ପେନସନ ଭୋଗିଙ୍କ ୧୮ମାସର ବକେୟା ପ୍ରାପ୍ୟ ମିଳିବାକୁ ଦାବୀ

Published: Feb 6, 2024, 7:53 am IST

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟସରକାର କୋଭିଡ ୧୯ ସମୟରେ ହୋଇଥିବା ରାଜ୍ୟର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କର ୧୮ମାସର ବର୍ଦ୍ଧିତ ପେନସନ ପ୍ରାପ୍ୟକୁ ପ୍ରଦାନ କରିନଥିଲେ। ବର୍ତ୍ତମାନ କେନ୍ଦ୍ର ସରକାର ସେମାନଙ୍କ କର୍ମଚାରୀ ମାନଙ୍କ ପାଇଁ ସେହି ବକେୟା ପ୍ରାପ୍ୟ ପ୍ରଦାନ କରିବାର ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ରାଜ୍ୟ ସରକାରଙ୍କ ଅଧୀନରେ କର୍ମଚାରୀ ଓ ପେନସନ ଭୋଗୀ ମାନଙ୍କୁ ସେହି ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ଦାବୀ ହେଉଛି।

ଖବର ମୁତାବକ ବହୁ ପେନସନ ଭୋଗୀ ସେହି ପେନସନ ଅର୍ଥରେ ସେମାନଙ୍କ ପରିବାରର ଗୁଜୁରାଣ ମେଣ୍ଟାନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଦରବୃଦ୍ଧି ଘଟୁଥିବା ବେଳେ ପେନସନ ଭୋଗୀ ମାନେ ବହୁ ଦୁରବସ୍ଥା ଦେଇ ଗତି କରୁଛନ୍ତି।  ରାଜ୍ୟସରକାର ବିଭିନ୍ନ ବର୍ଗର ନାଗରିକ, ଛାତ୍ରଛାତ୍ରୀ, ମହିଳା ସ୍ୱୟସହାୟକ ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ମାନଙ୍କ ପାଇଁ ଜନ ମଙ୍ଗଳ କାର୍ଯ୍ୟରେ ପର୍ଯ୍ୟାପ୍ତ ପରିମାଣର ରାଜସ୍ବ ବ୍ୟୟ କରୁଥିବା ବେଳେ ପେନସନ ଭୋଗୀଙ୍କ ପାଇଁ ୧୮ମାସର ବକେୟା ପ୍ରାପ୍ୟ ନଦେବା ଦୁଃଖ ଓ ପରିତାପର ବିଷୟ ବୋଲି ବାଣପୁର ବାଲୁଗାଁର ପେନସନ ଭୋଗୀ କର୍ମଚାରୀ ମାନଙ୍କ କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ବେଦମତା କହିଛନ୍ତି।

ଏହି ପରିପ୍ରେକ୍ଷୀରେ ବକେୟା ଥିବା ପେନସନକୁ ତୁରନ୍ତ ପ୍ରଦାନ କରିବାକୁ ପେନସନ ଭୋଗୀମାନେ ସରକାରଙ୍କ ନିକଟରେ ଦୃଢ ଦାବୀ କରି ନିବେଦନ କରିବା ସହ ଏହା କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ପେନସନ ଭୋଗୀ ମାନେ ରାଜରାସ୍ତାକୁ ଓଲ୍ହାଇବାକୁ ସଭାପତି ବେଦମତ୍ତାଙ୍କ ସହ ସମ୍ପାଦକ ରାମଚନ୍ଦ୍ର ସ୍ୱାଇଁ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।

Related posts