Categories
ଆଜିର ଖବର

ଖରାଦିନ ନିର୍ବାଚନ ପାଇଁ ପ୍ରକୃଷ୍ଟ ସମୟ ନୁହେଁ : ନୀତିଶ କୁମାର

ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁ ମାର ଆଜି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଅବସରରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ମତଦାନ ସାବ୍ୟସ୍ତ ପରେ ଏକ ସାକ୍ଷାତକାର ଅବସରରେ ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆବଶ୍ୟକ ବୋଲି ଗଣମାଧ୍ୟମ ଅଧିକାରୀଙ୍କୁ କହିଛନ୍ତି ନୀତିଶ। ନୀତିଶ କହିଛନ୍ତି, ଗ୍ରୀଷ୍ମ ଋତୁରେ ନିର୍ବାଚନ କରିବା ସଠିକ୍‌ ନିଷ୍ପତ୍ତି ନୁହେଁ। ଏହାକୁ ଫ୍ରେବୃୟାରୀ-ମାର୍ଚ୍ଚ କିମ୍ବା ଅକ୍ଟୋବର-ନଭେମ୍ବରକୁ ସ୍ଥାନାନ୍ତରିତ କରାଯିବା ଉଚିତ୍‌ ବୋଲି କୁମାର ମତ ଦେଇଛନ୍ତି। ସେହିପରି ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ମଧ୍ୟ ନାପସନ୍ଦ କରିଛନ୍ତି ନୀତିଶ। ସେ କହିଛନ୍ତି ନିର୍ବାଚନ ଦୁଇରୁ ତିନୋଟି ପର୍ଯ୍ୟାୟ ମଧ୍ୟରେ ଶେଷ ହେବା ଉଚିତ୍‌। ଶ୍ରୀ କୁମାର ପାଟନା ରାଜଭବନ ନିକଟସ୍ଥ ସରକାରୀ ସ୍କୁଲରେ ନିଜର ଭୋଟ ପ୍ରଦାନ ପରେ ଏହି ମନ୍ତବ୍ୟ ଦେଇଛନ୍ତି।

Categories
ଆଜିର ଖବର

ଅପରାହ୍ନ ୫ଟା ସୁଦ୍ଧା ରାଜ୍ୟରେ ୬୬ ପ୍ରତିଶତ ମତଦାନ, ଅନ୍ତିମ ପର୍ଯ୍ୟାୟରେ ସର୍ବାଧିକ ଭୋଟିଂ ହେବା ସମ୍ଭାବନା

ରାଜ୍ୟ ନିର୍ବାଚନ ଅଧିକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ଅପରାହ୍ନ ୫ ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି। ଏ ପର୍ଯ୍ୟନ୍ତ କୌଣସି ବୁଥରେ ବଡ କିଛି ଘଟଣା ଘଟିଥିବାର ସୂଚନା ନାହିଁ। ଆଜି ରାଜ୍ୟର ୬ଟି ଲୋକସଭା ଆସନ ଏବଂ ୪୧ ଟି ବିଧାନସଭା ଆସନରେ ମତଦାନ ହେଉଛି। ଏହି ସମୟ ମଧ୍ୟରେ ବିଭିନ୍ନ ଲୋକସଭା ଆସନରେ ହୋଇଥିବା ମତଦାନ ପ୍ରତିଶତ ହେଲା-

୧-ମୟୁରଭଂଜ- ୬୬ ପ୍ରତିଶତ

୨-ବାଲେଶ୍ବର- ୬୪ ପ୍ରତିଶତ

୩-ଭଦ୍ରଖ- ୬୮ ପ୍ରତିଶତ

୪-ଯାଜପୁର- ୬୫ ପ୍ରତିଶତ

୫-କେନ୍ଦ୍ରାପଡା- ୬୫ ପ୍ରତିଶତ

୬-ଜଗତସିଂହପୁର- ୬୪ ପ୍ରତିଶତ

Categories
ଆଜିର ଖବର

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ : ବହୁ ହେଭିଓ୍ବେଟ୍‌ ନେତାଙ୍କ ଭାଗ୍ୟ ପରୀକ୍ଷା

ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଅର୍ଥାତ୍‌ ଏପ୍ରିଲ୍‌ ୨୩ ତାରିଖରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ପ୍ରଦେଶରେ ୧୧୬ଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ଚରଣରେ ୨୦ଟି ରାଜ୍ୟର ୯୧ଟି ଆସନ, ଦ୍ବିତୀୟ ଚରଣରେ ୧୨ଟି ରାଜ୍ୟର ୯୫ଟି ଆସନ ଉପରେ ମତଦାନ ଅନୁଷ୍ଠିତ ହୋଇଥିଲା। ଗୁଜୁରାଟର ସମସ୍ତ ୨୬ଟି ଆସନ, କେରଳର ସମସ୍ତ ୨୦ଟି ଆସନ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ୧୪ଟି ଆସନ, ଉତ୍ତରପ୍ରଦେଶର ୧୦ଟି ଆସନ, ଛତିଶଗଡ଼ର ୭ଟି, ଓଡ଼ିଶାର ୬ଟି ଆସନ,  ବିହାର ଓ ପଶ୍ଚିମବଙ୍ଗରେ ୫ଟି ଲେଖାଏଁ ଆସନ, ଆସାମରେ ୪ଟି, ଗୋଆରେ ଦୁଇଟି, ଜମ୍ମୁକାଶ୍ମୀର, ତ୍ରିପୁରା, ଦାଦ୍ରା ନଗର ହାବେଳୀ, ଡାମନ୍‌ ଏବଂ ଡିୟୁରେ ଗୋଟିଏ ଲେଖାଏଁ ଆସନରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ତେବେ ତୃତୀୟ ପର୍ଯ୍ୟାୟରେ ୧୧୬ଟି ଆସନରେ ବହୁ ହେଭିଓ୍ବେଟ୍‌ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ଗୁଜୁରାଟରୁ ଗାନ୍ଧିନଗର, କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି କେରଳର ଓ୍ବାୟନାଡରୁ, ସପା ନେତା ମୁଲାୟମ୍‌ ସିଂହ ଯାଦବ ଉତ୍ତରପ୍ରଦେଶ ମୈନପୁରୀରୁ, ଜୟାପ୍ରଦା ଓ ଆଜମ୍‌ ଖାନ୍‌ ୟୁପିରୁ ରାମପୁରରୁ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି। ଏହି ପର୍ଯ୍ୟାୟରେ ୧୧୬ଟି ଆସନରୁ ପାଖାପାଖି ୧୬୨୨ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ୨୦୧୪ରେ  ତୃତୀୟ ପର୍ଯ୍ୟାୟରେ ୬୮.୪୩%  ମତଦାନ ହୋଇଥିଲା। ଓଡ଼ିଶାର ୬ଟି ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ସେହି ଆସନ ଗୁଡ଼ିକ ହେଲା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, କଟକ ଓ ଭୁବନେଶ୍ୱର। ଏହା ସହିତ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ ଓଡ଼ିଶାରେ ଦୁଇ ପ୍ରମୁଖ ବିଜେଡ଼ି ଓ ବିଜେପି ମଧ୍ୟରେ କଡା ଟକ୍କର ଅନୁଷ୍ଠିତ ହେବ। ୭ଟି ପର୍ଯ୍ୟାୟ ବିଶିଷ୍ଟ ମତଦାନରେ ଅନ୍ତିମ ପର୍ଯ୍ୟାୟ ମେ ୧୯ ତାରିଖରେ ଅନୁଷ୍ଠିତ ହେବ ଏବଂ ଭୋଟ୍‌ଗଣତି ମେ ୨୩ ତାରିଖରେ କରାଯିବ।

Categories
ଆଜିର ଖବର

ପୋଲିଂ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ

କେନ୍ଦୁଝରରେ ଜଣେ ପୋଲିଂ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ଡେସପାଚ୍ ରୁମରେ ଅସୁସ୍ଥ ହୋଇପଡ଼ିବା ପରେ ମେଡ଼ିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପୋଲିଂ ବୁଥକୁ ଯିବା ପୂର୍ବରୁ ଜଣେ ପୋଲିଂ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ପୋଲିଂ ଅଧିକାରୀ ଜଣକ ହେଉଛନ୍ତି ଚମ୍ପୁଆ ହାଇସ୍କୁଲ କର୍ମଚାରୀ ଅଭୟ କୁମାର ସେଠୀ। ଅଭୟଙ୍କ ଡ୍ୟୁଟି ଘସିପୁରା ୨୧ ଏଫସି ବୁଥ ୧୪୯ରେ ଥିଲା। ସେ ଡେସପାଚ୍ ରୁମରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଆନନ୍ଦପୁର ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ଆଜିର ଖବର

ବିଏସ୍‌ପି ବଦଳରେ ବିଜେପିକୁ ଭୋଟ୍‌ ଦେଇଥିବାରୁ ଆଙ୍ଗୁଳି କାଟିଲେ ଯୁବକ

ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ। ବୁଲନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ ସମ୍ପ୍ରଦାୟର ଯୁବକ ଜଣକ ହେଲେ ପଓ୍ବନ କୁମାର। ସେ ବହୁଜନ ସମାଜବାଦୀ ପାର୍ଟି(ବିଏସପି)ର ବଡ ସମର୍ଥକ। ଗୁରୁବାର ସକାଳୁ ଭୋଟ ଦେବାପାଇଁ ଯାଇଥିବାବେଳେ ଇଭିଏମ୍‌ ମେଶିନରେ ହଠାତ୍‌ ବିଏସପି ଦଳୀୟ ଚିହ୍ନ ହାତୀ ବଦଳରେ ଭାଜପାର ଦଳୀୟ ଚିହ୍ନ ପଦ୍ମ ବଟନ୍‌ ଉପରେ ପ୍ରେସ୍‌ କରିଦେଇଥିଲେ। ସେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ଆରଏଲଡି ମେଣ୍ଟରେ ବିଏସପିରୁ ପ୍ରାର୍ଥୀ ହୋଇଥିବା ଯୋଗେଶ ବର୍ମାଙ୍କୁ ଭୋଟ ଦେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ଭୋଟଟି ଭୁଲବଶତଃ ବିଜେପି ଏମପି ତଥା ପ୍ରାର୍ଥୀ ଭୋଲା ସିଂହଙ୍କ ଖାତାକୁ ଚାଲିଯାଇଥିଲା। ଭୋଟ ଦେଇ ଆସିବା ପରେ ସେ ନିଜ ଭୁଲ ପାଇଁ ପଶ୍ଚାତାପ କରିବା ସହ ନିର୍ବାଚନ କାଳି ଲାଗିଥିବା ଅଙ୍ଗୁଳିକୁ କାଟିଦେଇଥିଲେ। ସୋସିଆଲ  ମିଡ଼ିଆରେ ଏକ ଭିଡ଼ିଓ ଜାରି କରି ନିଜର ଦୁଃଖ ପ୍ରକାଶ କରିଛନ୍ତି ପଓ୍ବନ।

Categories
ଆଜିର ଖବର

ମାଓବାଦୀ ଭୟରେ ଚିତ୍ରକୋଣ୍ଡା ଓ ସ୍ବାଭିମାନ ଅଞ୍ଚଳରେ ପୋଲିଂ ଶୂନ

ରାଜ୍ୟରେ ଆଜି ୪ଟି ଲୋକସଭା ଓ ତତ୍ ସଲଗ୍ନ ୨୮ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସକାଳ ସାତଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଏହା ମଧ୍ୟରେ ରାଜ୍ୟର ଅନେକ ଅଞ୍ଚଳରେ ଇଭିଏମ ଯାନ୍ତ୍ରିକ ତ୍ରୁଟି କାରଣରୁ ମତଦାନ ବାଧା ପ୍ରାପ୍ତ ହୋଇଥିବା ବେଳେ ଅନ୍ୟ କେଉଁଠି ପୋଲିଂ ବୁଥ ଶୂନ ରହିଛି। ଏପରିକି ରାସ୍ତା ନଥିବାରୁ ଲୋକେ ଭୋଟ୍ ବର୍ଜନ କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ୧୫ଟି ବୁଥରେ ପୋଲିଂ ଶୂନ ରହିଛି। ମାଓବାଦୀଙ୍କ ଭୟରେ କେହି ଭୋଟ୍ ଦେବାକୁ ଆସିନଥିବା କୁହାଯାଉଛି। ଫଳରେ ଜିଲ୍ଲାର ସ୍ଵାଭିମାନ ଅଞ୍ଚଳର କୁନ୍ତୁରପଦରର ୯ଟି ବୁଥ ଏବଂ  ଚିତ୍ରକୋଣ୍ଡାର ଅନ୍ୟ ୬ଟି ବୁଥରେ ପୋଲିଂ ଶୂନ ରହିଛି।