୨୦୧୭ର ପ୍ରତିଶୋଧ ୨୦୧୯ରେ : ପ୍ରଥମ ଭାରତୀୟ ଭାବରେ ସିନ୍ଧୁଙ୍କୁ ବିଶ୍ବ ଚାମ୍ପିୟନ୍‌ସିପ୍‌ ଟାଇଟଲ୍‌

Published: Aug 25, 2019, 6:41 pm IST
pv sindhu won the world championship title.

ସମୀକ୍ଷା ବ୍ୟୁରୋ

ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ବିଡବ୍ଲ୍ୟୁଏଫ୍‌ ବ୍ୟାଡମିଣ୍ଟନ ଚାମ୍ପିୟନ୍‌ସିପ୍‌ ହାସଲ କରିଛନ୍ତି। ଜାପାନର ନୋଜୋମି ଓକୁହାରାଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ସିନ୍ଧୁ ପ୍ରଥମ ଥର ବିଶ୍ବ ଚାମ୍ପିୟନ୍‌ସିପ୍‌ ହାସଲ କରିଛନ୍ତି। ଓକୁହାରାଙ୍କୁ ସିଧାସଳଖ ସେଟ୍‌ ୨୧-୭, ୨୧-୭ରେ ପରାସ୍ତ କରି ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଛନ୍ତି ସିନ୍ଧୁ। ଏହି ବିଜୟ ସହିତ ୨୦୧୭ ବିଶ୍ବ ଚାମ୍ପିୟନ୍‌ସିପ୍‌ ପରାଜୟର ପ୍ରତିଶୋଧ ନେଇଛନ୍ତି ସିନ୍ଧୁ। ଆଜିର ମ୍ୟାଚ୍‌ରେ ସିନ୍ଧୁ ପ୍ରାରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିଥିଲେ। ନିଜ ଉଚ୍ଚତାରୁ ଫାଇଦା ଉଠାଇ ସିନ୍ଧୁ ମ୍ୟାଚ୍‌କୁ ଅନାୟାସରେ ଜିତି ନେଇଥିଲେ। ପ୍ରଥମ ସେଟ୍‌ରେ ସିନ୍ଧୁ ୧୧-୨ର ଅଗ୍ରଣୀ ହାସଲ କରିଥିବା ବେଳେ ୨୧-୭ରେ ବିଜୟୀ ହୋଇଥିଲେ। ଦ୍ବିତୀୟ ସେଟ୍‌କୁ ମଧ୍ୟ ସମାନ ବ୍ୟବଧାନରେ ବିଜୟୀ ହୋଇଥିଲେ ସିନ୍ଧୁ।

ଏହି ବିଜୟ ସହିତ ସିନ୍ଧୁ ପ୍ରଥମ ଭାରତୀୟ ଏବଂ ମହିଳା ଭାବରେ ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ବିଜୟୀ ହୋଇଛନ୍ତି। ଏହି ମ୍ୟାଚ୍‌କୁ ସିନ୍ଧୁ ମାତ୍ର ୩୭ ମିନିଟ୍‌ର ସମୟ ନେଇ ବିଜୟୀ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସିନ୍ଧୁ ୨୦୧୩ ଏବଂ ୨୦୧୪ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ୨୦୧୭ ଏବଂ ୨୦୧୮ରେ ରୌପ୍ୟ ପଦକ ହାସଲ କରିଥିଲେ।

ସିନ୍ଧୁଙ୍କ ଏହି ବିଜୟ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଟ୍ବିଟ୍‌ କରିଛନ୍ତି । ଏହା ସହିତ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁ୍‌ଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏବଂ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ ଟ୍ବିଟ୍ଟର ଜରିଆରେ ସିନ୍ଧୁଙ୍କୁ ବିଜୟ ନେଇ ଶୁଭେଚ୍ଛା ଜଣାଇଛନ୍ତି ।

Related posts