Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସୁଧୁରୁନି ଚୀନ୍‌: ଚୀନ ସେନାର ଅନୁପ୍ରବେଶକୁ କଡା ଜବାବ ଦେଲେ ଭାରତୀୟ ସେନା

ନୂଆଦିଲ୍ଳୀ: ପୁଣି ଥରେ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୨୯ -୨୯ ତାରିଖ ରାତିରେ ପେଙ୍ଗାଙ୍ଗତ୍ସୋ ଝିଲ୍‌ ନିକଟରେ ଉଭୟ ସେନା ଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଭାରତୀୟ ସେନା ଚୀନ୍‌ ସେନାର ଉଦ୍ୟମକୁ ବିଫଳ କରିଦେଇଛନ୍ତି। ଆଲୋଚନା ସତ୍ତ୍ବେ ଚୀନ୍‌ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିବାବେଳେ ଏହାକୁ ଜବାବ ଦେଇଛି ଭାରତୀୟ ସେନା। ତେବେ ଦୁଇ ସେନା ମୁହାମୁହିଁ ହେବା ସତ୍ତ୍ବେ କୌଣସି ମୃତାହତ ହୋଇନଥିବାର ସୂଚନା ମିଳିଛି।

ଭାରତୀୟ ସେନାର ପିଆରଓ କର୍ଣ୍ଣଲ ଅମନ ଆନନ୍ଦ କହିଛନ୍ତି ଯେ, ‘ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲଏ)ର ଯବାନମାନେ ଅଗଷ୍ଟ ୨୯ ଓ ୨୯ ତାରିଖ ରାତ୍ରିରେ ପୂର୍ବ ଲଦାଖରେ ଚାଲିଥିବା ବିବାଦ ସମୟରେ ସାମରିକ ତଥା କୂଟନୈତିକ ସହମତିର ଉଲ୍ଲଂଘନ କରିବା ସହିତ ଏହାର ଯଥାସ୍ଥିତି ବଦଳାଇବା ପାଇଁ ପ୍ରଚେଷ୍ଟା ପୂର୍ବକ ଅନୁପ୍ରବେଶ କରିଥିଲେ।

ପିଆରଓ ଆହୁରି ମଧ୍ୟ କହିଛନ୍ତି ଯେ, ‘ଭାରତୀୟ ସେନା ପେଙ୍ଗାଙ୍ଗ ତ୍ସୋ ଝିଲ୍‌ର ଦକ୍ଷିଣ କୂଳରେ ପିଏଲଏ ଯବାନଙ୍କ ଅନୁପ୍ରବେଶକୁ ରୋକିବାରେ ସଫଳ ହୋଇଛନ୍ତି। ସେନାର ଯବାନ ମାନେ ଏହି ଅଞ୍ଚଳରେ ଆମର ସ୍ଥିତିକୁ ମଜବୁତ୍‌ ରଖିବା ସହିତ ଚୀନ୍‌ ସେନାର ଉଦ୍ୟମ ଉପରେ ପାଣି ପକାଇଦେଇଛନ୍ତି।

ଭାରତୀୟ ସେନା କଥାବାର୍ତ୍ତା ମାଧ୍ୟମରେ ଶାନ୍ତି ଓ ଏକତା ରଖିବା ନିମନ୍ତେ ପ୍ରତିବଦ୍ଧ। କିନ୍ତୁ ନିଜର କ୍ଷେତ୍ରୀୟ ଅଖଣ୍ଡତା ରକ୍ଷା ପାଇଁ ସେମାନେ ଦୃଢ ପ୍ରତିଜ୍ଞବଦ୍ଧ। ସୀମା ବିବାଦକୁ ସମାଧାନ କରିବା ନିମେନ୍ତ ଚୁସୁଲ୍‌ ନିକଟରେ ବ୍ରିଗେଡ୍‌ କମାଣ୍ଡରସ୍ତରୀୟ ଫ୍ଲେଗ୍‌ ମିଟିଂ ଚାଲୁଥିବାର ସୂଚନା ରହିଛି। (ଏଜେନ୍ସି)