Categories
ଆଜିର ଖବର

ପ୍ରକାଶ ପାଇଲା ବିଜେଡିର ସାଙ୍ଗଠନିକ ନିର୍ବାଚନୀ କାର୍ଯ୍ୟସୂଚୀ : 5ଟି ପର୍ଯ୍ୟାୟରେ ହେବ ନିର୍ବାଚନ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,20/12 : ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦଳର ସାଙ୍ଗଠନିକ ନିର୍ବାଚନ ନେଇ ଘୋଷଣା କରାଯାଇଛି । ବିଜୁ ଜନତା ଦଳର ନିର୍ବାଚନ ଅଧିକାର ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନୀ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଚଳିତ ଡିସେମ୍ବର 27ରୁ ଫେବୃୟାରୀ 18 ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେବ । 5ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦେବ ସୂଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପଞ୍ଚାୟତ ଓ ୱାର୍ଡ ସ୍ତରରେ ଡିସେମ୍ବର 27ରୁ ଜାନୁୟାରୀ 13 ମଧ୍ୟରେ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ଗ୍ରାମ ପଞ୍ଚାୟତ ସଭାପତି, କମିଟି ସଭ୍ୟ ଓ ନଗରାଞ୍ଚଳ ଓ୍ବାର୍ଡ ସଭାପତି ଘୋଷଣା କରାଯିବ । ବ୍ଲକ ସ୍ତରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଜାନୁୟାରୀ 14ରୁ ଜାନୁୟାରୀ 29 ତାରିଖ ଯାଏଁ ଅନୁଷ୍ଠିତ ହେବ । ବ୍ଲକ୍ କମିଟି ସଭ୍ୟ, ଏନଏସି ସଭାପତି, ଏନ୍‌ଏସି କମିଟି ସଭ୍ୟ ସହିତ ମ୍ୟୁନିସିପାଲିଟି କମିଟି ସଭ୍ୟ, ମହାନଗର ନିଗମ ସଭାପତି ଏବଂ ମ୍ୟୁନିସିପାଲିଟି କମିଟି ସଭ୍ୟଙ୍କ ନିର୍ବାଚନ କରାଯିବ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାନୁୟାରୀ 30ରୁ ଫେବୃୟାରୀ 15 ପର୍ଯ୍ୟନ୍ତ ଚାଲିବ । ଜିଲ୍ଲା ସଭାପତିଙ୍କ ସହ ଜିଲ୍ଲା କମିଟି ସଭ୍ୟ ଏହି ପର୍ଯ୍ୟାୟରେ ନିର୍ବାଚିତ ହେବେ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଫେବୃୟାରୀ 16ରୁ 18ତାରିଖ ଯାଏଁ ଅନୁଷ୍ଠିତ ହେବ । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରିଣୀ ନିର୍ବାଚନ ହେବ । ଫେବୃୟାରୀ 23ରୁ 26 ପର୍ଯ୍ୟନ୍ତ ଅନ୍ତିମ ବା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ରାଜ୍ୟ କାର୍ଯ୍ୟକାରୀ କମିଟି ଓ ସଭାପତି ଚୟନ ହେବେ ।

Categories
ବିଶେଷ ଖବର ମତାମତ

ମନ୍ତ୍ରୀପଡା ଭାବେ ପରିଚିତ କେନ୍ଦ୍ରାପଡା ମନ୍ତ୍ରୀଛଡା ହୋଇଥିଲା, ଶେଷରେ ଜିଲ୍ଲା ଯୋଜନା କମିଟ ଅଧ୍ୟକ୍ଷ ପଦରୁ ମଧ୍ୟ ବାଦ ପଡିଲେ କେନ୍ଦ୍ରାପଡିଆ ବିଧାୟକ। କାହିଁକି ?

ସମୀକ୍ଷା ବ୍ୟୁରୋ

ଆଜ୍ଞା, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏକ ପ୍ରେସ ବିଜ୍ଞପ୍ତି ଆସିଛି। ଯେଉଁଥିରେ ତିରିଶିଟି ଜିଲ୍ଲାର ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ସାଧାରଣତଃ ଏହି ପଦବୀରେ ମନ୍ତ୍ରୀମାନଙ୍କୁ ନିଆଯାଇଥାଏ। ହେଲେ କେତେକ କ୍ଷେତ୍ରରେ ବିଧାୟକଙ୍କୁ ମଧ୍ୟ ନେବାରେ କୌଣସି ଅସୁବିଧା ନାହିଁ। ଏହି ବିଜ୍ଞପ୍ତିରେ ୧୮ ଜଣ ମନ୍ତ୍ରୀଙ୍କ ସହିତ ୧୨ ଜଣ ବିଧାୟକଙ୍କ ନାମ ମଧ୍ୟ ରହିଛି। ଏହି ବିଧାୟକମାନଙ୍କୁ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ କରାଯାଇଛି। ହେଲେ ଦୁଃଖର କଥା ଏହି ତାଲିକାରେ କେନ୍ଦ୍ରାପଡା ଜିଲ୍ଲାର ଟାଣୁଆ ଓ ଶକ୍ତିଶାଳି ବିଧାୟକଙ୍କ ନାମ ମଧ୍ୟ ନାହିଁ। ସେଦିନ ଚା ଖଟିର କାଠ ବେଞ୍ଚ ଉପରେ ବସି କେନ୍ଦ୍ରାପଡାର ଜଣେ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ବିଜ୍ଞପ୍ତିକୁ ଏକ ନିଃସ୍ବାସରେ ପଢି ଚାଲିଲେ। ଆମେ ପାଟିରୁ ଗରମ ଚାହାଟା ବାହର କରି କହିଲୁ, କାହିଁ କଣ ହେଲା କି ? ନ ଥିଲେ ନ ଥିବ ଏଥିରେ ଅସୁବିଧା କଣ ହେଲା।

ଭାଇ, ଆପଣ ଜଣେ ସାମ୍ବାଦିକ ଲୋକ। ଆପଣ ମୁଣ୍ଡଟା ଟିକିଏ ଭିତରକୁ ପୁରାନ୍ତୁ। କହିଲେ ଦେଖି, କେନ୍ଦ୍ରାପଡାକୁ ଏକଦା ମନ୍ତ୍ରୀପଡା ବୋଲି କୁହାଯାଉଥିଲା କି ନାହିଁ। ଆମେ ଉତ୍ତରରେ କହିଲୁ ହଁ, ଏଥିରେ କିଛି ଭାବିବାର ନାହିଁ। ହେଲେ ତାହା କିନ୍ତୁ ବର୍ତ୍ତମାନ ଇତିହାସ ପାଲଟି ଯାଇଛି। ବର୍ତ୍ତମାନ କେନ୍ଦ୍ରାପଡା ମନ୍ତ୍ରୀପଡା ନୁହେଁ ,ମନ୍ତ୍ରୀଛଡା ହୋଇଗଲାଣି ଭାଇ। ଆପଣ ସବୁ କଥାକୁ ସାମ୍ବାଦିକିଆ ଠାଣିରେ ଦେଖୁଛନ୍ତି। ଟିକିଏ ଅଭିମାନ ଭରା କଣ୍ଠରେ ସେ କହିଲେ। ଆମେ କହିଲୁ ଭାଇ ଖରାପ ଭାବନ୍ତୁ ନାହିଁ, ବର୍ତ୍ତମାନ କେନ୍ଦ୍ରାପଡା ମନ୍ତ୍ରୀଛଡା ହୋଇଛି କି ନାହିଁ। ପୂର୍ବରୁ ମନ୍ତ୍ରୀଛଡା ଏବେ ସେମାନଙ୍କୁ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ ମଧ୍ୟ କରାଗଲା ନାହିଁ। ଏହାଠୁ ବଡ ଲଜ୍ଜାଜନକ ସ୍ଥିତ କଣ ଅଛି କହୁନ ? ଆପଣଙ୍କ ଜିଲ୍ଲାରେ ଯେଉଁମାନେ ବିଧାୟକ ଅଛନ୍ତି ସେମାନେ କଣ ମନ୍ତ୍ରୀ ପାଇଁ ଅଯୋଗ୍ୟ କି ? ହେଲେ କଣ ପାଇଁ ସେମାନଙ୍କୁ ମନ୍ତ୍ରୀ ପଦ ଦିଆଗଲା ନାହିଁ ? କଣପାଇଁ ସେମାନଙ୍କୁ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ କରଗଲା ନାହିଁ ?

କିଛି ସମୟ ପାଇଁ ସେ ହାତରେ ଚା ଗ୍ଲାସ ଧରି ମୋ ମୁହଁକୁ ଅନାଇ ରହିଲେ। ଆମେ କହିଲୁ ଭାଇ ଉତ୍ତର ଦିଅ। ତାପରେ ସେ ଗ୍ଲାସଟି ତଳେ ଥୋଇ କହିଲେ, ଆଚ୍ଛା ଠିକ୍ କଥା। ବର୍ତ୍ତମାନ ମୁଁ ସେ ଦିଗକୁ ଯାଉ ନାହିଁ। ଆପଣଙ୍କୁ ଗୋଟିଏ କଥା ପଚାରୁଛି। ପ୍ରଥମ କଥା କୁହ କେନ୍ଦ୍ରାପଡା ବାସୀ ନବୀନବାବୁଙ୍କୁ କଣ ନ ଦେଇଛନ୍ତି। ଆମେ ପଚାରୁଲୁ ମାନେ ? ମାନେ ହେଉଛି କେନ୍ଦ୍ରାପଡା ବାସୀ ନବୀନବାବୁଙ୍କ ସମସ୍ତ କଥାକୁ ମାନି ସାହାର୍ଯ୍ୟ କରି ଆସିଛନ୍ତି। ଧରି ନିଆନ୍ତୁ, କେନ୍ଦ୍ରପଡାରେ ଶଶିଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରାଗଲା। ସେ କେନ୍ଦ୍ରାପଡା ଲୋକ ନ ହେଲେ ମଧ୍ୟ ନବୀନବାବୁଙ୍କ ମୁହଁକୁ ଚାହିଁ ତାଙ୍କୁ ଜିତାଇଲେ। ହଁ ନା ନାହିଁ। ତାପରେ ଦ୍ବୀତିୟ କଥା ହେଲା, ସାଂସଦ ଭାବେ କେନ୍ଦ୍ରାପଡାବାସୀ ଅନୁଭବ ମହାନ୍ତିଙ୍କୁ ଜିତାଇଲେ। ଖାଲି ଜିତାଇଲେ ନୁହେଁ ଭାଇ.. ଦେଢ ଲକ୍ଷ ଭୋଟ ବ୍ୟବଧାନରେ ଜିତାଇଲେ। ହଁ ନା ନାହିଁ। କହିଲ ଦେଖି, ସେ କଣ କେନ୍ଦ୍ରାପଡା ଲୋକ।

ଆଉ ଗୋଟିଏ ଉଦାହରଣ ଦେଉଛି। ୨୦୧୪ ନିର୍ବାଚନରେ କେନ୍ଦ୍ରାପଡାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳିରୁ ଆମ ବିଜେଡି ମାତ୍ର ତିନୋଟିରେ ଜିତିଥିଲା। ହେଲେ ସେତେବେଳେ ନବୀନବାବୁ ଗୋଟିଏ ମନ୍ତ୍ରୀପଦ ଦେଇଥିଲେ। ସେ ହେଉଛନ୍ତି ଅତନୁ ସବ୍ୟସାଚୀ ନାୟକ। ଏଥର ନିର୍ବାଚନରେ କେନ୍ଦ୍ରାପଡାବାସୀ ପୁରା ୫ରୁ ୫ ଆସନ ବିଜେଡିକୁ ଦେଇଦେଲେ। ସେହି ହିସାବ ଅନୁସାରେ ଏଥର ଆମ ଜିଲ୍ଲାରୁ ଅନ୍ତତଃ ଦୁଇଜଣ ମନ୍ତ୍ରୀ ହେବା କଥା। ହେଲେ କିଛି ହେଲେ ନାହିଁ। କେନ୍ଦ୍ରାପଡାବାସୀ ନବୀନବାବୁଙ୍କ କଥାକୁ ଗ୍ରହଣ କରି, ମଥାପାତି ସମ୍ମାନ ଦେଉଛନ୍ତି। ସେଥିପାଇଁ ନବୀନବାବୁ କେନ୍ଦ୍ରାପଡା ବାସୀଙ୍କ ତ୍ୟାଗକୁ ବୁଝିବା ଦରକାର ଭାଇ।

ଦୀର୍ଘ ସମୟ ଧରି ଏତେ କଥା କହିବା ପରେ ଆମେ କହିଲୁ, ଠିକ୍ ଅଛି, ତା ହେଲେ କହିଲ, ଯଦି କେନ୍ଦ୍ରାପଡାବାସୀ ଏତେ ତ୍ୟାଗ କରିଛନ୍ତି, ତେବେ ନବୀନବାବୁ କାହିଁକି ସେ କଥାକୁ ହୃଦୟଙ୍ଗମ କରିପାରୁ ନାହାଁନ୍ତି। ଏହାର କାରଣ କଣ ହୋଇପାରେ ବୋଲି ଆପଣ ଭାବୁଛନ୍ତି। ସେ ଟିକିଏ ରହି ଦୀର୍ଘ ନିଃସ୍ବାସ ପକାଇ କହିଲେ, ଭାଇ କଣ କହିବା, ଘର କଥା ପରକୁ କହିବାକୁ ଲାଜ ଲାଗୁଛି। ଆମେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଅନାଇଲୁ। କଣ ହେଲା ସିଧାସିଧା କହୁ ନାହାଁନ୍ତି। ପୁଣି ଦୀର୍ଘ ନିଶ୍ବାସ ପକାଇ କହିଲେ, ସେ ଅତନୁ ଓ ପ୍ରତାପ ପାଇଁ ତ ଏତେ କଥା। ଆମେ ଏ ଦୁଇ ଜଣଙ୍କ ନାଁ ଶୁଣି ହସିବାକୁ ଚାହୁଁଥିଲୁ ହେଲେ ହସକୁ ଚାପିଦେଇ କହିଲୁ, କଣ ହେଲା? ଅତନୁ ଓ ପ୍ରତାପ କଣ ଅସୁବିଧା କଲେ କି? ନାହିଁ… ହେ… ଭାଇ ସେ ଦୁଇ ଜଣଙ୍କ ଭିତରେ ଠିକରେ ପଟୁନି। ଜଣଙ୍କୁ ମନ୍ତ୍ରୀ କରିଦେଲେ ଆଉ ଜଣେ ଖପ୍ପା। ତେଣୁ ନବୀନବାବୁ ଭାବିଲେ ବଂର କାହାକୁ ପଦପଦବୀ ନ ଦେଇ ଚୁପ ବସାଇ ଦେବା ଠିକ୍ ହେବ। ସେଇଥି ପାଇଁ ସେ କେନ୍ଦ୍ରାପଡାକୁ ମନ୍ତ୍ରୀଛଡା କରିଦେଲେ। ଆଉ ନ ହେଲେ କିଛି ନାହିଁ।

ଆମେ ଭାବି ନେଲୁ ଯେ, ବାବୁ ଜଣଙ୍କ ଏବେ ଠିକ୍ ବାଟକୁ ଆସିଯାଇଛନ୍ତି। ଭାବି ଚିନ୍ତି ମଞ୍ଜି କଥା କହିଛନ୍ତି। ତଥାପି ଆଉ କିଛି କଥା ଆଦାୟ କରିବା ପାଇଁ ପଚାରି ଦେଲୁ, ତାଙ୍କ ଦୁଇ ଜଣଙ୍କୁ ଛାଡି କଣ ଆଉ କାହାକୁ ମନ୍ତ୍ରୀ କଲେ କିଛି ଅସୁବିଧା ହେବ କି? ହଠାତ୍ ସେ ଉପରେ ମାଡି ବସି ବଡ ପାଟିରେ କହିଲେ ନାଇଁ ଆଜ୍ଞା ..ନାଇଁ ଆଜ୍ଞା, ସେ କଥା ହେବ ନାହିଁ। ପ୍ରଳୟ, ଘୋର ପ୍ରଳୟ, ୧୯୯୯ ମସିହାର ମହାବାତ୍ୟା ହୋଇଯିବ। ନବୀନବାବୁ ସମ୍ଭାଳି ପାରିବେ ନାହିଁ। ତା ହେଲେ ଏବେ କୁହନ୍ତୁ ନବୀନବାବୁ ବର୍ତ୍ତମାନ ଯାହା କରିଛନ୍ତି ଠିକ୍ କରିଛନ୍ତି ନା ଭୁଲ କରିଛନ୍ତି। ସେ ଆବାକ୍ ହୋଇ ଆମ ମୁହଁକୁ ଚାହିଁ କହିଲେ ଆଁ…….ଭାଇ ମୁଁ ଆସିଛି, ଟିକିଏ ସଚିବାଳୟ ଯିବାର ଅଛି। ନମସ୍କାର। ଏତକ କହି ତରତର ହୋଇ ସେ ଚାଲିଗଲେ। ଆମେ ପଛରୁ ତାଙ୍କୁ ବାଏ ବାଏ କରିବା ଛଡା ଆଉ କିଛି ଉପାୟ ନ ଥିଲା।