ଦୁ ବିରୋଧୀ ବୋଲି କହିଛି। ନୀଲେଶ କୃଷ୍ଣା (ନିର୍ଦ୍ଦେଶକ), ନୟନତାରା (କଳାକାର), ଜତିନ୍ ସେଠୀ (ନିର୍ମାତା), ଆର ରବିନ୍ଦ୍ରନ୍ (ଉତ୍ପାଦକ), ପୂନୀତ ଗୋଇକା (ନିର୍ମାତା), ସାରିକ ପଟେଲ ଏବଂ ମୋନିକା ଶେର୍ଗିଲଙ୍କ ବିରୋଧରେ ପୋଲିସ ଧାରା ୧୫୩ ଏବଂ ୩୪ ଆଇପିସି ଅନୁଯାୟୀ ମାମଲା ରୁଜୁ କରିଛି।

ଫିଲ୍ମର ଏହି ଦୃଶ୍ୟ ବିରୁଦ୍ଧରେ FIR ପଞ୍ଜିକୃତ:

୧. ଚଳଚ୍ଚିତ୍ରର ଶେଷ ଦୃଶ୍ୟରେ, ବିରିୟାନି ତିଆରି କରିବା ପୂର୍ବରୁ ମନ୍ଦିର ପୁରୋହିତଙ୍କ ଝିଅ ହିଜାବ ପିନ୍ଧି ନମାଜ ପଢୁଛନ୍ତି।

୨. ଅଭିଯୋଗ ହୋଇଛି ଯେ, ଅଭିନେତ୍ରୀଙ୍କୁ ପ୍ରବର୍ତ୍ତାଇ ମାଂସ କାଟିଛନ୍ତି, କାରଣ ସେ କହିଛନ୍ତି ଯେ ଭଗବାନ ଶ୍ରୀ ରାମ ଏବଂ ମାତା ସୀତା ମଧ୍ୟ ମାଂସ ଖାଇଥିଲେ।

୩. ଚଳଚ୍ଚିତ୍ରରେ, ଅଭିନେତ୍ରୀ ମନ୍ଦିରକୁ ଯିବା ପରିବର୍ତ୍ତେ ରମଜାନ ଇଫତାର ପାଇଁ ଫରହାନଙ୍କ ଘରକୁ ଯାଆନ୍ତି। ଏହି ଚଳଚ୍ଚିତ୍ରରେ ଝିଅର ପିତା ସାନ୍ଧ୍ୟା ଆରତୀ ପ୍ରଦାନ କରୁଛନ୍ତି ଏବଂ ଜେଜେମାଆ ମାଳା ଜପ କରୁଛନ୍ତି କିନ୍ତୁ ତାଙ୍କ ଝିଅର ମାଂସ ଖାଇବା ଏବଂ ତାଙ୍କୁ ଖାଇବାକୁ ଦେବାର ଦୃଶ୍ୟ ପରସ୍ପର ସହ ଜଡିତ।

୪. ଅଭିନେତ୍ରୀଙ୍କ ପିତା ଜଣେ ମନ୍ଦିରର ମୁଖ୍ୟ ପୁରୋହିତ। ସେ ସାତ ପିଢୀ ଧରି ଭଗବାନ ବିଷ୍ଣୁଙ୍କୁ ନୈବେଦ୍ୟ ଦେଉଛନ୍ତି, କିନ୍ତୁ ତାଙ୍କ ଝିଅକୁ ଚିକେନ୍ ମାଂସ ପ୍ରସ୍ତୁତ କରୁଥିବା ଦେଖାଯାଇଛି।

୫. ହିନ୍ଦୁ ପୁରୋହିତଙ୍କ ଝିଅ ଜଣେ ମୁସଲମାନ ବାଳକ ସହିତ ପ୍ରେମ କରନ୍ତି, ଯିଏକି ରମଜାନ ଇଫତାର ପାଇଁ ଯାଉଥିବାର ଦେଖାଯାଏ। ହିନ୍ଦୁ ଝିଅକୁ ନମାଜ ପଢିବାକୁ ଉତ୍ସାହିତ କରାଯାଉଛି।

୬. ଏହି ଚଳଚ୍ଚିତ୍ରରେ ଫରହାନ୍ ନାମକ ଜଣେ କଳାକାର କହିଛନ୍ତି ଯେ ଭଗବାନ ଶ୍ରୀ ରାମ, ମାତା ସୀତା ଏବଂ ଭଗବାନ ଲକ୍ଷ୍ମଣ, ଶିବ ଏବଂ ପ୍ରଭୁ ମୁରୁଗାନ୍ ମଧ୍ୟ ପଶୁମାନଙ୍କୁ ମାରି ମାଂସ ଖାଉଥିଲେ।

୭. ଏହି ଚଳଚ୍ଚିତ୍ରରେ ଫରହାନ୍ ନାମକ ଜଣେ କଳାକାର ଜଙ୍ଗଲରେ ପଶୁମାନଙ୍କୁ ହତ୍ୟା କରିବା, କାଟିବା, ରାନ୍ଧିବା ଏବଂ ପ୍ରଭୁ ଶ୍ରୀ ରାମଙ୍କ ନିର୍ବାସନ ସମୟରେ ଖାଇବା ବିଷୟରେ କହିଛନ୍ତି।

୮. ଏହି ଚଳଚ୍ଚିତ୍ରରେ ଜଣେ ବ୍ରାହ୍ମଣ ହିନ୍ଦୁ ଝିଅର ମୁସଲମାନ ଧର୍ମ ପ୍ରତି ଆନ୍ତରିକତା ଏବଂ ରାମାୟଣ, ପୁରାଣ ଏବଂ ଅନ୍ୟାନ୍ୟ ଧାର୍ମିକ ଗ୍ରନ୍ଥଗୁଡ଼ିକୁ ମିଥ୍ୟା ତଥ୍ୟ ସହିତ ଭୁଲ ବ୍ୟାଖ୍ୟା କରି ଭଗବାନଙ୍କୁ ଅପମାନିତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସିନେମା

‘ଲଗାନ’ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଦେହାନ୍ତ, ନିଜ ଷ୍ଟୁଡିଓରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ: ଲାଗାନ, ୧୯୪୨ ଏକ ଲଭ୍ ଷ୍ଟୋରୀ, ଦେବଦାସ ଏବଂ ଲଗେ ରହୋ ମୁନ୍ନାଭାଇ ଭଳି ଚଳଚ୍ଚିତ୍ରର କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଦେହାନ୍ତ ହୋଇଛି। ମହାରାଷ୍ଟ୍ରର ରାୟଗଡ ଜିଲ୍ଲା ଅନ୍ତର୍ଗତ ତାଙ୍କ ଷ୍ଟୁଡିଓରେ ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ମୃତଦେହ ମିଳିଥିବା ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି। କଳା ନିର୍ଦ୍ଦେଶକ ଭାବରେ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ଆଶୁତୋଷ ଗୋୱାରିକରଙ୍କ ‘ପାନିପାତ’। କୁହାଯାଉଛି ଯେ ନିତିନ ଦେଶାଇ ମଧ୍ୟ OTT ରେ ରିଲିଜ୍ ହେବାକୁ ଥିବା ଶୋ ମହାରଣା ପ୍ରତାପଙ୍କ କାର୍ଯ୍ୟରେ ବ୍ୟସ୍ତ ଥିଲେ। କେବଳ ଏତିକି ନୁହେଁ, ସେ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କ ଗଣପତି ପାଣ୍ଡାଲର ସାଜସଜ୍ଜା ମଧ୍ୟ କରୁଥିଲେ।

ପୋଲିସ ଅଧିକାରୀ କହିଛନ୍ତି ଯେ, ରାଇଗଡରେ ଥିବା ତାଙ୍କ ଷ୍ଟୁଡିଓରେ ନୀତିନ ଦେଶାଇଙ୍କ ମୃତଦେହ ମିଳିଥିଲା। ତାଙ୍କର କରଜାତରେ ଏନଡି ଷ୍ଟୁଡିଓ ନାମକ ଏକ ଷ୍ଟୁଡିଓ ଅଛି। ଏହା ମୁମ୍ବାଇ ଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ। ତାଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ନିତିନ ଦେଶାଇ ଅନେକ ବଲିଉଡ ଏବଂ ମରାଠୀ ଚଳଚ୍ଚିତ୍ରରେ ଆର୍ଟ ଡିଜାଇନର୍ ଭାବରେ କାର୍ଯ୍ୟ କରିଛନ୍ତି।

ନିତିନ ଦେଶାଇ ୨୦ ବର୍ଷରୁ ଅଧିକ ସମୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ। ସେ ହମ ଦିଲ ଦେ ଚୁକେ ସନମ, ଲଗାନ, ଦେବଦାସ, ଯୋଦ୍ଧା ଆକବର, ଅଜିଣ୍ଠା, ବାଲଗନ୍ଧର୍ଭ ପାଇଁ କଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ।

Categories
ଆଜିର ଖବର ସିନେମା

କେଉଁ OTT ରେ ରିଲିଜ୍ ହେବ ‘କାଶ୍ମୀର ଫାଇଲ୍’?, ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କଲେ ପ୍ରକାଶ

ନୂଆଦିଲ୍ଲୀ: ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ’ ଖୁବ ଶୀଘ୍ର OTT ରେ ରିଲିଜ ହେବାକୁ ଯାଉଛି। ବିବେକ ଅଗ୍ନିହୋତ୍ରୀ ନିଜେ ଇନଷ୍ଟାଗ୍ରାମ ମାଧ୍ୟମରେ ସୋମବାର ଦିନ ଏହା ଘୋଷଣା କରିଛନ୍ତି। ସେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ‘କାଶ୍ମୀର ଫାଇଲ’ ଖୁବ ଶୀଘ୍ର OTT ପ୍ଲାଟଫର୍ମ ZEE5 ରେ ରିଲିଜ ହେବାକୁ ଯାଉଛି।

ଏହି ପୋଷ୍ଟକୁ ସେୟାର କରି ବିବେକ ଅଗ୍ନିହୋତ୍ରୀ ଲେଖିଛନ୍ତି ଯେ, କାଶ୍ମୀରୀ ପଣ୍ଡିତଙ୍କ ସତ୍ୟକୁ ଆଣିବା ପାଇଁ ଆମର ପ୍ରୟାସ ଏକ ବଡ଼ ପ୍ରତିକ୍ରିୟା ପାଇଛି। ସେମାନଙ୍କର ସମର୍ଥନ ପାଇଁ ଆମେ ଦର୍ଶକଙ୍କୁ ଧନ୍ୟବାଦ ଦେଉଛୁ ଏବଂ ଆଶା କରୁଛୁ ଯେ କାଶ୍ମୀର ବିଷୟରେ ଆହୁରି ଅଧିକ ଲୋକ ଜାଣିପାରିବେ।

‘କାଶ୍ମୀର ଫାଇଲଗୁଡିକ’ ବକ୍ସ ଅଫିସରେ ବହୁତ ଭଲ ରୋଜଗାର କରିଛି। ଏହି ଚଳଚ୍ଚିତ୍ରଟି ଏପ୍ରିଲ୍ ୧୫ ତାରିଖ ସୁଦ୍ଧା ୨୫୦ କୋଟି ଟଙ୍କାର ମ୍ୟାଜିକ୍ ଫିଗର ଅତିକ୍ରମ କରିସାରିଛି। ବିଶେଷ କଥା ହେଉଛି ଏହି ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହରେ ୯୭.୩୦ କୋଟି ଟଙ୍କା ବ୍ୟବସାୟ କରିଥିଲା। କିନ୍ତୁ ଦ୍ୱିତୀୟ ସପ୍ତାହରେ ଏହାର ରୋଜଗାର ଆହୁରି ବୃଦ୍ଧି ପାଇଲା ଏବଂ ଫିଲ୍ମ ୧୧୦.୦୩ କୋଟି ଟଙ୍କା ବ୍ୟବସାୟ କରିଥିଲା। ଏହି ଚଳଚ୍ଚିତ୍ରଟି ୩୧ ଦିନରେ ୨୫୦ କୋଟି ଟଙ୍କାକୁ ଛୁଇଁଥିଲା।

ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘କାଶ୍ମୀର ଫାଇଲ’ ଲୋକମାନଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଛି। ଏହି ଚଳଚ୍ଚିତ୍ରକୁ ନେଇ ଅନେକ ବିବାଦ ଦେଖାଦେଇଥିଲା।  କିଛି ଲୋକ ଏହାକୁ ସମର୍ଥନ କରୁଥିବାବେଳେ କିଛି ଲୋକ ଏହି ଚଳଚ୍ଚିତ୍ର ବିରୁଦ୍ଧରେ ଠିଆ ହୋଇଥିବା ଦେଖାଯାଇଥିଲା। ଏହି ଚଳଚ୍ଚିତ୍ରରେ ପଲ୍ଲଭି ଯୋଶୀ, ଅନୁପମ ଖେର, ଦର୍ଶନ କୁମାର ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ଷ୍ଟାରମାନେ ନଜର ଆସିଥିଲେ।

Categories
ଆଜିର ଖବର ମନୋରଂଜନ ସିନେମା

ବଡପରଦାକୁ ଫେରିଲେ ବିଗ୍‌ ବି :ଲକ୍‌ଡାଉନ୍‌ ମଧ୍ୟରେ ଗୁଲାବୋ-ସୀତାବୋର ଟ୍ରେଲର ରିଲିଜ୍‌

ମୁମ୍ବାଇ : କରୋନା ଭାଇରସ୍‌ କାରଣରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସମସ୍ତ ଥିଏଟର ବନ୍ଦ ରଖାଯାଇଛି । ଏହାଦ୍ବାରା ବିଭିନ୍ନ ସିନେମା ଇଣ୍ଡଷ୍ଟ୍ରୀ ଗଭୀର ଭାବରେ ପ୍ରଭାବିତ । ଥିଏଟର ବନ୍ଦ କାରଣରୁ ସିନେମା ରିଲିଜ୍‌ ହୋଇପାରୁନଥିବା ବେଳେ ଏହା ଓଟିଟି ପ୍ଲାଟ୍‌ଫର୍ମ ଗୁଡିକୁ ଫାଇଦା ଦେଉଛି । ଏହି ଅବସରରେ ଶୁକ୍ରବାର ଦିନ ରିଲିଜ୍‌ ହୋଇଛି ବଲିଉଡ୍‌ ଶେହନ୍‌ଶାହ ଅମିତାଭ ବଚ୍ଚନଙ୍କ ଅଭିନୀତ ଗୁଲାବୋ ସୀତାବୋ । ସୁଜିତ ସର୍କାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମିତାବ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ସମ୍ପୂର୍ଣ୍ଣ ଭାବରେ ଲକ୍ଷ୍ନୌରେ ସୁଟିଂ ହୋଇଥିବା ବେଳେ ଜଣେ ଘରମାଲିକ ଏବଂ ଭଡାଟିଆର କାହାଣୀକୁ ଫିଲ୍ମରେ ଦେଖିଆଯାଇଛି ।

ଅମିତାଭ ବଚ୍ଚନ ଏକ ପୁରୁଣା କୋଠାର ମାଲିକ ରହିଥିବା ବେଳେ ଆୟୁଷ୍ମାନ ଭଡାଟିଆ ରହିଛନ୍ତି । ଉଭୟଙ୍କ ମଧ୍ୟରେ ରହିଥିବା ସମସ୍ୟାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ତେବେ ଫିଲ୍ମଟି ଥିଏଟରରେ ରିଲିଜ୍‌ ନହୋଇ ସିଧାସଳଖ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ । ଆସନ୍ତା ଜୁନ୍‌ 12 ତାରିଖରେ ଆମାଜନ୍‌ ପ୍ରାଇମ୍‌ରେ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି । ଜୁହି ଚତୁର୍ବେଦୀ ଏହି ଫିଲ୍ମର କାହାଣୀ ଲେଖିଛନ୍ତି । ଆୟୁଷ୍ମାନଙ୍କ ସହିତ ଏହା ସୁଜିତଙ୍କ ଦ୍ବିତୀୟ ଫିଲ୍ମ ହୋଇଥିବା ବେଳେ ଅମିତାଭଙ୍କ ସହିତ ଏହା ତାଙ୍କର ତୃତୀୟ ଫିଲ୍ମ । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ରୀମା କାଗତିଙ୍କ ନିର୍ଦ୍ଦେଶନାରେ ଓ୍ବେବ୍‌ ସିରିଜ୍‌ ପଦାର୍ପଣ କରିବେ ସୋନାକ୍ଷୀ ସିହ୍ନା

ମୁମ୍ବାଇ : ଭାରତରେ ଓଟିଟିଚ ପ୍ଲାଟଫର୍ମର ବର୍ଦ୍ଧିତ ଲୋକପ୍ରିୟତା କାରଣରୁ ବିଭିନ୍ନ ବଲିଉଡ କଳାକାର ଓ୍ବେବ୍‌ ସିରିଜ୍‌ରେ ନଜର ଆସୁଥିବା ବେଳେ ସୋନାକ୍ଷୀ ସିହ୍ନା ମଧ୍ୟ ଓ୍ବେବ୍‌ ସିରିଜ୍‌ ପଦାର୍ପଣ କରିବାକୁ ଯାଉଛନ୍ତି । ଏହା ସହିତ ନିର୍ଦ୍ଦେଶିକା ରୀମା କାଗତି ମଧ୍ୟ ନିଜର ଓଟିଟି ପଦାର୍ପଣ କରିବାକୁ ଯାଉଛନ୍ତି । ରୀମା ଏହି ଓ୍ବେବ୍‌ ସିରିଜ୍‌ର ନିର୍ଦ୍ଦେଶନା ଦେବା ସହିତ କାହାଣୀ ମଧ୍ୟ ଲେଖିଛନ୍ତି । ଫଲେନ୍‌ ନାମକ ଏହି ଓ୍ବେବ୍‌ ସିରିଜ୍‌ 1972ର ଭାରତ ପାକିସ୍ତାନ ଯୁଦ୍ଧ ଉପରେ ପର୍ଯ୍ୟବେସିତ । ଏହି ସିରିଜ୍‌ରେ ବିଜୟ ବର୍ମା ଏବଂ ଗୁଲଶନ ଦେବୈୟା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଓ୍ବେବ୍‌ ସିରିଜ୍‌ ବ୍ୟତିତ ସୋନାକ୍ଷୀ ଭୁଜ୍‌ ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆରେ ନଜର ଆସିବାକୁ ଯାଉଛନ୍ତି ।