Categories
PIB_NEWS ଆଜିର ଖବର ଜାତୀୟ ଖବର

ଆଜାଦୀ କା ଅମ୍ରିତ ମହୋତ୍ସବ ଉପଲକ୍ଷେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଆରଓବି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ବର : ଦେଶ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥିବା ଆଜାଦୀ କା ଅମ୍ରିତ ମହୋତ୍ସବ ଅଂଶବିଶେଷ ସ୍ବରୂପ ଭୁବନେଶ୍ବରସ୍ଥିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାଯ୍ୟାଳୟ(ଆରଓବି) ପକ୍ଷରୁ ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଦିନ ଏକ ବିଶେଷ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି।

କଟକରେ ଅବସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଓ ସଂଗ୍ରହାଳୟ ଜାନକୀ ନାଥ ଭବନ ପରିସରରେ ଆୟୋଜିତ ଏହି ବିଶେଷ କାର‌୍ୟ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରି ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାର‌୍ୟ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାଯ୍ୟାଳୟ ଓ ଆରଓବି ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜୀନ୍ଦର ଚୌଧୁରୀ ଅଂଶଗ୍ରହଣ କରି ସ୍ବାଧୀନତା ସଂଗ୍ରାମରେ ନେତାଜୀଙ୍କ ବଳିଷ୍ଠ ଯୋଗଦାନର ଅବତାରଣା କରିଥିଲେ।

ଏଥିସହିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ସେ ନେତାଜୀଙ୍କ ବାଲ୍ୟ ଜୀବନ ବିଷୟରେ ଅବଗତ ହୋଇଥିଲେ। କାଯ୍ୟକ୍ରମରେ ଲୋକସେବକ ମଣ୍ଡଳର ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ଡ. ସତ୍ୟ ରାୟ, ଆରଓବିର ନିର୍ଦ୍ଦେଶକ ଅଖିଳ ମିଶ୍ର, ସଂଗ୍ରହାଳୟର ସୁପରିଟେଣ୍ଡେଣ୍ଟ ଜେ ରାୟ ଏବଂ ଅନ୍ୟ ବିଶିଷ୍ଟ ଅତିଥିମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସଂଗ୍ରହାଳୟ ବୁଲି ଦେଖିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ସିନେମା

ଦେଶାତ୍ମବୋଧ ଉପରେ ଆୟୋଜିତ ଲଘୁ ଫିଲ୍ମ ପ୍ରତିଯୋଗିତା ବିଜେତାଙ୍କ ନାମ ଘୋଷଣା, ଜାଣନ୍ତୁ କିଏ

ଭୁବନେଶ୍ବର, ସ୍ୱାଧୀନତା ଦିବସ ୨୦୨୦ର ଏକ ଅଂଶ ଭାବେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଓ ରାଷ୍ଟ୍ରୀୟ ଫିଲ୍ମ ବିକାଶ ନିଗମ (ଏନଏଫଡିସି) ମିଳିତ ଭାବେ ଯୁବଗୋଷ୍ଠିଙ୍କ ମଧ୍ୟରେ ଦେଶାତ୍ମବୋଧ ଭାବନା ଜାଗ୍ରତ କରିବା ପାଇଁ ଏକ ଲଘୁ ଫିଲ୍ମ ପ୍ରତିଯୋଗିତାର ଆୟୋଜନ କରିଥିଲେ ।

ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଅନଲାଇନରେ ୧୪ ଜୁଲାଇ, ୨୦୨୦ରୁ ୭ ଅଗଷ୍ଟ ପର‌୍ୟ୍ୟନ୍ତ MyGov ପୋର୍ଟାଲରେ ଏହି ଲଘୁ ଫିଲ୍ମର ଏକ ଲାଇଭ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । www.MyGov.in ୱେବସାଇଟରେ ଏହି ପ୍ରତିଯୋଗିତାର ବିସ୍ତୃତ ବିବରଣୀ ସହ ପଞ୍ଜିକରଣ କରାଯାଇଥିଲା । ଏହାର ବିଷୟବସ୍ତୁ “ରାଷ୍ଟ୍ରର ପ୍ରଗତିରେ ଦେଶାତ୍ମବୋଧ ଓ ଆତ୍ମନିର୍ଭରତାର ନୂତନ ମନ୍ତ୍ର” ରଖାଯାଇଥିଲା । ଏହି ପ୍ରତିଯୋଗିତାର ବିଜେତାମାନଙ୍କ ନାମ ମନ୍ତ୍ରଣାଳୟ ଦ୍ୱାରା ଆଜି ଘୋଷଣା କରାଯାଇଛି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ଟୁଇଟ କରି ପ୍ରତିଯୋଗିତାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ଲଘୁ ଫିଲ୍ମ ପ୍ରତିଯୋଗିତାକୁ ସଫଳ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ।

ଏହି ପ୍ରତିଯୋଗିତାରେ ଲଘୁ ଫିଲ୍ମ ବିଷୟ ‘ଆମ ଆଇ?’ ପାଇଁ ଅଭିଜିତ ପଲଙ୍କୁ ପ୍ରଥମ ପୁରସ୍କାର ଓ ‘ଅବ ଇଣ୍ଡିଆ ବନେଗା ଭାରତ’କୁ ଦ୍ଵିତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସେହିଭଳି ସ୍ୱତନ୍ତ୍ର ଉଲ୍ଲେଖ ବର୍ଗରେ ‘ସମ୍ମାନ’ ପାଇଁ ଶିଭ ସି ବିରାଦର, ବୀଜ ଆତ୍ମନିର୍ଭରତେଚେ ପାଇଁ ସମୀରା ପ୍ରଭୁ, ‘ମେଡ ଇନ ଇଣ୍ଡିଆ’ ପାଇଁ ପୁରୁ ପ୍ରିୟମ, ‘ମାଇଣ୍ଡ ୟୋର ବିଜନେସ’ ପାଇଁ ଶିବରାଜ, ‘ହମ କର ସକତେ ହେଁ’ ପାଇଁ ମଧ୍ୟପ୍ରଦେଶ ମଧ୍ୟମ, ‘କନ୍ନଡ କାଇଗଲୁ’ ପାଇଁ ପ୍ରମୋଦ ଆର, ‘ସୋଲଜର’ ପାଇଁ ରାମ କିଶୋର ଏବଂ ‘ଆତ୍ମ ବନ୍ଦନ ଫର ନେସନ’ ପାଇଁ ରାଜେଶ ବି ଙ୍କୁ ଚୟନ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏନ୍‌ସିଇଆରଟିର ୮ ସପ୍ତାହ ବିଶିଷ୍ଟ ଉଚ୍ଚପ୍ରାଥମିକ ବିକଳ୍ପ ଶିକ୍ଷା ପାଠ୍ୟକ୍ରମ ଉନ୍ମୋଚିତ

ନୂଆଦିଲ୍ଲୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି ଉଚ୍ଚପ୍ରାଥମିକ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ବିକଳ୍ପ ଶୈକ୍ଷିକ ପାଠ୍ୟକ୍ରମ (କ୍ୟାଲେଣ୍ଡର) ଉନ୍ମୋଚନ କରିଛନ୍ତି । କୋଭିଡ୍ ମହାମାରୀ ସମୟରେ ସ୍କୁଲ ବନ୍ଦ ଯୋଗୁଁ ଘରେ ରହୁଥିବା ଏହି ବର୍ଗର ପିଲାମାନଙ୍କୁ ଯଥାର୍ଥ ଭାବରେ ପାଠପଢ଼ାରେ ନିୟୋଜିତ କରିବା ପାଇଁ ଏହି ବିକଳ୍ପ ପାଠ୍ୟକ୍ରମ ଉଦ୍ଦିଷ୍ଟ । ସେମାନେ ନିଜର ପିତାମାତା ଓ ଶିକ୍ଷକମାନଙ୍କ ଦ୍ୱାରା ସହଜରେ ଏହି ପାଠ ପଢିପାରିବେ । ଏହି ବିକଳ୍ପ ପାଠ୍ୟକ୍ରମ ଉଚ୍ଚ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା ଓ ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଦିଗ୍‌ଦର୍ଶନରେ ଏନ୍‌ସିଇଆରଟି ଏହାକୁ ପ୍ରସ୍ତୁତ କରିଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଯେ ନୂଆ ପାଠ୍ୟକ୍ରମ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲର ପ୍ରିନ୍‌ସପାଲଙ୍କୁ ସଶକ୍ତ କରିବ । କୋଭିଡ୍ ସମୟରେ ଘରେ ରହୁଥିବା ପିଲାମାନଙ୍କୁ କିପରି ଶୈକ୍ଷିକ ଓ ଶିକ୍ଷଣୀୟ ସମ୍ବଳ ମାଧ୍ୟମରେ ପାଠପଢାରେ ନିୟୋଜିତ କରାଯାଇପାରିବ ସେଥିପାଇଁ ଉଭୟ ପିତାମାତା ଓ ଶିକ୍ଷକମାନେ ଯଥାର୍ଥ ସୁଯୋଗ ପାଇବେ । ଏହି ପାଠ୍ୟକ୍ରମରେ ବିଭିନ୍ନ ପ୍ରକାର ପାଠ ରହିଛି । ଅନ୍‌ଲାଇନ ବ୍ୟବସ୍ଥାରେ ପିଲାମାନେ ଏହି ପାଠ ପଢିବା ସହ ନିଜର ଶୈକ୍ଷିକ ଉପଲବ୍‌ଧିର ପ୍ରମାଣ ମଧ୍ୟ ଦେଇପାରିବେ ।

ସଂକ୍ଷେପରେ, ଘରେ ରହୁଥିବା ପିଲାମାନଙ୍କ ପାଇଁ ଏହା ଯଥାର୍ଥରେ ସ୍କୁଲ ଶିକ୍ଷା ସହ ସମାନ। ସେ କହିଛନ୍ତି ଯେ ଉଚ୍ଚପ୍ରାଥମିକ ପର‌୍ୟ୍ୟାୟ ବା ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ ୪ ସପ୍ତାହ ନିମନ୍ତେ ଏଭଳି ଏକ ପାଠ୍ୟକ୍ରମ ପୂର୍ବରୁ ପ୍ରକାଶ କରାଯାଇଛି । ଏବେ ପରବର୍ତ୍ତୀ ୮ ସପ୍ତାହ ପାଇଁ ଏହି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏହି ନୂଆ ବିକଳ୍ପ ପାଠ୍ୟକ୍ରମ ପ୍ରକାଶ କରାଗଲା। ସେ ଆହୁରି କହିଛନ୍ତି ଯେ ଏହି ପାଠ୍ୟକ୍ରମରେ ବିଭିନ୍ନ ବୈଷୟିକ ଓ ସାମାଜିକ ଗଣମାଧ୍ୟମର ଉପକରଣ ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଛି । ଏହାକୁ କିପରି ଆକର୍ଷଣୀୟଭାବେ ଖେଳିଲାଭଳି ବ୍ୟବହାର କରାଯାଇପାରିବ ତାହାର ମଧ୍ୟ ବ୍ୟବସ୍ଥା ରହିଛି । କେବଳ ଛାତ୍ରଛାତ୍ରୀ ନୁହନ୍ତି, ଶିକ୍ଷକ ଏବଂ ସେମାନଙ୍କ ପିତାମାତା ମଧ୍ୟ ଏଥିରୁ ଅନେକ କଥା ଶିଖିପାରିବେ ।

ଶ୍ରୀ ପୋଖରିୟାଲ କହିଛନ୍ତି ଯେ ଏସବୁ ଉପକରଣ ମଧ୍ୟରେ ମୋବାଇଲ ଫୋନ, ରେଡିଓ, ଟେଲିଭିଜନ, ଏସ୍‌ଏମ୍‌ଏସ ଏବଂ ବିଭିନ୍ନ ସାମାଜିକ ଗଣମାଧ୍ୟମ ରହିଛି । ଆମ ସମସ୍ତଙ୍କ ମୋବାଇଲ ଫୋନରେ ଇଣ୍ଟରନେଟ ସୁବିଧା ଥାଇ ନପାରେ କିମ୍ବା ଆମେ ସମସ୍ତେ ହ୍ୱାଟସ୍‌ଅପ୍‌, ଫେସବୁକ୍‌, ଟ୍ୱିଟର, ଗୁଗ୍‌ଲ ଆଦି ବ୍ୟବହାର କରିବାର ସୁଯୋଗ ପାଇନପାରୁ; ଏହା ସତ୍ତ୍ୱେ ମୋବାଇଲରେ ଏସ୍‌ଏମ୍‌ଏସ୍ କିମ୍ବା ଭଏସ୍ କଲ୍ ବ୍ୟବହାର କରି ପିଲାମାନେ ନୂଆ ପାଠ୍ୟକ୍ରମରେ ଶିକ୍ଷାଲାଭ କରିପାରିବେ । ଏହି ପାଠ୍ୟକ୍ରମକୁ କାର‌୍ୟ୍ୟକାରୀ କରିବା ପାଇଁ ପ୍ରାଥମିକ ଅବସ୍ଥାରେ ପିତାମାତାମାନେ ନିଜର ପିଲାଙ୍କୁ ସାହାଯ୍ୟ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଦିବ୍ୟାଙ୍ଗଙ୍କ ସମେତ ସ୍ୱତନ୍ତ୍ର ଆବଶ୍ୟକତା ଲୋଡୁଥିବା ପିଲାମାନେ ନୂଆ ପାଠ୍ୟକ୍ରମ ଦ୍ୱାରା ଉପକୃତ ହୋଇପାରିବେ । ସେମାନଙ୍କ ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଅଡିଓ ବୁକ୍ ଲିଙ୍କ୍‌, ରେଡିଓ ଓ ଭିଡିଓ ପ୍ରୋଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ପାଠ୍ୟକ୍ରମରେ ସପ୍ତାହଭିତ୍ତିକ ପାଠ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ସବୁ ପାଠ୍ୟକ୍ରମ ବେଶ୍ ଚିତ୍ତାକର୍ଷକ, ଆନନ୍ଦଦାୟୀ ଏବଂ ଆହ୍ୱାନମୂଳକ । ସ୍କୁଲ ସିଲାବସ୍‌କୁ ଭିତ୍ତିକରି ପାଠ ବହିରୁ ଏସବୁ ବିଷୟବସ୍ତୁ ପ୍ରସ୍ତୁତ କରାଯାଇଛି । ଏଥିରେ ସବୁଠୁ ବଡକଥା ହେଉଛି ପିଲା କ’ଣ ଶିଖିଲେ ତାହା ପରୀକ୍ଷା କରିବା ବ୍ୟବସ୍ଥା କରାଯାଇଛି ।

ସେ କହିଛନ୍ତି ଯେ ଏଥିରେ କଳା ଶିକ୍ଷା, ଶାରୀରିକ ଶିକ୍ଷା, ଯୋଗ, ପ୍ରାକ୍ ଧନ୍ଦାମୂଳକ କୌଶଳ ଆଦି ପରୀକ୍ଷାମୂଳକ ଶୈକ୍ଷିକ କାର‌୍ୟ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଛି । ଏହି ପାଠ୍ୟକ୍ରମରେ ବିଷୟବସ୍ତୁ ୱାରୀ ଏବଂ ଶ୍ରେଣୀ ୱାରୀ କାର‌୍ୟ୍ୟକ୍ରମ ରହିଛି । ହିନ୍ଦୀ, ଇଂରାଜୀ, ଉର୍ଦ୍ଦୁ ଓ ସଂସ୍କୃତ ଏହି ୪ଟି ଭାଷାରେ ଏଥିରେ ଅତିରିକ୍ତ ପାଠପଢାର ସୁବିଧା ଉପଲବ୍‌ଧ । ଛାତ୍ରଛାତ୍ରୀ, ଶିକ୍ଷକ, ସ୍କୁଲ ପରିଚାଳକ ଏବଂ ପିତାମାତା ଏମାନେ ଯେପରି ଚାପଗ୍ରସ୍ତ ନ ହେବେ ସେଥିପାଇଁ ଏହି ପାଠ୍ୟକ୍ରମରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ବିଷୟବସ୍ତୁଗୁଡିକର ଇ-କଣ୍ଟେଣ୍ଟ ମଧ୍ୟ ଇ-ପାଠଶାଳା, ଏନ୍‌ଆରଓଇଆର ଏବଂ ଦୀକ୍ଷା ପୋର୍ଟାଲରେ ଉପଲବ୍‌ଧ । ପାଠ୍ୟକ୍ରମର ସବୁ ବିଷୟବସ୍ତୁ ସଂକେତାତ୍ମକ, ଆଦେଶମୂଳକ ନୁହେଁ । କାହା ପରେ କେଉଁ ବିଷୟବସ୍ତୁ ରହିବ ତାହା ମଧ୍ୟ ବାଧ୍ୟତାମୂଳକ ହୋଇନାହିଁ । ପିଲାମାନେ ନିଜ ଖୁସି ଅନୁସାରେ ଏଥିରୁ ପାଠ ପଢିପାରିବେ ।

ଏନ୍‌ସିଇଆରଟି ଇତିମଧ୍ୟରେ ଛାତ୍ରଛାତ୍ରୀ, ପିତାମାତା ଓ ଶିକ୍ଷକମାନଙ୍କ ସହ ସ୍ୱୟଂପ୍ରଭା କିଶୋର ମଞ୍ଚ ଟିଭି ଚ୍ୟାନେଲ ମାଧ୍ୟମରେ ଇଣ୍ଟରାକ୍ଟିଭ ସେସନ୍ସ ଆରମ୍ଭ କରିଛି । ଏହା ଫ୍ରି ଡିଟିଏଚ୍ ଚ୍ୟାନେଲ ୧୨୮, ଡିସ୍ ଟିଭି ଚ୍ୟାନେଲ ୰ ୯୫୦, ସନ୍ ଡାଇରେକ୍ଟ ୭୯୩, ଜିଓ ଟିଭି, ଟାଟା ସ୍କାଏ ୭୫୬, ଏୟାରଟେଲ ଚ୍ୟାନେଲ ୪୪୦, ଭିଡିଓକନ ଚ୍ୟାନେଲ ୪୭୭୭ରେ ଉପଲବ୍‌ଧ । କିଶୋର ମଞ୍ଚ ଆପ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିହେବ ଏବଂ ୟୁ ଟୁବ୍ ଏନ୍‌ସିଇଆରଟି ଅଫିସିଆଲ ଚ୍ୟାନେଲରୁ ଉପଲବ୍‌ଧ ହୋଇପାରିବ । ସୋମବାରରୁ ଶନିବାର ଯାଏଁ ପ୍ରତିଦିନ ଏହି ଅଧିବେଶନ ସକାଳ ୯ଟାରୁ ୧୦ଟା ୩୦ ପର‌୍ୟ୍ୟନ୍ତ ମାଧ୍ୟମିକ ଶ୍ରେଣୀ ପାଇଁ ଏବଂ ୧୦ଟା ୩୦ରୁ ୧୨ଟା ପର‌୍ୟ୍ୟନ୍ତ ପ୍ରାଥମିକ ଶ୍ରେଣୀ ପାଇଁ ଉପଲବ୍‌ଧ । ଏହାଛଡା ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ଦିନ ୧୨ଟାରୁ ସାଢେ ଗୋଟାଏ ଏବଂ ଉଚ୍ଚ ମାଧ୍ୟମିକ ଶ୍ରେଣୀ ପାଇଁ ଦିନ ୨ଟା ୩୦ରୁ ଅପରାହ୍ନ ୪ଟା ପର‌୍ୟ୍ୟନ୍ତ ଏହି ଅଧିବେଶନ ଉପଲବ୍‌ଧ । ଏହାଛଡା ଏସ୍‌ସିଇଆରଟି/ଏସ୍‌ଆଇଇ ଶିକ୍ଷା ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସମିତି, ସିବିଏସ୍‌ଇ ଏବଂ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡଗୁଡିକ ଦ୍ୱାରା ଏହି ଶୈକ୍ଷିକ ପାଠ୍ୟକ୍ରମର ଭିଡିଓ କନ୍‌ଫରେନ୍‌ସିଂ ଭିତ୍ତିକ ଶିକ୍ଷାଦାନ ବ୍ୟବସ୍ଥା ଉପଲବ୍‌ଧ ହେବ ।

Categories
ଜାତୀୟ ଖବର ବିଶେଷ ଖବର

ଆଉ 4ଟି ରାଜ୍ୟ ଓ କେନ୍ଦ୍ର ଶାସିତ ସ୍ଥାନରେ ଆରମ୍ଭ ହେଲା ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ବ୍ୟବସ୍ଥା, ଜାଣନ୍ତୁ କେଉଁ ରାଜ୍ୟ

ନୂଆଦିଲ୍ଲୀ, କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟାପାର ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି। ଏହି କାର୍ଡ ବ୍ୟବସ୍ଥାକୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଚାଲିଥିବା ଉଦ୍ୟମ ବିଷୟରେ ମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି। ଏହି ସମୀକ୍ଷା ଅନୁସାରେ ଆଉ ୩ଟି ରାଜ୍ୟ ମଣିପୁର, ନାଗାଲାଣ୍ଡ ଓ ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଏହି ନୂଆ ବ୍ୟବସ୍ଥା ପ୍ରବର୍ତ୍ତିତ ହୋଇଥିବା ଜଣାପଡିଛି। ଏଥିପାଇଁ ଯେଉଁ ବୈଷୟିକ ଆବଶ୍ୟକତା ଓ ପ୍ରସ୍ତୁତି ଦରକାର ଥିଲା ତାହା ଏହି 4ଟି ରାଜ୍ୟ ଓ  କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକ୍ଷମ ହୋଇଛି । ଏହାକୁ ମିଶାଇ ଆଜି ଅର୍ଥାତ୍‌, 2020 ଅଗଷ୍ଟ ପହିଲା ସୁଦ୍ଧା ଦେଶର 24ଟି  ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଛି।

ଯେଉଁସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ ହୋଇଛି ସେଗୁଡିକ ହେଲା- ଆନ୍ଧ୍ରପ୍ରଦେଶ, ବିହାର, ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଓ ଡିଉ, ଗୋଆ, ଗୁଜରାଟ, ହରିଆନା, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତେଲଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ । ଏଥିସହିତ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଭୁକ୍ତ 80 ଶତାଂଶ ବା 65 କୋଟି ଲୋକ ଏବେ ଏହି ନୂଆ କାର୍ଡ ବ୍ୟବସ୍ଥାରେ ଏସବୁ ରାଜ୍ୟର ଯେକୌଣସି ସ୍ଥାନରେ ନିଜର ଖାଦଶସ୍ୟକୁ ସଂଗ୍ରହ କରିପାରିବେ। ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଏକକ କାର୍ଡ ବ୍ୟବସ୍ଥା 2021 ମାର୍ଚ୍ଚ ସୁଦ୍ଧା ପ୍ରବର୍ତ୍ତନ କରିବାର ଲକ୍ଷ୍ୟ ରଖାଯାଇଛି।

ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା କେନ୍ଦ୍ରର ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟର ଏକ ମହତ୍‌କାଂକ୍ଷୀ କାର୍ଯ୍ୟକ୍ରମ। ଏହା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଅନ୍ତର୍ଭୁକ୍ତ ଜନସାଧାରଣଙ୍କୁ ଦେଶର ଯେକୌଣସି ସ୍ଥାନରେ ପଡିକାର୍ଡ ମାଧ୍ୟମରେ ଖାଦ୍ୟଶସ୍ୟ ଯୋଗାଣ ନିଶ୍ଚିତ କରିବା ଏହାର ଲକ୍ଷ୍ୟ। 2013 ଖାଦ୍ୟ ସୁରକ୍ଷା ଆଇନ ବଳରେ ଯେଉଁମାନେ ମାଗଣା ଖାଦ୍ୟଶସ୍ୟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ନିଜ ରାଜ୍ୟ ଛାଡି ଦେଶର ଯେକୌଣସି ରାଜ୍ୟରେ ରହିଲେ ମଧ୍ୟ ନିଜ କାର୍ଡ ମାଧ୍ୟମରେ ଏହିସବୁ ସାମଗ୍ରୀ ସଂଗ୍ରହ କରିପାରିବେ। ଏଥିପାଇଁ ଏକ ସମନ୍ୱିତ ସାଧାରଣ ଯୋଗାଣ ପରିଚାଳନା ବ୍ୟବସ୍ଥା ବା ଆଇଏମ୍‌ପିଡିଏସ୍‌ କେନ୍ଦ୍ର ସରକାର ରାଜ୍ୟଗୁଡିକର ସହଯୋଗରେ ପ୍ରସ୍ତୁତ କରିଛନ୍ତି।

ଏହି ବ୍ୟବସ୍ଥା ମାଧ୍ୟମରେ ଭ୍ରମଣଶୀଳ ଶ୍ରମିକ ଓ ଅନ୍ୟାନ୍ୟ ପ୍ରବାସୀ ବିଶେଷ ଉପକୃତ ହେବେ। କାର୍ଯ୍ୟ ଅନ୍ୱେଷଣରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଏହି ବର୍ଗର ଲୋକମାନେ ନିଜ ନିଜର କାର୍ଡ ଜରିଆରେ ରହୁଥିବା ସହରର ସୁଲଭ ମୂଲ୍ୟ ଦୋକାନରୁ ସୁବିଧାରେ ନିଜର ପଡି ସାମଗ୍ରୀ ସଂଗ୍ରହ କରିପାରିବେ। ଏହି କାର୍ଡଗୁଡିକ ବାୟୋମେଟ୍ରିକ/ଆଧାରଭିତ୍ତିକ ହୋଇଥିବାରୁ ସଂପୃକ୍ତ ଦୋକାନରେ ଥିବା ଇଲେକ୍‌ଟ୍ରୋନିକ୍‌ ପିଓଏସ୍‌ ମେସିନ୍‌ରେ ସୁବିଧାରେ ଚିହ୍ନଟ ହୋଇପାରିବ ଏବଂ ହିତାଧିକାରୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର

କରୋନା ଆକ୍ରାନ୍ତଙ୍କ ଲାଇଭ ଟ୍ରାକରେ ନିଆଯାଉଛି ତଥ୍ୟ , ଜାଣନ୍ତୁ କଣ ରହିଛି କୋଭିଡ-19 ସମ୍ପର୍କରେ ତାଜା ସୂଚନା

ନୂଆଦିଲ୍ଲୀ, ଦେଶରେ କୋଭିଡ-19 ବିରୋଧରେ ଜାରି ରହିଥିବା ସମୂହ ସଂଗ୍ରାମରେ, ଭାରତ ସରକାର ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସହ ମିଶି ଏହାର ପ୍ରତିକାର, ନିୟନ୍ତ୍ରଣ ତଥା କୋଭିଡ-19 ସଂକ୍ରମଣର ପରିଚାଳନା ସକାଶେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ସର୍ବୋଚ୍ଚ ସରକାରୀ ସ୍ତରରେ ଏହାକୁ ନିୟମିତ ଭାବେ ସମୀକ୍ଷା କରାଯିବା ସହ ତଦାରଖ କରାଯାଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏହି ପ୍ରସଙ୍ଗରେ ସିଏସଆଇଆର (କାଉନସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଏଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ)ର କୋଭିଡ-19 ମହାମାରୀ ନିୟନ୍ତ୍ରଣ ସଂପର୍କୀତ ଗବେଷଣାର ପ୍ରଗତି ସଂପର୍କରେ ଏହାର ମହାନିର୍ଦ୍ଦେଶକ, ସିଏସଆଇଆର ଓ ଏହାର 38ଟି ସିଏସଆଇଆର ନିର୍ଦ୍ଦେଶକମାନଙ୍କ ସହ ସମୀକ୍ଷା କରିଛନ୍ତି ।

ସିଏସଆଇଆର ବିଜ୍ଞାନାଗାର ଅନ୍ୟ ଘରୋଇ ଶିଳ୍ପସଂସ୍ଥା, ସରକାରୀ ସଂସ୍ଥା, ଏମଏସଏମଇ, ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟଙ୍କ ସହ ଘନିଷ୍ଠ ସହଭାଗୀତାରେ ଏବେ କାର୍ଯ୍ୟରତ ରହି ପାଞ୍ଚଟି ଭର୍ଟିକାଲକୁ ଚିହ୍ନଟ କରିପାରିଛି । ସେଗୁଡ଼ିକ ହେଲା:

– ଡ଼ିଜିଟାଲ ଏବଂ ମଲିକୁଲାର ସତର୍କତା

-ନୂତନ ଓ ସୁଲଭ ପରୀକ୍ଷଣ

-ନୂତନ ଔଷଧ/ ଔଷଧର ପରୀକ୍ଷାମୂଳକ ପ୍ରୟୋଗ ଏବଂ ସଂପର୍କୀତ ଉତ୍ପାଦନ ପ୍ରକ୍ରିୟା

–ହସପିଟାଲ ସହାୟକଯୋଗ୍ୟ ଉପକରଣ ଏବଂ ପିପିଇ; ଏବଂ

– ଯୋଗାଣ ଚେନ୍‌ ଓ ଲଜିଷ୍ଟିକ୍ସ ସହାୟତା ବ୍ୟବସ୍ଥାର ବିକାଶ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବେ ସମସ୍ତ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାରକରି କୋଭିଡ-19କୁ ଜିଲ୍ଲା ପ୍ରଶାସନ ସ୍ତରରୁ ସେଥିରୁ କେତେ ସୁଫଳ ମିଳିପାରୁଛି ତାହା ଲକ୍ଷ୍ୟ କରୁଛନ୍ତି । ଆକ୍ରାନ୍ତ ଲାଇଭ୍‌ ଟ୍ରାକ୍‌, ଚିକିତ୍ସା ପରିଚାଳନା ଏବଂ କଣ୍ଟେନମେଣ୍ଟ ଯୋଜନାର ପ୍ରବର୍ତ୍ତନ ମଧ୍ୟ ପ୍ରଯୁକ୍ତିର ଉପଯୁକ୍ତ ପ୍ରୟୋଗ ମାଧ୍ୟମରେ ସଂପାଦନ କରାଯାଉଛି । ନିଶ୍ଚିତ ପଜିଟିଭ୍‌  ମାମଲାର ଜିଆଇଏସ ମ୍ୟାପିଂ, ସକ୍ରିୟ ହସ୍ତକ୍ଷେପ, ଉତ୍ତାପ ମ୍ୟାପିଂ ବ୍ୟବହାର ଓ ଆକଳନ ତଥ୍ୟାବଳୀର ବିଶ୍ଳେଷଣ ଆଦି ବ୍ୟବହାର କରାଯାଇ କଣ୍ଟେନମେଣ୍ଟ ଯୋଜନା ପ୍ରବର୍ତ୍ତନକୁ ମନିଟର କରାଯାଉଛି । ଏଭଳି ପ୍ରଯୁକ୍ତି ସହାୟତା ବେଙ୍ଗାଲୁରୁ ୱାର୍‌ ରୁମ ଦ୍ୱାରା ସଫଳତାର ସହ ପ୍ରବର୍ତ୍ତନ କରାଯାଉଛି।

ସମନ୍ୱିତ କମାଣ୍ଡ ଏବଂ କଣ୍ଟ୍ରୋଲ କେନ୍ଦ୍ରଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ତଥା ସମର୍ପିତ ଭାବେ ରାପିଡ଼ ରେସପନ୍ସ ଟିମ୍‌ (ଆରଆରଟି)ର ଉପଯୋଗ କରାଯିବା ଦ୍ୱାରା ଏହା କ୍ଷେତ୍ର ସ୍କ୍ରିନିଂ, ଆମ୍ବୁଲାନ୍ସ ଯୋଗାଣ, କ୍ୱାରାଣ୍ଟାଇନ୍‌ ପରିଚାଳନା ଆଦି କାର୍ଯ୍ୟ ସୁଚାରୁରୂପେ ସଂପାଦନ କରାଯାଇପାରୁଛି । କେତେକ ଜିଲ୍ଲା ମମଧ୍ୟ ରିମୋଟ ଡିଜିଟାଲ ମେଡ଼ିକାଲ ପରାମର୍ଶ ବ୍ୟବସ୍ଥାକୁ ଆପଣାଇଛନ୍ତି ଯଦ୍ୱାରା ସେମାନେ ସ୍ଥାନୀୟ ମେଡ଼ିକାଲ ଷ୍ଟୋର ସହ ଯୋଗାଯୋଗରେ ରହିଛନ୍ତି ।

ଏଭଳି କାର୍ଯ୍ୟ ଯୋଜନା ପ୍ରବର୍ତ୍ତନ ଦ୍ୱାରା ପ୍ରଶଂସନୀୟ ସୁଫଳ ମିଳିବା ଆରମ୍ଭ କରିଛି । 15ଟି ରାଜ୍ୟର 25ଟି ଜିଲ୍ଲାରେ ଏହି ସୁଫଳ ଯେଉଁଠାରେ କି ପୂର୍ବରୁ ଏଭଳି କେଶ୍‌ ପରିଲକ୍ଷିତ ହୋଇଥିଲା ସେଠାରେ ଏହା ଫଳପ୍ରସୂ ସାବ୍ୟସ୍ତ ହୋଇଛି । ଗତ 14 ଦିନ ଧରି ସେହିସବୁ ଜିଲ୍ଲାରୁ ଗୋଟିଏ ହେଲେ ନୂଆ କରୋନା ପଜିଟିଭ୍‌ କେଶ୍‌ ଘଟିଥିବା ଜଣାପଡ଼ିନାହିଁ ଓ ସେଠାରେ ନିରବଚ୍ଛିନ୍ନ ଭାବେ ତୀକ୍ଷ୍ଣ ନଜର ରଖାଯାଇଛି ଯଦ୍ୱାରା ସେଠାରେ ଆଉ ନୂଆ କୌଣସି ସଂକ୍ରମଣ ମାମଲା ନଜରକୁ ଆସିବନାହିଁ ।

ସେହିସବୁ ଜିଲ୍ଲାଗୁଡ଼ିକ ହେଲା: ଗୋନ୍ଦିଆ (ମହାରାଷ୍ଟ୍ର), ରାଜ ନନ୍ଦଗାଓଁ, ଦୁର୍ଗ, ବିଳାଶପୁର (ଛତିଶଗଡ଼), ଦଭନଗିରି, କୋଡ଼ାଗୁ, ତୁମକୁରୁ, ଉଡ଼ିପି (କର୍ଣ୍ଣାଟକ),  ଦକ୍ଷିଣ ଗୋଆ (ଗୋଆ), ୱାୟାନାଡ଼ ଓ କୋଟ୍ଟାୟାମ (କେରଳ), ପଶ୍ଚମ ଇମ୍ଫାଲ (ମଣିପୁର), ରାଜୌରୀ (ଜମ୍ମୁ ଓ କଶ୍ମୀର), ଆଇଜଲ ପଶ୍ଚିମ (ମିଜୋରାମ), ମାହେ (ପୁଡ଼ୁଚେରୀ), ଏସବିଏସ ନଗର (ପଞ୍ଜାବ), ପାଟନା, ନାଳନ୍ଦା ଓ ମୁଙ୍ଗେର (ବିହାର), ପ୍ରତାପଗଡ଼ (ରାଜସ୍ଥାନ), ପାନିପତ, ରୋହତକ, ଶୀର୍ଷା (ହରିଆଣା), ପୌରୀ ଗଡ଼ୱାଲ (ଉତ୍ତରାଖଣ୍ଡ), ଭଦ୍ରାଦରୀ କୋଠଗୁଡ଼େମ (ତେଲଙ୍ଗାନା) ।

ଅପ୍ରେଲ 10 ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜରେ 30 କୋଟିରୁ ଅଧିକ ଗରିବ ଲୋକଙ୍କୁ ମୋଟ 28,256 କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ଯଦ୍ୱାରା କୋଭିଡ-19 ମହାମାରୀ ଯୋଗୁ ଏବେ ଜାରି କରାଯାଇଥିବା ଲକଡାଉନର ପ୍ରଭାବରୁ ସେମାନେ ନିଜକୁ ମୁକ୍ତ ରଖିପାରିଛନ୍ତି । ଏହାର ବିସ୍ତୃତ ବିବରଣୀ ନିମ୍ନରେ ପ୍ରଦାନ କରାଗଲା:

-19.86 କୋଟି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ସାମିଲ ମହିଳା ଜମାଖାତାଧାରୀଙ୍କୁ 9930 କୋଟି ଟଙ୍କା ପ୍ରଦାନ;

-ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ 6.93 କୋଟି କୃଷକଙ୍କୁ 13,855 କୋଟି ଟଙ୍କାର ଯୋଗାଣ;

– 2.82 କୋଟି ବିଧବା, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କୁ 1405 କୋଟି ଟଙ୍କା ପ୍ରଦାନ;

– 2.16 କୋଟି ନିର୍ମାଣ ଓ ଭିତ୍ତିଭୂମି କ୍ଷେତ୍ର ଶ୍ରମିକଙ୍କୁ 3066 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ।

ବରିଷ୍ଠ ନାଗରିକମାନଙ୍କ ସକାଶେ “ଆରୋଗ୍ୟ ସେତୁ”, ମୋବାଇଲ୍‌ ଆପ୍ଲିକେଶନ ଯାହାକି ସେମାନେ ଯେଭଳି କରୋନା ଭୂତାଣୁ ସଂକ୍ରମଣର ଶିକାର ନହେବେ ସେଭଳି ରିସ୍କରୁ ସେମାନଙ୍କୁ ମୁକ୍ତ ରଖାଯାଇ ପାରିବ ସେହିଭଳି ଭାବେ 11ଟି ଭାଷାରେ ଡିଜାଇନ୍‌ କରାଯାଇଛି। ଏପର୍ଯ୍ୟନ୍ତ ତାହା 3.5 କୋଟି ଥର ଡାଉନଲୋଡ଼ ହୋଇସାରିଛି ।  ଏହାର ବିଭିନ୍ନ ବୈଶିଷ୍ଟ୍ୟ ଯଥା, ରିସ୍କ ଆକଳନ, ଅତ୍ୟାଧୁନିକ ପ୍ରଯୁକ୍ତି ଯଥା ବ୍ଲୁ ଟୁଥ୍‌ ପ୍ରଯୁକ୍ତି, ଆଲଗୋରିଥମ୍‌ ଓ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ମାଧ୍ୟମରେ ହିସାବ ଦ୍ୱାରା ସଂଯୋଗ ଟ୍ରେସିଂ ଓ ଚତୁଃପାଶ୍ୱର୍ରେ କୋଭିଡ ରିସ୍କକୁ ପ୍ରତିହତ କରାଯାଇପାରୁଛି।

ରାଜ୍ୟ ଗ୍ରାମୀଣ ଜୀବନଜୀବିକା ମିଶନ (ଏସଆରଏଲଏମ) ଅଧୀନରେ 27ଟି ରାଜ୍ୟରେ 78,373ଟି ଏସଏଚଜି ଦ୍ୱାରା ମୋଟ 1.96 କୋଟି ମାସ୍କ ଉତ୍ପାଦନ କରାଯାଇଛି । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ସ୍ୱେଚ୍ଛାସେବୀ କ୍ୟାଡ଼େଟମାନେ “ଏନସିସି ଯୋଗଦାନ ଅଭ୍ୟାସ” ଅଧୀନରେ ସିଭିଲ ପ୍ରଶାସନକୁ ସହାୟତା ଯୋଗାଇ ଦେଉଛନ୍ତି । କୋଭିଡ-19 ମହାମାରୀ ବିରୋଧରେ ଲଢ଼େଇ ସକାଶେ 50 ହଜାରରୁ ଅଧିକ ବ୍ୟକ୍ତି ସ୍ୱେଚ୍ଛାସେବୀ ଭାବେ ସେମାନଙ୍କର ସହଯୋଗ ଯୋଗାଇବାକୁ ଆଗେଇ ଆସିଛନ୍ତି।

ଗତକାଲି ଠାରୁ କରୋନା ଭୂତାଣୁ ସଂକ୍ରମଣଙ୍କ ସଂଖ୍ୟାରେ 796 ଜଣ ନୂଆ ପଜିଟିଭ ରୋଗୀ ସାମିଲ ହୋଇଛନ୍ତି। ଫଳରେ ଦେଶରେ ମୋଟ ପ୍ରମାଣିତ କୋଭିଡ-19 ଆକ୍ରାନ୍ତଙ୍କ ସଂଖ୍ୟା 9152ରେ ପହଞ୍ଚିଛି। ଏବେସୁଦ୍ଧା 857 ଜଣ ଆକ୍ରାନ୍ତ ସଂପୂର୍ଣ୍ଣ ରୂପେ ଆରୋଗ୍ୟ ହୋଇଛନ୍ତି ଅବା ସୁସ୍ଥ ହେବାପରେ ଡାକ୍ତରଖାନାରୁ ଡ଼ିସଚାର୍ଜ ହୋଇଛନ୍ତି ଏବଂ ଆଜିସୁଦ୍ଧା କରୋନା ସଂକ୍ରମଣରେ ଦେଶରେ 308 ଜଣଙ୍କର ମୃତ୍ୟୁ ଘଟିଛି ।