Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ମହାପ୍ରଭୃଙ୍କ ଗଜ ଉଦ୍ଧାରଣ ବେଶ, ପ୍ରତି ମାଘ ପୂର୍ଣ୍ଣିମାରେ ହୋଇଥାଏ ଏହି ବେଶ

ପୁରୀ,  ଆଜି ମାଘ ପୂର୍ଣ୍ଣିମା ଉପଲକ୍ଷ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁ ଗଜ ଉଦ୍ଧାରଣ ବେଶରେ ସଜ୍ଜିତ ହେବେ। ମଧ୍ୟାହ୍ନ ଧୂପ ଓ ସର୍ବାଙ୍ଗ ନୀତି ପରେ ଏହି ବେଶ ଅନୁଷ୍ଠିତ ହୁଏ । ଗବେଷକ ପଦ୍ମଶ୍ରୀ ସଦାଶିବ ରଥଶର୍ମାଙ୍କ ମତରେ ଭୌମ ବଂଶର ରାଣୀ ବକୁଳ ମହାଦେବୀ ଏହି ବେଶ ପ୍ରଥମେ ପ୍ରଚଳନ କରାଇଥିଲେ। ଏହାପରେ କିଛି ବର୍ଷ ପାଇଁ ଏ ବେଶ ହୋଇନଥିଲା। ଖୀଷ୍ଟାବ୍ଦ ୧୫୭୫ରେ ରାମଚନ୍ଦ୍ର ଦେବ ଏହି ବେଶର ପୁନଃ ପ୍ରଚଳନ କରାଇଥିଲେ। ମାଘ ପୂର୍ଣ୍ଣମୀ ଦିନ ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସରି ମଇଲମ ହେବା ପରେ ତିନି ବାଡ଼ରେ ଗଜ ଉଦ୍ଧାରଣ ବେଶ ହୁଏ।

ଭିତରଛୁ, ତଳିଛୁ, ପୁଷ୍ପାଳକ, ନିଯୋଗୀ ଖୁଣ୍ଟିଆ ଓ ମେକାପମାନଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦିତ ହୁଏ। ଠାକୁରମାନେ ଏହି ବେଶରେ ଚୁଳ, କିରୀଟ, କର୍ଣ୍ଣକୁଣ୍ଡଳ, ସୂର୍ଯ୍ୟଚନ୍ଦ୍ର, ଅଣ୍ଟାପଟି, ହାତ, ଦାରୁବନ୍ଧ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ ଓ ମୂଷଳ ପ୍ରଭୃତି ଲାଗି ହୁଅନ୍ତି। ବିଶ୍ୱାସ କରାଯାଏ, ଗଜ ଉଦ୍ଧାରଣ ବେଶ ଦର୍ଶନ କରି ଭକ୍ତିର ସହିତ ଗଜେନ୍ଦ୍ର ସ୍ତୁତି ପାଠ କଲେ ଅପାର ପୁଣ୍ୟ ଲାଭ ହୁଏ।

Categories
ବିଶେଷ ଖବର

ଦାରୁ ଫିକ୍ସିଙ୍ଗ ନା ନ୍ୟୁଜ ଫିକ୍ସିଙ୍ଗ

କେଦାର ମିଶ୍ର

ମହାପ୍ରଭୁ ଜଗନ୍ନାଥଙ୍କ ଲୀଳାଖେଳାକୁ ନେଇ ବହୁ କାହାଣୀ, କିମ୍ବଦନ୍ତୀ, ଲୋକ ବିଶ୍ଵାସ ଓ ସାହିତ୍ୟକୁ ଆମେ ଅନୁଭବିଛୁମୂଳତଃ ଈଶ୍ଵର ଏକ ସାମାଜିକ ବିଶ୍ଵାସତାଙ୍କୁ ନେଇ ଯେଉଁ ପରମ୍ପରା ଗଢି ଉଠିଥାଏ ସେଥିରେ ତର୍କ ଓ ବିଜ୍ଞାନ ତୁଳନାରେ ଆବେଗ ର ମାତ୍ରା ଅଧିକଜଗନ୍ନାଥ ସଂସ୍କୃତି ସେଥିରୁ ଭିନ୍ନ ନୁହେଁଏହା ଓଡିଆଙ୍କ ବିଶ୍ବାସର ମୂଳମଞ୍ଜିଜଗନ୍ନାଥ ସବୁଠି, ଅଣୁ ଅଣୁରେ ବିରାଜମାନ ଅଛନ୍ତିତାଙ୍କ ପରମ୍ପରା ମୂଳରେ ଏକ ସାମାଜିକ ବିଶ୍ଵାସ ରହିଆସିଛିସେ ବିଶ୍ଵାସ ଆଧାରରେ ଗଢି ଉଠିଛି ପରମ୍ପରା, କର୍ମକାଣ୍ଡ, ପୂଜା ପଦ୍ଧତି ଓ ନୀତିକାନ୍ତିହେଲେ ଏଇ ଦୁଇ ବର୍ଷ ହେଲା ଲାଗୁଛି, ଜଗନ୍ନାଥ ଆଉ ଭାବ ବା ବିଶ୍ବାସର ଠାକୁର ନୁହନ୍ତି, ସେ ଟେଲିଭିଜନ ଚ୍ୟାନେଲ ଗୁଡିକ ପାଇଁ ଏକମାତ୍ର ରୋଚକ ଖବରନିଜକୁ ପ୍ରାସଙ୍ଗିକ କରିବା ପାଇଁ ହେଉ ବା ଟେଲିଭିଜନ ରେଟିଂ ପଏଣ୍ଟ ବା ଟିଆରପି ବଢାଇବାର ବିକଳ ପ୍ରୟାସରେ ଗଣମାଧ୍ୟମ ଏବେ ଜଗନ୍ନାଥଙ୍କ ପ୍ରତି ରହିଥିବା ସାମାଜିକ ଆସ୍ଥା ଉପରେ ଭୟଙ୍କର ପ୍ରଶ୍ନଚିହ୍ନ ଲଗାଇଚାଲିଛି

ଗୋଟେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମ ଧର୍ମ ନିରପେକ୍ଷ ଓ ବ୍ୟକ୍ତିଗତ ଆସ୍ଥା ପ୍ରତି ଉଦାସୀନ ହେବା ଉଚିତ ବୋଲି ଆଶା କରାଯାଇଥାଏକିନ୍ତୁ ଓଡିଶାର ଗଣମାଧ୍ୟମ ନିଜକୁ ଜଗନ୍ନାଥଙ୍କ ଲୋକ ସମ୍ପର୍କ ଅଧିକାରୀ ବୋଲି ଭାବିନେଇଛନ୍ତି। ଆପାତତଃ ପ୍ରତିଦିନ ଜଗନ୍ନାଥ ମନ୍ଦିରକୁ ନେଇ କିଛି ନା କିଛି ଖବର ଲୋକଙ୍କ ପାଖରେ ପହଞ୍ଚୁଛି। ଆମର ଯାହା ମନେ ଅଛି, ଆଠ ଦଶ ବର୍ଷ ଆଗରୁ କେବଳ ରଥଯାତ୍ରା ସମୟରେ ଜଗନ୍ନାଥ ମନ୍ଦିର ଓ ଶ୍ରୀ ଜଗନ୍ନାଥ ଗଣମାଧ୍ୟମର ଆକର୍ଷଣ ଥିଲେ। ଏବେ କିନ୍ତୁ ଲାଗୁଛି ୨୪x୭ ଘଣ୍ଟା, କେବଳ ଜଗନ୍ନାଥ ହିଁ  ଓଡିଶାର ଏକମାତ୍ର ଖବର।

ଜଗନ୍ନାଥଙ୍କୁ ନେଇ ଖବର ପରିବେଷଣ କରିବାର ପାଗଳ ପ୍ରତିଯୋଗିତାରେ ଆମେ ଏମିତି ଶବ୍ଦ ଓ ବାକ୍ୟ ସବୁ ପ୍ରୟୋଗ କରୁଛୁ, ଯାହାକି ଜଗନ୍ନାଥ ସଂସ୍କୃତି ଓ ଆସ୍ଥା ପ୍ରତି ଘୋର ଅପମାନଜନକ। ନବ କଳେବର ବର୍ଷଠୁ ଆମେ କହି ଚାଲିଛୁ, “ବ୍ରହ୍ମ ବିଭ୍ରାଟ”ୟାର ଅର୍ଥ କଣ? ବ୍ରହ୍ମ କଣ ବିଭ୍ରାଟର ସାମଗ୍ରୀ? ହୁଏତ କୌଣସି ଏକ ନୀତିକାନ୍ତି ବିଳମ୍ବିତ ହୋଇଥିବ ବା ଅନିୟମିତ ହୋଇଥିବସେଥିରେ ବ୍ରହ୍ମ ବିଭ୍ରାନ୍ତି ଆସିବ କାହିଁକି? ବ୍ରହ୍ମ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି- ସର୍ବତୋ ବୃହତାତ ବ୍ରହ୍ମ, ଯିଏ ସବୁଠୁ ବଡ ସେ ବ୍ରହ୍ମ। ଯିଏ ସବୁଠୁ ବଡ, ତାଙ୍କୁ ଛୋଟିଆ ବିଭ୍ରାଟରେ କାଇଁ ଟଣା ହେଉଛି? କାଳ କାଳରୁ ଆମେ ଶୁଣି ଆସୁଛୁ, ବ୍ରହ୍ମ ପରିବର୍ତ୍ତନ ଅତ୍ୟନ୍ତ ଗୋପନୀୟ ଲୀଳାଅଥଚ ତାର ରହସ୍ୟ ଫିଟାଇ ଦେବାରେ ଆମର କି ଆଗ୍ରହ? ଏହା ସହିତ ଦଇତାପତି ସେବକମାନଙ୍କୁ ଏକପ୍ରକାର ଖଳନାୟକ ଭାବରେ ଚିତ୍ରଣ କରିବାର ନିକୃଷ୍ଟ ଉଦ୍ଦେଶ୍ୟ ମଧ୍ୟ ରହିଛି। ଇନ୍ଦ୍ର ନୀଳମଣି ପୁରାଣ, ନୀଳାଦ୍ରି ମହୋଦୟ ଏବଂ ମନ୍ଦିର ସ୍ଵତ୍ତ୍ଵଲିପି ଅନୁଯାୟୀ ନବ କଳେବର ବିଧାନ ସଂପୂର୍ଣ୍ଣ ଭାବରେ ଦଇତାପତି ସେବାର ନିଜସ୍ଵ ଗୋପନ ଅଧିକାରସେ ଗୋପନୀୟତାକୁ ଭାଙ୍ଗିବା ଲାଗି ଆମେ ଏତେ ତତ୍ପର କାହିଁକି?

ଏବେ ଆଉ ଗୋଟେ ସାଂଘାତିକ କଥା ଉଠିଲାଣି- ଦାରୁ ଫିକ୍ସିଙ୍ଗ ଯେମିତି ଟେଣ୍ଡର ଫିକ୍ସିଙ୍ଗ, ମ୍ୟାଚ ଫିକ୍ସିଙ୍ଗ କିମ୍ବା ଖବର ଫିକ୍ସିଙ୍ଗ ଏଠି ପ୍ରଶ୍ନ ଉଠିଛି, ଏ ପ୍ରକାର ଖବରର ସୂତ୍ରଟି କଣ? ଏମିତି ଏକ ଅନାବଶ୍ୟକ ପ୍ରସଙ୍ଗକୁ  ପ୍ରମୁଖ ଖବର କଲାବେଳେ ରତ୍ନ ସିଂହାସନ ଉପରେ ଯେଉଁ ମହାଦାରୁ ବସିଛନ୍ତି, ତାଙ୍କପ୍ରତି ଆମେ କି ଭକ୍ତି ଦେଖାଉଛେ? ନବ କଳେବରର ତିନି ବର୍ଷ ପରେ ଜଣେ ବିଶ୍ଵକର୍ମା ସେବକ କହୁଛନ୍ତି, ଦାରୁ ପୋଲା ଥିଲେସେବକ ଜଣକ ଏମିତି ଗୋଟେ ବୟାନ ଦେଲା ବେଳେ  ତାଙ୍କ ମସ୍ତିଷ୍କରେ ପୁରୀର ପ୍ରସିଦ୍ଧ ଭାଙ୍ଗର ପ୍ରଭାବ ଥିଲା କି ନାଇଁ, ସେକଥା ଅବଶ୍ୟ ସାମ୍ବାଦିକମାନେ ପରୀକ୍ଷା କରିନଥିବେ। ପୋଲା ଦାରୁରେ ଠାକୁରଙ୍କ ନବ କଳେବର ହୋଇଛି ବୋଲି କହି, ଲୋକଙ୍କ ଆସ୍ଥା ସହିତ ଏ ଯେଉଁ ଭୟଙ୍କର ଖେଳ ଚାଲିଛି, ସେଥିରେ ଆଉ କେହି ନୁହଁ, ସ୍ଵୟଂ ଜଗନ୍ନାଥ ହିଁ ଅବିଶ୍ବାସର ସଙ୍କେତ ପାଲଟି ଯାଉଛନ୍ତି!! ପ୍ରତିଷ୍ଠିତ ଓ ବ୍ରହ୍ମ-ଅଭିଷିକ୍ତ ଦାରୁଙ୍କ ପ୍ରତି ଏ ପ୍ରକାର ଅପମାନକୁ ଖବର ବୋଲି ଦେଖେଇଲାବେଳେ ଆମକୁ ଲାଜ ଲାଗୁନାହିଁଜଗନ୍ନାଥଙ୍କୁ ବି ବିକିଦେଲେ” ଭଳି ପଦ ଲେଖିଲା ବେଳେ ଆମେ ଭୁଲିଯାଉଛୁ ଯେ, ଜଗନ୍ନାଥ ବିକ୍ରୟଯୋଗ୍ୟ ନୁହନ୍ତି

ମନ୍ଦିର ସେବାୟତଙ୍କ ଭିତରେ ରହିଥିବା ଗୋଷ୍ଠୀ ବିବାଦ ଓ ରାଜନୈତିକ ଲାଭ ଉଠାଇବାର ପାଗଳ ପ୍ରତିଯୋଗିତାରେ ଏବେ ଜଗନ୍ନାଥଙ୍କୁ ପଶାପାଲିର ଗୋଟି ଭାବରେ ଓଡିଶାର ଗଣମାଧ୍ୟମ ବ୍ୟବହାର କରୁଛି। ଲୋକଙ୍କ ଭିତରେ ରହିଥିବା ଭାବାବେଗକୁ ରାଜନୈତିକ ଦୃଷ୍ଟିରୁ ଭାଗ ଭାଗ କରିବା ଲାଗି ଏ ଯେଉଁ ପାଗଳାମୀ ଚାଲିଛି, ସେଥିରେ ଜଗନ୍ନାଥଙ୍କ ପ୍ରତି ଅନାସ୍ଥା ଓ ଅସମ୍ମାନ କୁ ଆମେ ବଢ଼ାଇଚାଲିଛୁରାଜନୀତିର ଖେଳ ପାଇଁ ବହୁ ପ୍ରସଙ୍ଗ ରହିଛିଅନ୍ତତଃ ସେଥିରେ ଏ ଜାତିର ମହାଦେବତାଙ୍କୁ ବ୍ୟବହାର କରାନଯାଉନିଜର ଛୋଟ ଛୋଟ ସ୍ଵାର୍ଥ ସାଧନ ଲାଗି ଓ ସରକାରକୁ ଅସୁବିଧାରେ ପକାଇବା ଲାଗି ଜଗନ୍ନାଥଙ୍କ ସେବାପୂଜାକୁ ବାରମ୍ବାର  ବ୍ୟବହାର କଲେ ଏହାର ଫଳ ବିପରୀତ ମଧ୍ୟ ହୋଇପାରେ

ବ୍ରହ୍ମ ବିଭ୍ରାଟ ଅପେକ୍ଷା ଏ ପ୍ରସଙ୍ଗରେ କେତୋଟି ଟିଭି ଚ୍ୟାନେଲ ର ମସ୍ତିଷ୍କ ବିଭ୍ରାଟ ବେଶୀ ଚିନ୍ତାର ବିଷୟ। ସେହିପରି ଦାରୁ ଫିକ୍ସିଙ୍ଗ ନା ନ୍ୟୁଜ ଫିକ୍ସିଙ୍ଗ, ଏହାର ସତ୍ୟାସତ୍ୟ ଜାଣିବା ମଧ୍ୟ ଜରୁରୀ