Categories
ଜାତୀୟ ଖବର ଧର୍ମ ବିଶେଷ ଖବର ବ୍ୟକ୍ତିତ୍ୱ

କିଏ ସେହି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜା, ଯାହାଙ୍କ ପାଦତଳେ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଛତିଶଗଡର ରାଜନନ୍ଦନ ଜିଲ୍ଲାର ଏକ ଲୋକପ୍ରିୟ ତୀର୍ଥସ୍ଥାନ ଡୋଙ୍ଗରଗଡ ପରିଦର୍ଶନ କରି ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କର ପାଦତଳେ ମୁଣ୍ଡିଆ ମାରି ପ୍ରଧାନମନ୍ତ୍ରୀ ଆର୍ଶିବାଦ ଭିକ୍ଷା କରିଥିଲେ।

ଏହାସହିତ ସେ ଡୋଙ୍ଗରଗଡର ଏକ ପାହାଡ ପାଦଦେଶରେ ଅବସ୍ଥିତ ମା ବାମଲେଶ୍ୱରୀ ମନ୍ଦିରରେ ମଧ୍ୟ ପ୍ରାର୍ଥନା କରିଥିଲେ। ସେ ତାଙ୍କର ଏକ୍ସ ରେ ଲେଖିଛନ୍ତି ଯେ, ଛତିଶଗଡର ଡୋଙ୍ଗରଗଡର ଚନ୍ଦ୍ରଗିରି ଜୈନ ମଣ୍ଡପରେ ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜଙ୍କ ଆଶୀର୍ବାଦ ଗ୍ରହଣ କରି ନିଜକୁ ଧନ୍ୟ ମନେ କରୁଛି।

ପ୍ରଧାନମନ୍ତ୍ରୀ ଛତିଶଗଡକୁ ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ସେ ଏହି ମନ୍ଦିର ଏବଂ ସାଧୁଙ୍କୁ ସାକ୍ଷାତ କରିଛନ୍ତି। ଛତିଶଗଡର ପ୍ରଥମ ପର୍ଯ୍ୟାୟ ନିର୍ବଚନ ଆସନ୍ତା ନଭେମ୍ବର ୭ ତାରିଖରେ ହେବ। ସେଥିପାଇଁ ରବିବାର ଦିନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଯାଇଛି।

ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ କିଏ?

ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ମହାରାଜ ଜୀ ଜଣେ ଅତ୍ୟନ୍ତ ସମ୍ମାନସ୍ପଦ ଦିଗମ୍ବର ଜୈନ ଆଚାର୍ଯ୍ୟ। ତାଙ୍କର ଅତୁଳନୀୟ ଶିଷ୍ୟ ପ୍ରେମ, ଗଭୀର ଆଧ୍ୟାତ୍ମିକ ଚିନ୍ତାଧାର ଏବଂ ଶାସ୍ତ୍ରଜ୍ଞାନର ଜଣେ ପ୍ରଗାଢ ବ୍ୟକ୍ତିତ୍ବ। ପ୍ରତ୍ୟେକ ଜୈନ ଧର୍ମର ବ୍ୟକ୍ତିଗଣ ତାଙ୍କୁ ଭଗବାନ ସଦୃଶ୍ୟ ପୂଜା କରିଥାନ୍ତି।

ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ମହାରାଜ ଅକ୍ଟୋବର ୧୦, ୧୯୪୬ ରେ କର୍ଣ୍ଣାଟକର ସାଦାଲଗାରେ ଜନ୍ମଗ୍ରହଣ କରି ସେ ଅଳ୍ପ ବୟସରୁ ଆଧ୍ୟାତ୍ମିକତାକୁ ଗ୍ରହଣ କରିଥିଲେ। ସେ ରାଜସ୍ଥାନର ଅଜମେରରେ ୨୧ ବର୍ଷ ବୟସରେ ଆଧ୍ୟାତ୍ମିକତା ପାଇଁ ସାଂସାରିକ ଜୀବନ ପରିତ୍ୟାଗ କରିଥିଲେ।

ଆଜି ପର୍ଯ୍ୟନ୍ତ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଜୈନ ଶାସ୍ତ୍ର ଏବଂ ଦର୍ଶନ ଶାସ୍ତ୍ରର ଅଧ୍ୟୟନ ଏବଂ ଗବେଷଣାରେ ଗଭୀର ଭାବରେ ବୁଡି ରହିଛନ୍ତି। ସଂସ୍କୃତ ସହିତ ଅନେକ ଆଧୁନିକ ଭାଷାରେ ତାଙ୍କର ଦକ୍ଷତା ରହିଛି। ଫଳରେ ସେ ବିଭିନ୍ନ ଭାଷାରେ ଅନେକ କବିତା ଏବଂ ଆଧ୍ୟାତ୍ମିକ ପୁସ୍ତକ ଲେଖିବାରେ ସକ୍ଷମ ହୋଇଛନ୍ତି।

ନିରଂଜନ ଶତାକା, ଭବନ ଶତାକା, ପରିଷଦ ଜୟା ଶତାକା, ସୁନୀତି ଶତାକା ଏବଂ ଶ୍ରୀମାନା ଶତାକାଙ୍କ ସମେତ ତାଙ୍କର ଅନେକ ପୁସ୍ତକ ଜୈନ ସମ୍ପ୍ରଦାୟ ମଧ୍ୟରେ ବହୁ ଲୋକପ୍ରିୟ। ତାଙ୍କର ପାଣ୍ଡିତ୍ୟକୁ କଳନା କରିବା ଅସମ୍ଭବ। ଆଚାଯ୍ୟ ବିଦ୍ୟାସାଗର ମହାରାଜ ତାଙ୍କର କଠୋର ଅଭ୍ୟାସ ଏବଂ ଆଧ୍ୟାତ୍ମିକ ଅଭିବୃଦ୍ଧି ପାଇଁ ନିରନ୍ତର ଉତ୍ସର୍ଗିକୃତ।

ଏହିପରି ଜଣେ ପ୍ରସିଦ୍ଧ ଆଧ୍ୟାତ୍ମିକ ବ୍ୟକ୍ତିତ୍ବଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ନିଜକୁ ଧନ୍ୟ ମନେ କରିଛନ୍ତି ବୋଲି ନିଜେ ସ୍ବୀକାର କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପୁଣି ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁଣିଥରେ କରୋନା ସଂକଟକୁ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ୍ 3.0 ପରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଥମ ଥର ପାଇଁ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ସୋମବାର ଅପରାହ୍ନ 3 ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ଏପ୍ରିଲ୍ 28 ରେ ପ୍ରଧାନମନ୍ତ୍ରୀ ମୋଦି ଚତୁର୍ଥ ଥର ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଦେଶରେ କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନର ଅବଧିକୁ 17 ମଇ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

ମେ‘ 17 ପରେ କରୋନା ସହ ଦେଶ କିପରି ଲଢେଇ କରିବ ତାହା ସମ୍ପର୍କରେ ଚର୍ଚ୍ଚା ହେବ । କରୋନର ସ୍ଥିତି ସଙ୍ଗୀନ୍‌ ଥିବା ସମୟରେ ଆଗାମୀ ରଣନୀତି କିପରି ରହିବେ ସେ ନେଇ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି । (ଏଜେନ୍ସି)

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ବୈରାଗ୍ୟ ବନାମ ସୋସିଆଲ ମିଡିଆ ଅନୁରାଗ, ଏକ ଭିନ୍ନ ଦୃଷ୍ଟି

କେଦାର ମିଶ୍ର

ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ସବୁକୁ ଆସନ୍ତା ରବିବାର ଦିନ ବନ୍ଦ କରିଦେବାର ଇଚ୍ଛା ପ୍ରକଟ କଲେ, ସ୍ଵାଭାବିକ ଭାବରେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା। ମୋଦୀଙ୍କ ଭକ୍ତମାନେ ତାଙ୍କୁ ବ୍ୟାକୁଳ ହୋଇ “ଏମିତି କରନ୍ତୁ ନାହିଁ ସାର”  ବୋଲି ଅନୁରୋଧ କରିଥିବା ବେଳେ ବିରୋଧୀମାନେ ଏହାକୁ ନେଇ ଆଶଙ୍କା ପ୍ରକଟ କଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ କେବଳ ଏକ ହାଲୁକା ଟୁଇଟ ବୋଲି ଆମେ ଗ୍ରହଣ କରି ଭୁଲିଯିବା ଉଚିତ ହେବ କି? ଏହି ଟୁଇଟର ଅଳ୍ପ କେଇ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ କହିଲେ ଯେ, ରବିବାର ଆନ୍ତର୍ଜାତିକ ମହିଳା ଦିବସ ପଡୁଥିବାରୁ ସେଦିନ ତାଙ୍କର ସୋସିଆଲ ମିଡିଆ ଏକାଉଣ୍ଟ ସବୁ ଉଲ୍ଲେଖନୀୟ ମହିଳାମାନଙ୍କ ପାଇଁ ନିବେଦିତ ରହିବ।

ଏହି ଦୁଇଟି ଯାକ ଟୁଇଟରେ କେବଳ ଲୋକଙ୍କୁ ଭୁଲାଇବାର ଓ ଆତ୍ମ ପ୍ରଚାରର ଉଦ୍ଦେଶ୍ୟ ବାରି ହୋଇପଡୁଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ବ ମୂଳତଃ ସୋସିଆଲ ମିଡିଆକୁ ଆଧାର କରି ନିର୍ମାଣ ହୋଇଛି। ଯଦି ସୋସିଆଲ ମିଡିଆ ନଥାନ୍ତା, ତାହେଲେ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ କି ନାହିଁ, ସେ ଏକ ପ୍ରଶ୍ନବାଚୀ ହୋଇ ସବୁବେଳେ ରହିବ। ତେଣୁ ସୋସିଆଲ ମିଡିଆରୁ ମୋଦୀ ଦୂରେଇ ରହିବେ ବୋଲି ଭାବିବାର ସେମିତି କୌଣସି କାରଣ ବର୍ତ୍ତମାନ ନାହିଁ। ହେଲେ ସୋସିଆଲ ମିଡିଆର ଆଚରଣରେ ମୋଦୀ ଓ ତାଙ୍କ ଦଳ ବିଜେପି ଯେ ବିଶେଷ ଖୁସି ନୁହେଁ, ତାହା ଏହି ଘଟଣାରେ ସ୍ପଷ୍ଟ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ତାଙ୍କ ଇଚ୍ଛା ବ୍ୟକ୍ତ କଳା କ୍ଷଣି ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା କହିଲେ,  ଏ ସବୁ ସୋସିଆଲ ମିଡିଆ ଆଉ ଭରସାଯୋଗ୍ୟ ନୁହନ୍ତି। ଆମକୁ ଆମର ବିକଳ୍ପ ତିଆରି କରିବାକୁ ପଡିବ। ସରକାର ଓ ସରକାରୀ ଦଲପରତି ସମାଲୋଚନାକୁ ଗ୍ରହଣ କରିନେବାର ଗଣତାନ୍ତ୍ରିକ ମାନସିକତା ବିଜେପି ପାଖରେ କେବେ ନଥିଲା। ତେଣୁ, ଆଜି ଯେତେବେଳେ ସୋସିଆଲ ମିଡିଆରେ ମୁକ୍ତ ସମାଲୋଚନାର ଜୁଆର ଆସିଛି, ତାକୁ ନେଇ ବିଜେପି ଚିନ୍ତିତ ହେବା ସ୍ଵାଭାବିକ।

ତେବେ ପ୍ରଧାନମନ୍ତ୍ରୀ ତାଙ୍କର ସୋସିଆଲ ମିଡିଆ ପ୍ରତି ରହିଥିବା ବୈରାଗ୍ୟ ବିଷୟରେ ସୂଚନା ଦେବାକୁ ଯାଇ ଭିନ୍ନ କିଛି ଇଙ୍ଗିତ ଦେଇଛନ୍ତି କି? ଭବିଷ୍ୟତରେ ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲଗାଇବାକୁ ଏ ପ୍ରକାର ଘୋଷଣାକୁ ଏକ ପ୍ରକାର ପରୀକ୍ଷା ନୀରୀକ୍ଷା ବୋଲି ଆମେ କହି ପାରିବା କି? ୟୁପିଏ ସରକାରର ଅନ୍ତିମ ବର୍ଷରେ ଯେତେବେଳେ ସରକାର ପ୍ରତି ପ୍ରବଳ ସମାଲୋଚନା ବଢିବା ଆରମ୍ଭ ହେଲା, ସେତେବେଳେ ଏହା ଉପରେ ଅଙ୍କୁଶ ଲଗାଇବାକୁ ତତ୍କାଳୀନ ଟେଲି ଯୋଗାଯୋଗ ମନ୍ତ୍ରୀ କପିଲ ଶିବଲ ଉଦ୍ୟମ ଆରମ୍ଭ କରିଥିଲେ। ସେତେବେଳେ ଏହାକୁ ତୀବ୍ର ବିରୋଧ କରା ଯାଇଥିଲା। ତେବେ କଂଗ୍ରେସ ଅମଳରେ ବିରୋଧ କଲେ, ତାର କିଛି ଟା ପ୍ରଭାବ ସରକାର ଉପରେ ପଡୁଥିଲା। ବିଜେପି ସରକାର ବିରୋଧୀ ମତ ପ୍ରତି ପ୍ରଚଣ୍ଡ ଭାବରେ ଅସହିଷ୍ଣୁ। ଯଦି ସରକାର ସୋସିଆଲ ମିଡିଆ ଉପରେ ସତରେ ଅଙ୍କୁଶ ଲଗାଇବାର କିଛି ଯୋଜନା କରନ୍ତି, ତାହେଲେ ତାକୁ ବିରୋଧ କରିବା ସହଜ ହେବନାହିଁ।

ସୋସିଆଲ ମିଡିଆର “ଅସାମାଜିକ” ପ୍ରଭାବ ମଧ୍ୟ କିଛି କମ ନୁହେଁ। ସାମାଜିକ ବିଦ୍ଵେଷ, ଦଙ୍ଗା ଓ ବିଭାଜନ ସୃଷ୍ଟିରେ ସୋସିଆଲ ମିଡିଆର ଭୂମିକା କିଛି କମ ଭୟଙ୍କର ନୁହେଁ। ଏହାକୁ ଆଳ କରି ସରକାର ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲଗାଇବା କଥା ଚିନ୍ତା କରିପାରନ୍ତି। ଅନ୍ୟ ଦୃଷ୍ଟିରୁ ଦେଖିଲେ କାଶ୍ମୀରରେ ଯେଉଁ ପ୍ରକାର ସ୍ଥିତି ତିଆରି କରାଯାଇଛି, ସରକାର ବିରୋଧୀ କ୍ଷେତ୍ର ଗୁଡିକରେ ସେ ପ୍ରକାର ପରୀକ୍ଷା ଭବିଷ୍ୟତରେ କରା ଯାଇପାରେ। ନାଗରିକତା ସଂଶୋଧନ ଆଇନ ବିରୋଧରେ ଯେତେବେଳେ ଉତ୍ତର ପ୍ରଦେଶରେ ଆନ୍ଦୋଳନ ତୀବ୍ର ହୋଇଥିଲା, ସେଠାରେ ସାମୟିକ ଭାବରେ ଇଣ୍ଟରନେଟକୁ ନିଷିଦ୍ଧ କରା ଯାଇଥିଲା। ସରକାର ବିରୋଧୀ ସ୍ଵରକୁ ଚପାଇବାକୁ ସୋସିଆଲ ମିଡିଆକୁ ନିଷିଦ୍ଧ କରିବା ହେଉ ବା ଅଙ୍କୁଶ ଲଗାଇବାର ପ୍ରୟାସ ହେବା କିଛି ବିଚିତ୍ର ନୁହେଁ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ସୋସିଆଲ ମିଡିଆଠାରୁ ଦୂରତା ରକ୍ଷା କରିବା ବର୍ତ୍ତମାନ ପରିସ୍ଥିତିରେ ଆଦୌ ସହଜ କଥା ନୁହେଁ। ଲୋକଙ୍କ ସହିତ ଯୋଗାଯୋଗ ପାଇଁ ସୋସିଆଲ ମିଡିଆ ବ୍ୟତୀତ ତାଙ୍କର ଅନ୍ୟ ବିକଳ୍ପ ନାହିଁ। ମୁଖ୍ୟ ଧାରାର ଗଣମାଧ୍ୟମ ସହିତ ପ୍ରଧାନମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ କାର୍ୟାଳୟ କେବଳ ସୋସିଆଲ ମିଡିଆ ଜରିଆରେ ହିଁ ସମ୍ପର୍କ ରଖିଥାନ୍ତି। ମୋଦୀଙ୍କ ଶାସନ କାଳରେ ତାଙ୍କର କେହି ପ୍ରେସ ପରାମର୍ଶଦାତା ନାହାନ୍ତି। ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ପରି ମୋଦୀ ସିଧାସଳଖ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି ନାହିଁ। ତେଣୁ ସୋସିଆଲ ମିଡିଆ ଛଡା ଜନ ସମ୍ପର୍କ ର ଅନ୍ୟ ବିକଳ୍ପ ପ୍ରଧାନମନ୍ତ୍ରୀଙ୍କ ପାଖରେ ନାହିଁ।

ଆଗକୁ ସୋସିଆଲ ମିଡିଆ ପାଇଁ ମୋଦୀ ସରକାରର କିଛିଟା ସନ୍ଦେଶ ଯେ ରହିଛି, ଏହାର ବାସ୍ନା ଆମେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାରୁ ପାଉଛୁ ନିଶ୍ଚୟ। ତେବେ ସେହି ସନ୍ଦେଶଟି କଣ, ତାହା ସମୟ କ୍ରମେ ସ୍ପଷ୍ଟ ହେବ।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଦିଲ୍ଲୀ ରାଜପଥରେ 71ତମ ଗଣତନ୍ତ୍ର ଦିବସ ବେଶ୍‌ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆଗେଟ୍‌ ନିକଟରେ ଥିବା ଜାତୀୟ ଯୁଦ୍ଧ  ସ୍ମାରକଠାରେ ରାଷ୍ଟ୍ର ତରଫରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ତିନି ସେନା ମୁଖ୍ୟ ସେଠାରେ ଉପସ୍ଥିତ ଥିଲେ।  ତିନି ସେନାର ମୁଖ୍ୟ ରାଷ୍ଟ୍ରୀୟ ପ୍ରମୁଖ ଅବସରରେ ଯଥା ସ୍ଵାଧୀନତା ଦିବସ, ଗଣତନ୍ତ୍ର ଦିବସରେ ଅମର ଯବାନ ଜ୍ୟୋତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରନ୍ତି। ଅମର ଜବାନ ଜ୍ୟୋତି ପରିବର୍ତ୍ତେ ପ୍ରଥମ ଥର ଲାଗି ଜାତୀୟ ଯୁଦ୍ଧ ସ୍ମାରକୀଠାରେ ସହିଦ ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । (ଏଜେନ୍ସି)

Categories
ବିଶେଷ ଖବର

ଏ ଛାତ୍ର ଆନ୍ଦୋଳନର ସବୁ ଶ୍ରେୟ ଆପଣଙ୍କର ପ୍ରଧାନମନ୍ତ୍ରୀ ମହାଶୟ, ସାରା ଦେଶକୁ ଅସ୍ତବ୍ୟସ୍ତ କରିବାର ସାମର୍ଥ୍ୟ କେବଳ ଆପଣଙ୍କର ହିଁ ରହିଛି!!

କେଦାର ମିଶ୍ର

ଆସାମରେ ଏବେ ଇଣ୍ଟରନେଟ ସେବା ନାହିଁ, ତେଣୁ ସେଠିକାର ଖବର ସହଜରେ ଆସୁନାହିଁ। ଏପଟେ ଆଲିଗଡରେ ମଧ୍ୟ ଇଣ୍ଟରନେଟ କାଟି ଦିଆ ଯାଇଛି। ଦେଶର ସବୁ ବିଶ୍ଵ ବିଦ୍ୟାଳୟରେ ଅସନ୍ତୋଷର ନିଆଁ ଜଳୁଛି। ଜାମିଆ ମିଲିଆ ବିଶ୍ଵ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୋଲିସ ଜୁଲମର ପ୍ରତିବାଦରେ ଦେଶର ସବୁ ବିଶ୍ଵ ବିଦ୍ୟାଳୟ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ବମ୍ବେ ବିଶ୍ଵ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଭାଷାରେ- ଯଦି ଦିଲ୍ଲୀରେ ଛାତ୍ରଙ୍କ ଉପରେ ଆକ୍ରମଣ ହୁଏ ତାହେଲେ ମୁମ୍ବାଇ ର ଛାତ୍ରମାନେ ତାର ଜବାବ ଦେବେ। ଯଦି ମୁମ୍ବାଇ ଛାତ୍ରଙ୍କୁ ଚପାଇଦେବ, ତାହେଲେ ତାର ଉତ୍ତର କେରଳ କି କୋଲକତାର ଛାତ୍ର ଦେବେ“ । ସହଜ ଏବଂ ସ୍ଵାଭାବିକ ଭାବରେ ଆରମ୍ଭ ହୋଇଥିବା ଏହି ଛାତ୍ର ଅସନ୍ତୋଷକୁ ପ୍ରଥମେ ଦେଶଦ୍ରୋହୀ ବୋଲି କହିବାର ଚେଷ୍ଟା ବିଜେପି ତରଫରୁ କରାଯାଇଥିଲା। ପୂର୍ବରୁ ଜୱାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଯେମିତି ମିଛ ଭିଡିଓ ଦେଖାଇ ଛାତ୍ରଙ୍କ ବିରୋଧରେ ଅଭିଯୋଗ ଅଣା ଯାଇଥିଲା, ଜାମିଆ ରେ ମଧ୍ୟ ସେହି ଉଦ୍ୟମ ହୋଇଥିଲା। ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବ୍ୟ ଓ ବିଜେପିର ଇଉପିଏ ସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ମିଛ ଭିଡିଓ ମାଧ୍ୟମରେ ଛାତ୍ରଙ୍କୁ ବଦନାମ କରିବାର ଉଦ୍ୟମ କରିଥିଲେ। ତେବେ ଏହି ଷଡଯନ୍ତ୍ରକୁ ଦେଶର କେତେକ ଦାୟିତ୍ଵବାନ ଗଣମାଧ୍ୟମ ତୁରନ୍ତ ପଦାରେ ପକାଇ ଦେଇଥିଲେ। ଏତେ ବଡ ଛାତ୍ର ଆନ୍ଦୋଳନ ଓ ଏହାର ବ୍ୟାପକତା ଦେଖି, ଏହାକୁ ଦେଶଦ୍ରୋହୀ ବୋଲି କହିବାର ସାହସ ଆଉ ବିଜେପିର ହେଲାନାହିଁ। ହଠାତ ଗତକାଲି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହି ଆନ୍ଦୋଳନକୁ କଂଗ୍ରେସ ଓ ବିରୋଧୀଙ୍କ ସମର୍ଥନ ରହିଛି ବୋଲି କହିବା ଆରମ୍ଭ କଲେ।

ଯଦି ସତରେ ଏତେ ବଡ ଛାତ୍ର ଆନ୍ଦୋଳନକୁ ସଂଗଠିତ କରିବାର କ୍ଷମତା କଂଗ୍ରେସର ଥାଆନ୍ତା, ତାହେଲେ ତାକୁ କଂଗ୍ରେସର ସାମର୍ଥ୍ୟ ବୋଲି ଆମେ ଭାବନ୍ତୁ। ଆଜିର ତାରିଖରେ କଂଗ୍ରେସ ସବୁଠୁ ଦୁର୍ବଳ ଓ ଅସଂଗଠିତ। ରାଷ୍ଟ୍ରୀୟ ସ୍ତରରେ କୌଣସି ରାଜନୈତିକ ଦଳ ନାହାନ୍ତି, ଯେଉଁମାନେ ଛାତ୍ର ଓ ଯୁବକଙ୍କୁ ସରକାର ବିରୋଧରେ ସଂଗଠିତ କରିପାରିବେ। ଆଜି ସରକାର ବିରୋଧରେ ଏ ଯେଉଁ ବ୍ୟାପକ ଛାତ୍ର ଓ ଯୁବ ଅସନ୍ତୋଷ ଦେଖାଦେଇଛି, ଏହାର ଶ୍ରେୟ କେବଳ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ ବ୍ୟତୀତ ଆଉ କେହି ନେଇ ପାରିବେ ନାହିଁ। ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜିଦ ଯୋଗୁଁ ନାଗରିକତା ସଂଶୋଧନ ଆଇନକୁ ନେଇ ଏତେ ବଡ ପରିବେଶ ସୃଷ୍ଟି ହେଲା। ଅର୍ଥନୈତିକ ମାନ୍ଦାବସ୍ଥା ଓ  ବ୍ୟାପକ ଭାବରେ ଉତ୍ତର ପ୍ରଦେଶରେ ଘଟି ଚାଲିଥିବା ନାରୀ ନିର୍ୟାତନା ତଥା ଧର୍ଷଣ ବିରୋଧରେ ସୃଷ୍ଟି ହେଉଥିବା ଜନ ଅସନ୍ତୋଷକୁ ଚପାଇ ଦେବାକୁ ନାଗରିକ ସଂଶୋଧନ ଆଇନକୁ ଏକ ଅସ୍ତ୍ର ଭାବରେ ବିଜେପି ସରକାର ବ୍ୟବହାର କରିବାକୁ ଚାହିଁଥିଲେ। ଦୁର୍ଭାଗ୍ୟକ୍ରମେ ସେ ଅସ୍ତ୍ର ଆଜି ବୁମେରାଂ ପାଲଟି ବିଜେପିକୁ ଗୋଡାଉଛି।

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭଲଭାବରେ ଜାଣିଥିଲେ ଯେ ଉତ୍ତରପୂର୍ବ ରାଜ୍ୟ ଓ ଦକ୍ଷିଣ ଭାରତରେ ଏହି ଆଇନକୁ ନେଇ ବ୍ୟାପକ ବିରୋଧ ହେବ। ଏହି ଆଇନରେ ଶ୍ରୀଲଙ୍କାରେ ନିର୍ୟାତିତ ହେଉଥିବା ତାମିଲ ହିନ୍ଦୁ ଓ ମିଆଁମାରର ହିନ୍ଦୁ ରୋହିଙ୍ଗିୟା ( ଭକ୍ତମାନେ ବୁଝିବା ଦରକାର ରୋହିଙ୍ଗିୟା କେବଳ ମୁସଲମାନ ନୁହନ୍ତି) ଙ୍କୁ ସାମିଲ କରା ଯାଇନଥିବାରୁ ଏହା ବିପକ୍ଷରେ ଦକ୍ଷିଣ ଭାରତରେ ମଧ୍ୟ ତୀବ୍ର ଅସନ୍ତୋଷ ରହିଛି। ଉତ୍ତରପୂର୍ବ ରାଜ୍ୟ ଗୁଡିକ ନିଜର ଅସ୍ମିତା ଓ ସାଂସ୍କୃତିକ ପରିଚୟକୁ ନେଇ ଚିନ୍ତିତ ଥିବାବେଳେ ଏହି ଆଇନର ପ୍ରଭାବରେ ଯେ ଏକ ଭୟଙ୍କରସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି ହେବାକୁ ଯାଉଛି, ତାକୁ ନେଇ ପ୍ରତ୍ୟେକ ନାଗରିକ ଚିନ୍ତିତ ହେବା ସ୍ଵାଭାବିକ। ତେଣୁ ଏହି ଆଇନକୁ ନେଇ ବିଜେପି ଯେଉଁ ଉତ୍ତେଜନା ସୃଷ୍ଟି କରିବାକୁ ଚାହିଁଥିଲା, ତାହା ବିଜେପି ବିରୋଧରେ ହିଁ ଅସନ୍ତୋଷର କାରଣ ହେଲା।

ଏହି ଅସନ୍ତୋଷ ଓ ହିଂସ୍ର ଆନ୍ଦୋଳନ ଲାଗି କଂଗ୍ରେସ ଦାୟୀ ବୋଲି ବିଜେପିର ଅଭିଯୋଗ ଅତ୍ୟନ୍ତ ହାସ୍ୟାସ୍ପଦ। କଂଗ୍ରେସ ନିଜ ନେତୃତ୍ବକୁ ନେଇ ଆଜି ସଙ୍କଟରେ। ସରକାର ବିରୋଧରେ ଛୋଟିଆ ରାଲି ବା ସଭାଟିଏ କରିବାକୁ କଂଗ୍ରେସ ସମର୍ଥ ହୋଇ ପାରୁନାହିଁ। ସେଥିରେ ଏତେ ବଡ ଆନ୍ଦୋଳନ କଂଗ୍ରେସର ପ୍ରରୋଚନାରେ ଚାଲୁଛି ବୋଲି କହି ପ୍ରଧାନମନ୍ତ୍ରୀ କଂଗ୍ରେସର ଓଜନକୁ  ବେଶ ବଢାଇ ଦେଇଛନ୍ତି। ବିନା ଉଦ୍ୟମରେ ଏହି ଆଂଦୋଳନର ରାଜନୈତିକ ଶ୍ରେୟ କଂଗ୍ରେସ ଓ ବିରୋଧୀଙ୍କ ହାତକୁ ଯାଉଛି। ସେଥିଲାଗି କଂଗ୍ରେସ ଓ ବିରୋଧୀ ନେତାମାନେ ବିଜେପିକୁ ଧନ୍ୟବାଦ ଦେବା ଉଚିତ।

ଛାତ୍ରମାନେ ଯେତେବେଳେ ପୋଲିସ ଜୁଲମର ଶିକାର ହେଉଥିଲେ ସେତେବେଳେ କୌଣସି ରାଜନୈତିକ ଦଳ ସେମାନଙ୍କ ସମର୍ଥନରେ ବାହାରି ନାହାନ୍ତି। ଆଜି ଯେତେବେଳେ ସାରା ଦେଶର ଛାତ୍ର ଏକାଠି ହୋଇ ସରକାର ବିରୋଧରେ ଓ ସମ୍ବିଧାନର ଆଦର୍ଶ ବିରୋଧୀ ନାଗରିକତା ସଂଶୋଧନ ଆଇନ ବିରୋଧରେ ଦୃଢତାର ସହ ପ୍ରତିବାଦ କରୁଛନ୍ତି, ସେତେବେଳେ ରାଜନୈତିକ ଦଳ ଗୁଡିକ ଏହାକୁ ସମର୍ଥନ କରିବାକୁ ବାଧ୍ୟ ହେଉଛନ୍ତି।

ବିଜେପି ସରକାର ଏହି ଆନ୍ଦୋଳନକୁ ବିରୋଧୀଙ୍କ ନ୍ୟସ୍ତସ୍ଵାର୍ଥ ବୋଲି ଯେତେ କହିଲେ ମଧ୍ୟ ଏହା ଯେ ଆଜି ସବୁଠୁ ବଡ ସରକାର ବିରୋଧୀ ଆଂଦୋଳନର ରୂପ ନେଇଛି, ତାକୁ ମାନିବାକୁ ବାଧ୍ୟ। ଏହି ଆନ୍ଦୋଳନକୁ ଯଦି ଶୀଘ୍ର ପ୍ରଶମିତ କରା  ନଯାଏ ତାହେଲେ ଦେଶର ଅର୍ଥନୀତି ଯେଉଁ ସ୍ଥିତିରେ ଅଛି, ତାହା ଆହୁରି ଭୟଙ୍କର ଅବସ୍ଥାକୁ ଚାଲିଯିବ। ସାମାଜିକ ଶାନ୍ତି ନ ରହିଲେ ଅର୍ଥନୈତିକ ପ୍ରଗତି ସମ୍ଭବ ନୁହେଁ, ଏକଥା ନରେନ୍ଦ୍ର ମୋଦୀ ଓ ଅମିତ ଶାହ ଯଥାଶୀଘ୍ର ବୁଝିଯିବା ଉଚିତ। ଧାର୍ମିକ ବିଭାଜନ ମାଧ୍ୟମରେ ଭୋଟ ହାତେଇବାର ରାଜନୀତି ହୁଏତ ଥରେ କି ଦୁଇ ଥର ସଫଳ ହୋଇପାରେ, ହେଲେ ଏହା ଚିରସ୍ଥାୟୀ ନୁହେଁ।

ତେଣୁ ଆମର କହିବାର କଥା ହେଉଛି, ପ୍ରଧାନମନ୍ତ୍ରୀ ମହାଶୟ! ସରକାର ବିରୋଧୀ ଏ ବିରାଟ ଛାତ୍ର ଆନ୍ଦୋଳନ ପାଇଁ ଆପଣ ହିଁ ଏକମାତ୍ର ଦାୟୀ। ଏଥିରେ କଂଗ୍ରେସକୁ ଶ୍ରେୟ ଦେଇ ଆପଣଙ୍କୁ କିଛି ମିଳିବାର ନାହିଁ।