Categories
ଆଜିର ଖବର ରାଜ୍ୟ ଖବର

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପଦମପୁରରେ ହୋଇଛି ଆଦର୍ଶ ଓ ଗୋଲାପୀ ବୁଥ

ଭୁବନେଶ୍ବର: ପଦମପୁର ଉପନିର୍ବାଚନରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ କରାଯାଇଛି ୧୫ଟି ଆଦର୍ଶ ମତଦାନ କେନ୍ଦ୍ର। ଏହି ମତଦାନ କେନ୍ଦ୍ରରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ, ଟେମ୍ପ ପରି ସୁବିଧା ଯୋଗାଇ ଦିଆଯାଉଛି। ସେହିପରି ବୁଥକୁ ବେଲୁନ ଏବଂ ଫୁଲରେ ମଧ୍ୟ ସଜାଯାଇଛି। ପାନୀ ଜଳ ବ୍ୟବସ୍ଥା ମଧ୍ୟ କରାଯାଇଛି। ସେଠାରେ ସେଚ୍ଛାସେବୀଙ୍କୁ ମଧ୍ୟ ମୁତୟନ କରାଯାଇଛି।

ସେହିପରି ଏହି ଉପନିର୍ବାଚନରେ ମହିଳାମାନଙ୍କୁ ଭୋଟ ଦେବା ପାଇଁ ଆଗ୍ରମ ସୃଷ୍ଟି ନିମନ୍ତେ ୦୬ ଟି ଗୋଲାପୀ ବୁଥ କରାଯାଇଛି। ଏଥିରେ କେବଳ ମହିଳାମାନଙ୍କ ଦ୍ବାରା ମତଦାନ ପରିଚାଳନା କରାଯାଉଛି। ଏଥିସହିତ ମଡେଲ ବୁଥରେ ଯାହା ସୁବିଧା ଏଥିରେ ମଧ୍ୟ ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୋଟ ଦେବା ପାଇଁ ଧାଡିରେ ଛିଡା ହେଲେ ବିଜେଡି ପ୍ରାର୍ଥୀ ବର୍ଷା

ପଦମପୁର: ଆଜି ପଦମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ସକାଳ ସାତଟରୁ ଏହି ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ଭୋଟରମାନେ ଧାଡି ବାନ୍ଧି ଭୋଟ ଦେବାକୁ ଅପେକ୍ଷା କରିଥିବାର ଦେଖିବାକୁ ମିଳିଛି। ସେହିପରି ବିଜେଡିର ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ବୁଥରେ ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇଥିଲେ। ଏହାପରେ ସେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ଏହି ଉପନିର୍ବାଚନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଏହି ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳ ମାଓବାଦୀପ୍ରବଣ ହୋଇଥିବାରୁ ମତଦାନ ସମୟ ୧ ଘଣ୍ଟା ହ୍ରାସ କରାଯାଇଛି। ୩୧୯ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ହେଉଛି। ମତଦାନ ପରିଚାଳନା ପାଇଁ ୧୨୭୬ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ପ୍ରତି ବୁଥ୍‌ରେ ୪ଜଣ ଅଧିକାରୀ ରହିବା ସହ ୧୨୮ଜଣ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦମପୁରରେ ସରିଲା ଘୋ ଘା, ଏହି ଉପନିର୍ବାଚନ ରଚିଲା ଏକ ନୂଆ ଇତିହାସ, ନୂଆ ଦୃଷ୍ଟାନ୍ତ

ଭୁବନେଶ୍ବର: ସରିଲା ପଦମପୁର ଉପନିର୍ବାଚନର ପ୍ରଚାର। ହେଲେ ଏହି ନିର୍ବାଚନ ଓଡିଶା ରାଜନୈତିକ ଇତିହାସରେ ରଚନା କଲା ବହୁ ନୂଆ ଇତିହାସ, ନୂଆ ଦୃଷ୍ଟାନ୍ତ। ଯାହା କେବେ କୌଣସି ଉପନିର୍ବାଚନରେ ଏପରି ଘଟି ନ ଥିଲା। ଏହି ଉପନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ଯେପରି ଟକ୍କରା ଟକ୍କରି ହେଲେ ତାହା କେବେ ଦେଖାଯାଇ ନ ଥିଲା।

ଗତ ବିଧାନସଭା ନିର୍ବାଚନ ପରେ ପ୍ରାୟ ଛଅଟି ଉପନିର୍ବାଚନ ହୋଇଯାଇଛି। ହେଲେ ସେଥିରେ ଏପରି କିଛି ନାଟକବାଜୀ ଦେଖିବାକୁ ମିଳି ନ ଥିଲା ଯାହା ପଦ୍ମପୁରରେ ଘଟିଲା। ମୁଖ୍ୟତଃ ନିକଟରେ ଧାମନଗର ଉପନିର୍ବାଚନରେ ବିଜେପି ଜିତିବା ପରେ ତାଙ୍କର ଆଶା ଆହୁରି ବଢିଗଲା। ଯାହାର ଘୋ ଘା ଏହି ପଦମପୁର ଉପନିର୍ବାଚନରେ ପ୍ରତିଫଳିତ ହେଲା।

ଏହି ଉପନିର୍ବାଚନ ପୂର୍ବରୁ ଦୁଇଟି ପ୍ରସଂଗ ନେଇ ସାରା ଓଡିଶା ପଡିଲା ଉଠିଲା। ତାହା ହେଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପଦମପୁରକୁ ରେଳ ସଂଯୋଗ। ଏହାକୁ ନେଇ ଉଭୟ ବିଜେଡି ବିଜେପି କାଦୁଅ ଫିଙ୍ଗାଫିଙ୍ଗି ହେଲେ। ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟନ୍ତ ଏହି ଦୁଇ ପ୍ରସଂଗ ତାଜା ହୋଇ ରହିଥିଲା। ସେହି ଚାଷୀ ପ୍ରସଂଗ ନେଇ ରାଜଧାନୀରେ ମଧ୍ୟ ବିଜେପି ଗର୍ଜନ କଲା। ଏହାଥିଲା ଏପରି ଏକ ଉପନିର୍ବାଚନ ଯାହା ରାଜ୍ୟ କାହିଁକି ଜାତୀୟ ରାଜନୀତିକୁ ମଧ୍ୟ ଚଳଚଞ୍ଚଳ କରିଦେଇ ଥିଲା।

ସେହିପରି ଏହି ପ୍ରସଂଗର ଉତ୍ତର ଦେବା ପାଇଁ ପ୍ରଥମ ଥର ବିଜେପି ଦୁଇ ଜଣ ଟାଣୁଆ କେନ୍ଦ୍ରମନ୍ତ୍ରୀଙ୍କୁ ମଇଦାନକୁ ଓହ୍ଲାଇବାକୁ ପଡିଥିଲା। ସେମାନେ ହେଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଅଶ୍ବନୀ ବୈଷ୍ଣବ। ପୂର୍ବରୁ ଉପନିର୍ବାଚରେ ବିଜେପି କେବେ ଏପରି କରି ନ ଥିଲା। ସେହିପରି ଧାମନଗରେ ନିରବ ଥିବା ବୈଜୟନ୍ତ ପଣ୍ଡା ଏବଂ ଅପରାଜିତା ଷଡଙ୍ଗୀ ଏହି ଉପ ନିର୍ବାଚନରେ ପ୍ରଚାର କରିବାକୁ ସୁଯୋଗ ପାଇଥିଲେ।

ଅନ୍ୟପକ୍ଷରେ ଧାମନଗରରେ ପ୍ରଥମ ଥର ପାଇଁ ପରାଜୟ ପରେ ବିଜେଡି ମଧ୍ୟ ତାହାର କଳବଳ କୌଶଳକୁ ପଦମପୁରରେ ଲଗାଇ ଦେଇଥିଲା। କୌଣସି ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ସିଧା ପ୍ରଚାରରେ ସାମିଲ ହୋଇ ନ ଥିଲେ। ଭର୍ଚୁୟାଲି ଉପନିର୍ବାଚନ ପ୍ରଚାର କରିଥିଲେ। ହେଲେ ପଦମପୁରରେ ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ମଇଦାନକୁ ଓହ୍ଲାଇବାକୁ ପଡିଥିଲା।

ତେବେ ବିଜେଡି ଏହି ଉପନିର୍ବାଚନରେ ନିଜର ପ୍ରସଂଗ ଉଠାଇବା ଅପେକ୍ଷା ବିଜେପିକୁ ପ୍ରତିରୋଧ କରିବାରେ ବେଶୀ ସମୟ ନେବାକୁ ବାଧ୍ୟ ହୋଇଥିଲା। କାରଣ ବିଜେପି ତରଫରୁ ଚାଷୀ ଓ ରେଳ ପ୍ରସଂଗରେ ଯେପରି ମନ୍ତବ୍ୟ ଦିଆଗଲା ତାହାକୁ ବିଜେଡି ସ୍ପଷ୍ଟ କରଣ ଦେଇ ମିଛ ବୋଲି ପ୍ରମାଣିତ କରିବାରେ ଅଧିକ ସମୟ ଦେବାକୁ ପଡିଥିଲା।

ସେହିପରି ବିଭିନ୍ନ ସମୟରେ ମୁହଁ ଘୋଡାଇ ଟଙ୍କା ବାଣ୍ଟିବା, ଅମିତା ଶାହାଙ୍କ ମିଛ ଭିଡିଓ ଭାଇରାଲ କରିବା, ବର୍ଷା ବରିହାଙ୍କ ନାମରେ ବିଭିନ୍ନ ଅପମାନ ସୂଚକ ମନ୍ତବ୍ୟ ଦେବା, ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜା ସ୍ବାଇଁଙ୍କୁ ବାଡାଇବା ପାଇଁ କହିବା, ସୁଶାନ୍ତ ସିଂଙ୍କୁ ସାମାଜିକ ଗଣମାଧ୍ୟମରେ ହତ୍ୟା କରିବା ପାଇଁ ଧମକ ଦେବା ପ୍ରଭୃତି ପ୍ରସଂଗ ବିଜେଡି ସଫଳତାର ସହ ମୁକାବିଲା କରିବାରେ ସଫଳ ହୋଇଛି।

ତେବେ ଏହି ନିର୍ବାଚନରେ ସବୁଠାରୁ ଯେଉଁ ରୋଚକ ସ୍ଥିତି ଦେଖାଦେଇଥିଲା ତାହା ହେଲା ସକାଳେ ଆଇଟି ରେଡ୍, ସଂଧ୍ୟାରେ ଜିଏସଟି ରେଡ୍। ନିର୍ବାଚନ ପକ୍ରିୟା ଚାଲିଥିବା ବେଳେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା। ପ୍ରଥମେ କେନ୍ଦ୍ର ସରକାରଙ୍କ ଆଇଟି ବିଭାଗ ବିଜେଡି ଘରେ ରେଡ କଲା। ଏହାପରେ ପରେ ସଂଧ୍ୟାରେ ରାଜ୍ୟ ସରକାରଙ୍କ ଜିଏସଟି ବିଜେପି ନେତାଙ୍କ ଘରେ ରେଡ କଲା। ଯେସାକୁ ତେସା ନ୍ୟାୟରେ ବିଜେଡି ଏସବୁକୁ ବେଶ ସାବଧାନତାର ସହ ମୁକାବିଲା କରିଥିଲା।

ସେଥିପାଇଁ ପଦମପୁର ଉପନିର୍ବାଚନ ଏସବୁ ଘଟଣା ପାଇଁ ଓଡିଶା ରାଜନୈତିକ ଇତିହାସରେ ଏକ ଭିନ୍ନ ଦୃଷ୍ଟାନ୍ତ ସୃଷ୍ଟି କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବର୍ଷାକୁ ଅଶାଳୀନ ଆକ୍ଷେପ କରି ବିଜେପି ହୀନ ରାଜନୀତି କରୁଛି: ବିଜେଡ଼ି

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ପଦ୍ମପୁର ମାଟିର ଝିଅ ବର୍ଷା ସିଂ ବରିହା ବିଜେଡି ପ୍ରାର୍ଥୀନୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ଏହି ନିର୍ବାଚନରେ ପରାଜୟ ନିଶ୍ଚିତ ବୋଲି ଜାଣିବା ପରେ ଭାରତୀୟ ଜନତା ପାର୍ଟି ହତାଶ ହୋଇ ପଡ଼ିଛି। ତେଣୁ ବିଜେପିର କିଛି ବଡ଼ ବଡ଼ ନେତା ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅତି ନିମ୍ନସ୍ତରର କୁତ୍ସାରଟନା କରୁଛନ୍ତି, ସଭାସମିତି ଓ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ କେବଳ ବର୍ଷାଙ୍କୁ ଅପମାନିତ କରିବା ନୁହେଁ, ସମଗ୍ର ଓଡ଼ିଶାର ନାରୀ ଜାତିର ସମ୍ମାନକୁ ଭୂଲୁଣ୍ଠିତ କରିବା।

ନାରୀଙ୍କୁ ଘରର ଲକ୍ଷ୍ମୀ ବୋଲି ଭାବୁଥିବା ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନିଚା ଦେଖାଇବା। ବିଜେପିର ଏହି ହୀନ ରାଜନୀତିକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ମୁଖପାତ୍ର ଏଲିନା ଦାସ ଏବଂ ଇପସିତା ସାହୁ ପ୍ରମୁଖ ବିଜୁ ଜନତା ଦଳ ପକ୍ଷରୁ ଏହାକୁ ତୀବ୍ର ନିନ୍ଦା କରିଛନ୍ତି।

ସେମାନେ କହିଛନ୍ତି ଯେ ଆମ ହିନ୍ଦୁ ଧର୍ମ ଏବଂ ଓଡ଼ିଆ ପରମ୍ପରା ଓ ସଂସ୍କୃତିରେ ନାରୀମାନଙ୍କୁ ଉଚ୍ଚ ସମ୍ମାନ ଦିଆଯାଏ। ଘରେ ଘରେ ସମସ୍ତେ ବିଶ୍ୱାସ କରନ୍ତି ଯେ ମା’ମାନେ ହେଉଛନ୍ତି ଲକ୍ଷ୍ମୀ ଓ ଦୁର୍ଗାଙ୍କର ସ୍ୱରୂପ। କିନ୍ତୁ କଥା କଥାକେ ଧର୍ମ ଓ ପରମ୍ପରାର କଥା କହୁଥିବା ଭାରତୀୟ ଜନତା ପାର୍ଟିର ଓଡ଼ିଶାର କିଛି ନେତା ଏବେ ନାରୀଙ୍କୁ ସମ୍ମାନ ଦେବା ଦୂରେ ଥାଉ ନାରୀଙ୍କ ପ୍ରତି ଆଚରଣ ଓ ଉଚ୍ଚାରଣରେ ଶାଳୀନତାର ସମସ୍ତ ସୀମା ଟପି ଯାଇଛନ୍ତି।
ଏବେ ପଦ୍ମପୁରରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲିଛି।

ନିର୍ବାଚନ ଏମିତି ଆସୁଥିବ, ଯାଉଥିବ। ରାଜନୀତିରେ ନୀତି ଓ ଆଦର୍ଶକୁ ନେଇ ସମାଲୋଚନା ହେବା କଥା। ଗଠନମୂଳକ ସମାଲୋଚନା ହିଁ ଆମ ଗଣତନ୍ତ୍ରକୁ ଆଜି ପର‌୍ୟ୍ୟନ୍ତ ସୁଦୃଢ଼ କରି ରଖିଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହାର ବିଲକ୍ଷଣ ଦେଖିବାକୁ ମିଳୁଛି। ଆଶା କରାଯାଉଥିଲା ଯେ ପଦ୍ମପୁରରେ ବିଜେପି ନେତାମାନେ ରାଜନୈତିକ ମର‌୍ୟ୍ୟାଦାର ସୀମା ଭିତରେ ରହି ନିର୍ବାଚନ ପ୍ରଚାର କରିବେ। ମାତ୍ର ସେମାନେ କ୍ରମାଗତ ଭାବେ ବିଜେଡି ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଜୀବନକୁ ଅଶାଳୀନ ଆକ୍ଷେପ କରୁଛନ୍ତି।

ବିଜେପିର ଏହି ବରିଷ୍ଠ ନେତାମାନେ ନିଜ ଝିଅ ବୟସର ବର୍ଷାଙ୍କ ସଂପର୍କରେ କିଏ କେତେ ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେଇପାରିବ, ତାକୁ ନେଇ ସେମାନଙ୍କ ମଧ୍ୟରେ ସତେ ଯେମିତି ଗୋଟିଏ ପ୍ରତିଯୋଗିତା ଚାଲିଛି। ଏହି ଅସୁସ୍ଥ ପ୍ରତିଯୋଗିତାରେ ସାଂସଦ ଜୁଏଲ ଓରାମ, ବିଧାୟକ ଜୟନାରାୟଣ ମିଶ୍ର ଏବଂ ଖୋଦ୍ ପଦମପୁରର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରମୁଖ ସାମିଲ ହୋଇଛନ୍ତି।

ଓଡ଼ିଆ ଘରର ବିଶ୍ୱାସ ଅଛି, ମାର୍ଗଶୀର ଗୁରୁବାରରେ ଘରକୁ ଲକ୍ଷ୍ମୀ ଆସନ୍ତି। କିନ୍ତୁ ମାର୍ଗଶୀର ମାସ ଗୁରୁବାର ଭଳି ଏକ ପବିତ୍ର ଦିନରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ପଦ୍ମପୁର ମାଟିର ଝିଅ ବର୍ଷାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ଅତ୍ୟନ୍ତ ଅଶାଳୀନ ଓ ଅରୁଚିକର ଟିପ୍ପଣୀ ଦେଇଛନ୍ତି। ଅବଶ୍ୟ ଜୁଏଲ ଓରାମଙ୍କ ଚରିତ୍ର କ’ଣ ତାହା ସାରା ଓଡ଼ିଶା ଜାଣିଛି। କିଛି ମାସ ପୂର୍ବରୁ ସେ ତାଙ୍କରି ଦଳର ତାଙ୍କ ଝିଅ ବୟସର ଜଣେ ନାରୀନେତ୍ରୀଙ୍କୁ ଅସଦାଚରଣ କରିଥିଲେ।

ଏଥିପାଇଁ ପୀଡ଼ିତା ନାରୀ ନେତ୍ରୀ ଜଣକ ଥାନାରେ ଏତଲା ଦେବା ସହ ଜୁଏଲଙ୍କ ଭଦ୍ରମୁଖା ତଳେ ଥିବା କୁତ୍ସିତ ଚେହେରାକୁ ପଦାରେ ପକାଇ ଦେଇଥିଲେ। ଆଉ ଅକଳରେ ପଡ଼ି ଜୁଏଲଙ୍କୁ ବେଶ୍ କିଛିଦିନ ପାଇଁ ମୁହଁ ଲୁଚାଇବାକୁ ପଡ଼ିଥିଲା। ନିଶାସକ୍ତ ଅବସ୍ଥାରେ ସଂପୃକ୍ତ ନାରୀନେତ୍ରୀଙ୍କ ସହ ଜୁଏଲଙ୍କ ଅଶ୍ଳୀଳ ଟେଲିଫୋନ ବାର୍ତ୍ତାଳାପ ସାରା ଦୁନିଆ ଶୁଣିବା ପରେ ବି ଜୁଏଲ ଏଥିପାଇଁ ଭୁଲ ସ୍ୱୀକାର କରି ନ ଥିଲେ କି ତାଙ୍କୁ କ୍ଷମା ମାଗି ନ ଥିଲେ। ତେଣୁ ଅଭ୍ୟାସଗତ ଭାବେ ବାରମ୍ବାର ମହିଳାମାନଙ୍କୁ ଅଶାଳୀନ ଆଚରଣ କରୁଥିବା ଏଭଳି ଜଣେ କୁତ୍ସିତ ମାନସିକତା ସମ୍ପନ୍ନ ଏହି ବରିଷ୍ଠ ନେତାଙ୍କ ଠାରୁ ଆଉ କ’ଣ ଅଧିକ ଆଶା କରାଯାଇପାରେ?

ସେହିପରି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଜଣେ ଅଭ୍ୟାସଗତ ଅପରାଧୀ। ବିଜେପୁର ଉପନିର୍ବାଚନ ବେଳେ ହତ୍ୟା ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ଭଳି ସଂଗିନ ଅପରାଧରେ ଅଭିଯୁକ୍ତ ଶ୍ରୀ ମିଶ୍ର ଗିରଫ ହୋଇ ଜେଲ୍ ଯାଇଥିଲେ। ଜାମିନରେ ଆସିଥିବା ଶ୍ରୀ ମିଶ୍ର ଏବେ ପଦ୍ମପୁରରେ ବିଜେପିର ଷ୍ଟାର୍ ପ୍ରଚାରକ ସାଜି ହୀନ ରାଜନୀତି କରୁଛନ୍ତି। ସେ ତାଙ୍କ ପୁରୁଣା ଅଭ୍ୟାସ ଛାଡ଼ି ନ ପାରି ବର୍ଷାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ ପୁଣିଥରେ ତାଙ୍କର ଘୋର ନାରୀ ବିରୋଧୀ ମାନସିକତାର ପରିଚୟ ଦେଇଛନ୍ତି।

ଅନ୍ୟପକ୍ଷରେ ପଦ୍ମପୁରରେ ପରାଜୟ ଭୟରେ ହତାଶ ହୋଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ଯିଏ ନାରୀଙ୍କୁ ସମ୍ମାନ ଦେବା ଜାଣି ନାହିଁ, ମାତୃଜାତି ଏବଂ ଓଡ଼ିଶାର ସଂସ୍କୃତିକୁ ଅପମାନ କରୁଛି, ସେଭଳି ନେତାଙ୍କୁ ସ୍ୱାଭିମାନୀ ପଦ୍ମପୁରବାସୀ କେବେବି ନିଜର ପ୍ରତିନିଧି ରୂପେ ବାଛିବେ ନାହିଁ । ରାଜନୀତିରେ ହାରଜିତ ଅଛି। ପଦ୍ମପୁର ନିର୍ବାଚନ ପାଇଁ ଏଯାଏ ଭୋଟ ପଡ଼ି ନଥିଲେ ମଧ୍ୟ ବିଜେପି ଏହା ହାରି ସାରିଛି।

ତେଣୁ ତାଙ୍କ ଦଳର ନେତାମାନେ ହତାଶ ଓ ବିଚଳିତ ହୋଇ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି। ତେବେ ଏକ ସୁସ୍ଥ ଗଣତନ୍ତ୍ରରେ ଏଭଳି ନକାରାତ୍ମକ ରାଜନୀତିର ସ୍ଥାନ ନାହିଁ। ବର୍ଷାଙ୍କ ପ୍ରତି ଜୁଏଲ ଓରାମ, ଜୟନାରାୟଣ ମିଶ୍ର ଓ ପ୍ରଦୀପ ପୁରୋହିତ ପ୍ରମୁଖ ବିଜେପିର ନେତାମାନେ ଯେଭଳି କୁତ୍ସିତ ମନ୍ତବ୍ୟ ଦେଇଛନ୍ତି; ତାହା ଓଡ଼ିଶାବାସୀ କେବେବି ବରଦାସ୍ତ କରିବେ ନାହିଁ। ଏଥିପାଇଁ ପଦ୍ମପୁରବାସୀ ମଧ୍ୟ ସେମାନଙ୍କୁ କ୍ଷମା ଦେବେ ନାହିଁ ଏବଂ ଆଗାମୀ ନିର୍ବାଚନରେ ଏହାର ଉଚିତ ଜବାବ ଦେବେ।