Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନେଲେ ଏହି ପଦକ୍ଷେପ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଟାଉନ ହଲଠାରେ ରଥଯାତ୍ରା ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକମାନଙ୍କର ସହଯୋଗ କାମନା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ମୂଳ ସେବକ ହେଉଛନ୍ତି ଆଦିବାସୀ। ଜଣେ ଆଦିବାସୀ ଭାବେ ମୁଁ ନିଜକୁ ଜଗନ୍ନାଥଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛି।

ସେ ପୁଣି କହିଲେ ଯେ ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ପରିଚୟ ତାଙ୍କ ରଥଯାତ୍ରା ସାରା ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଓ ଆଧ୍ୟାତ୍ମିକ ପର୍ବ। ଏହାର ସୁପରିଚାଳନା ଆମ ସମସ୍ତଙ୍କ ଦାୟିତ୍ୱ। ତେଣୁ ସମସ୍ତେ ଦାୟିତ୍ୱବାନ ହୋଇ ଏହାକୁ ଅତ୍ୟନ୍ତ ନିଷ୍ଠା ସହକାରେ ସୂଚାରୁରୂପେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ଯେହେତୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିବେ ।ସମସ୍ତଙ୍କ ମିଳିତ ସହଯୋଗରେ ରଥଯାତ୍ରା ସୁରୁଖୁରରେ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ପୁରୀର ଜନସାଧାରଣ, ମହାପ୍ରଭୁଙ୍କ ସେବାୟତ, ପ୍ରଶାସନ, ପୁଲିସ ସମସ୍ତେ ସେବା ଓ ସମର୍ପଣ ମନୋଭାବ, ମହାପ୍ରଭୁଙ୍କ ଏ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରି ସଫଳ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।

ଏ ବର୍ଷ ଏକ ବିରଳ ରଥଯାତ୍ରା । ଏହି ଅବସରରେ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିଥିବାରୁ ସେ ଖୁସି ପ୍ରକାଶ କରି କହିଥିଲେ ଯେ ଏ ବର୍ଷ ଦୁଇ ଦିନ ଧରି ରଥଟଣା କାର୍ଯ୍ୟକ୍ରମ ଥିବାରୁ ରଥଯାତ୍ରା ପରଦିନ ମଧ୍ୟ ଛୁଟି ରହିବ। ତେଣୁ ଜୁଲାଇ ୭ ତାରିଖ ସହିତ ଜୁଲାଇ ୮ ତାରିଖ ମଧ୍ୟ ଛୁଟି ଘୋଷଣା କରାଗଲା।

ଏହି ବୈଠକରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଅନ୍ୟ ମନ୍ତ୍ରୀ ଗଣ, ବିଧାୟକଗଣ, ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀ, ମହାପ୍ରଭୁଙ୍କ ସେବାୟତଗଣ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଆରମ୍ଭ ହେଲା ‘ଶ୍ରୀଜଗନ୍ନାଥ’ ଶୀର୍ଷକ ଚିତ୍ରଶିଳ୍ପୀ ଶିବିର

ଭୁବନେଶ୍ୱର: ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ୨୮ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ‘ଶ୍ରୀଜଗନ୍ନାଥ’ ଶୀର୍ଷକ ଚିତ୍ରଶିଳ୍ପୀ ଶିବିର।

ଏହି ଚିତ୍ରଶିଳ୍ପୀ ଶିବିରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀମାନେ ଅଂଶଗ୍ରହଣ କରି ରଙ୍ଗ ଓ ତୁଳୀର କାନ୍‌ଭାସ ଉପରେ ପୁରୀର ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ବନ୍ଧୀୟ ଚିତ୍ରକଳା ଅଙ୍କନ କରିବେ। ଏହି ଚିତ୍ରକଳା ଶିବିରକୁ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, କଳିଙ୍ଗ ସମ୍ମିଳନୀ କକ୍ଷ ପାନ୍ଥନିବାସ, ଭୁବନେଶ୍ୱରଠାରେ ଶୁଭ ଉଦ୍‌ଘାଟନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଉପରେ ପର୍ଯ୍ୟବେଶିତ ଚିତ୍ରକଳାଗୁଡ଼ିକର ମାଧୁର୍ଯ୍ୟ ଭକ୍ତ ଏବଂ କଳାପ୍ରେମୀମାନଙ୍କୁ ଆକୃଷ୍ଟ ଏବଂ ଆତ୍ମନ୍ଦିତ କରିବାରେ ସକ୍ଷମ ହେବ ବୋଲି ପ୍ରକାଶ କରିଛନ୍ତି।

ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଶ୍ରୀ ମଧୁସୂଦନ ଦାସ, ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଲଳିତ କଳା ଏକାଡେମୀର କାର୍ଯ୍ୟକାରୀ ସମିତି ସଭ୍ୟ ତଥା ବରିଷ୍ଠ ଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର, ଶ୍ରୀ ଅକ୍ଷୟ କୁମାର ସାମଲ ଏବଂ ସଭ୍ୟ ଶ୍ରୀ ଶ୍ୟାମସୁନ୍ଦର ମେହେର ଏତଦ୍‌ବ୍ୟତୀତ ବରିଷ୍ଠ ଚିତ୍ରଶିଳ୍ପୀ ତଥା ଏକାଡେମୀର ପୂର୍ବତନ ସଚିବ ଶ୍ରୀ ଗଜେନ୍ଦ୍ର ପ୍ରସାଦ ସାହୁ, ଅନ୍ୟତମ ପୂର୍ବତନ ସଚିବ ଡ. ପଞ୍ଚାନନ ସାମଲଙ୍କ ସମେତ ବହୁ ଚିତ୍ରଶିଳ୍ପୀ ଯୋଗ ଦେଇଥିଲେ।

ଉକ୍ତ ଶିବିରରେ ଜୟନ୍ତ କୁମାର ପଣ୍ଡା, ନୃସିଂହ ନାୟକ, ଭୁବନ ମୋହନ ତି୍ରପାଠୀ, ବିଜୟ କୁମାର ସାହୁ, ଅଲିନା ବିଶ୍ୱାଳ, କିରଣ ପ୍ରଭା ମିଶ୍ର, କଲ୍ୟାଣ ବାରିକ, ରାଧେଶ୍ୟାମ ବାରିକ, ଲକ୍ଷ୍ମୀପ୍ରିୟା ପ୍ରଧାନ, ବ୍ରହ୍ମାନନ୍ଦ ବେହେରା, ରମେଶ ଦେ, ଶଶିକାନ୍ତ ସାହୁ, ଦୁର୍ଗା ମାଧବ କର, ଖୋକନ ସରକାର, ସୀମା ବେହେରା, ରାଜକିଶୋର ଦିଣ୍ଡା, ତନ୍ମୟ କୁମାର ଭୋଳ, ଡ. ଦିନବନ୍ଧୁ ସାହୁ, ସପଥ ଦାସ, ଶ୍ରୀକାନ୍ତ ଦାସ, ପ୍ରସନ୍ନ କୁମାର ଆଚାର୍ଯ୍ୟ, ବ୍ରଜନାରାୟଣ ଷଡଙ୍ଗୀ, କିଶୋର କୁମାର ସାହୁ, ପୁଷ୍ପଲତା ସାହୁ, ଚିନ୍ତାମଣି ବିଶ୍ୱାଳ, ମନୋରଞ୍ଜନ ଦାସ, ଦାସରଥୀ ମହନ୍ତ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପରେ ଚିତ୍ର ଅଙ୍କନ କରିବେ। ଏହି ଶିବିରଟି ଆସନ୍ତା ଜୁଲାଇ ୦୪ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ଚିତାଲାଗି ଅମାବାସ୍ୟା ପାଇଁ ୪ ଘଣ୍ଟା ଧରି ବନ୍ଦ ରହିବ ଶ୍ରୀମନ୍ଦିର

ଭୁବନେଶ୍ବର: ଆଜି ହେଉଛି ଚିତାଲାଗି ଅମାବାସ୍ୟା। ଆଜି ପ୍ରଭୃଙ୍କ ମସ୍ତକରେ ରତ୍ନ ଚିତା ଲାଗି ହେବା ସହିତ ଚିତାଉ ପିଠା ଭୋଗ କରାଯିବ। ଏହି ସେବା ଗୁପ୍ତ ସେବା ହୋଇଥିବାରୁ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ଆଜି ଅପରାହ୍ନ ୨ଟାରୁ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ।

ପରଂପରା ଅନୁସାରେ ମହାପ୍ରଭୃ ଯେତେବେଳେ ସ୍ନାନ ମଣ୍ଡପକୁ ବିଜେ କରନ୍ତି ସେତେବେଳେ ତାଙ୍କ ମଥାରୁ ରତ୍ନଚିତା ବାହାର କରାଯାଇ ରତ୍ନ ଭଣ୍ଡାରରେ ରଖାଯାଏ। ସେହି ଚିତାକୁ ଶ୍ରାବଣ ମାସ ଅମବାସ୍ୟାରେ ଏହି ଚିତା ଲାଗି କରାଯାଇଥାଏ। ସେଥିପାଇଁ ଏହାକୁ ଚିତାଲାଗି ଅମବାସ୍ୟା ବୋଲି କୁହାଯାଏ।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ରଥଯାତ୍ରା। ଲୋକାରଣ୍ୟ ହୋଇପଡିଛି ବଡ ଦାଣ୍ଡ। ପ୍ରଭୃ ଜଗନ୍ନାଥ ଭାଇ ଭଉଣୀଙ୍କୁ ସାଥିରେ ଧରି ବାହାରିବେ ଶ୍ରୀଗୁଣ୍ଡିଚା ମନ୍ଦିର। ସେଥିପାଇଁ ସିଂହଦ୍ବାରରେ ତିନିରଥ ଶ୍ରୀଜୀୟୁଙ୍କୁ ଅପେକ୍ଷା କରି ରହିଛନ୍ତି।

ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା।ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ। ଜୟ ଜଗନ୍ନାଥ।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ବଡଦାଣ୍ଡରେ ଗଡିଲା ରଥ, ନିର୍ଦ୍ଧାରିତ ସମୟର ଯଥେଷ୍ଠ ପୂର୍ବରୁ ଆରମ୍ଭ ହୋଇଗଲା ରଥଟଣା

ପୁରୀ, ଶେଷରେ ଘଡଘଡ ନାଦରେ ବଡଦାଣ୍ଡରେ ଚାଲିଛି ରଥ। ଭକ୍ତ ନ ଥିଲେ ମଧ୍ୟ ସେବକମାନେ ରଥକୁ ଟାଣି ଟାଣି ନେଉଛନ୍ତି। ଆଶ୍ଚର୍ଯର କଥା ପୂର୍ବ ନିର୍ଦ୍ଧାରିତ ସମୟର ଯଥେଷ୍ଠ ପୂର୍ବରୁ ରଥଟଣା ଆରମ୍ଭ ହୋଇଯାଇଛି। ଅର୍ଥାତ ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଏହି ରଥଟଣା ଆରମ୍ଭ ହୋଇଛି।

ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ରଥଟଣା ଆଜି ଅପରାହ୍ନ 3ଟାରେ ଆରମ୍ଭ କରିବାକୁ ନିର୍ଦ୍ଧାରିତ ହୋଇଥିଲା। ହେଲେ ଆଜି ପ୍ରଭୃଙ୍କ ସମସ୍ତ ନୀତିକାନ୍ତି ଯଥେଷ୍ଠ ପୂର୍ବରୁ ଆରମ୍ଭ ହୋଇଛି।

ଆଜି ସକାଳୁ 8ଟା 30ରେ ଆରମ୍ଭ ହୋଇ 11ଟା 30 ପର୍ଯ୍ୟନ୍ତ ଠାକୁରଙ୍କ ପହଣ୍ଡି ବିଜେ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ ପହଣ୍ଡି ବିଜେ ଦିନ 10ଟା ଭିତରେ ଶେଷ ହୋଇଯାଇଥିଲା। ସେହିପରି ଛେରା ପହଁରା ଦିନ 12ଟାରୁ 2ଟା 45 ମିନଟ ଭିତରେ ହେବ ବୋଲି କୁହାଯାଇଥିଲା। ହେଲେ ଛେରା ପହଁରା ଦିନ 12ଟା 30 ରେ ଶେଷ ହୋଇଯାଇଛି।

ଛେରା ପହଁରା ଶେଷ ହେବା ପରେ ରଥ ଟଣା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ନିର୍ଦ୍ଧାରିତ ସମୟ ଥିଲା ଦିନ 3 ଟାରେ ରଥଟଣା ଆରମ୍ଭ କରାଯିବ। ହେଲେ ଏହାର ଦୁଇ ଘଣ୍ଟା ପୂର୍ବରୁ ଅର୍ଥାତ ଦିନ ପ୍ରାୟ 1 ଟା ବେଳେ ରଥଟଣା ଆରମ୍ଭ ହୋଇଯାଇଛି। ବର୍ତ୍ତମାନର ରିତିନୀତି ଅନୁସାରେ ଆଜି ଅପରାହ୍ନ 3 ଟା ସୁଦ୍ଧା ଗୁଣ୍ଡିଚା ମନ୍ଦିରରେ ତିନି ରଥ ଲାଗିଯିବ।