Categories
ଆଜିର ଖବର ଖେଳ ଜାତୀୟ ଖବର

କ୍ରିକେଟକୁ ଅଲବିଦା ଜଣାଇଲେ ପାର୍ଥିବ ପଟେଲ

ଅହମ୍ମଦାବାଦ: ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଭାରତ ପାଇଁ ମାତ୍ର ୧୭ ବର୍ଷରେ ପଦାର୍ପଣ କରିଥିବା ପାର୍ଥିବ ୩୫  ବର୍ଷ ବୟସରେ କ୍ରିକେଟକୁ ଅଲବିଦା ଜଣାଇଛନ୍ତି । ଟ୍ୱିଟ୍ଟର ଜରିଆରେ ନିଜର ଅବସର ସମ୍ପର୍କରେ ପାର୍ଥିବ ଘୋଷଣା କରିଛନ୍ତି। ୨୦୦୨ରେ ଇଂଲଣ୍ଡ ବିରୋଧରେ ଟେଷ୍ଟ କ୍ରିକେଟ୍‌ ଜରିଆରେ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ ପାର୍ଥିବ।  ମାତ୍ର ୧୭ ବର୍ଷରେ ସର୍ବକନିଷ୍ଠ ୱିକେଟ କିପରର ମାନ୍ୟତା ହାସଲ କରିଥିଲେ ପାର୍ଥିବ।  ୧୮ ବର୍ଷର ଲମ୍ବା କ୍ୟାରିୟରେ ପାର୍ଥି ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଅନ୍ତିମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ତେବେ ଚଳିତ ବର୍ଷ ଆଇପିଏଲ୍‌ରେ ମଧ୍ୟ ପାର୍ଥିବ ଆରସିବିରେ ରହିଥିଲେ। କିନ୍ତୁ ତାଙ୍କୁ ଗୋଟିଏ ବି ଖେଳ ଖେଳିବାକୁ ସୁଯୋଗ ମିଳିନଥିଲା। ନିଜ ପରିବାରକୁ ସମୟ ଦେବା ପାଇଁ କ୍ରିକେଟରୁ ଅବସର ନେଇଥିବାର ଘୋଷଣା କରିଛନ୍ତି ପାର୍ଥିବ।

ପାର୍ଥିବ ଭାରତ ପକ୍ଷରୁ ୨୫ ଟି ଟେଷ୍ଟ, ୩୮ଟି ଦିନିକିଆ ଏବଂ ୨ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି। ୨୫ ଟି ଟେଷ୍ଟ ମ୍ୟାଚରେ ପାର୍ଥିବ ୬ ଟି ଅର୍ଦ୍ଧଶତକ ସହିତ ୯୩୪ ରନ ସଂଗ୍ରହ କରିଛନ୍ତି। ଏହା ସହିତ ଟେଷ୍ଟରେ ୱିକେଟ ପଛରେ ୬୦ ଟି କ୍ୟାଚ ଏବଂ ୯ଟି ଷ୍ଟମ୍ପିଂ ମଧ୍ୟ କରିଛନ୍ତି। ଦିନିକିଆରେ ୩୮ଟି ମ୍ୟାଚ ଖେଳି ୭୩୬ ରନ ସଂଗ୍ରହ କରିଛନ୍ତି ପାର୍ଥିବ। ଦିନିକିଆରେ ପାର୍ଥିବ ୩୦ଟି କ୍ୟାଚ ଏବଂ ୯ଟି ଷ୍ଟମ୍ପିଂ କରିଛନ୍ତି। ସେହିପରି ପାର୍ଥିବ ପଟେଲ୍‌ ଆଇପିଏଲ୍‌ କ୍ୟାରିଅରରେ ୧୩ଟି ଅର୍ଦ୍ଧଶତକ କରିଛନ୍ତି। ଏହା ବ୍ୟତିତ ପାର୍ଥିବଙ୍କ ନେତୃତ୍ୱରେ ଗୁଜରାଟ ୨୦୧୬-୧୭ରେ ରଣଜୀ ଟ୍ରଫି ଚାମ୍ପିୟନ ହୋଇଥିଲା। (ଏଜେନ୍ସି)