Categories
ଖେଳ ବିଶେଷ ଖବର

୨୦୧୭ର ପ୍ରତିଶୋଧ ୨୦୧୯ରେ : ପ୍ରଥମ ଭାରତୀୟ ଭାବରେ ସିନ୍ଧୁଙ୍କୁ ବିଶ୍ବ ଚାମ୍ପିୟନ୍‌ସିପ୍‌ ଟାଇଟଲ୍‌

ସମୀକ୍ଷା ବ୍ୟୁରୋ

ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ବିଡବ୍ଲ୍ୟୁଏଫ୍‌ ବ୍ୟାଡମିଣ୍ଟନ ଚାମ୍ପିୟନ୍‌ସିପ୍‌ ହାସଲ କରିଛନ୍ତି। ଜାପାନର ନୋଜୋମି ଓକୁହାରାଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ସିନ୍ଧୁ ପ୍ରଥମ ଥର ବିଶ୍ବ ଚାମ୍ପିୟନ୍‌ସିପ୍‌ ହାସଲ କରିଛନ୍ତି। ଓକୁହାରାଙ୍କୁ ସିଧାସଳଖ ସେଟ୍‌ ୨୧-୭, ୨୧-୭ରେ ପରାସ୍ତ କରି ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଛନ୍ତି ସିନ୍ଧୁ। ଏହି ବିଜୟ ସହିତ ୨୦୧୭ ବିଶ୍ବ ଚାମ୍ପିୟନ୍‌ସିପ୍‌ ପରାଜୟର ପ୍ରତିଶୋଧ ନେଇଛନ୍ତି ସିନ୍ଧୁ। ଆଜିର ମ୍ୟାଚ୍‌ରେ ସିନ୍ଧୁ ପ୍ରାରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିଥିଲେ। ନିଜ ଉଚ୍ଚତାରୁ ଫାଇଦା ଉଠାଇ ସିନ୍ଧୁ ମ୍ୟାଚ୍‌କୁ ଅନାୟାସରେ ଜିତି ନେଇଥିଲେ। ପ୍ରଥମ ସେଟ୍‌ରେ ସିନ୍ଧୁ ୧୧-୨ର ଅଗ୍ରଣୀ ହାସଲ କରିଥିବା ବେଳେ ୨୧-୭ରେ ବିଜୟୀ ହୋଇଥିଲେ। ଦ୍ବିତୀୟ ସେଟ୍‌କୁ ମଧ୍ୟ ସମାନ ବ୍ୟବଧାନରେ ବିଜୟୀ ହୋଇଥିଲେ ସିନ୍ଧୁ।

ଏହି ବିଜୟ ସହିତ ସିନ୍ଧୁ ପ୍ରଥମ ଭାରତୀୟ ଏବଂ ମହିଳା ଭାବରେ ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ବିଜୟୀ ହୋଇଛନ୍ତି। ଏହି ମ୍ୟାଚ୍‌କୁ ସିନ୍ଧୁ ମାତ୍ର ୩୭ ମିନିଟ୍‌ର ସମୟ ନେଇ ବିଜୟୀ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସିନ୍ଧୁ ୨୦୧୩ ଏବଂ ୨୦୧୪ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ୨୦୧୭ ଏବଂ ୨୦୧୮ରେ ରୌପ୍ୟ ପଦକ ହାସଲ କରିଥିଲେ।

ସିନ୍ଧୁଙ୍କ ଏହି ବିଜୟ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଟ୍ବିଟ୍‌ କରିଛନ୍ତି । ଏହା ସହିତ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁ୍‌ଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏବଂ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ ଟ୍ବିଟ୍ଟର ଜରିଆରେ ସିନ୍ଧୁଙ୍କୁ ବିଜୟ ନେଇ ଶୁଭେଚ୍ଛା ଜଣାଇଛନ୍ତି ।

Categories
ଆଜିର ଖବର

ରାଜସ୍ଥାନର ସୁମନ ରାଓ ଜିତିଲେ ୨୦୧୯ର ମିସ୍‌ ଇଣ୍ଡିଆ ଓ୍ବାଲ୍ଡ ଟାଇଟଲ୍‌

ରାଜସ୍ଥାନର ସୁମନ ରାଓ ୨୦୧୯ର ମିସ୍‌ ଇଣ୍ଡିଆ ଓ୍ବାଲ୍ଡ ଟାଇଟଲ୍‌ ହାସଲ କରିଛନ୍ତି । ଶନିବାର ଦିନ ଅନୁଷ୍ଠିତ  ଗ୍ରାଣ୍ଡ ଫିନାଲେରେ ସୁମନ୍‌ ଏହି ଆଓ୍ବାର୍ଡ ହାସଲ କରିଛନ୍ତି । ସେ  ୨୦୧୯ ମିସ୍‌ ଓ୍ବାଲ୍ଡ ପ୍ରତିଯୋଗିତାରେ ଭାରତ ତରଫରୁ ପ୍ରତିନିଧିତ୍ବ କରିବେ । ୨୦୧୮ର ମିସ୍‌ ଇଣ୍ଡିଆ ଅନୁକ୍ରିତି ବ୍ୟାସ୍‌ ତାଙ୍କୁ ମିସ୍‌ ଇଣ୍ଡିଆ ଟାଇଟଲ୍‌ରେ ଅଭିଷିକ୍ତ କରିଥିଲେ । ଏହି ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍‌ ହୋଇଛନ୍ତି ତେଲେଙ୍ଗାନାର ସଞ୍ଜନା ଭିଜ୍‌ ସେହିପରି ବିହାରର ଶ୍ରେୟା ଶଙ୍କର ମିସ୍‌ ଇଣ୍ଡିଆ ୟୁନାଇଟେଡ୍‌ କଣ୍ଟିନେଟ୍‌ ଓ ଛତିଶଗଡ଼ର ଶିବାନୀ ଯାଦବ୍‌ ମିସ୍‌ ଗ୍ରାଣ୍ଡ୍‌ ୨୦୧୯ର ଟାଇଟଲ୍‌ ହାସଲ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ କୋରିଓଗ୍ରାଫର୍‌ ରେମୋ ଡିସୁଜା, ଅଭିନେତ୍ରୀ ହ୍ୟୁମା କୁରେସୀ, ଚିତ୍ରାଙ୍ଗଦା ସିଂ, ଫ୍ୟାଶନ୍‌ ଡିଜାଇନର୍‌ ଫାଲ୍‌ଗୁନୀ ସେନ୍‌ ପିକକ୍‌ ଓ ଭାରତୀୟ ଫୁଟବଲର୍‌ ସୁନୀଲ୍‌ ଛେତ୍ରୀ ପ୍ରମୁଖ ସାମିଲ୍‌ ହୋଇଥିଲେ । ଆୟୋଜିତ ରଙ୍ଗାରଙ୍ଗା କାର୍ଯ୍ୟକ୍ରମରେ କ୍ୟାଟ୍ରିନା କୈଫ୍‌, ବିକି କୌଶଲ୍‌ ଓ ମୌନୀ ରୟ ପ୍ରମୁଖ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବଲିଉଡ୍‌ ନିର୍ମାତା ନିର୍ଦ୍ଦେଶକ କରନ୍‌ ଜୋହର୍‌, ଅଭିନେତା ଭିକି କୌଶଲ୍‌ ଓ ମିସ୍‌ ଇଣ୍ଡିଆ ଓ୍ବାଲ୍ଡ ୨୦୧୮ର ମାନୁଷୀ ଚିଲ୍ଲାର  ।

Categories
ଆଜିର ଖବର

ବିଶ୍ବକପ୍‌ ପାଇଁ ଭାରତ ଫେବ୍‌ରିଟ୍‌ : ଲାରା

ଭାରତ ବିଶ୍ବକପ୍‌ ପାଇଁ ଫେବ୍‌ରିଟ୍‌ ବୋଲି ମତବ୍ୟକ୍ତ କରିଛନ୍ତି ଓ୍ବେଷ୍ଟ ଇଣ୍ଡିଜ୍‌ର ମହାନ ଖେଳାଳି ବ୍ରାଏନ୍‌ ଲାରା। ବିଗତ କିଛି ବର୍ଷ ମଧ୍ୟରେ ଭାରତ ବିରାଟ କୋହଲିଙ୍କ ନେତୃତ୍ବରେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛି ଏବଂ ଭାରତ ଇଂଲଣ୍ଡ ଏବଂ ଓ୍ବେଲ୍‌ସରେ ଟ୍ରଫି ହାସଲ କଲେ ମୁଁ ଆଦୌ ବିସ୍ମିତ ହେବି ନାହିଁ ବୋଲି କହିଛନ୍ତି ଲାରା। ୨୦୧୭ରେ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଉପ ବିଜେତା ହୋଇଥିବା ବେଳେ ୨୦୧୫ରେ ଚାମ୍ପିୟନ୍‌ ରହିଥିଲା। ବର୍ତ୍ତମାନର ଭାରତୀୟ ଦଳ ଅଭିଜ୍ଞତା ଏବଂ ଯୁବ ଖେଳାଳିଙ୍କର ଏକ ସଠିକ୍‌ ମିଶ୍ରଣ। ଦଳରେ କେ ଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଜସ୍‌ପ୍ରୀତ୍‌ ବୁମ୍‌ରାଙ୍କ ପରି ଯୁବ ଖେଳାଳି ରହିଥିବା ବେଳେ ଭୁବନେଶ୍ବର କୁମାର, ମହେନ୍ଦ୍ର ସିଂ ଧୋନୀ, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ଅଭିଜ୍ଞ ଖେଳାଳି ରହିଛନ୍ତି। ଭାରତ ପାଖରେ ଏକ ବଢିଆ ବୋଲିଂ ଆକ୍ରମଣ ରହିଛି ଯାହାକି ଦଳକୁ ବିଜୟୀ ହେବାରେ ସହାୟତା କରିବ। ଭାରତ ପାଖରେ ଜସ୍‌ପ୍ରୀତ୍‌ ବୁମ୍‌ରା, ମହମ୍ମଦ ଶାମି ଏବଂ ଭୁବନେଶ୍ବର କୁମାରଙ୍କ ପେସ୍‌ ତ୍ରୀମୁର୍ତ୍ତି ରହିଛନ୍ତି ଯେଉଁମାନେ କି ଉଭୟ ସୁଇଁ ପରିବେଶରେ ଘାତକ ହେବା ସହିତ ଅନ୍ତିମ ଓଭରରେ ଭଲ ୟର୍କର ପକାଇବାର କ୍ଷମତା ରଖନ୍ତି। ସ୍ପିନ୍‌ ବିଭାଗରେ କୁଲ୍‌ଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଏବଂ ରବୀନ୍ଦ୍ର ଜାଡେଜା ରହିଥିବା ବେଳେ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏବଂ ବିଜୟ ଶଙ୍କର ଅଲରାଉଣ୍ଡର ଦାୟିତ୍ବ ନିଭାଇବେ।

Categories
ଆଜିର ଖବର

ଫେଡେରରଙ୍କୁ କ୍ୟାରିୟରର ୧୦୧ ତମ ଟାଇଟଲ୍‌

ସ୍ବିସ୍ ଟେନିସ୍‌ ଷ୍ଟାର ରୋଜର ଫେଡେରର ନିଜ କ୍ୟାରିୟରର ୧୦୧ ତମ ଟାଇଟଲ ହାସଲ କରିଛନ୍ତି। ମିଆମି ମାଷ୍ଟର୍ସ ଓପନ୍‌ରେ ଫେଡେରର ଡିଫେଣ୍ଡିଂ ଚାମ୍ପିୟନ୍‌ ଜନ୍‌ ଇସ୍ନରଙ୍କୁ ପରାସ୍ତ କରି ଏହି ମାଇଲଖୁଣ୍ଟ ହାସଲରେ ସଫଳ ହୋଇଛନ୍ତି। ୩୭ ବର୍ଷୀୟ ଫେଡେରର ୬-୧, ୬-୪ର ସିଧାସଳଖ ସେଟ୍‌ରେ ଇସ୍ନରଙ୍କୁ ପରାସ୍ତ କରିଛନ୍ତି। ବିଶ୍ବ ମାନ୍ୟତାରେ ୫ ନମ୍ବର ସ୍ଥାନରେ ରହିଥିବା ଫେଡେରର ପ୍ରଥମ ସେଟ୍‌କୁ ମାତ୍ର ୨୪ ମିନିଟ୍‌ରେ ଜିତି ନେଇଥିଲେ। ଏହା ଫେଡେରରଙ୍କ କ୍ୟାରିୟରର ୫୦ ତମ ମାଷ୍ଟର୍ସ ଫାଇନାଲ୍‌ ତଥା ୨୮ ତମ ମାଷ୍ଟର୍ସ ବିଜୟ। ଅନ୍ୟୁନ ୨୦ଟି ଗ୍ରାଣ୍ଡସ୍ଲାମ୍‌ ଜିତିଥିବା ଖେଳାଳିଙ୍କ ମଧ୍ୟରେ ଫେଡେରର ପ୍ରଥମ ଖେଳାଳି ଭାବରେ ୧୦୧ ତମ ଟାଇଟଲ ଜିତିଛନ୍ତି। ଏହି ସପ୍ତାହ ମୋ ପାଇଁ ଅତ୍ୟନ୍ତ ଚମତ୍କାର ରହିଥିଲା ବୋଲି ବିଜୟ ପରେ କହିଛନ୍ତି ଫେଡେରର। ଫେଡେରର କହିଛନ୍ତି,  ୧୯୯୯ମସିହାରେ ମିଆମି ମାଷ୍ଟର୍ସରୁ କ୍ୟାରିୟର ଆରମ୍ଭ କରିଥିଲି, ୨୦୧୯ ରେ ସମାନ ସ୍ଥାନରେ ଖେଳି ଟାଇଟଲ ଜିତିବା ମୋ କ୍ୟାରିୟରର ଏକ ଅନନ୍ୟ ଅନୁଭୂତି। ଏହା ସହିତ ସଠିକ୍‌ ସମୟ ଆସିଲେ ଅବସର ଗ୍ରହଣ କରିବି ବୋଲି କହିଛନ୍ତି ୩୭ ବର୍ଷୀୟ ଫେଡେରର।