Categories
ଆଜିର ଖବର ଜାତୀୟ ଖବର

କରୋନା ସନ୍ଦେହରେ ମିଳିଲାନି ଚିକିତ୍ସା: ଆମ୍ବୁଲାନ୍ସରେ ମୃତ୍ୟୁବରଣ କଲେ ଆଠ ମାସର ଗର୍ଭବତୀ ମହିଳା

ନୋଏଡା: ଉତ୍ତରପ୍ରଦେଶରରେ ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ୮ ମାସ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଚିକିତ୍ସା ନ ମିଳିବାରୁ ସେ ବାର ଦୁଆର ଶୁଣ୍ଢିପିଣ୍ଡା ହୋଇ  ଶେଷରେ ଆମ୍ବୁଲାନ୍ସ ଭିତରେ ତାଙ୍କର ଜୀବନ ଚାଲିଯାଇଛି। ମିଳିଥିବା ସୂଚନା ଅନୁସାରେ ନୋଏଡାରେ ଜଣେ ଗର୍ଭବତୀ ମହିଳାଙ୍କର ଚିକିତ୍ସା ଅଭାବରୁ ଆମ୍ବୁଲାନ୍ସରେ ମୃତ୍ୟୁ ହୋଇଛି।  ବହୁ ସମୟ ଧରି ସେ ଗୋଟେ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲର ଚକ୍କର କାଟିଥିବାବେଳେ ଆମ୍ବୁଲାନ୍ସ ଭିତରେ ତାଙ୍କର ମୃତ୍ୟୁ ହୋଇଛି। ନୋଏଡାର ସରକାରୀ ହସ୍ପିଟାଲ ଓ ଘରୋଇ ହସ୍ପିଟାଲଗୁଡିକ ମହିଳାଙ୍କ ଚିକିତ୍ସା ଲାଗି ମନା କରିଥିବାବେଳେ ମହିଳାଙ୍କର ଆମ୍ବୁଲାନ୍ସରେ ହିଁ ଜୀବନ ଚାଲିଯାଇଛି।

ମହିଳା ଜଣକ ଗାଜିଆବାଦ ବାସିନ୍ଦା ହୋଇଥିବାବେଳେ ସେ ନିଃଶ୍ବାସ ନେବା ପାଇଁ କଷ୍ଟ ଅନୁଭବ କରୁଥିଲେ। ସେ ପ୍ରଥମେ ଇଏସ୍‌ଆଇ ହସ୍ପିଟାଲ ଯାଇଥିଲେ। ଏହି ହସ୍ପିଟାଲ ତାଙ୍କୁ ଜିଲ୍ଲା ହସ୍ପିଟାଲ ରେଫର୍‌ କରିଥିଲେ। ପରେ ଜିଲ୍ଲା ହସ୍ପିଟାଲରୁ ଶାରଦା ହସ୍ପିଟାଲକୁ ଯାଇଥିଲେ। ସେଠାରେ ତାଙ୍କୁ ଜୀମ୍ସ ପଠାଯାଇଥିଲା। ଜିମ୍ସରେ ଶଯ୍ୟା ଅଭାବ ହେତୁ ତାଙ୍କୁ ଫୋର୍ଟସ୍‌ ହସ୍ପିଟାଲ ପଠାଯାଇଥିଲା।  ସେଠାରେ ମଧ୍ୟ ତାକୁ ମନା କରାଯିବା ପରେ ସେ ମ୍ୟାକ୍ସ ହସ୍ପିଟାଲକୁ ନିଆଯାଇଥିଲା। ଏତେ ସମୟ ସେ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲ ହୋଇ ଶେଷରେ ଆମ୍ବୁଲାନ୍ସ ଭିତରେ ହିଁ ମହିଳାଙ୍କର ଜୀବନ ଚାଲିଯାଇଛି।

ସୂଚନାଯୋଗ୍ୟ, ମହିଳାଙ୍କର ରୁଟିନ୍‌ ଚେକ୍‌ ଶିବାଲିକା ହସ୍ପିଟାଲରେ ହେଉଥିଲା। କିନ୍ତୁ ଏହି ହସ୍ପିଟାଲ ମଧ୍ୟ ଚିକିତ୍ସା କରିବାକୁ ମନା କରିଦେଇଥିଲା। କରୋନା ସନ୍ଦେହରେ ମହିଳାଙ୍କୁ କେୌଣସି ହସ୍ପିଟାଲ ଚିକିତ୍ସା ପାଇଁ ଅନୁମତି ଦେଇନଥିବାବେଳେ ଯନ୍ତ୍ରଣାରେ ମହିଳାଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଜିଲ୍ଲାଧିକାରୀ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି।

ତେବେ ଏହି ଗର୍ଭବତୀ ମହିଳାଙ୍କ ମୃତ୍ୟୁର ଦାୟିତ୍ବ କିଏ ନେବ। ଏହି ଘଟଣାକୁ ନେଇ କଂଗ୍ରେସ ପ୍ରବକ୍ତା ଅଖିଳେଶ ସିଂହ ଯୋଗୀ ସରକାରଙ୍କ ସହ ଆଲୋଚନା କରି ଦୋଷୀ ଡାକ୍ତରଖାନା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛନ୍ତି। (ଏଜେନ୍ସି)