Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ଭାରତ ଫେରିବା ପରେ ଅଲିମ୍ପିକ ପଦକ ବିଜୟିନୀ ପି.ଭି. ସିନ୍ଧୁଙ୍କୁ ଭବ୍ୟ ସ୍ଵାଗତ

ନୂଆଦିଲ୍ଲୀ, ପ୍ରଥମ ଭାରତୀୟ ମହିଳା ଭାବେ ଲଗାତାର ଦୁଇଟି ଅଲିମ୍ପିକ୍ସ କ୍ରୀଡ଼ାରେ ପଦକ ଜିତି ଇତିହାସ ରଚିଥିବା ତାରକା ବ୍ୟାଡମିଣ୍ଟନ ଖେଳାଳୀ ପି. ଭି. ସିନ୍ଧୁ ସ୍ଵଦେଶ ଫେରିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଟୋକିଓ ୨୦୨୦ ଅଲିମ୍ପିକ୍ସରେ ପ୍ରତିପକ୍ଷ ଖେଳାଳୀ ହି ବିଂ ଜିଆଓଙ୍କୁ ସିଧାସଳଖ ଗେମରେ ପରାସ୍ତ କରି ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ସିନ୍ଧୁ ଓ ତାଙ୍କ କୋଚ ପାର୍କ ତାଏ ସ୍ୟାଙ୍ଗଙ୍କୁ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧନା ଜଣାଇବା ଅବସରରେ ଶ୍ରୀ ଠାକୁରଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, କେନ୍ଦ୍ର ସଂସ୍କୃତି, ପଯ୍ୟଟନ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜି କିଷନ ରେଡ୍ଡୀ ଏବଂ ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଷିଥ ପରମାଣିକ, କ୍ରୀଡ଼ା ସଚିବ ଶ୍ରୀ ରବି ମିତ୍ତଲ ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସିନ୍ଧୁଙ୍କ ମାତାପିତା ପି ବିଜୟା ଏବଂ ପିଭି ରମନା ହାଇଦ୍ରାବାଦରୁ ଏହି କାର‌୍ୟ୍ୟକ୍ରମ ପାଇଁ ବିଶେଷ ଭାବେ ଯାତ୍ରା କରିଥିଲେ। ସାଂସଦ ଶ୍ରୀ ଶ୍ୟାମବାବୁ ରାଓ, ବନ୍ଦି ସଞ୍ଜୟ କୁମାର, ଅରବିନ୍ଦ ଧର୍ମପୁରୀ ଏବଂ ଟିଜି ଭେଙ୍କଟେଶ ମଧ୍ୟ ଏହି କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଶ୍ରୀ ଠାକୁର କହିଥିଲେ, “ପିଭି ସିନ୍ଧୁ ଭାରତର ପରିଚୟ ଓ ପ୍ରେରଣା ଏବଂ ଦେଶ ପାଇଁ ଖେଳିବାକୁ ସ୍ଵପ୍ନ ଦେଖୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ସେ ଅନୁପ୍ରାଣିତ କରିଛନ୍ତି । ପିଭି ସିନ୍ଧୁ ଭାରତର ମହାନ ଅଲିମ୍ପିଆନମାନଙ୍କ ମଧ୍ୟରୁ ଅନ୍ୟତମ । ସେ କହିଥିଲେ ଯେ ଟୋକିଓ ଅଲିମ୍ପିକ୍ସ ପାଇଁ ଗସ୍ତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ସିନ୍ଧୁ ପଦକ ଜିତିବା ପରେ ପ୍ରଥମ ବ୍ୟକ୍ତି ଭାବେ ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଥିଲେ। ସିନ୍ଧୁ ତାଙ୍କର ପ୍ରଦର୍ଶନ ଦ୍ବାରା ୧୩୦ କୋଟି ଭାରତୀୟଙ୍କୁ ଗୌରବାନ୍ବିତ କରିଛନ୍ତି।

କାର୍ଯ୍ୟକ୍ରମରେ ଅତ୍ୟନ୍ତ ଉଲ୍ଲସିତ ଦେଖାଯାଉଥିବା ସିନ୍ଧୁ କହିଥିଲେ ଯେ ସେ ସେମିଫାଇନାଲରେ ବିଜୟୀ ହୋଇପାରି ନ ଥିବାରୁ ଦୁଃଖିତ, ତେବେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିଥିବାରୁ ଆନନ୍ଦିତ। କାର‌୍ୟ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଥିଲେ ଯେ ସିନ୍ଧୁ ଜଣେ ମହାନ କ୍ରୀଡ଼ା ତାରକା ଏବଂ ସେ ବାରମ୍ବାର ଏହାକୁ ପ୍ରମାଣିତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପରମାଣିକ ମଧ୍ୟ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ଅଲିମ୍ପିକ୍ସ ପାଇଁ ସିନ୍ଧୁଙ୍କୁ ପ୍ରସ୍ତୁତ କରିବା ଲାଗି ଭାରତ ସରକାର ପାଖାପାଖି ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କୁ ୫୨ଟି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ଏବଂ ତାଙ୍କ ପାଇଁ ହାଇଦ୍ରାବାଦରେ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମର ଆୟୋଜନ କରିବା ଲାଗି ସୁବିଧା ଯୋଗାଇ ଦିଆଯାଇଥିଲା। ତେଲଙ୍ଗାନା ସରକାରଙ୍କ ସହ ମିଶି ତାଙ୍କ ପାଇଁ ଅଲିମ୍ପିକ୍ସ ଗେମ ପୂର୍ବରୁ ଗୋଚ୍ଛିବୋଲି ଷ୍ଟାଡିୟମରେ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଥିଲା।

ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ ୪୯ କିଗ୍ରା ବର୍ଗରେ ରୋପ୍ୟ ପଦକ ହାସଲ କରିବା ପରେ ଦ୍ବିତୀୟ ଭାରତୀୟ ଖେଳାଳୀ ଭାବେ ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିଛନ୍ତି। ସେହିପରି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଥିବା ବକ୍ସର ଲୋଭଲିନା ବୋର୍ଗୋହେନ ୬୯ କିଗ୍ରା ବର୍ଗର ସେମି ଫାଇନାଲରେ ତୁର୍କୀର ବୁସେନାଜ ସୁର୍ମେନେଲିଙ୍କୁ ବୁଧବାର ଦିନ ଭେଟିବେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ସିନ୍ଧୁଙ୍କ ଟୁଇଟ୍‌କୁ ନେଇ ଦ୍ବନ୍ଦ୍ବରେ ପ୍ରଶଂସକ

ନୂଆଦିଲ୍ଲୀ : ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ପିଭି ସିନ୍ଧୁଙ୍କ ଟୁଇଟ୍‌କୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି ।  ସୋମବାର ନିଜର ଟ୍ୱିଟ୍ଟର ଟାଇମଲାଇନରେ ‘ଆଇ ରିଟାୟର’ ବୋଲି ଏକ ପୋଷ୍ଟ କରିବା ସହିତ ଏକ ଚିଠି ମଧ୍ୟ ପୋଷ୍ଟ କରିଛନ୍ତି । ଏକମାତ୍ର ଭାରତୀୟ ସଟଲର ଭାବରେ ଅଲମ୍ପିକ୍ସ ରେ ରୌପ୍ୟ ପଦକ ବିଜୟିନୀ ସିନ୍ଧୁଙ୍କ ଏହି ନିଷ୍ପତ୍ତି ଫ୍ୟାନ ମାନଙ୍କୁ ଚକିତ କରି ଦେଇଛି । ଏହି ପୋଷ୍ଟଟି ତୁରନ୍ତ ଭାଇରାଲ ହେବା ସହିତ ଅନେକ ପ୍ରଶଂସକ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି ।

ସେ ଏହି ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ‘ନିଜ ମନ ମଧ୍ୟରେ ରହିଥିବା ଭାବନାରୁ ବାହାରିବା ପାଇଁ ବିଗତ କିଛି ଦିନ ହେବା ଚେଷ୍ଟା କରୁଛି, ତେବେ ଏହା ସହ ମୁକାବିଲା କରିବା ସହଜ ମନେ ହେଉନାହିଁ, ତେଣୁ ଆଜି ଏହା ଲେଖୁଛି । ପଡିଆରେ ପ୍ରତିପକ୍ଷଙ୍କୁ ହରାଇବା ପାଇଁ ସାରା ଜୀବନ ଚେଷ୍ଟା କରିହେବ ମାତ୍ର ନିଜ ମଧ୍ୟରେ ଚାଲିଥିବା ଅନ୍ତଦ୍ୱର୍ନ୍ଦକୁ ହରାଇବା ସହଜ ନୁହେଁ। ଦେଖାଯାଉଥିବା ଏହି ଭାଇରସର ମୁକାବିଲା କରିବାରେ ମୁଁ ବିଫଳ ହୋଇଛି । କରୋନା ମହାମାରୀ ଲକଡାଉନ ସମୟରେ ବିତାଇଥିବା ଏକାନ୍ତ ସମୟରେ ନିଜକୁ ପ୍ରଶ୍ନକରି କିଛି ଉତ୍ତର ପାଇଛି । ଏପରିକି ଶେଷ ଥର ପାଇଁ ଡେନମାର୍କ ଓପନରେ ମୁଁ ଭାରତକୁ ପ୍ରତିନିଧିତ୍ୱ କରିପାରିଲି ନାହିଁ ।” ଏପରି ଏକ ଲମ୍ବା ଚିଠି ଲେଖିବା ସହିତ ନିଜର ଅବସର ସମ୍ପର୍କରେ ଘୋଷଣା କରିଛନ୍ତି ସିନ୍ଧୁ ।

PV Sindhu, Kidambi Srikanth to lead India's Thomas and Uber Cup squads,  preparatory camp cancelled - Sports News

ତେବେ ଶେଷକୁ ନିଜ ଅବସର ସମ୍ପର୍କିତ ଖବରକୁ ଖଣ୍ଡନ କରିଛନ୍ତି ସିନ୍ଧୁ । ଡେନମାର୍କ ଓପନରେ ଅଂଶଗ୍ରହଣ କରିନଥିଲେ ମଧ୍ୟ ଦୃଢ ମନୋବଳ ଏବଂ ଅଭ୍ୟାସର ସହିତ ଏସିଆ ଓପନକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସିନ୍ଧୁ ଉଲ୍ଲେଖ କରିଛନ୍ତି ।

Categories
ଖେଳ ବିଶେଷ ଖବର

୨୦୧୭ର ପ୍ରତିଶୋଧ ୨୦୧୯ରେ : ପ୍ରଥମ ଭାରତୀୟ ଭାବରେ ସିନ୍ଧୁଙ୍କୁ ବିଶ୍ବ ଚାମ୍ପିୟନ୍‌ସିପ୍‌ ଟାଇଟଲ୍‌

ସମୀକ୍ଷା ବ୍ୟୁରୋ

ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ବିଡବ୍ଲ୍ୟୁଏଫ୍‌ ବ୍ୟାଡମିଣ୍ଟନ ଚାମ୍ପିୟନ୍‌ସିପ୍‌ ହାସଲ କରିଛନ୍ତି। ଜାପାନର ନୋଜୋମି ଓକୁହାରାଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ସିନ୍ଧୁ ପ୍ରଥମ ଥର ବିଶ୍ବ ଚାମ୍ପିୟନ୍‌ସିପ୍‌ ହାସଲ କରିଛନ୍ତି। ଓକୁହାରାଙ୍କୁ ସିଧାସଳଖ ସେଟ୍‌ ୨୧-୭, ୨୧-୭ରେ ପରାସ୍ତ କରି ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଛନ୍ତି ସିନ୍ଧୁ। ଏହି ବିଜୟ ସହିତ ୨୦୧୭ ବିଶ୍ବ ଚାମ୍ପିୟନ୍‌ସିପ୍‌ ପରାଜୟର ପ୍ରତିଶୋଧ ନେଇଛନ୍ତି ସିନ୍ଧୁ। ଆଜିର ମ୍ୟାଚ୍‌ରେ ସିନ୍ଧୁ ପ୍ରାରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିଥିଲେ। ନିଜ ଉଚ୍ଚତାରୁ ଫାଇଦା ଉଠାଇ ସିନ୍ଧୁ ମ୍ୟାଚ୍‌କୁ ଅନାୟାସରେ ଜିତି ନେଇଥିଲେ। ପ୍ରଥମ ସେଟ୍‌ରେ ସିନ୍ଧୁ ୧୧-୨ର ଅଗ୍ରଣୀ ହାସଲ କରିଥିବା ବେଳେ ୨୧-୭ରେ ବିଜୟୀ ହୋଇଥିଲେ। ଦ୍ବିତୀୟ ସେଟ୍‌କୁ ମଧ୍ୟ ସମାନ ବ୍ୟବଧାନରେ ବିଜୟୀ ହୋଇଥିଲେ ସିନ୍ଧୁ।

ଏହି ବିଜୟ ସହିତ ସିନ୍ଧୁ ପ୍ରଥମ ଭାରତୀୟ ଏବଂ ମହିଳା ଭାବରେ ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ବିଜୟୀ ହୋଇଛନ୍ତି। ଏହି ମ୍ୟାଚ୍‌କୁ ସିନ୍ଧୁ ମାତ୍ର ୩୭ ମିନିଟ୍‌ର ସମୟ ନେଇ ବିଜୟୀ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସିନ୍ଧୁ ୨୦୧୩ ଏବଂ ୨୦୧୪ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ୨୦୧୭ ଏବଂ ୨୦୧୮ରେ ରୌପ୍ୟ ପଦକ ହାସଲ କରିଥିଲେ।

ସିନ୍ଧୁଙ୍କ ଏହି ବିଜୟ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଟ୍ବିଟ୍‌ କରିଛନ୍ତି । ଏହା ସହିତ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁ୍‌ଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏବଂ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ ଟ୍ବିଟ୍ଟର ଜରିଆରେ ସିନ୍ଧୁଙ୍କୁ ବିଜୟ ନେଇ ଶୁଭେଚ୍ଛା ଜଣାଇଛନ୍ତି ।

Categories
ଆଜିର ଖବର

ସିଙ୍ଗାପୁର ଓପନ୍‌ ବ୍ୟାଡମିଣ୍ଟନ୍‌ : ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ ଓ ସାଇନା

ସିିଙ୍ଗାପୁର ଓପନ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ସହଜ ବିଜୟ ହାସଲ କରିଛନ୍ତି ଦୁଇ ଭାରତୀୟ ସୁପରଷ୍ଟାର ପିଭି ସିନ୍ଧୁ ଏବଂ ସାଇନା ନେହ୍ବାଲ। ପ୍ରଥମେ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବା ସିନ୍ଧୁଙ୍କ ମୁକାବିଲା ସମ୍ପୂର୍ଣ୍ଣ ଏକପାଖିଆ ରହିଥିଲା। ସିନ୍ଧୁ ମାତ୍ର ୨୭ ମିନିଟ୍‌ ସମୟ ନେଇ ବିପକ୍ଷ ଖେଳାଳି ଲିଆନ୍ନି ଆଲେସିାନ୍ଦ୍ରା ମାନିଆକିଙ୍କୁ  ପରାସ୍ତ କରିଥିଲେ।  ସିନ୍ଧୁ ସିଧାସଳଖ ମୁକାବିଲାରେ ୨୧-୯ ଏବଂ ୨୧-୭ ସେଟ୍‌ରେ ବିଜୟୀ ହୋଇଥିଲେ। ଅନ୍ୟତମ ଭାରତୀୟ ଖେଳାଳି ସାଇନା ନେହ୍ବାଲ ୨୧-୧୬ ଏବଂ ୨୧-୧୧ ର ସିଧାସଳଖ ସେଟ୍‌ରେ ଇଣ୍ଡୋନେସିଆର ୟୁଲିଆ ଯୋଶେଫିନ୍‌ ସୁଶାନ୍ତୋଙ୍କୁ ପରାସ୍ତ କରିଥିଲେ। ସିନ୍ଧୁ ଦ୍ବିତୀୟ ରାଉଣ୍ଡରେ ଡେନ୍‌ମାର୍କର ମିଆ ବ୍ଲିଚ୍‌ଫେଲ୍ଡଙ୍କୁ ଭେଟିବେ। ଅପରପକ୍ଷରେ ସାଇନା ମୁଗ୍ଧା ଆଗ୍ରେ ଏବଂ ପର୍ପୋନାଓ୍ବି ଚୋଚୁଓ୍ବାଙ୍ଗଙ୍କ ମୁକାବିଲାରେ ବିଜୟୀ ଖେଳାଳିଙ୍କୁ ଭେଟିବେ। ମିକ୍ସଡ୍‌ ଡବଲ୍ସରେ ପ୍ରଣବ ଜେରୀ ଚୋପ୍ରା ଏବଂ ଏନ୍‌ ସିକ୍କି ରେଡ୍ଡୀ ଅର୍ଜୁନ ଏମ୍‌ଆର ଏବଂ କେ ମନୀଷାଙ୍କୁୂ ୨୧-୧୮ ଏବଂ ୨୧-୭ ସେଟ୍‌ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ଡବଲ୍ସରେ ମନୁ ଅତ୍ରି ଏବଂ ବି ସୁମିତ୍‌ ରେଡ୍ଡୀଙ୍କ ଯୋଡି ସ୍ଥାନୀୟ ଖେଳାଳି ଡ୍ୟାନି ବାଓ୍ବା କ୍ରିଷ୍ଟିଆନ୍‌ ଏବଂ କିନ୍‌ ହିନ୍‌ଙ୍କ ଯୋଡି ନିକଟରୁ ୧୩-୨୧ ଏବଂ ୧୭-୨୧ରେ ପରାଜିତ ହୋଇଥିଲେ।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )