Categories
ଆଜିର ଖବର ଜାତୀୟ ଖବର

ବିହାରରେ ଟୁଇଷ୍ଟ୍‌ : ମୁଖ୍ୟମନ୍ତ୍ରୀ ପ୍ରାର୍ଥୀନେଇ ସଞ୍ଜୟଙ୍କ ଈଶାରା

ପାଟନା : ବିହାର ନିର୍ବାଚନ ଚର୍ଚ୍ଚା ଏବେ ପୂରା ଜୋର୍‌ ଧରିଲାଣି। ଏହା ମଧ୍ୟରେ ଭାରତୀୟ ଜନତା ଦଳର ବିଧାନ ପରିଷଦ ସଦସ୍ୟ ସଞ୍ଜୟ ପାଶଓ୍ବାନ୍‌ ଏକ ବୟାନ ଦେଇଛନ୍ତି, ଯାହା ବିହାର ରାଜନୀତିକୁ ପୂରା ସରଗରମ କରିଛି। ସଞ୍ଜୟ ପାଶଓ୍ବାନ କହିଛନ୍ତି ଯେ, ବିହାରର ଜନତା କୌଣସି ବିଜେପି ନେତାକୁ ବିହାରର ମୁଖ୍ୟମନ୍ତ୍ରୀ ରୂପେ ଜନତା ଦେଖିବାକୁ ଚାହୁଁଛନ୍ତି । ବିଜେପି ନେତା ସଞ୍ଜୟ ପାଶଓ୍ବାନ ନିଜର ସହଯୋଗୀ ଦଳ ଜେଡେୟୁକୁ ଝଟ୍‌କା ଦେଇ କହିଛନ୍ତି ଯେ, ବିହାରରେ ସବୁଠାରୁ ମଜବୁତ୍‌ ଓ ସକ୍ରିୟ ଦଳ ବିଜେପି ରହିଛି। ତେବେ ବିହାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀର ଅନ୍ତିମ ନିର୍ଣ୍ଣୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁଶୀଲ୍‌ ମୋଦିଙ୍କର ହିଁ ରହିବ। କିନ୍ତୁ ବିହାରରେ ବିଜେପି ନିଜ ଦମ୍‌ରେ ନିର୍ବାଚନ ଜିତିବା ପାଇଁ ବେଶ୍‌ ସକ୍ଷମ ବୋଲି କହିଛନ୍ତି ସଞ୍ଜୟ।

ବିହାରରେ ଜେଡେୟୁ-ବିଜେପି ଓ ଏଲଜେପି ମେଣ୍ଟ ସରକାର ରହିଛି। ଯାହାର କମାଣ୍ଡ ଜେଡେୟୁ ନେତା ନୀତିଶ୍‌ କୁମାରଙ୍କ ହାତରେ ରହିଛି। ଆରଜେଡି ପ୍ରମୁଖ ଲାଲୁ ଯାଦବ ଜେଲ୍‌ ଯିବା ପରେ ବିହାରର ରାଜନୀତିରେ ନୀତିଶ୍‌ ହିଁ ସବୁଠୁ ବଡ ରାଜନୈତିକ ଚେହେରା ରୂପେ ଉଭା ହୋଇଛନ୍ତି। ଏବଂ ବିଜେପି  ସହିତ ସର୍ବଦା ବଡଭାଇର ଭୂମିକା ନିଭାଉଛନ୍ତି। ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ବିହାରରେ ନୀତିଶ୍‌କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ସୂଚନା ଦେଇଥିବାବେଳେ ବିଜେପି ନେତାଙ୍କ ଏପରି ବୟାନ ରାଜନୈତିକ ହଟଚମଟ ସୃଷ୍ଟି କରିଛି। (ଏଜେନ୍ସି)