Categories
ଆଜିର ଖବର ଜାତୀୟ ଖବର

ବାପୁଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଦେଶର ବହୁ ବଡ଼ ବଡ ନେତା ଗୁରୁବାର ଦିନ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । 1948 ମସିହା ଜାନୁଆରୀ 30 ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାତ୍ମା ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ଏକ ପ୍ରବନ୍ଧ ଲେଖିଛନ୍ତି । ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ, ବାପୁ ବିଦାୟୀ ନେବା ସମୟରେ ସାରା ଦୁନିଆକୁ ପ୍ରେମର ବାର୍ତ୍ତା ଦେଇଥିଲେ । ମହାତ୍ମା ଗାନ୍ଧିଙ୍କ ବିଚାରରୁ ଆମେ ବହୁତ କିଛି ଶିଖିବା ନେଇ ମୁଁ ଆଶା ରଖୁଛି ବୋଲି ରାଷ୍ଟ୍ରପତି ତାଙ୍କ ପ୍ରବନ୍ଧରେ ଲେଖିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଟୁଇଟ୍‌ କରି ଲେଖିଛନ୍ତି ଯେ, ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ କୋଟି କୋଟି ନମନ । ପୁଜ୍ୟ ବାପୁଙ୍କ ବ୍ୟକ୍ତିତ୍ବ, ବିଚାର ଓ ଆଦର୍ଶ ଆମକୁ ସଶକ୍ତି ,ସକ୍ଷମ ଓ ସମୃଦ୍ଧ ନ୍ୟୁ ଇଣ୍ଡିଆର ନିର୍ମାଣ ପାଇଁ ପ୍ରେରିତ କରି ରହିବ। ସେହିପରି କଂଗ୍ରେସ ନେତା ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏକ ଭିଡିଓ ଟୁଇଟ୍‌ କରି ମହାତ୍ମା ଗାନ୍ଧିଙ୍କୁ ନମନ କରିଛନ୍ତି । ଭିଡିଓ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି ଯେ, ବାପୁ ତୁମେ ଏବେ ବି ଜୀବିତ, କ୍ଷେତର ଖଳାଘରରେ, ନ୍ୟାୟ, ସତ୍ୟ ଓ ପ୍ରେମର ଅଭିଳାଷରେ।’ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ରାଜଘାଟ ଯାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।

ମହାତ୍ମା ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ଆଜି ଦେଶରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ କରାଯିବ । ଦିଲ୍ଲୀର ରାଜଘାଟଠାରେ ଆଜି ଷ୍ଟୁଡେଣ୍ଟ ୟୁନିଅନମାନେ ମିଳିତ ଭାବରେ ଏକ ମାନବଶୃଙ୍ଖଳ ତିଆରି କରି ଏକତାର ପରିଚୟ ଦେବେ। ସେହିପରି ଯଶଓ୍ବନ୍ତ ସିହ୍ନାଙ୍କ ଗାନ୍ଧି ଯାତ୍ରାର ସମାପନ ମଧ୍ୟ ଆଜି ରାଜଘାଟଠାରେ ହେବ ।