Categories
ଆଞ୍ଚଳିକ

ରାସନ ବଣ୍ଟନରେ ଅନିୟମିତତା: ୬ ମାସ ହେଲା ହିତାଧିକାରୀଙ୍କୁ ମିଳୁନି କିରୋସିନି

ବବୁଲୁ ସାହୁ
ଗୋଲାମୁଣ୍ଡା: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା ଯୋଗୁଁ ହିତାଧିକାରୀ ମାନେ ଏହାର ସୁଫଳ ପାଇପାରୁନାହାନ୍ତି। ମାସ ମାସ ଧରି ପିଡିଏସ୍ ବ୍ୟବସ୍ଥାରେ ଲୋକେ କିରୋସିନି ନପାଇ ହନ୍ତସନ୍ତ ହେବାର ଦେଖାଦେଇଛି। କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପଛୁଆ ବ୍ଲକ୍ ଭାବରେ ଗୋଲାମୁଣ୍ଡା ବ୍ଲକ୍ ପରିଚିତ। ଏହି ବ୍ଲକର ବଡଚେର୍ ଗ୍ରାମ ପଞ୍ଚାୟତର ଡ଼ମବସା ଗ୍ରାମର ଅଧିବାସୀ ହିତାଧିକାରୀ ମାନେ ଗତ ୬ ମାସରୁ ଉର୍ଦ୍ଧ୍ଵ ସମୟ ଧରି କିରୋସିନି ପାଇନଥିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି। ଏହା ସ୍ଵତଃ ପ୍ରବୃତ୍ତ ଭାବେ ବିଭାଗୀୟ ସ୍ଵଛ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନେକ ସମୟରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ମୂଲ୍ୟ ନେଇ ସାମଗ୍ରୀ ବଣ୍ଟନ କରାଯାଇଥିବା ବ୍ୟାପକ ଚର୍ଚ୍ଚା ମଧ୍ୟ ଚାଲିଛି ।ଏକ ସୁନିୟନ୍ତ୍ରିତ ତଙ୍ଗରେ ଉପରୁ ତଳ ସ୍ତର ପର୍ଯ୍ୟନ୍ତ ବ୍ୟବସ୍ଥିତ ବ୍ୟବସ୍ଥାରେ ହରିଲୁଟ ଚାଲୁଥିବା ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ।

ସଂପୃକ୍ତ ପିଡିଏସ୍ ହିତାଧିକାରୀ ମାନଙ୍କ ସାହିରେ ବିଦ୍ୟୁତ୍ ସଂଯୋଗ ନଥିବା ଯୋଗୁଁ ତାଙ୍କର କିରୋସିନି ଆବଶ୍ୟକତା ସହଜେ ଅନୁମେୟ। ପଞ୍ଚାୟତ ସହାୟକଙ୍କୁ ପିଡିଏସ୍ ହିତାଧିକାରୀଙ୍କ ସମସ୍ୟା ସଂପର୍କରେ ମତ ଦେବାକୁ ଯୋଗାଣ ସହାୟକଙ୍କୁ ଯୋଗାଯୋଗ କରାଯାଇ ଥିଲେହେଁ ସମ୍ଭବପର ହୋଇନଥିଲା। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବା ସହିତ ଏକ ଉଚ୍ଚସ୍ତରୀୟ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି।