Categories
ଆଜିର ଖବର

ବିଜେପି କ୍ଷମତାକୁ ଆସିଲେ ରାଜ୍ୟ ବାହାରକୁ ଯିବେନି ଓଡିଆ ଯୁବକ : ଶାହା

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଅଭିଯାନକୁ ଜୋର କରିଛନ୍ତି। ଗତ ୨ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାରକୁ ଓହ୍ଲାଇଥିବା ବେଳେ ଆଜି ଅମିତ ଶାହା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପ୍ରଚାର କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି। ସ୍ଥାନୀୟ କାଶୀନଗରରେ ସେ ଦଳୀୟ କର୍ମୀଙ୍କୁ ବିଜୟର ମନ୍ତ୍ର ଦେବା ସହ ବିଜେପିକୁ ଭୋଟ ଦେବା ପାଇଁ ଆହ୍ୱାନ କରିଛନ୍ତି। ଭାଷଣ ଆରମ୍ଭରୁ ଶାହା ଉତ୍କଳ ଦିବସ ଉପଲକ୍ଷେ ଓଡିଶା ମାଟିର ବୀର ସନ୍ତାନ ମଧୁସୁଦନ ଦାଶ, ଗଙ୍ଗାଧର ମେହେର ଆଦିଙ୍କୁ ମନେ ପକାଇଥିଲେ। ଏହାପରେ ସେ କହିଥିଲେ ଯେ, ଏହା ମୋ ପାଇଁ ସୌଭାଗ୍ୟର ଦିନ ଉତ୍କଳ ଦିବସରେ ମୁଁ ଓଡିଶା ଆସିଛି। ଆଜିର ଦିନରେ ଭାଷାଭିତ୍ତିରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ନିର୍ମାଣ ହୋଇଥିଲା। କିନ୍ତୁ ୧୯ ବର୍ଷ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓଡିଆ କହି ନପାରିବା ଓଡିଶା ପାଇଁ ଦୁର୍ଭାଗ୍ୟର ବିଷୟ। ୧୯ ବର୍ଷ ଶାସନ କଲେ ନବୀନ କିନ୍ତୁ ରାଜ୍ୟର ବିକାଶ ପାଇଁ କିଛି କରିନାହାନ୍ତି। ଏହି ନିର୍ବାଚନ ଦେଶ ଏବଂ ଓଡିଶାର ଭାଗ୍ୟ ନିର୍ଧାରଣ କରିବ। ଦେଶରେ କାହାର ଏବଂ ଭୁବନେଶ୍ୱରରେ କାହାର ସରକାର ହେବ ତାହା ସ୍ଥିର କରିବ। ଓଡିଶାରେ ରୋଜଗାର ନପାଇ ଯୁବକମାନେ ବାହାରକୁ ଯାଉଛନ୍ତି। ବିଜେପି ସରକାର ଆସିଲେ ଓଡିଆ ଯୁବକ ବାହାରକୁ ଯିବେ ନାହିଁ। ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ବରେ ରାଜ୍ୟରେ ବହୁତ କାର୍ଯ୍ୟକ୍ରମ ହୋଇଛି।  କିନ୍ତୁ ନବୀନ ଦକ୍ଷିଣ ଓଡିଶାର ରାଜ୍ୟଗୁଡିକ ପ୍ରତି ସଉତୁଣୀ ଭଳି ବ୍ୟବହାର କରୁଛନ୍ତି। ଏଠାରେ କଲେକ୍ଟର, ଏସପି, ନେତା ଜନତାଙ୍କଠାରୁ କମିଶନ ନେଉଛନ୍ତି। ରତ୍ନଭଣ୍ଡାର ମଧ୍ୟ ସୁରକ୍ଷିତ ନୁହେଁ। ନବୀନଙ୍କୁ ଲାଗୁଛି ଏହା ଛୋଟ କଥା। କିନ୍ତୁ ଏହା ଓଡିଶାର ସମ୍ପତି ଏବଂ ସମୃଦ୍ଧି। ବିଜେଡି ଏଠାରେ ଶାସନ କରୁଛି। ଆଦିବାସୀ ଲୋକଙ୍କ ପଟ୍ଟା ଦେଇପାରୁ ନାହିଁ, ମହେନ୍ଦ୍ରତନୟା ଏବଂ ବଂଶଧରା ଯୋଜନା ଫେଲ ମାରିଛି, ରାୟଗଡାରୁ ପାରଳାଖେମୁଣ୍ଡି ଯାଏଁ ଜଳସେଚନ ଫେଲ  ହୋଇଛି। ଗଜପତିରେ ଜନଜାତିଙ୍କୁ ମଧ୍ୟ ଉପେକ୍ଷା କରିଛି। ଶୁଦ୍ଧ ପାଣି ଯୋଗାଇବାରେ ମଧ୍ୟ ସରକାର ବିଫଳ। ଶାହା ଆହୁରି କହିଛନ୍ତି ଯେ,  ହସ୍ପିଟାଲରେ ଡାକ୍ତର ନାହାନ୍ତି, ୨୪ ଘଂଟା ବିଜୁଳି ନାହିଁ, ଗ୍ରାମରେ ରାସ୍ତା ନାହିଁ। ନବୀନ ଦୁର୍ନୀତି ଛଡା ଆଉ କିଛି କରିନାହାନ୍ତି। ରାହୁଲ ଗାନ୍ଧି ଓଡିଶାକୁ ଆସୁଛନ୍ତି। ୧୦ ବର୍ଷ ସରକାରରେ ଥିଲେ କିନ୍ତୁ କଂଗ୍ରେସ ସରକାର ଓଡିଶାକୁ ୮୦ହଜାର କୋଟି ଦେଇଥିଲା।ବିଜେପି ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ବଳିଦାନକୁ କେହି ଭୁଲି ପାରିବେ ନାହିଁ। କଂଗ୍ରେସ ଦଳ ସମଝୋତା ଏକ୍ସପ୍ରେସକୁ ନେଇ ଯେଉଁ ରାଜନୀତି କରୁଥିଲା ତାହା ବିଫଳ ହୋଇଛି। ରାହୁଲ ଗାନ୍ଧି ହିନ୍ଦୁଙ୍କୁ ନେଇ ଆତଙ୍କବାଦୀ କହୁଛନ୍ତି। କଂଗ୍ରେସ ଭୋଟବ୍ୟାଙ୍କ ପାଇଁ ହିନ୍ଦୁ ସମୁଦାୟକୁ ନିନ୍ଦା କରୁଛି। ଏହାସହ ଦେଶର ସୁରକ୍ଷା ସହ କଂଗ୍ରେସ ସାଲିସ କରିଛି। ପୁଲୱାମାକୁ ନେଇ ଭାରତ ପାକ୍ ଘରେ ପଶି ଆକ୍ରମଣ କଲା କିନ୍ତୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ପାକିସ୍ତାନ ସହ କଥା ମିଳାଇ ପ୍ରମାଣ ମାଗୁଛନ୍ତି।  ଆତଙ୍କବାଦୀ ଗୁଳି ଚଳାଇଲେ ଆମେ ବୋମା ମାଡ କରି ଏହାର ଜବାବ ଦେବୁ। ହେଲେ ମୋଦୀ ସରକାର ୫ବର୍ଷରେ ୫ଲକ୍ଷ ୫୬ହଜାର ୫୬୫କୋଟି ଟଙ୍କା ଦେଇଛନ୍ତି। ରେଳବାଇ ପାଇଁ ୪୩ହଜାର କୋଟି, ଜଳମାର୍ଗ ପାଇଁ ୨୦୦୦କୋଟି, ଅମୃତ ଯୋଜନା ପାଇଁ ୧୫୯୦ ଏବଂ ସାଗରମାଳା ପାଇଁ ୨୫ହଜାର କୋଟି ଟଙ୍କା ପ୍ରଦାନ ହୋଇଛି। ଉଜ୍ଜଳା ଯୋଜନାରେ ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ମିଳିଛି। ୪୮ଲକ୍ଷ ମହିଳାଙ୍କୁ ଓଡିଶାରେ ମାଗଣା ଗ୍ୟାସ ମିଳିଛି। ଦେଶରେ ୭କୋଟି ଗ୍ୟାସ ମିଳିଛି। ୮କୋଟି ପରିବାରରେ ଶୌଚାଳୟ କରାଯାଇଛି। ଓଡିଶାକୁ ଏକ ଯୁବ ମୁଖ୍ୟମନ୍ତ୍ରୀ ଦରକାରା। ବିକାଶର ରାସ୍ତାକୁ ନେବା ଭଳି ମୁଖ୍ୟମନ୍ତ୍ରୀ ଦରକାର। କେନ୍ଦ୍ରରୁ ଟଙ୍କା ଆସୁଛି କିନ୍ତୁ ତଳସ୍ତରରେ ପହଁଚୁନାହିଁ କାରଣ ନବୀନଙ୍କ ଅଫିସର ଏହାକୁ ବାଟମାରଣା କରୁଛନ୍ତି। ଏହି ବ୍ୟବସ୍ଥା ବଦଳିବା ଦରକାର। ଦେଶ ଏବଂ ରାଜ୍ୟରେ ଡବଲ ଇଂଜିନର ବ୍ୟବସ୍ଥା କରିବା ଦରକାରା। ବିଜେପିକୁ ଗୋଟିଏ ସୁଯୋଗ ଦିଆଗଲେ ୫ ବର୍ଷରେ ଦେଶରେ ଏକ ନମ୍ବର ରାଜ୍ୟ ହେବ ଓଡିଶା। ଏହାସହ ଉପସ୍ଥିତ ଭୋଟର ଏବଂ କର୍ମୀଙ୍କୁ ରାଜ୍ୟ ଏବଂ ଦିଲ୍ଲୀରେ ବିଜେପି ସରକାର ଗଢିବା ପାଇଁ ନିବେଦନ କରିଥିଲେ ଶାହା।

Categories
ଆଜିର ଖବର

ଜୟପୁରରେ ମୋଦି : ଓଡ଼ିଶାରେ ଡବଲ ଇଞ୍ଜିନ ଲାଗିଲେ ଦ୍ରୁତ ବିକାଶ ହୋଇପାରିବ

ଓଡ଼ିଶାରେ ବିଜେପି ଆଜି ନିର୍ବାଚନୀ ଶଙ୍ଖନାଦ କରିଛି। ପ୍ରଧାନମନ୍ତ୍ରୀ ମୋଦି ଜୟପୁର ଜନସମାବେଶେର ଯୋଗ ଦେଇ ଉଭୟ ବିଜେଡ଼ି ଓ କଂଗ୍ରେସ ଉପରେ ଖୁବ୍‌ ଜୋରରେ ବର୍ଷିଛନ୍ତି। ବିଜେପି ସିଧାସଳଖ  ନିଶାନା କରିଛି ବିଜେଡ଼ିକୁ। ଏହି ଅବସରରେ ବିଜେଡିକୁ ପ୍ରତ୍ୟାଖାନ କରି ବିଜେପିକୁ ଭୋଟ ଦେବାର ମନ୍ତ୍ର ଫୁଙ୍କିଛନ୍ତି ପ୍ରଧାନମନ୍ତ୍ରୀ।  ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ସ୍ଥାନୀୟବାସୀଙ୍କ ଆଗରେ ମୋଦି ବିଜେଡି ବିରୋଧରେ ବିଫଳତାର ଫର୍ଦ୍ଦ ଖୋଲିଛନ୍ତି। ଦୀର୍ଘ ୧୯ ବର୍ଷ ହେବ ରାଜ୍ୟରେ ସ୍ଥିର ସରକାର ଥିଲେ ମଧ୍ୟ ବିକାଶ ହୋଇପାରୁନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ। ଖଣିଜ ସମ୍ପଦଭରା ରାଜ୍ୟରେ ଯୁବକଙ୍କୁ ନିଯୁକ୍ତି ଦେବାରେ ବିଫଳ ରାଜ୍ୟ ସରକାର। ଏପରିକି ବିଭିନ୍ନ ଖଣି ମାଫିଆଙ୍କୁ ସୁରକ୍ଷା ଦେବା ସହ ଚିଟଫଣ୍ଡ ଘୋଟାଲାକାରୀଙ୍କୁ ମଧ୍ୟ ସୁରକ୍ଷା ଦେଉଛନ୍ତି। ରାଜ୍ୟବାସୀଙ୍କ ଭରସା ସହିତ ବିଜେଡି  ଖେଳିଛି ବୋଲି ଅଭିଯୋଗ କରିଛନ୍ତି ମୋଦି। ତେଣୁ ଏଭଳି ସରକାରକୁ ତାହାର ଦଣ୍ଡ ଦେବାର ଉଚିତ୍ ସମୟ ଆସିଛି ବୋଲି କହିଛନ୍ତି ମୋଦି। ସେହିପରି ରାଜ୍ୟର ବିକାଶ କରିବାକୁ ହେଲେ, ଏଥର ଚୌକିଦାର ସରକାରଙ୍କୁ ବାଛିବାକୁ ହେବ। ତେଣୁ ଦେଶ ଓ ରାଜ୍ୟରେ ଗୋଟେ ମଜବୁତ ସରକାର ଦରକାର ନା ଦୁର୍ବଳ ସରକାର ଦରକାର ସେ ଉପରେ ନିଷ୍ପତ୍ତି ନେବାର ସମୟ  ଏବେ ଉପନୀତ, ତେଣୁ   ପୋଲିଂ ବୁଥ ଯିବା ପୂର୍ବରୁ ସରକାରର କାର୍ଯ୍ୟାବଳୀକୁ  ତର୍ଜମା କରି ଭୋଟ ଦିଅନ୍ତୁ ବୋଲି ମୋଦି କହିଛନ୍ତି। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରରେ ବିଜେପି ସରକାର ଭଳି ଓଡ଼ିଶାରେ ବିଜେପି ସରକାର ଆସିବା ଦରକାର।  ଓଡ଼ିଶାରେ ଡବଲ ଇଞ୍ଜିନ ଲାଗିଲେ ଦ୍ରୁତ ବିକାଶ ହୋଇପାରିବ ବୋଲି ମୋଦି କହିଛନ୍ତି।

Categories
ଆଜିର ଖବର

ଦୁଇ ଦିନରେ ୬ରାଜ୍ୟରେ ନିର୍ବାଚନୀ ରାଲି କରିବେ ମୋଦି

ଦୁଇ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ରାଜ୍ୟରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି। ବିଜେପି ପକ୍ଷରୁ ଏହି ରାଲି ନିମନ୍ତେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ ପଶ୍ଚିମ ବଙ୍ଗ ଉପରେ ଅଧିକ ଧ୍ୟାନ ରହିବ ବୋଲି ଜଣାପଡିଛି ।ଏହି ୪ ରାଜ୍ୟରୁ ୨୧୦ ଲୋକସଭା ସଦସ୍ୟ ସଂସଦକୁ ଆସିଥାନ୍ତି। ୟୁପିରୁ ୮୦, ମହାରାଷ୍ଟ୍ରରୁ ୪୮, ପଶ୍ଚିମବଙ୍ଗରୁ ୪୨ ଏବଂ ବିହାରରୁ ୪୦ ସାଂସଦ ଲୋକସଭାକୁ ଆସୁଛନ୍ତି। ଦଳୀୟ ସୂତ୍ର ଅନୁଯାୟୀ ଶ୍ରୀ ମୋଦି ୟୁପିରେ ସର୍ବାଧିକ ୨୦ଟି ରାଲିକୁ ସମ୍ବୋଧିତ କରିବେ। ଏହାପରେ ବିହାର ଏବଂ ପଶ୍ଚିମବଙ୍ଗରେ୧୦ ଟି ଲେଖାଏଁ ରାଲିର କାର୍ଯ୍ୟକ୍ରମ ରହିଛି। ମହାରାଷ୍ଟ୍ରରେ ୧୦ରୁ ୧୨ଟି ରାଲିର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ, ମୋଦି ଚଳିତ ଗୁରୁବାର ଠାରୁ ଜମ୍ମୁ କଶ୍ମୀରରୁ ନିଜର ପ୍ରଚାର ଆରମ୍ଭ କରିବେ। ସମାନ ଦିନରେ ଉତ୍ତରାଖଣ୍ଡ ଏବଂ ମିରଟ୍‌ରେ ମଧ୍ୟ ନିର୍ବାଚନ ପ୍ରଚାରରେ ଭାଗ ନେବେ ମୋଦି। ମିରଟ୍‌ ରାଲିରେ ମୋଦି ଅନ୍ୟୁନ ୮ଟି ଲୋକସଭା ଆମସନରେ ସମ୍ବୋଧିତ କରିବେ। ଏହାପରେ ଶୁକ୍ରବାର ଦିନ ମୋଦି ଓଡିଶାର କୋରାପୁଟ, ତେଲେଙ୍ଗାନାର ମେହବୁବ ନଗର, ଆନ୍ଧ୍ର ପ୍ରଦେଶର କର୍ଣ୍ଣୁଲ୍‌ରେ ନିର୍ବାଚନୀ ପ୍ରଚାରରେ ସାମିଲ୍‌ ହେବେ। ୨୦୧୪ ନିର୍ବାଚନରେ ୟୁପି ଏବଂ ବିହାରର ୧୨୦ ଆସନ ମଧ୍ୟରୁ ଏନ୍‌ଡିଏ ହାତରେ ୧୦୪ ଆସନ ପଡିଥିଲା ଯାହାକି ଦଳର ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ।

Categories
ଆଜିର ଖବର

ନୟାଗଡ଼ରୁ ନବୀନଙ୍କ ପ୍ରଚାର ଆରମ୍ଭ : ୨୧ ରୁ ୨୧ ଏମ୍‌ପି ଆସନ ଜିତିବା ନେଇ ଦୃଢୋକ୍ତି

ନିର୍ବାଚନୀ ବିଗୁଲ୍‌ ବାଜିସାରିଛି । ସବୁ ଦଳମାନେ ନିଜର ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ଏହି କ୍ରମରେ ଓଡ଼ିଶାର କ୍ରମାଗତ ୪ଥର ସରକାର ଗଠନ କରି ରେକର୍ଡ ସୃଷ୍ଟି କରିଥିବା ବିଜୁ ଜନତା ଦଳ ଆଜି ନୟାଗଡ଼ରୁ ନିଜର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି । ଏହି ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ମଙ୍ଗୁଆଳ ନିଜେ ନବୀନ ପଟ୍ଟନାୟକ । ନୟାଗଡ଼ରେ ଆୟୋଜତ ଏକ ସାଧାରଣ ସଭାରେ ସେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବା ସହିତ ୨୧ର ଏମ୍‌ପିରୁ ୨୧ ଏମ୍‌ପି ସିଟ୍‌ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଅବସରରେ ଉଭୟ ବିଜେପି ଓ କଂଗ୍ରେସ ସରକାରକୁ ଟାର୍ଗେଟ୍‌ କରିଛନ୍ତି । ଗତ ଥର କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ବରଗଡ଼ ଅବସରରେ ନବୀନ ସରକାରଙ୍କୁ ରିମୋଟ୍‌ କଣ୍ଟ୍ରୋଲ୍‌ କହିଥିବାବେଳେ ଆଜି ନବୀନ ଏହାର କଡ଼ା ଜବାବ୍‌ ଦେଇଛନ୍ତି । ନବୀନ କହିଛନ୍ତି ଯେ, ଆମର ହାଇକମାଣ୍ଡ ହେଉଛନ୍ତି ଓଡ଼ିଶାବାସୀ ।  ଓଡ଼ିଶାବାସୀଙ୍କ ପାଖରେ ରିମୋଟ୍‌ କଣ୍ଟ୍ରୋଲ୍‌ ରହିଛି । କେନ୍ଦ୍ରରେ ସରକାର ଗଠନରେ ଓଡ଼ିଶାବାସୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ସେହିପରି କାଳିଆ ଯୋଜନାରେ ସରକାର ଚାଷୀଙ୍କ ଉନ୍ନତି ପାଇଁ ସବୁପ୍ରକାର ଚେଷ୍ଟା କରୁଥିବାବେଳେ ୩୫ ଲକ୍ଷ ପରିବାର ଏହାର ସୁବିଧା ପାଇଛନ୍ତି ।  ମିଶନ ଶକ୍ତି ଜରିଆରେ ମା‘ମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯାଉଛି । ସେହିପରି ଚଳିତ ନିର୍ବାଚନରେ ୩୩% ମହିଳାଙ୍କ ପାଇଁ ସଂରକ୍ଷଣ ଆସନ ରଖିଥିବାବେଳେ ଆସ୍କାରୁ ମିଶନ୍‌ଶକ୍ତିର କର୍ମକର୍ତ୍ତା ପ୍ରମିଳା ବିଷୋୟୀଙ୍କୁ ଲୋକସଭା ଟିକେଟ ଦେଇଛି ।  ମହିଳାଙ୍କ ଶକ୍ତି ବୃଦ୍ଧି ହେଲେ ଦେଶ ପ୍ରଗତି କରିବ ବୋଲି କହିଛନ୍ତି ନବୀନ ।  ସେହିପରି କେନ୍ଦ୍ରର ଓଡ଼ିଶା ପ୍ରତି ଅବହେଳାକୁ ନେଇ ବର୍ଷିଛନ୍ତି ନବୀନ । ସ୍ବତନ୍ତ୍ର ରାଜ୍ୟପାହା ପ୍ରସଙ୍ଗକୁ ସେ ଗୁରୁତ୍ବାରୋପ କରିଛନ୍ତି । ଓଡ଼ିଶାରୁ କେନ୍ଦ୍ର କୋଇଲା, ଓ ରେଲ୍‌ଓ୍ବେ ବାବଦରେ ବହୁଳ ଅର୍ଥ ପାଉଥିବାବେଳେ ଓଡ଼ିଶାକୁ ଅଣଦେଖା କରାଯାଉଛି ବୋଲି ନବୀନ କହିଛନ୍ତି ।