Categories
ଆଜିର ଖବର

ଆସନ୍ତାକାଲିଠାରୁ ଦୁଇ ଦିନ ପାଇଁ ବର୍ଷା କମିବ, ହେଲେ 6 ତାରିଖରୁ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା

ସମୀକ୍ଷା ବ୍ୟୁରୋ

ଧିରେଧିରେ ଦୁର୍ବଳ ହେବାରେ ଲାଗିଛି ଉତ୍ତର ପଶ୍ଚିମ ବଙ୍ଗୋପାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଫଳରେ ଆସନ୍ତାକାଲିଠାରୁ ବର୍ଷା କମିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ବର୍ତ୍ତମାନ ଏହି ଲଘୁଚାପ ଉତ୍ତର ପଶ୍ଚିମ ଦିଗରେ ଗତି କରିଛି। ପଶ୍ଚିମ ଓଡିଶା ସମେତ ଉପକୂଳ ବର୍ତ୍ତି ଜିଲ୍ଲା ବରଗଡ, ବଲାଙ୍ଗିର,ସୁନ୍ଦରଗଡ, ନୂଆପଡା, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, କେଉଁଝର, ମୟୂରଭଂଜ, ଦେଓଗଡ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବା ଥିବାରୁ ଆସନ୍ତା ୨୪ ଘଣ୍ଟା ଧରି ଧୀବର ମାନଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ଅନୁସାରେ ମୟୂରଭଂଜ ବେତନଟୀରେ ସର୍ବାଧିକ ୧୫୮ ମିଲିମିଟର ହୋଇଛି। ସେହିପରି କେନ୍ଦ୍ରାପଡା ରାଜକନିକାରେ ୧୪୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ପାଣିପାଗ ବିଭାଗ ଅନୁସାରେ ଆସନ୍ତା 6 ତାରିଖରୁ ରାଜ୍ୟରେ ପୁଣି ଥରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର

ଆନ୍ଧ୍ର ପ୍ରଦେଶ ମନ୍ତ୍ରୀଙ୍କ ଅଜବ ବିଶ୍ପାସ,ବର୍ଷା ପାଇଁ ନଦୀ କୂଳରେ ପାଞ୍ଚଦିନ ଧରି କରିବେ ପୂଜାପାଠ

ସମୀକ୍ଷା ବ୍ୟୁରୋ

ଅନେକ ଲୋକଙ୍କର ଭିନ୍ନ ଭିନ୍ନ ବିଶ୍ବାସ ରହିଥାଏ। ମୁଖ୍ୟତଃ ଅଶିକ୍ଷିତ ଲୋକଙ୍କ ପାଖରେ ଏହି ବିଶ୍ବାସ ବେଶୀ ଥାଏ। ହେଲେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କର ଯେ, ଏକ ଅଜବ ବିଶ୍ବାସ ରହିଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଘଟଣାଟି ଘଟିଛି ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ। ରାଜ୍ୟରେ ବର୍ଷା ହେବା ପାଇଁ ନଦୀକୂଳରେ ପୂଜା ପାଠ କରୁଛନ୍ତି ଆନ୍ଧ୍ରର ଜଣେ ମନ୍ତ୍ରୀ। ବିଶ୍ବାସ ନ ହେଲେ ମଧ୍ୟ ଘଟଣାଟି ସତ। ଆଜି ଆନ୍ଧ୍ର ପ୍ରଦେଶର ନୂଆ ଏଣ୍ଡୱାମେଣ୍ଟ ମନ୍ତ୍ରୀ ଭି. ଶ୍ରୀନିବାସ ରାଜ୍ୟରେ ବର୍ଷା ହେବା ପାଇଁ ବିଜୱାଡାର କ୍ରିଷ୍ଣା ନଦୀକୂଳରେ ଏହି ପୂଜାପାଠ କରିଛନ୍ତି। ନଦୀକୂଳର ମାଲେଶ୍ବର ଦେବସ୍ଥାନମ ନାମକ ସ୍ଥାନରେ ଥିବା କନକ ଦୁର୍ଗା ମନ୍ଦିରରେ ମନ୍ତ୍ରୀ ଏହି ପୂଜା କରିଛନ୍ତି। ବିଶ୍ବାସ ରହିଛି ଯେ, କନକ ଦୁର୍ଗା ନିକଟରେ 5 ଦିନ ଧରି ଏକ ସ୍ବତନ୍ତ୍ର ପୂଜାପାଠ କଲେ ରାଜ୍ୟରେ ବର୍ଷା ହେବ। କିଛିଦିନ ଧରି ଆନ୍ଧ୍ରରେ ମୌସୁମୀ ବାୟୁ ସକ୍ରିୟ ନ ହେବାରୁ ବର୍ଷା ହେଉ ନାହିଁ। ଏହାକୁ ଦୃଷ୍ଟିରେ ରଖି କେତେକ ସମର୍ଥକ ମନ୍ତ୍ରୀ ଶ୍ରୀନିବାସଙ୍କୁ ସ୍ବତନ୍ତ୍ର ପୂଜାପାଠ କରିବା ପାଇଁ ଅନୁରୋଧ କଲେ। ମନ୍ତ୍ରୀ ଏଥିରେ ରାଜି ହୋଇ ପୂଜା କରିବାକୁ ମନ୍ଦିର କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ। ଫଳରେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ତ୍ରୀଙ୍କୁ ପୂଜାରେ ସମସ୍ତ ସାହାର୍ଯ୍ୟ ମଧ୍ୟ ଯୋଗାଇ ଦେଉଛନ୍ତି।ପାଞ୍ଚ ଦିନ ଧରି ସେଠାରେ ମନ୍ତ୍ରୀ ପୂଜା ଅର୍ଚ୍ଚନା କରିବେ ବୋଲି ଜଣାପଡିଛି। ଏହାକୁ ନେଇ ମନ୍ତ୍ରୀଙ୍କ ସମର୍ଥକମାନେ ବେଶ୍ ଉତ୍ସାହିତ ହୋଇଥିବା ବେଳେ ବିରୋଧୀ ସମାଲୋଚନା କରିବାରେ ଲାଗିଛନ୍ତି।

Categories
ଆଜିର ଖବର

ଆରମ୍ଭ ହେଲା ଫନିର ତାଣ୍ଡବ, ପୁରୀଠାରୁ ମାତ୍ର 80 କିମି ଦୂରରେ ରହିଛି ଫନି, କିଛି ସମୟ ପରେ କରିବ ଭୂମିସ୍ପର୍ଶ

ଫନିର ପ୍ରଭାବ ବର୍ତ୍ତମାନ ଉପକୂଳ ଓଡିଶାରେ ଆରମ୍ଭ ହୋଇଯାଇଛି। ଆଜି ସକାଳୁ ଜଗତସିଂହପୁର, କେନ୍ଦ୍ରାପଡା,ଭୁବନେଶ୍ବର,ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି ପ୍ରଭୃତି ଜିଲ୍ଲାରେ ପବନ ସହିତ ଝଡବର୍ଷା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ତାଜା ସୂଚନା ଅନୁସାରେ ବର୍ତ୍ତମାନ ଫନି ପୁରୀର ପଶ୍ଚିମକେନ୍ଦ୍ରୀୟ ବଙ୍ଗୋବସାଗରଠାରୁ 80 କିଲୋମିଟର, ଦକ୍ଷିଣପୂର୍ବ ଗୋପାଳପୁରଠାରୁ 65 କିଲୋମିଟର ଏବଂ ବିଶାଖପାଟଣାମ୍ର ପୂର୍ବ-ଉତ୍ତରପୂର୍ବ 280 କିଲୋମିଟର ଦୂରରେ ରହିଛି ଫନି। ବର୍ତ୍ତମାନ ଘଣ୍ଟାକୁ 185 କିଲୋମିଟରରେ ବେଗରେ ପବନ ବହୁଥିବାର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଘଣ୍ଟାକୁ 200 କିଲୋମିଟର ବେଗର ପବନ ବହିବ ବୋଲି ଅନୁମାନ କରାଯାଉଛି। ଗତକାଲି ରାତିରୁ ଏହାର ପ୍ରଭାବ ଧିରେ ଧିରେ ଆରମ୍ଭ ହୋଇଯାଇଛି। କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ପାଣିପାଗ ବିଭାଗ ଅନୁସାରେ ଗୋପାଳପୁରରେ 15 ସେଣ୍ଟିମିଟର, ପୁରୀରେ 10 ସେମି,ଭୁବନେଶ୍ବରରେ 5 ସେମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଏହି ସମୟରେ ପବନରେ ବେଗ ଘଣ୍ଟାକୁ 53 କିଲୋମିଟର ଥିଲା। ଆଉ ଅଳ୍ପ ସମୟ ମଧ୍ୟରେ ଫନି ଭୂମି ସ୍ପର୍ଶ କରିବ ବୋଲି ଅନୁମାନ କରାଯାଉଛି।