Categories
ଆଞ୍ଚଳିକ

ପେନସନ ଓ ସାମ୍ବାଦିକ ସୁରକ୍ଷା ଆଇନ ଦାବିରେ ରଣପୁର ସାମ୍ବାଦିକ ୟୁନିୟନର ବିକ୍ଷୋଭ ପ୍ରଦର୍ଶନ

ରଣପୁର: ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବି ନେଇ ଆଜି ଓଡିଶା ସାମ୍ବାଦିକ ୟୁନିୟନ ଡାକରାରେ ସମଗ୍ର ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରଣପୁର ବ୍ଲକ ସାମ୍ବାଦିକ ୟୁନିୟନ ଏହାକୁ ସମର୍ଥନ କରି କଳାବ୍ୟାଚ ପରିଧାନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସାମ୍ବାଦିକମାନଙ୍କ ସମ୍ମାନ, ସୁରକ୍ଷା ଓ ପେନସନ ଆଦି ଦାବି ନେଇ ଓଡିଶା ସାମ୍ବାଦିକ ୟୁନିୟନ ତରଫରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାଯାଇଛି।

ରଣପୁର ବ୍ଲକ ସାମ୍ବାଦିକ ସଂଘ ତରଫରୁ ସଭାପତି ସୁକାନ୍ତ ପଟ୍ଟନାୟକ, ସମ୍ପାଦକ ବ୍ରଜ ରଣସିଂହ, ବରିଷ୍ଠ ସଭ୍ୟ ରଘୁନାଥ ନାୟକ, କୃଷ୍ଣ ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ପ୍ରଧାନ, ଉମେଶ ଚନ୍ଦ୍ର ସାହୁ,ଚନ୍ଦ୍ରଭାନୁ ପରିଡା, ରଜନୀକାନ୍ତ ମିଶ୍ର, ଆଲୋକ କୁମାର ମହାରଣା, ପ୍ରସନ୍ନ କୁମାର ସାମନ୍ତରାୟ, ବିପିନ ବିହାରୀ ସାହୁ, ରଂଜିତ ସାହୁ, ନିରଞ୍ଜନ ମହାପାତ୍ରଙ୍କ ସମେତ ବହୁ ସାମ୍ବାଦିକ ସ୍ଥାନୀୟ ପଞ୍ଚୁଦୋଳ ପଡିଆ ସ୍ଥିତ ରଘୁ-ଦିବାକର ସ୍ନୁତି ମଣ୍ଡପ ଠାରେ ଏକତ୍ରିତ ହୋଇଥିଲେ। ପରେ କଳା ବ୍ୟାଚ ପରିଧାନ କରିବା ସହିତ ସାମ୍ବାଦିକଙ୍କ ନିମନ୍ତେ ଉପରୋକ୍ତ ଦାବି ନେଇ ସରକାରୀ ବିରୋଧୀ ନାରା ଦେଇ ଶାନ୍ତି ଉପାୟ ଅବଲମ୍ବନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Categories
ଆଞ୍ଚଳିକ

ପେନସନ୍, ସୁରକ୍ଷା ଦାବୀରେ ରେଢାଖୋଲରେ ସାମ୍ବାଦିକ ୟୁନିୟନ (ଓୟୁଜେ) ର ପ୍ରତିବାଦ ଦିବସ

ରେଢାଖୋଲ: ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଆହ୍ବାନକ୍ରମେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ସାମ୍ବାଦିକ ୟୁନିୟନ ରେଢାଖୋଲ ୟୁନିଟ୍ ତରଫରୁ ପ୍ରତିବାଦ ଦିବସ ପାଳନ କରାଯାଇଛି। ସାମ୍ବାଦିକ ମାନଙ୍କୁ ପେନସନ ରାଶି ପ୍ରଦାନ ଏବଂ ସାମ୍ବାଦିକ ମାନଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଆଦି ଦାବୀରେ ରେଢାଖୋଲ ୟୁନିଟ୍ ର ସମସ୍ତ ସଦସ୍ୟ କଳା ବ୍ୟାଚ୍ ପିନ୍ଧି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ।

ଏଥିରେ ୟୁନିୟନର ସଭାପତି ଜୟନ୍ତ କୁମାର ଖଡିରତ୍ନ, ସଂପାଦକ ଶଙ୍କର ପ୍ରୁଷ୍ଟି, ରମାକାନ୍ତ ମହାନନ୍ଦ, ମିଡିଆ କୋଅଡିନେଟର କନ୍ଦର୍ପ ବେହେରା, ପ୍ରସନ୍ନ କୁମାର ପ୍ରଧାନ, ଅନୀଲ କୁମାର ପ୍ରୁଷ୍ଟି, ତପନ କୁମାର ବିଶ୍ବାଳ, ସରୋଜ କୁମାର ସାହୁ, ବିଦ୍ୟାଧର ମାଝୀ, ଲିଙ୍ଗରାଜ ସାହୁ, ମମତା ପାତ୍ର, ରୋହିତ ଭୋଇ, ମଦନ ବେହେରା ପ୍ରମୁଖ ସାମିଲ୍ ହୋଇଥିଲେ।

Categories
ଆଞ୍ଚଳିକ

ପେନସନ ଭୋଗିଙ୍କ ୧୮ମାସର ବକେୟା ପ୍ରାପ୍ୟ ମିଳିବାକୁ ଦାବୀ

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟସରକାର କୋଭିଡ ୧୯ ସମୟରେ ହୋଇଥିବା ରାଜ୍ୟର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କର ୧୮ମାସର ବର୍ଦ୍ଧିତ ପେନସନ ପ୍ରାପ୍ୟକୁ ପ୍ରଦାନ କରିନଥିଲେ। ବର୍ତ୍ତମାନ କେନ୍ଦ୍ର ସରକାର ସେମାନଙ୍କ କର୍ମଚାରୀ ମାନଙ୍କ ପାଇଁ ସେହି ବକେୟା ପ୍ରାପ୍ୟ ପ୍ରଦାନ କରିବାର ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ରାଜ୍ୟ ସରକାରଙ୍କ ଅଧୀନରେ କର୍ମଚାରୀ ଓ ପେନସନ ଭୋଗୀ ମାନଙ୍କୁ ସେହି ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ଦାବୀ ହେଉଛି।

ଖବର ମୁତାବକ ବହୁ ପେନସନ ଭୋଗୀ ସେହି ପେନସନ ଅର୍ଥରେ ସେମାନଙ୍କ ପରିବାରର ଗୁଜୁରାଣ ମେଣ୍ଟାନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଦରବୃଦ୍ଧି ଘଟୁଥିବା ବେଳେ ପେନସନ ଭୋଗୀ ମାନେ ବହୁ ଦୁରବସ୍ଥା ଦେଇ ଗତି କରୁଛନ୍ତି।  ରାଜ୍ୟସରକାର ବିଭିନ୍ନ ବର୍ଗର ନାଗରିକ, ଛାତ୍ରଛାତ୍ରୀ, ମହିଳା ସ୍ୱୟସହାୟକ ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ମାନଙ୍କ ପାଇଁ ଜନ ମଙ୍ଗଳ କାର୍ଯ୍ୟରେ ପର୍ଯ୍ୟାପ୍ତ ପରିମାଣର ରାଜସ୍ବ ବ୍ୟୟ କରୁଥିବା ବେଳେ ପେନସନ ଭୋଗୀଙ୍କ ପାଇଁ ୧୮ମାସର ବକେୟା ପ୍ରାପ୍ୟ ନଦେବା ଦୁଃଖ ଓ ପରିତାପର ବିଷୟ ବୋଲି ବାଣପୁର ବାଲୁଗାଁର ପେନସନ ଭୋଗୀ କର୍ମଚାରୀ ମାନଙ୍କ କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ବେଦମତା କହିଛନ୍ତି।

ଏହି ପରିପ୍ରେକ୍ଷୀରେ ବକେୟା ଥିବା ପେନସନକୁ ତୁରନ୍ତ ପ୍ରଦାନ କରିବାକୁ ପେନସନ ଭୋଗୀମାନେ ସରକାରଙ୍କ ନିକଟରେ ଦୃଢ ଦାବୀ କରି ନିବେଦନ କରିବା ସହ ଏହା କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ପେନସନ ଭୋଗୀ ମାନେ ରାଜରାସ୍ତାକୁ ଓଲ୍ହାଇବାକୁ ସଭାପତି ବେଦମତ୍ତାଙ୍କ ସହ ସମ୍ପାଦକ ରାମଚନ୍ଦ୍ର ସ୍ୱାଇଁ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଫେବୃୟାରୀରେ ମିଳିତ ଆନ୍ଦୋଳନକୁ ଓହ୍ଲାଇବ ଓଷ୍ଟା: ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ୍ ଦାବି

କଟକ: ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ର ଓ ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ରାଜ୍ୟରେ ଥିବା ସୌଭ୍ରାତୃତ୍ୱ ଗଣ ସଂଗଠନଗୁଡ଼ିକୁ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇବ ବୋଲି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଗଣମାଧ୍ୟମକୁ ଜଣାଇଛନ୍ତି। ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ୍ ପ୍ରଦାନ, ଅବସରକାଳୀନ ସୁବିଧା, ଚାକିରୀ ସର୍ତ୍ତାବଳୀ, ସପ୍ତମ ବେତନ ଓ ନୂତନ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଏହାକୁ ପାଳନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଏକ ଜନପ୍ରିୟ ସରକାର ଜନମଙ୍ଗଳ ରାଷ୍ଟ୍ରରେ ସବୁବର୍ଗର କର୍ମଚାରୀଙ୍କ କଥା ବିଚାର କରୁଥିବା ବେଳେ ଶିକ୍ଷକମାନଙ୍କ ପ୍ରତି ଏ ଅବିଚାର କାହିଁକି ବୋଲି ଶ୍ରୀ ଦାଶ ପ୍ରଶ୍ନ କରିଛନ୍ତି। ଜାନୁୟାରୀ ୩୧ ସୁଦ୍ଧା ଯଦି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରନ୍ତି ତେବେ ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ଓଷ୍ଟା ମିଳିତ ଆନ୍ଦୋଳନକୁ ଓହ୍ଲାଇବ।

ସୂଚନାଥାଉକି, ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଚାକିରୀ କରି ଶିକ୍ଷକ କର୍ମଚାରୀଟିଏ ଅବସର ନେବା ପରଦିନ ଟଙ୍କାଟିଏ ଔଷଧ କିଣିବା ପାଇଁ ନପାଇବା ଓ ଅବସର ପରଦିନ ଠାରୁ ପରିଣତ ବୟସରେ ବିନା ପେନ୍‌ସନ୍‌ରେ ବଞ୍ଚିବାର ରାହା ପାଇବା ପାଇଁ ମୂଲ ଲାଗିବା, ପାନ ଦୋକାନ କରିବା ଓ ଚା’ ଦୋକାନ କରିବା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ନିଜକୁ ବିନିଯୋଗ କରି ଜୀବନ ବଞ୍ଚାଇବାର ଉପାୟ ଖୋଜିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି।

ଓଷ୍ଟାର ଆହ୍ୱାନରେ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଓ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କର ସାମାଜିକ ସୁରକ୍ଷା ପାଇଁ ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରୁ ହଜାର ହଜାର ସଂଖ୍ୟାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ /ସଭ୍ୟା, ଅଭିଭାବକ, ପୁରାତନ ଛାତ୍ର ଓ ପ୍ରାଥମିକ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କୁ ନେଇ ଏକ ମହାସମାବେଶ ଭୁବନେଶ୍ୱର ସ୍ଥିତ ଲୋୟର ପି.ଏମ୍‌.ଜି. ଗାନ୍ଧିମାର୍ଗରେ କରାଯିବ ଓ ଶିକ୍ଷକମାନେ ଅହୋରାତ୍ର ଧାରଣାରେ ବସିରହିବେ। ସରକାର ସମସ୍ୟା ଗୁଡ଼ିକର ସମାଧାନ ନକରି ଅଯଥା ଟାଳଟୁଳ ନୀତି ଅବଲମ୍ବନ କରିବା, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ନକରିବା, ଚାକିରି ସର୍ତ୍ତାବଳୀ ଓ ଅବସର ପରେ ଶିକ୍ଷକମାନଙ୍କୁ ପେନସନ୍ ନ ଦେବା ସରକାରଙ୍କ ବୈମାତୃକ ମନୋଭାବ ଶିକ୍ଷକମାନଙ୍କୁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ କରୁଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।

ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମଗ୍ର ଓଡ଼ିଶାର ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସପ୍ତମ ବେତନରୁ ବଞ୍ଚିତ ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ଅବସର ପରେ ପେନସନ୍ ପାଉନଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନସନ୍ ପ୍ରଦାନ, ସରକାରୀ କରଣ ହୋଇ ନଥିବା ବିଦ୍ୟାଳୟକୁ ସରକାରୀକରଣ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୨ଟି ପିଅନ ଓ କିଛି ବିଦ୍ୟାଳୟଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା, ୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ମାନ୍ୟତା ପ୍ରଦାନ, ଆଲେଜେଡ଼୍ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣଅନୁଦାନ, କ୍ରୀଡ଼ା ଶିକ୍ଷକମାନଙ୍କୁ ବିଏ ବି.ପି.ଏଡ଼./ ବିଏ ସି.ପି.ଏଡ଼. ଭିତ୍ତିରେ ଉଚ୍ଚତର ଦରମା ପ୍ରଦାନ, ନୂତନ ପେନସନ୍ ପରିବର୍ତ୍ତେ ପୁରାତନ ପେନସନ୍ ଲାଗୁ କରିବା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷ ବୃଦ୍ଧି କରିବା, ଅଫିସ୍ ସହାୟକ ମାନଙ୍କର ଯୋଗ୍ୟତା ଭିତ୍ତିକ ପଦୋନ୍ନତି, ଉର୍ଦ୍ଧୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ, ଆର.ଏ.ସି.ପି. କ୍ଷେତ୍ରରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ଆଦି ଦାବୀକୁ ନେଇ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।