Categories
ବିଶେଷ ଖବର ସଂସ୍କୃତି

ଫକୀରମୋହନଙ୍କ “ରସଗୋଲା’

ଅସୀତ ମହାନ୍ତି

ଓଡ଼ିଆ ସାହିତ୍ୟର ଇତିହାସରେ ୨୦୧୮ ବର୍ଷ ଥିଲା ଏକ ବିରଳ ସଂଯୋଗର ବର୍ଷ । କାରଣ ସେବର୍ଷଟି ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକୀରମୋହନଙ୍କ ଜନ୍ମର ୧୭୫ ବର୍ଷ ଓ ମୃତ୍ୟୁର ୧୦୦ ବର୍ଷ । ସେ ନେଇ ଓଡ଼ିଶା ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଛୋଟବଡ଼ ଅନେକ ଅନୁଷ୍ଠାନ ପକ୍ଷରୁ କେତେକ ଛୋଟବଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନ ସମେତ ରାଜ୍ୟ ଓ ଦେଶର କେତେକ ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ସଭା, ସେମିନାର ଆଦି ଆୟୋଜନ ହୋଇଛି ।

ଏ ପ୍ରସଙ୍ଗରେ ଆଉ ଏକ ଭିନ୍ନ ଦୃଷ୍ଟିର ସଂଯୋଗ ହେଉଛି- ଯେଉଁ ଜାନୁଆରୀ ୧୪, ମକର ସଂକ୍ରାନ୍ତି ତିଥି ଫକୀରମୋହନ ସେନାପତିଙ୍କ ଆବିର୍ଭାବ ଦିବସ, ଠିକ୍‍ ଦୁଇମାସ ତଳେ, ନଭେମ୍ୱର ମାସର ସେହି ୧୪ ତାରିଖ ଦିନରେ ପଶ୍ଚିମବଙ୍ଗ “ବାଂଲାର ରସଗୋଲ୍ଲା’ ପାଇଁ ଭୌଗୋଳିକ ପରିଚିତି (ଜି.ଆଇ.) ମାନ୍ୟତା ପାଇଛି । ଏହି ପରିପ୍ରେକ୍ଷୀରେ “ଫକୀରମୋହନଙ୍କ ରସଗୋଲା’ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ।

ଫକୀରମୋହନଙ୍କ ଜୀବନ ଓ ସାହିତ୍ୟର ଏକ ବିଶେଷତ୍ୱ ହେଉଛି, ଯେଉଁ କାଳଖଠରେ ସେ ଜୀବିତ ଓ ସୃଷ୍ଟିଶୀଳ ଥିଲେ, ସେହି ସମୟ ଥିଲା ଓଡ଼ିଆ ଅସ୍ମିତାର ଏକ ସନ୍ଧିକାଳ ଏବଂ ସେ ତାଙ୍କର ସାଧ୍ୟମତେ ଏହି ଅସ୍ମିତାର ଉଦ୍‍ବୋଧନପାଇଁ ଉଦ୍ୟମ କରିଥିଲେ । ସେଇଥିପାଇଁ, ତାଙ୍କ ଜନ୍ମର ୧୭୫ ବର୍ଷ ଓ ମୃତ୍ୟୁ ଶତବାର୍ଷିକୀ ଅବସରରେ, ସେ ସର୍ବାଧିକ ସଂଜୀବିତ ଥିବାପରି ମନେ ହେଉଛନ୍ତି ।

ଏ ପ୍ରସଙ୍ଗରେ ଆହୁରି ଏକ ବିରଳ ସଂଯୋଗ ହେଉଛି, ଏ ଭିତରେ ଫକୀର ମୋହନଙ୍କ “ଉତ୍କଳଭ୍ରମଣଂ’ର ମଧ୍ୟ ୧୨୬ ବର୍ଷ ପୂର୍ଣ୍ଣ ହୋଇଛି । ଏ ସଂପର୍କିତ ବିବରଣୀରୁ ଜଣାଯାଏ, ୧୮୯୨ ମସିହା ଫେବୃଆରି ମାସରେ ଫକୀରମୋହନଙ୍କ “ଉତ୍କଳ ଭ୍ରମଣଂ’ର ପହିଲି ଗସ୍ତ ଲିଖିତ ହୋଇ, ଆନନ୍ଦପୁର ପ୍ରେସ୍‍ରୁ ପ୍ରକାଶ ପାଇଥିଲା । ତାହା ପ୍ରକାଶ ପାଇଥିଲା ବିନା ମୂଲ୍ୟରେ ବିତରିତ ହେବାପାଇଁ ଏବଂ ପୁସ୍ତକର ସୂଚନା ଅନୁସାରେ ତାହା ଥିଲା “କେନ ଉତ୍କଳପୁତ୍ରେଣ ବିରଚିତ’ । ପୁସ୍ତକର ବର୍ଣ୍ଣନା ଶୈଳୀ ଓ ବିଷୟ ପ୍ରକରଣ ଏପରି ଅଭିନବ ଥିଲା ଯେ ସେତେବେଳେ ନୀଳମଣି ବିଦ୍ୟାରତ୍ନ ତାହାକୁ “ସମ୍ୱଲପୁର ହିତୈଷିଣୀ’ରେ କ୍ରମାନ୍ୱୟରେ ପୁନର୍ମୁଦ୍ରଣ କରିଥିଲେ । ପରବର୍ତ୍ତୀ କାଳରେ, ସେହିବର୍ଷ ଜୁଲାଇ ମାସରେ “ଉତ୍କଳ ଭ୍ରମଣଂ’ର ଦୁସରା ଗସ୍ତ ବାଲେଶ୍ୱରର ଉତ୍କଳ ପ୍ରିଣ୍ଟିଂ ପ୍ରେସରେ ମୁଦ୍ରିତ ହୋଇ ପ୍ରକାଶ ପାଇଲା । ପହିଲିଗସ୍ତ ପରି ଏହି ଦୁସରା ଗସ୍ତ ମଧ୍ୟ ବିନାମୂଲ୍ୟରେ ବିତରିତ ହେବାପାଇଁ ଉଦ୍ଦିଷ୍ଟ ଥିଲା । ପରେ ୧୮୯୯ ଓ ୧୯୧୬ରେ ଯଥାକ୍ରମେ ତାହାର ଦ୍ୱିତୀୟ ଓ ତୃତୀୟ ସଂସ୍କରଣ ଏବଂ ୧୯୨୫ରେ ତାଙ୍କ ପୁତ୍ର ମୋହିନୀମୋହନ ସେନାପତିଙ୍କ ଦ୍ୱାରା ଚତୁର୍ଥ ସଂପାଦିତ ସଂସ୍କରଣ ପ୍ରକାଶ ପାଇଥିଲା ।

“ଉତ୍କଳ ଭ୍ରମଣଂ’ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ଇତିହାସ ଆଦିର ଏକ ଅମୂଲ୍ୟ ଦଲିଲ । ଏଥିରେ ପ୍ରାୟ ୯୦ ଜଣ ବିଶିଷ୍ଟ ବ୍ୟକ୍ତି, ପ୍ରାୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ କେତେକ ଗୋଷ୍ଠୀ ଓ ଅନୁଷ୍ଠାନ ସଂପର୍କରେ ବ୍ୟଞ୍ଜନାପୂର୍ଣ୍ଣ ଆଲେଖ୍ୟ ଅଛି । ଏପରିକି ପୁରୀ ମନ୍ଦିର ଓ ତାହାର ଚଳନ୍ତି ବ୍ୟବସ୍ଥା ବାବଦରେ ମଧ୍ୟ ଫକୀରମୋହନ ଅତ୍ୟନ୍ତ କଠୋର ମତ, ମନ୍ତବ୍ୟ ଦେଇଛନ୍ତି ।

ତେବେ ଗୋଟିଏ ଉଲ୍ଲେଖନୀୟ ବିଷୟ ହେଉଛି, ଯେଉଁ ୧୮୯୨ ବର୍ଷର ଜୁଲାଇ ମାସରେ ଏହା ପ୍ରଥମେ ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା, ତାହାର ପର ମାସରେ, “ଉତ୍କଳ ଦୀପିକା’ର ଅଗଷ୍ଟ ୨୭ ତାରିଖ ସଂଖ୍ୟାରେ ପ୍ରକାଶ ପାଇଥିଲା ତାହାର ଏକ ରୋଚକ ସମୀକ୍ଷା । ଢେଙ୍କାନାଳଗଡ଼ରୁ ୧୬ ଅଗଷ୍ଟ ୧୮୯୨ରେ ପ୍ରେରିତ ସେହି ସମୀକ୍ଷା ପଦ୍ୟାକାରରେ ରଚିତ ଏବଂ ତାହା ଢେଙ୍କାନାଳ ରାଜବଂଶଜ ଦାମୋଦର ପଟ୍ଟନାୟକ ଲେଖିଥିବା ଜଣାଯାଏ । କୌତୁକର ବିଷୟ ହେଉଛି- “ଉତ୍କଳ ଭ୍ରମଣଂ’ରୁ ଗୋଟିଏ ପଙ୍‍କ୍ତି ନେଇ ଏବଂ ତା’ ସହିତ ଆଉ ଗୋଟିଏ ପଙ୍‍କ୍ତି ଯୋଡ଼ି, ସେ ସେହି ସମୀକ୍ଷାର ଶୀର୍ଷକକୁ ଏକ ପଦର ରୂପ ଦେଇଛନ୍ତି । ସେହି ପଦଟି ହେଉଛି-

“ନିନ୍ଦା ଯଶ ଗନ୍ଧ ବାସ ରୁହେ ନାହିଁ ଢଙ୍କା

ଏ ପରି କବିତା ପାଇଁ ନଲାଗଇ ଟଙ୍କା ।”

କିନ୍ତୁ “ରସଗୋଲା’କୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଏବେ ଜାରି ରହିଥିବା ବିବାଦ ପରିପ୍ରେକ୍ଷୀରେ, ସେହି ସମୀକ୍ଷାର ପ୍ରଥମ ଦୁଇପଦ ଖୁବ୍‍ ଗୁରୁତ୍ୱପୂର୍ଣ୍ଣ । ସେଥିରେ ସେ ଲେଖିଛନ୍ତି-

“”ପଢ଼ିଲି ପଢ଼ିଲି ମୁହିଁ ଉତ୍କଳ ଭ୍ରମଣ ।

ଓଡ଼ିଆରେ ବହୀ ଖଠେ ଏକା ଏକୁ ଗଣ ।

ଖଟା ମିଠା ସବୁ ଅଛି ଚୁଡ଼ା ରସଗୋଲ୍ଲା ।

କିଏ ବା ହୋଇଛି ତହିଁ ଅଲ୍ଲା ବିସମୁଲ୍ଲା ।”

ଅବଶ୍ୟ ଫକୀରମୋହନଙ୍କ “ଉତ୍କଳ ଭ୍ରମଣଂ’ରେ “ଚୁଡ଼ା’ ସହିତ “ଚିତଉ’ ଆଦି “ପିଠା’ ଓ “ଲଡ଼ୁ’ ଆଦି ନାନାଜାତି “ମିଠା’ ଏବଂ “ଛେନାବରା’ ପରି ଅନ୍ୟ କେତେକ ଖାଦ୍ୟଦ୍ରବ୍ୟର ବର୍ଣ୍ଣନା ଅଛି- କିନ୍ତୁ “ରସଗୋଲା’ (ରସଗୋଲ୍ଲା) ମିଳେ ନାହିଁ । କିନ୍ତୁ ପ୍ରମୋଦ ପଟ୍ଟନାୟକ ଏହା ଲେଖିଛନ୍ତି ପ୍ରତୀକାତ୍ମକ ଭାବରେ ଏବଂ ଖଟା, ମିଠା, ଚୁଡ଼ା, ରସଗୋଲ୍ଲା, ଅଲ୍ଲା, ବିସମୁଲ୍ଲା- ସବୁ ସେଥିରେ ଏକ ଏକ ପ୍ରତୀକ ଭାବରେ ବ୍ୟବହୃତ ହୋଇଛନ୍ତି । ଏହା ମଧ୍ୟ ସୂଚାଏ ଯେ ୧୮୯୨ରେ “ଉତ୍କଳ ଭ୍ରମଣଂ’ର ରଚନାର ବହୁ ପୂର୍ବରୁ, ଚୁଡ଼ା ଏକ ସାଧାରଣ ଖାଦ୍ୟ ଭାବରେ ଓ ରସଗୋଲା ଏକ ସଂଭ୍ରାନ୍ତ ମିଷ୍ଟାନ୍ନ ଭାବରେ ଓଡ଼ିଶାରେ ସୁପ୍ରଚଳିତ ଥିଲା ।

ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ “ରସଗୋଲା’ର ପ୍ରାଚୀନତା ନେଇ ଚାଲିଥିବା ବିତର୍କର ଅନୁଧ୍ୟାନ କଲେ ଜଣାଯାଏ ଯେ ଉଭୟ ରାଜ୍ୟ ପକ୍ଷରୁ ଏ ବାବଦରେ ନିଜ ନିଜ ସାହିତ୍ୟର ପ୍ରମାଣକୁ ମଧ୍ୟ ଗୁରୁତ୍ୱ ଦିଆ ହୋଇଆସିଛି । କଲିକତାର “ଗାଙ୍ଗଚିଲ’ ପ୍ରକାଶନ ପକ୍ଷରୁ ପ୍ରକାଶିତ ବଙ୍ଗଳା ବହି (ରସଗୋଲ୍ଲା- ବାଂଲାର ଜଗତମାତାନୋ ଆବିଷ୍କାର)ରେ “ରସଗୋଲ୍ଳା’ର ସର୍ବପ୍ରାଚୀନ ସାହିତ୍ୟକ ଉଲ୍ଲେଖ ଅଛି ବୋଲି କୁହାଯାଇଛି । ସେହି ପ୍ରମାଣ ହେଉଛି “ରସିକତା’ ପତ୍ରିକାର ୧୮୯୬ ମସିହା, ପ୍ରଥମ ଭାଗରେ ପ୍ରକାଶିତ “ରସଗୋଲାର ସ୍ତବ’ କବିତା । ରାଖାଲ ଦାସ ଅଧିକାରୀ ତାହାର ରଚୟିତା । ଯେ କେହି ବ୍ୟକ୍ତି “ରସଗୋଲ୍ଲା’ ନାମକ ଏକ ମିଠା ଖାଇ ତାହାର ସ୍ୱାଦରେ ମୁଗ୍ଧ ହୋଇ ଏପରି କବିତା ଲେଖିବା କିଛି ଅସ୍ୱାଭାବିକ ନୁହେ । ଅପରପକ୍ଷେ, ଏହି ଲେଖକର “ଶ୍ରୀଜଗନ୍ନାଥଙ୍କ ରସଗୋଲା’ ବହି (ପ୍ରକାଶକ, ଆମ ଓଡ଼ିଶା)ରେ ପଞ୍ଚଦଶ ଶତାବ୍ଦୀ ଶେଷଭାଗର ବଳରାମ ଦାସଙ୍କ “ଦାଣ୍ଡି ରାମାୟଣ’କୁ ଓଡ଼ିଶାର ପ୍ରମାଣ ରୂପେ ଉପସ୍ଥାପିତ କରାଯାଇଛି । “ଦାଣ୍ଡି ରାମାୟଣ’ର “ଅଯୋଧ୍ୟା କାଣ୍ଡ’ରେ ଥିବା ବର୍ଣ୍ଣନା ଅନୁସାରେ, ଭରତ, ଶତ୍ରୁଘ୍ନ ଓ ଅନ୍ୟମାନଙ୍କୁ ଭରଦ୍ୱାଜ ମୁନି ତାଙ୍କ ଆଶ୍ରମରେ ଯେଉଁସବୁ ଖାଦ୍ୟ ଦ୍ରବ୍ୟ ପରଷିଛନ୍ତି, ତା’ ମଧ୍ୟରେ ବହୁ ଓଡ଼ିଆ ଖାଦ୍ୟ ସହିତ ରସଗୋଲା ରହିଛି । “ଅଯୋଧ୍ୟା କାଣ୍ଡ’ର ସେହି ପଦରୁ କେତୋଟି ହେଉଛି-

“ନାଡ଼ୀ ସରପୁଳି ଯେ ଆରିଷା ଛେନାପୁରୀ ।

କାକରା ଛେନା ଲଡ଼ୁ ଯେ ମାଲପୁଆ ପୁରୀ ।

ସଜମରା ଘିଅ ଆଣି ଦ୍ୟନ୍ତି ବଢ଼ାବଢ଼ା

ଗଜା କଚୁରୀ ପଣସ ଖୋସା ବୀରିବରା  । ।

କୋରା ରସଗୋଲା ଯେ ଅମୃତ ରସାବଳୀ  ।

ମଠା ନାନମାନ ଅମୃତପାଣି କଦଳୀ  ।”

ପ୍ରାୟ ୫୦୦ ବର୍ଷ ତଳର ଏହି ପ୍ରାଚୀନ ପ୍ରମାଣ ବ୍ୟତୀତ, ଆଧୁନିକ ସାହିତ୍ୟର ପ୍ରମାଣ ଭାବରେ ଓଡ଼ିଆ “ରସଗୋଲା’ ବହିରେ ଦିଆଯାଇଛି “ଇନ୍ଦ୍ରଧନୁ’ ପତ୍ରିକାର ୧୮୯୩ ମସିହା, ଡିସେମ୍ୱର ୧୪ ସଂଖ୍ୟାରେ ପ୍ରକାଶିତ “ବାଲିଯାତ୍ରା’ କବିତା । ସେହି ଦୀର୍ଘ କବିତାରେ କଟକର ଇତିହାସ-ପ୍ରସିଦ୍ଧ ବାଲିଯାତ୍ରାର ବିଶଦ ବର୍ଣ୍ଣନା ସହିତ ସେଠାରେ ବିକ୍ରି ହେଉଥିବା ଗୁଡ଼ିଆସାହୁ ଦୋକାନ ଓ ସେଥିରେ ବିକ୍ରି ହେଉଥିବା “ରସଗୋଲା’ର ବର୍ଣ୍ଣନା ରହିଛି । ତାହାର ୩୫ ଓ ୩୬ ପଦରେ କୁହାଯାଇଛି-

“ଗୁଡ଼ିଆ ସାହୁର                  ମିଠାଇ ଦୋକାନ

ହୋଇଅଛି ବଡ଼ ଜାକଜମକ

ଲଡ଼ୁ ରସଗୋଲା                 ବରଫି, ଜଲପି

ପୁଣି ତେଜପତ୍ର ପୋଡ଼ା ପିଷ୍ଟକ । (୩୫)

କଞ୍ଚାଗୋଲା ସର-               ପୁଳି ମାଲପୁଆ

ମୋହନଭୋଗ ଯେ ଲାଲମୋହନ

କେତେ କି କହିବା                ଦେଖି ନଖାଇଲେ

ପାଟିରୁ ବହିବ ଲାଳ ବହନ ।”

ଏହା ବଙ୍ଗୀୟ ‘ରସଗୋଲ୍ଲା’ର ୧୮୯୬ ମସିହା ପ୍ରମାଣର ତିନିବର୍ଷ ପୂର୍ବର ପ୍ରମାଣ ।

କିନ୍ତୁ ‘ଉତ୍କଳଭ୍ରମଣଂ’ର ଉପର ସୂଚିତ ସମୀକ୍ଷା ଏହାର ଆହୁରି ପ୍ରାଚୀନ ପ୍ରମାଣ । କାରଣ ଏହା ବଙ୍ଗଳା ‘ରସିକତା’ ପତ୍ରିକାର ‘ରସଗୋଲ୍ଲାର ସ୍ତବ’ କବିତାର ଚାରିବର୍ଷ ପୂର୍ବରୁ (୧୮୯୨)ପ୍ରକାଶିତ ଏବଂ କେବଳ ‘ରସଗୋଲା’ ନୁହେ, ରସଗୋଲାର ପ୍ରତୀକାତ୍ମକତାର ସୂଚକ ।

କିନ୍ତୁ ଫକୀରମୋହନଙ୍କ ରଚନାରୁ ‘ରସଗୋଲା’ର ଆଉ ଏକ ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ମିଳେ । ତାହା ହେଉଛି- ତାଙ୍କର ଏକ ଭ୍ରମଣ-ବୃତ୍ତାନ୍ତ ‘ଓୟାଲ୍‍ଟେୟାର ଦର୍ଶନ’ । ତାହା ‘ଉତ୍କଳ ସାହିତ୍ୟ’ର ୭ମ ବର୍ଷ, ୧ମ ସଂଖ୍ୟା, ୧୩୧୦-୧୧ ସାଲ (୧୯୦୪)ରେ ପ୍ରକାଶିତ । ଏ ସଂପର୍କିତ ବିବରଣୀରୁ ଜଣାଯାଏ ଯେ ଏପ୍ରିଲ୍‍ ୧୧ ଓ ୧୨ ତାରିଖ ଦୁଇଦିନ ବ୍ରହ୍ମପୁରଠାରେ ‘ଗଞ୍ଜାମ ଜାତୀୟ ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା ଏବଂ ମଧୁସୂଦନ ଦାସ ଓ ବିଶ୍ୱନାଥ କର ପ୍ରମୁଖଙ୍କ ସହିତ ଫକୀରମୋହନ ସେହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।

ସମ୍ମିଳନୀ ପରେ ସେଠାରେ କିଛିଦିନ ଅବସ୍ଥାନ କରିବା ପରେ, ଯୁବରାଜ ବିକ୍ରମଦେବ ବର୍ମା (୧୮୬୯-୧୯୫୧)ଙ୍କ ନିମନ୍ତ୍ରଣକ୍ରମେ ସେ ଓ୍ୱାଲଟିୟର ଯାଇଥିଲେ । ଏ ସଂପର୍କରେ ସେହି ଭ୍ରମଣ ବୃତ୍ତାନ୍ତରେ ସେ ଲେଖିଛନ୍ତି- ‘‘ଉତ୍କକର ଶିକ୍ଷିତ, ସ୍ୱଦେଶବତ୍ସଳ ସୁସନ୍ତାନମାନେ ଗତ ଏପ୍ରିଲ୍‍ ମାସ ୧୧/୧୨ ତାରିଖରେ ବ୍ରହ୍ମପୁରଠାରେ ମାତୃସେବା ସମାପ୍ତ କରି ସ୍ୱସ୍ୱ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କଲା ଉତ୍ତାରେ ଆମ୍ଭେମାନେ ସେମାନଙ୍କଠାରୁ ବିଦାୟ ଗ୍ରହଣ କରି କିଛିଦିନ ସେହିଠାରେ ଅବସ୍ଥାନ କରି ଏପ୍ରିଲ୍‍ ମାସ ୨୪ ତାରିଖ ଦିନ ଦିବା ୧୨ ଘଣ୍ଟା ସମୟରେ ବ୍ରହ୍ମପୁର ଷ୍ଟେସନରୁ ଟିକିଟ କ୍ରୟ କରି ମାନ୍ଦ୍ରାଜଗାମୀ ଟ୍ରେନ୍‍ରେ ଯାତ୍ରା କଲୁଁ । ସନ୍ଧ୍ୟା ୭ ଘଟିକା ସମୟରେ ଟ୍ରେନ୍‍ ଓୟାଲ୍‍ଟେୟାରରେ ଉପସ୍ଥିତ ହେଲା ।… ପ୍ରିନ୍‍ସ ବିକ୍ରମ ଦେଓ ବର୍ମାଙ୍କ ପ୍ରେରିତ ବାବୁ ବଡ଼ ନିନା ଦେଓ ଆମ୍ଭମାନଙ୍କ ଅପେକ୍ଷାରେ ପ୍ଲାଟଫର୍ମରେ ଦଣ୍ଡାୟମାନ ଥିଲେ । ଟ୍ରେନରୁ ଅବତରଣ କଲା ମାତ୍ରକେ ତାଙ୍କ ସହିତ ସାକ୍ଷାତ ହେଲା । ବାବୁ ନିନା ଦେଓ ଆମ୍ଭମାନଙ୍କୁ ଅତି ଯତ୍ନ ଓ ଆଦର ସହିତ ରାଜକୀୟ ଅଶ୍ୱଶକଟରେ ଘେନିଗଲେ । ଆମ୍ଭମାନଙ୍କ ବାସ ନିମନ୍ତେ ବିଶାଖାପତ୍ତନ ସହର ମଧ୍ୟଭାଗରେ ଗୋଟିଏ କ୍ଷୁଦ୍ର ସୁନ୍ଦର ଦ୍ୱିତଳ ଗୃହ ନିରୂପିତ ଥିଲା । … ଆହାରାଦି କରି ପରମାନନ୍ଦରେ ରାତ୍ରିଯାପନ କଲୁଁ ।”

ଏହି ପରିପ୍ରେକ୍ଷୀରେ ସେଠାର ଦର୍ଶନୀୟ ସ୍ଥାନଗୁଡ଼ିକର ବର୍ଣ୍ଣନା ସମେତ, ସେଠାର ଖାଦ୍ୟ ରୁଚି ଓ ତାଙ୍କୁ ପରିବେଷଣ କରାଯାଇଥିବା ଖାଦ୍ୟର ବର୍ଣ୍ଣନା ଅଛି । ଫକୀରମୋହନ ଲେଖିଛନ୍ତି, “ଦକ୍ଷିଣ ଦେଶସ୍ଥ ଅନ୍ୟାନ୍ୟ ସହର ପରି ଆମ୍ଭେମାନେ ବୈଜାଗ ସହରରେ ମଧ୍ୟ ଉପଯୁକ୍ତ ମିଷ୍ଟାନ୍ନ ଦୋକାନ ଦେଖିଲୁ ନାହିଁ । ଯେ ସମସ୍ତ ଦୋକାନ ଅଛି ତାହା ନେତ୍ର ତୃପ୍ତିକର ଓ ରୁଚିକର ବୋଲି ବୋଧ ହେଲା ନାହିଁ । ବୋଧହୁଏ ଆନ୍ଧ୍ରଲୋକେ ମିଷ୍ଟାନ୍ନକୁ ଏତାଦୃଶ ପସନ୍ଦ କରନ୍ତି ନାହିଁ । ଆମ୍ଭେମାନେ ସେଠାରେ ଯଥେଷ୍ଟ ପରିମାଣର ଉତ୍କୃଷ୍ଟ ରସଗୋଲା, କଚୁରୀ ଓ ପୁରୀ ପାଇ ଆଶ୍ଚର୍ଯ୍ୟବୋଧ କଲୁ । ସେସବୁ ପ୍ରିନ୍‍ସ ବିକ୍ରମ ଦେଓଙ୍କ ସ୍ୱଗୃହ ପ୍ରସ୍ତୁତ ।”

ଫକୀରମୋହନଙ୍କର ଏହି ବର୍ଣ୍ଣନା ସ୍ପଷ୍ଟ ସୂଚାଏ ଯେ ବିଂଶ ଶତାବ୍ଦୀର ଆଦ୍ୟଭାଗରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ରସଗୋଲା ପରି ମିଠା ପ୍ରାୟ ପ୍ରଚଳିତ ନଥିବାବେଳେ, ଓଡ଼ିଶାରେ ଓ ସଂଭ୍ରାନ୍ତ ଓଡ଼ିଆ ପରିବାରରେ ରସଗୋଲା ସୁପ୍ରଚଳିତ ଥିଲା ।

“ବାଂଲାର ରସଗୋଲ୍ଲା’ ପାଇଁ ପଶ୍ଚିମବଙ୍ଗ ଜି.ଆଇ. ମାନ୍ୟତା ପାଇବାକୁ ଏ ଭିତରେ ପ୍ରାୟ ୧୫ମାସ ବିତିଯିବାକୁ ବସିଛି । ଯଥେଷ୍ଟ ତଥ୍ୟ ପ୍ରମାଣ ମହଜୁଦ ଥିଲେ ମଧ୍ୟ ଓଡ଼ିଶା ସରକାର “ଓଡ଼ିଶାର ରସଗୋଲା’ ବା “ଜଗନ୍ନାଥ ରସଗୋଲା’ପାଇଁ ଜି.ଆଇ. ମାନ୍ୟତା ଦାବି ପାଇଁ ଯଥେଷ୍ଟ ଅବହେଳା ଦେଖାଇଥିଲେ । ବହୁ ବିଳମ୍ୱରେ ଏଥିପାଇଁ ଆବେଦନ କଲେ । ଫକୀରମୋହନଙ୍କ ରସଗୋଲା ପ୍ରସଙ୍ଗ ଓଡ଼ିଶାର ଦାବିକୁ ଆହୁରି ବଳିଷ୍ଠ କରିଛି । ତାଙ୍କ  ଓ୍ୱାଲଟିୟର ଭ୍ରମଣ ବୃତ୍ତାନ୍ତରେ ଏବଂ ତାଙ୍କ “ଉତ୍କଳ ଭ୍ରମଣଂ’ ବାବଦ ଆଲୋଚନାରେ “ରସଗୋଲା’ର ଉପସ୍ଥିତି, ରସଗୋଲା ଯେ ଓଡ଼ିଶାର ଏକ ପ୍ରାଚୀନ ଓ ସୁପ୍ରଚଳିତ ମିଷ୍ଟାନ୍ନ- ଏହାର ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ।

ଏଣୁ ଆଶା କରାଯାଏ, ଫକୀରମୋହନଙ୍କର ମୃତ୍ୟୁର ଶତବାର୍ଷିକୀର ସ୍ମୃତିରେ, ଅନ୍ତତଃ ତାଙ୍କର ସମ୍ମାନାର୍ଥେ ରାଜ୍ୟ ସରକାର ଓଡ଼ିଶାର ଏହି ଲୋକପ୍ରିୟ ମିଷ୍ଟାନ୍ନର ଜି.ଆଇ. ମାନ୍ୟତାପାଇଁ ଅଧିକ ତତ୍ପର ହେବେ ।