Categories
ଆଜିର ଖବର

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ, ବନ୍ୟା ବିପତ୍ତି ଆଟଲାସ୍‌ ଉନ୍ମୋଚିତ

ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବନ୍ୟା ବିପତ୍ତି ଆଟଲାସ୍‌ ଉନ୍ମୋଚିତ କରିଛନ୍ତି। ଏହି ଆଟ୍‌ଲାସରେ ଚିହ୍ନଟ ହୋଇଛି ରାଜ୍ୟର ସ୍ବତନ୍ତ୍ର ବିପତ୍ତି ଅଞ୍ଚଳ। ୨୦୦୦ରୁ ୨୦୧୮ ଯାଏ ସବୁ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଆଟ୍‌ଲାସ ପ୍ରସ୍ତୁତ କରାଯାଇଛି। ଆଟଲାସ୍‌ରେ ରାଜ୍ୟର ସ୍ବତନ୍ତ୍ର ବିପତ୍ତି ଅଞ୍ଚଳ ଚିହ୍ନଟ କରାଯାଇଛି। ବର୍ଷକୁ ୧୪ ଲକ୍ଷ ହେକ୍ଟର ଚାଷଜମି ବନ୍ୟାରେ କ୍ଷତିଗ୍ରସ୍ତ ହେଉଛି ବୋଲି ସୂଚନା ରହିଥିବାବେଳେ ବିଶେଷ କ୍ଷତିଗ୍ରସ୍ତ ଅଞ୍ଚଳକୁ ସହାୟତା ପ୍ରଦାନରେ ବେଶ୍‌ ସହାୟକ ହେବ ଏହି ଆଟଲାସ୍‌। ସେହିପରି ବାତ୍ୟା ଫୋନି ପରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି  ଆଟାଲସ୍‌ ଜରିଆରେ ଓଡ଼ିଶାର ଅଧିକ ବିପତ୍ତି ଅଞ୍ଚଳ ସମ୍ପର୍କରେ ସୂଚନା ମିଳିବା ସହିତ ସହାୟତା କରିବ ବୋଲି ସୂଚନା ରହିଛି।

Categories
ଆଜିର ଖବର

ବିଜୟଙ୍କ ଜନ୍ମଦିନରେ ବିଗିଲ୍‌ର ପୋଷ୍ଟର ରିଲିଜ୍‌

ତାମିଲ୍‌ ସୁପରଷ୍ଟାର ବିଜୟଙ୍କ ଜନ୍ମଦିନରେ ରିଲିଜ୍‌ ହୋଇଛି ବିଜୟଙ୍କ ୬୩ ତମ ଚଳଚିତ୍ର ବିଗିଲ୍‌ର ପୋଷ୍ଟର। ବିଜୟଙ୍କ ଜନ୍ମଦିନ ଅବସରରେ ଫିଲ୍ମର ନିର୍ଦ୍ଦେଶକ ଅଟ୍‌ଲୀ ଫିଲ୍ମର ପୋଷ୍ଟର ରିଲିଜ୍‌ କରାଇଛନ୍ତି। ଏହି ଫିଲ୍ମରେ ବିଜୟଙ୍କୁ ତିନୋଟି ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ପ୍ରଥମଟିରେ ଜଣେ ମାଞ୍ଚେଷ୍ଟର ୟୁନାଇଟେଡ ଫୁଟବଲର ଭୂମିକାରେ ନଜର ଆସିଥିବା ବେଳେ ଅନ୍ୟଟିରେ କୋଟ ସୁ୍‌ଟ ପିନ୍ଧିଛନ୍ତି ଏବଂ ଅନ୍ୟ ଏକ ଭୂମିକାରେ ଲୁଙ୍ଗି ପିନ୍ଧିଥିବା ଜଣେ ବୟସ୍କ ଚରିତ୍ରରେ ନଜର ଆସିଛନ୍ତି। ଥେରୀ ଏବଂ ମର୍ଶାଲ୍‌ ପରେ ଏହା ଅଟ୍‌ଲୀଙ୍କ ସହିତ ବିଜୟଙ୍କ ତୃତୀୟ ଫିଲ୍ମ। ଏହି ଫିଲ୍ମର ପୋଷ୍ଟରକୁ ବିଜୟଙ୍କର ଜନ୍ମଦିନ ଭେଟି ବୋଲି କହିଛନ୍ତି ଅଟ୍‌ଲୀ।

Categories
ଆଜିର ଖବର

ସୋନାଙ୍କ ‘ଖାନଦାନୀ ସଫାଖାନ୍‌’ର ଟ୍ରେଲର ରିଲିଜ୍‌

ସୋନାକ୍ଷୀ ସିହ୍ନାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଖାନ୍‌ଦାନୀ ସଫାଖାନ୍‌’ର ଟ୍ରେଲ୍‌ର ଆଜି ରିଲିଜ ହୋଇଛି। ଏହି ଫିଲ୍ମର ସୋନାକ୍ଷୀଙ୍କ ବ୍ୟତୀତ ବରୁଣ ଶର୍ମା, ଅନୁ କପୁର୍‌, ବାଦଶାହା ପ୍ରମୁଖ ଅଭିନୟ କରିଛନ୍ତି। ଲୋକପ୍ରିୟ ରାପର୍‌ ବାଦଶାହା ଏହି ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରୁଛନ୍ତି। ଗୌତମ ମେହେରଙ୍କ ରଚିତ ଏହି କାହାଣୀର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଶିଳ୍ପୀ ଦାସଗୁପ୍ତା। ଫିଲ୍ମଟି ଜୁଲାଇ ୨୬ ତାରିଖରେ ପରଦାକୁ ଆସିବ। ଏହି ଫିଲ୍ମରେ ସୋନାକ୍ଷୀଙ୍କୁ ସେକ୍ସ କ୍ଲିନିକ୍‌ ଚଲାଉଥିବାର ନଜର ଆସିବେ। ୨ମିନିଟ୍‌ ୪୨ ସେକେଣ୍ଡର ଏହି ଟ୍ରେଲର୍‌ରେ ଅନେକଗୁଡ଼ିଏ ଫନି ସିନ୍‌ ଦେଖିବାକୁ ମିଳିଛି। ତେବେ ଫିଲ୍ମଟି ଦର୍ଶକଙ୍କୁ ‘ଭିକି ଡୋନର୍‌’ର କିଛିଟା ସିନ୍‌ ମନେପକାଇଦେବ। କମେଡ଼ିଭିତ୍ତିକ ଏହି ଫିଲ୍ମଟିକୁ ଦର୍ଶକେ ଗ୍ରହଣ କରିବେ ବୋଲି ଆଶା କରାଯାଇଛି।

Categories
ଆଜିର ଖବର

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶିତ

ଓଡ଼ିଶାର ୩ଟି ରାଜ୍ୟସଭା ଆସନର ଉପ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତିନୋଟି ପଦ ପାଇଁ ପୃଥକ ପୃଥକଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ। ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ। ଜୁଲାଇ ୫ ତାରିଖରେ ଉପ ନିର୍ବାଚନ ହେବ। ନିର୍ବାଚନ କମିଶନ ୩ଟି ଆସନ ପାଇଁ ଏକକ ବାଲାଟ୍ ପେପରରେ ଭୋଟ୍ ପରିବର୍ତ୍ତେ ପ୍ରତ୍ୟେକ ପ୍ରାର୍ଥୀଙ୍କ ନିମନ୍ତେ ଭିନ୍ନ ଭିନ୍ନ ବାଲାଟ୍‌ ପେପରରେ ଭୋଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ତିନି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବ ଇସ୍ତଫା ଦେଇଛନ୍ତି। ଖାଲିପଡ଼ିଥିବା ଏହି ତିନି ସାଂସଦ ସ୍ଥାନରେ ଉପ ନିର୍ବାଚନ ହେବ।

Categories
ଆଜିର ଖବର

ଅର୍ଜୁନ୍‌ ରେଡ୍ଡୀର ତାମିଲ ରିମେକ୍‌ ଆଦିତ୍ୟ ବର୍ମାର ଟିଜର ରିଲିଜ୍‌

ତେଲୁଗୁ ବ୍ଲକ୍‌ବଷ୍ଟର ଅର୍ଜୁନ୍‌ ରେଡ୍ଡୀର ତାମିଲ ରିମେକ୍‌ ଆଦିତ୍ୟ ବର୍ମାର ଟିଜର ରିଲିଜ୍‌ ହୋଇଛି । ପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ବାଲା ଫିଲ୍ମରୁ ଓହରି ଯାଇଥିବା ବେଳେ ବର୍ତ୍ତମାନ ନୂତନ ନିର୍ଦ୍ଦେଶକଙ୍କ ସହିତ ଆଉଥରେ ସୁଟିଂ ହୋଇ ଏହାର ଟିଜର୍‌ ରିଲିଜ୍‌ ହୋଇଛି । ବର୍ତ୍ତମାନ ରିଲିଜ୍‌ ହୋଇଥିବା ଟିଜର୍‌ ସମ୍ପୁର୍ଣ୍ଣ ଭାବରେ ମୂଳ ଫିଲ୍ମ ସହିତ ସମାନ ରହିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗିରିସାୟା । ଗିରିସାୟା ଅର୍ଜୁନ ରେଡ୍ଡୀର ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ଫିଲ୍ମରେ କେବଳ ଧ୍ରୁବ୍ ବିକ୍ରମ ଏବଂ ମ୍ୟୁଜିକ୍‌ ଡିରେକ୍ଟର ରାଧାନ୍‌ଙ୍କୁ ରଖିଥିବା ବେଳେ ସମ୍ପୂର୍ଣ୍ଣ ନୂତନ ଷ୍ଟାରକାଷ୍ଟ ସହିତ ଏହି ଫିଲ୍ମର ସୁଟିଂ କରାଯାଇଛି । ଧ୍ରୁବଙ୍କ ବ୍ୟତୀତ ବନିତା ସାନ୍ଧୁ ଏହି ଫିଲ୍ମ ଜରିଆରେ ତାମିଲ ଡେବ୍ୟୁ କରିଛନ୍ତି । ମୂଳ ଫିଲ୍ମରେ ଜିଆ ଶର୍ମା ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ପ୍ରିୟା ଆନନ୍ଦ ।

Categories
ଆଜିର ଖବର

ରିଲିଜ୍‌ ହେଲେ ‘ସାହୋ’ର ଟ୍ରେଲର : ୟୁଟ୍ୟୁବ୍‌ରେ ଚମତ୍କାର ରେସପନ୍ସ

ଗୁରୁବାର ଅପରାହ୍ନରେ ରିଲିଜ୍‌ ହୋଇଛି ବହୁ ପ୍ରତୀକ୍ଷିତ ସାହୋର ଟ୍ରେଲର। ପ୍ରଭାସ ଏବଂ ଶ୍ରଦ୍ଧା କପୁର ଅଭିନୀତ ଏହି ଫିଲ୍ମକୁ ଦର୍ଶକ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବା ବେଳେ ୟୁଟ୍ୟୁବ୍‌ରେ ଏହାକୁ ବଢିଆ ରେସ୍‌ପନ୍ସ ମିଳିଛି। ରିଲିଜ୍‌ର ମାତ୍ର କିଛି ମିନିଟ୍‌ ମଧ୍ୟରେ ୟୁଟ୍ୟୁବ୍‌ରେ ଏହାକୁ ୪ ଲକ୍ଷ ଲୋକ ଦେଖିଥିଲେ। ଟିଜର୍‌ରୁ ଫିଲ୍ମର କାହାଣୀ ସମ୍ପର୍କରେ ଅନୁମାନ ଲଗାଇବା କଷ୍ଟକର ହୋଇଥିବା ବେଳେ ପ୍ରଭାସ ଶ୍ରଦ୍ଧାଙ୍କ ସାଥୀ ଭାବରେ ନଜର ଆସିଛନ୍ତି। ହଲିଉଡ୍‌ ଷ୍ଟଣ୍ଟ କୋରିଓଗ୍ରାଫର୍‌ କେନ୍ନି ବେଟ୍‌ସ ଏହି ହାଇ ଅକ୍ଟେନ୍‌ ଆକ୍ସନ୍‌ ସିନ୍‌ ଗୁଡିକୁ ଅତ୍ୟନ୍ତ ଜୀବନ୍ତ କରିଛନ୍ତି। ସାହୋର ଟିଜର୍‌ ଏକ ସଙ୍ଗରେ ହିନ୍ଦି, ତାମିଲ ଏବଂ ତେଲୁଗୁରେ ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ଶ୍ରଦ୍ଧାଙ୍କ ନିମନ୍ତ୍ର ତେଲୁଗୁ ଡେବ୍ୟୁ ହୋଇଥିବା ବେଳେ ପ୍ରଭାସଙ୍କର ଏହା ବଲିଉଡ୍‌ ଡେବ୍ୟୁ ରହିଛି। ସୁଜିତ୍‌ ସିରକାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତା ଅଗଷ୍ଟ ୧୫ ତାରିଖରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ମନ୍ଦିରା ବେଦୀ, ଜ୍ୟାକି ଶ୍ରଫ୍‌, ନୀଲ ନୀତିନ ମୁକେଶ ଏବଂ ତାମିଲ ଅଭିନେତା ଅରୁଣ ବିଜୟ ପ୍ରମୁଖ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି।

Categories
ଆଜିର ଖବର

ପରଦାକୁ ଆସିଲା ଭାଇଜାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’

ବଲିଉଡ୍‌ ଭାଇଜାନ୍‌ ସଲମନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ ଆଜି ଇଦ୍‌ ଅବସରରେ ମୁକ୍ତିଲାଭ କରିଛି। ସାଉଥ୍‌ କୋରିଆନ୍‌ର ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘ଅଡ୍‌ ଟୁ ମାଇ ଫାଦର୍‌’ର ରିମେକ୍‌ ହେଉଛି ‘ଭାରତ’। ଅଲ୍ଲୀ ଆବାସ ଜାଫର୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ୍‌ ଖାନ୍‌, କ୍ୟାଟ୍ରିନା କୈଫ୍‌, ଦିଶା ପଟ୍ଟାନି, ସୁନୀଲ ଗ୍ରୋଭର୍‌, ନୋରା ଫତେହୀ ପ୍ରମୁଖ ଅଭିନୟ କରିଛନ୍ତି।  ପାଖାପାଖି ୪୦୦୦ ସିନେମା ଘରେ ଏହି ଫିଲ୍ମଟି ପ୍ରଦର୍ଶିତ ହୋଇଛି। ଫିଲ୍ମରେ ସଲମାନଙ୍କୁ ସମ୍ପୂର୍ଣ୍ଣ ନୁଆ ଲୁକରେ ଦେଖିବା ସହିତ ଏହି ଫିଲ୍ମରେ ସଲ୍ଲୁଙ୍କର ଭିନ୍ନ ଭିନ୍ନ ଲୁକ୍‌ ମଧ୍ୟ ରହିଛି। ଇଦ୍‌ ଅବସରରେ ସଲମାନଙ୍କ ଏହି ନୂଆ ଭେଟିକୁ ନେଇ ଦର୍ଶକଙ୍କ ମନରେ ବେଶ୍‌ ଉତ୍ସାହ ରହିଛି ।

Categories
ଆଜିର ଖବର

ସୁପର ୩୦ର ଟ୍ରେଲର ରିଲିଜ୍‌ : ୧ ଘଣ୍ଟାରେ ଦେଖିଲେ ୫ ମିଲିୟନ୍‌ ଦର୍ଶକ

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ୍‌ଙ୍କ ଅପକମିଙ୍ଗ ଫିଲ୍ମ ସୁପର ୩୦ର ଟ୍ରେଲର ରିଲିଜ୍‌ ହୋଇଛି। ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ରରେ ନଜର ଆସୁଥିବା ହ୍ରିତିକ୍‌ ରୋଶନଙ୍କ ଏହି ଟ୍ରେଲର ରିଲିଜ୍‌ ହେବାର ଏକ ଘଣ୍ଟା ମଧ୍ୟରେ ୫ ମିଲିୟନ୍‌ ବା ୫୦ ଲକ୍ଷ ଦର୍ଶକ ଦେଖିଛନ୍ତି। ଟ୍ରେଲରରେ ଆନନ୍ଦ କୁମାରଙ୍କ ଯାତ୍ରା ଏବଂ ସୁପର ୩୦ର ସଫଳତାର ଯାତ୍ରାର ଏକ ଝଲକ ଦେଖିବାକୁ ମିଳିଛି। ଟ୍ରେଲର ରିଲିଜ୍‌ ପରେ ବିଭିନ୍ନ ବଲିଉଡ୍‌ ଅଭିନେତା ଏହାର ଟ୍ରେଲରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଫିଲ୍ମର ଟ୍ରେଲର ସେୟାର କରି ସୁପର ୩୦ର ଟ୍ରେଲର ସୁପର ହୋଇଛି। ଅନ୍ୟ ମାନଙ୍କ ମଧ୍ୟରେ ଗୌହର ଖାନ୍‌, ଶାନୁ ଶର୍ମା ଏବଂ ତୁଷାର ବାନାର୍ଜୀ ଏହି ଟ୍ରେଲରକୁ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର

ସୁପର ୩୦ର ନୂତନ ପୋଷ୍ଟର ରିଲିଜ୍‌ : ଆସନ୍ତା କାଲି ଟ୍ରେଲର ରିଲିଜ୍‌

ନିଜର ଅପ୍‌କମିଙ୍ଗ ଫିଲ୍ମ ସୁପର୍‌ -୩୦ର ଏକ ନୂତନ ପୋଷ୍ଟର ରିଲିଜ୍‌ କରିଛନ୍ତି ହ୍ରିତିକ୍‌ ରୋଶନ୍‌। ନିକଟରେ ଚୀନ୍‌ରେ କାବିଲ୍‌ର ପ୍ରଚାରରେ ବ୍ୟସ୍ତଥିବା ହ୍ରିତିକ୍‌ ସୋସିଆଲ ମିଡିଆରେ ନିଜ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟର ରିଲିଜ୍‌ ସହିତ ହ୍ରିତିକ୍‌ ଫିଲ୍ମର ଟ୍ରେଲର ରିଲିଜ୍‌ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଆସନ୍ତା କାଲି ଫିଲ୍ମର ଟ୍ରେଲର ରିଲିଜ୍‌ ହେବ। ଏହି ନୂଆ ପୋଷ୍ଟରରେ ଯୋଗ୍ୟ ବନନ୍ତୁ ବୋଲି ଲେଖାଯିବା ସହିତ ହ୍ରିତିକ ବର୍ଷାରେ ଭିଜୁଥିବା ଦେଖାଦେଇଛି। ଫିଲ୍ମଟିରେ ହ୍ରିତିକ୍‌ ଆନନ୍ଦ କୁମାରଙ୍କ ଚରିତ୍ରରେ ନଜର ଆସିବେ। ହ୍ରିତିକଙ୍କ ସହିତ ପଙ୍କଜ ତ୍ରୀପାଠୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ। ଆସନ୍ତା ଜୁନ୍‌ ୧୨ ତାରିଖରେ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି।

Categories
ଆଜିର ଖବର

ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶିତ : ପାଶ୍‌ ହାର ୭୦.୭୮

ଆଜି ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ମଙ୍ଗଳବାର ସକାଳ କଟକ ବୋର୍ଡ କାର୍ଯ୍ୟାଳୟରୁ ଏହି ଘୋଷଣା କରାଯାଇଥିଲା। ଚଳିତ ବର୍ଷ ଦଶମ ଶ୍ରେଣୀ ନିମନ୍ତେ ପାଶ୍‌ ହାର ୭୦.୭୮ ପ୍ରତିଶତ ରହିଛି। ରେଗୁଲାରରେ ପାଶ୍‌ ହାର ୭୨.୩୫  ରହିଥିବା ବେଳେ ଏକ୍ସ ରେଗୁଲାରରେ ୩୭.୪୩ ପ୍ରତିଶତ ରହିଛି। ଚଳିତ ଥର ୫ ଲକ୍ଷ ୮୭ ହଜାର ୭୮୦ ପରୀକ୍ଷାର୍ଥୀ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ। ରେଗୁଲାର ଶ୍ରେଣୀରେ ଏ-୧ ରେ୧୧୮୦ , ଏ-୨ରେ ୯୯୩୮, ବି-୧ ରେ ୨୪୯୯୧ , ବି-୨ରେ ୪୬୩୧୯, ସି ରେ ୭୬  ହଜାର ୧୩୯  ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାଶ୍‌ ହାର ଗତବର୍ଷ ତୁଳନାରେ ୫.୨୮  ପ୍ରତିଶତ ହ୍ରାସ ପାଇଛି। ଝାରସୁଗୁଡାରେ ପାଶ ହାର ସର୍ବାଧିକ ରହିଥିବା ବେଳେ କୋରାପୁଟରେ ଏହି ହାର ସର୍ବନିମ୍ନ ରହିଛି। ଝାରସୁଗୁଡାରେ ପାଶ ହାର ୮୫.୪୮ ରହିଥିବା ବେଳେ କୋରାପୁଟରେ ୫୦.୬୧  ପ୍ରତିଶତର ପାଶ୍‌ ହାର ରହିଛି। ୨୮୯  ଟି ସ୍କୁଲ୍‌ରେ ଶତ ପ୍ରତିଶତ ପାଶ୍‌ ହାର ରହିଛି। ୮୨ଟି ସ୍କୁଲର ଜଣେବି ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇନଥିବା ବେଳେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟର ଶିକ୍ଷକଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚିବ ପ୍ରକାଶ କରିଛନ୍ତି। ମୂଲ୍ୟାୟନର ପୁନଃ ଯାଞ୍ଚ ପ୍ରକ୍ରିୟା ନିମନ୍ତେ ଆସନ୍ତା ୧୦  ଦିନ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରାଯିବ ବୋଲି ଜଣା ପଡିଛି । ମଧ୍ୟମାରେ ପାଶ୍‌ ହାର ୮୪.୬୨  ରହିଛି। ସେହିପରି ମଧ୍ୟମାରେ ୩୫୬୩  ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୦୧୫  ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ମଧ୍ୟମାର ଛାତ୍ର ଛାତ୍ରୀ ମାନେ ମୂଲ୍ୟାୟନ ଯାଞ୍ଚ ନିମନ୍ତେ ଆସନ୍ତା ୨୪  ତାରିଖରୁ ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ।

ମାଟ୍ରିକ୍‌ ରେଜଲ୍ଟ ପାଇଁ ଉପଲବ୍ଧ ଓ୍ବେବସାଇଟ୍‌ : www.bseodisha.ac.in, www.bseodisha.nic.in

ମାଟ୍ରିକ୍‌ ରେଜଲ୍ଟ ପାଇଁ SMS ନମ୍ବର : ୫ ୬୭ ୬୭ ୫୦

(OR 10 ସ୍ପେସ୍‌ ଦେଇ ନିଜର ରୋଲନମ୍ବର ଲେଖି ଉପରୋକ୍ତ ନମ୍ବରକୁ ମେସେଜ୍‌ ପଠାଇ ପରୀକ୍ଷା ଫଳ ଜାଣିପାରିବେ।)

Categories
ଆଜିର ଖବର

ବିଶ୍ବକପ୍‌ ଅମ୍ପାୟାର ତାଲିକାରେ ଏସ୍‌ ରବି ଏକମାତ୍ର ଭାରତୀୟ

ଶୁକ୍ରବାର ଆଇସିସି ପକ୍ଷରୁ ୨୨ ଜଣିଆ ଅମ୍ପାୟାର ଏବଂ ମ୍ୟାଚ୍‌ ରେଫରୀଙ୍କ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବରେ ଅମ୍ପାୟାର ଏସ୍‌ ରବି ସ୍ଥାନ ପାଇଛନ୍ତି। ଆସନ୍ତା ମେ ୩୦ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣ ଅମ୍ପାୟାର ନିଯୁକ୍ତ କରା ଯାଇଥିବା ବେଳେ ୬ ଜଣ ମ୍ୟାଚ୍‌ ରେଫରୀ ନିଯୁକ୍ତ କରାଯାଇଛି। ନିକଟରେ ନିଜର ଏକ ଖରାପ ନିଷ୍ପତ୍ତି ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ରବିଙ୍କୁ ସମାଲୋଚନା କରିଥିଲେ। ବେଙ୍ଗାଲୁରୁ ଏବଂ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଏକ ନୋ ବଲ୍‌ ଦେଖି ପାରିନଥିଲେ ରବି। ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୪୮ଟି ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ ରେଫରୀଙ୍କ ମଧ୍ୟରେ ରଞ୍ଜନ ମୁଦୁଗଲେଙ୍କ ଏହା ଷଷ୍ଠ ବିଶ୍ବକପ୍‌ ହୋଇଥିବା ବେଳେ କ୍ରିସ୍‌ ବ୍ରଡ୍‌ ଏବଂ ମାର୍ଟିନ୍‌ କ୍ରୋଙ୍କ ଏହା ଚତୁର୍ଥ ବିଶ୍ବକପ୍‌। ସେହିପରି ଅମ୍ପାୟାରଙ୍କ ମଧ୍ୟରେ ଅଲିମ୍‌ ଦରଙ୍କ ଏହା ପଞ୍ଚମ ବିଶ୍ବକପ୍‌ ହୋଇଥିବା ବେଳେ ଇଆନ୍‌ ଗୁଲ୍ଡଙ୍କ ଏହା ଚତୁର୍ଥ ତଥା ଅନ୍ତିମ ବିଶ୍ବକପ୍‌ ହେବ।

Categories
ଆଜିର ଖବର

ସଲ୍‌ମାନ୍‌-ଦିଶାଙ୍କ ସ୍ଲୋ ମୋଶନ୍‌

ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌ ଅଭିନୀତ ଭାରତର ଟ୍ରେଲର ରିଲିଜ୍‌ ପରଠାରୁ ଏହି ଫିଲ୍ମଟି ଚର୍ଚ୍ଚାରେ ରହିଛି। ଆଜି ଏହି ଚଳଚିତ୍ରର ପ୍ରଥମ ଗୀତ ‘ସ୍ଲୋ ମୋଶନ୍‌’ ରିଲିଜ୍‌ ହୋଇଛି। ଗତକାଲି ରିଲିଜ୍‌ ହୋଇଥିବା ଏହି ଗୀତର ଟିଜରକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ସମ୍ପୂର୍ଣ୍ଣ ଭିଡିଓକୁ ଅପେକ୍ଷା କରିଥିଲେ। ଆଜି ସମ୍ପୂର୍ଣ୍ଣ ଭିଡିଓ ରିଲିଜ୍‌ ହେବା ପରେ ଦର୍ଶକ ସଲ୍‌ମାନ୍‌ ଏବଂ ଦିଶାଙ୍କ କେମେଷ୍ଟ୍ରିକୁ ପସନ୍ଦ କରିବା ସହିତ ରିଲିଜ୍‌ର ତିନି ଘଣ୍ଟା ମଧ୍ୟରେ ୫ ଲକ୍ଷ ଥର ଦେଖି ସାରିଲେଣି। ଗୀତଟି ୧୯୬୪ ମସିହାର ପୃଷ୍ଠଭୂମିରେ ରହିଛି। ଦିଶା ଗ୍ଲାମରସ୍‌ ଲୁକ୍‌ରେ ଦେଖା ଦେଇଥିବା ବେଳେ ସଲ୍‌ମାନ ନିଜର ଯୁବାବସ୍ଥାର ଚରିତ୍ରରେ ନଜର ଆସିଛନ୍ତି। ଏହି ଗିତଟିକୁ ଗାଇଛନ୍ତି ବିଶାଲ-ଶେଖର, ନକାଶ ଅଜିଜ୍‌ ଏବଂ ଶ୍ରେୟା ଘୋଷାଲ। ଫିଲ୍ମରେ କାଟ୍ରିନା ମୁଖ୍ୟ ନାୟିକା ଭୂମିକାରେ ରହିଥିବା ବେଳେ , ସୁନୀଲ ଗ୍ରୋଭର, ତବୁ, ବରୁଣ ଧଓ୍ବନ୍‌, ନୋରା ଫତେହୀ ଏବଂ ଜ୍ୟାକି ଶ୍ରଫ୍‌ ଅନ୍ୟାନ୍ୟ ଗୁଗରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମଟି ଜୁନ୍‌ ୫ ରେ ରିଲିଜ୍‌ ହେବାକୁ ଯାଉଛି।

Categories
ଆଜିର ଖବର

ପାଟକୁରା ପାଇଁ ବିଜ୍ଞପ୍ତି ପ୍ରକାଶ,ମେ ୧୯ରେ ନିର୍ବାଚନ

ପାଟକୁରାରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ମେ ୧୯ ତାରିଖରେ ପାଟକୁରାରେ ନିର୍ବାଚନ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ, ବରିଷ୍ଠ ବିଜେଡି ନେତା ତଥା ପାଟକୁରାରୁ ଦୁଇ ଥର ବିଧାୟକ ରହିଥିବା ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଅକାଳ ବିୟୋଗ ପରେ ନିର୍ବାଚନ ଆୟୋଗ ନିର୍ବାଚନ ସ୍ଥଗିତ ରଖିଥିଲେ। ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମେ ୧ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ ୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ମେ ୧୯ ରବିବାର ଦିନ ପାଟକୁରାରେ ଭୋଟ ଗ୍ରହଣ ହେବ।

Categories
ଆଜିର ଖବର

ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ’ଭାରତ’ର ଟ୍ରେଲର ରିଲିଜ୍‌

ବଲିଉଡ୍‌ ସୁଲତାନ ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ୩.୧୧ସେକେଣ୍ଡର ଏହି ଟ୍ରେଲର୍‌ଟି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଡାଏଲଗରୁ ଆରମ୍ଭ ହୋଇଛି।। ଏହି ଟ୍ରେଲରରେ ବ୍ୟାକ୍‌ଗ୍ରାଉଣ୍ଡରେ ଭାଇଜାନ୍‌ଙ୍କ ଭଏସ୍‌ରେ ଫିଲ୍ମର ଷ୍ଟୋରୀ ବିଷୟରେ ସଂକ୍ଷିପ୍ତ ବିବରଣୀ ଦିଆଯାଇଛି। ଏହି ଟ୍ରେଲ୍‌ରରେ ସଲମାନ୍‌ଙ୍କୁ ପ୍ରଥମେ ମିଡିଲ୍‌ କ୍ଲାସ୍‌ର ଜଣେ ମଧ୍ୟବୟସ୍କ ଭାବେ ଦେଖିବାକୁ ମିଳୁଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କ ଜୀବନୀକୁ ଦେଖାଯାଇଛି। ଏହି ଫିଲ୍ମରେ ସଲମାନ୍‌ ଓ କ୍ୟାଟ୍ରିନାଙ୍କ ସଂଳାପ ଦେଖାଯାଇଛି। ପ୍ରଥମରୁ ସଲମାନ୍‌ଙ୍କୁ ଷ୍ଟଣ୍ଟମ୍ୟାନ୍‌ ରୂପେ ଉଭା ହୋଇଥିବାବେଳେ ତାଙ୍କୁ ନୌସେନା ଅଧିକାରୀ ରୂପେ ଦେଖିବାକୁ ମିଳିଛି। ଫିଲ୍ମରେ ଭାରତ ନାମକୁ ନେଇ ସଲମନ୍‌ଙ୍କ ଜବଦରସ୍ତ ସଂଳାପ ରହିଛି ଭାରତ ନାମକୁ ନେଇ। ଭାରତ ଦେଶକୁ ଭଲ ପାଉଥିବାରୁ ତାଙ୍କ ପିତା ତାଙ୍କ ନାମ ଭାରତ ରଖିଥିଲେ। ଏତେ ବଡ଼ ନାମ ଆଗରେ ପଛରେ ସରନେମ୍‌ ଲଗାଇ ତାକୁ ଛୋଟ କରିବାକୁ ଚାହିଁନଥିବାର କହିଛନ୍ତି ସଲ୍ଲୁ। ଫିଲ୍ମର ସଲ୍ଲୁଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଛି। ତେବେ ଫିଲ୍ମର ଟ୍ରେଲର୍‌ରେ ଜ୍ୟାକିଶ୍ରଫ୍‌, କ୍ୟାଟ୍ରିନା କୈଫ୍‌, ଦିଶା ପଟ୍ଟାନୀ, ସୁନୀଲ୍‌ ଗ୍ରୋଭର୍‌ ପ୍ରମୁଖ ଦେଖିବାକୁ ମିଳିଛନ୍ତି। ଅଲ୍ଲୀ ଆବାସ୍‌ ଜାଫର୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ନିର୍ମାଣ କରିଛନ୍ତି ସଲମାନ୍‌ ଫିଲ୍ମସ୍‌ ଓ ଅତୁଲ୍‌ ଅଗ୍ନିହୋତ୍ରୀ। ଫିଲ୍ମଟି ଇଦ୍‌ ଅବସରରେ ଜୁନ୍‌ ୫ ତାରିଖରେ ମୁକ୍ତିଲାଭ କରିବ। ପ୍ରତ୍ୟେକ ବର୍ଷ ଇଦ୍‌ ଅବସରରେ ଭାଇଜାନ୍‌ ତାଙ୍କ ଫ୍ୟାନ୍‌ମାନଙ୍କୁ ଫିଲ୍ମ ଜରିଆରେ ସ୍ବତନ୍ତ୍ର ଭେଟି ଦେଇଥା’ନ୍ତି। ତେବେ ୨୦୧୮ର ଇଦ୍‌ ଅବସରରେ ମୁକ୍ତିଲାଭ କରିଥିବା ‘ରେସ୍‌୩‘ ଦର୍ଶକଙ୍କ ଦ୍ବାରା ଏତେ ଆଦୃତ ହୋଇପାରିନଥିବାବେଳେ ଏହି ଫିଲ୍ମକୁ ନେଇ ଦର୍ଶକେ ବେଶ୍‌ ଆଶାବାଦୀ ରହିଛନ୍ତି। ତେବେ ଲଗାତାର୍‌ ହିଟ୍‌ ଦେଇଥିବା ଆକ୍ଟର – ଡିରେକ୍ଟର ଯୋଡ଼ି ସଲମାନ୍‌ – ଅଲ୍ଲୀ ଆବାସ୍‌ ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି।

Categories
ଆଜିର ଖବର

ଦିଲ୍ଲୀ ଲୋକସଭା ପାଇଁ ୬ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ, ମଇଦାନକୁ ଓହ୍ଲାଇବେ ଶୀଲା

ଦିଲ୍ଳୀର ୭ ବିଧାନସଭା ଆସନ ମଧ୍ୟରୁ ୬ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। କଂଗ୍ରେସ ପକ୍ଷରୁ ଏହି ପ୍ରାର୍ଥୀ ତାଲିକାରେ ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ ରହିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମାକେନ୍ ମଧ୍ୟ ରହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଉତ୍ତର ପୂର୍ବ ଦିଲ୍ଲୀରୁ ନିର୍ବାଚନ ଲଢୁଥିବା ବେଳେ ଅଜୟ ମାକେନ୍‌ ନୂଆଦିଲ୍ଲୀ ସିଟ୍‌ରୁ ନିର୍ବାଚନ ଲଢିବେ। ପୂର୍ବତନ ସାଂସଦ ଜେ.ପି ଅଗ୍ରଓ୍ବାଲ ଚାନ୍ଦନୀ ଚୌକ୍‌ରୁ ନିର୍ବାଚନ ଲଢୁଥିବା ବେଳେ ମହାବଳ ମିଶ୍ରା ପଶ୍ଚିମ ଦିଲ୍ଲୀରୁ ଦଳର ପ୍ରାର୍ଥୀ ରହିଛନ୍ତି।

୧. ଚାନ୍ଦନୀଚୌକ : ଜେପି ଅଗ୍ରଓ୍ବାଲ
୨. ଉତ୍ତର ପୂର୍ବ ଦିଲ୍ଲୀ : ଶୀଲା ଦୀକ୍ଷିତ
୩. ପୂର୍ବ ଦିଲ୍ଲୀ : ଅରବିନ୍ଦର ସିଂ ଲଭ୍‌ଲୀ
୪. ନୂଆଦିଲ୍ଳୀ : ଅଜୟ ମାକେନ
୫. ଉତ୍ତର ପଶ୍ଚିମ ଦିଲ୍ଲୀ : ରାଜେଶ ଲିଲୋଥିଆ
୬. ପଶ୍ଚିମ ଦିଲ୍ଲୀ : ମହାବଳ ମିଶ୍ରା

Categories
ଆଜିର ଖବର

ହରିୟାଣାର ୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଆପ୍‌

ଆମ୍‌ ଆଦ୍‌ମୀ ପାର୍ଟି ରବିବାର ଦିନ ହରିୟାଣା ପାଇଁ ୩ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଫରିଦାବାଦ ପାଇଁ ନବୀନ ଜୟହିନ୍ଦ, ଅମ୍ବାଲା ପାଇଁ ପୃଥ୍ବୀରାଜ ଓ କର୍ଣ୍ଣଲ୍‌ ପାଇଁ କ୍ରିଷ୍ଣନ କୁମାର ପ୍ରମୁଖଙ୍କ ନାମ ରହିଛି। ହରିୟାଣାରେ ଆସନ୍ତା ମେ ୧୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏଠାରେ ଆପ୍‌ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କଂଗ୍ରେସ ମେଣ୍ଟ ହେବା ନେଇ ଅସହମତି ପ୍ରକାଶ କରିଥିଲା। ଏଠାରେ ଆପ୍‌ ଜେଜେପି ସହିତ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏଠାରେ ଜେଜେପି ତରଫରୁ ୭ଜଣ ଲଢିବାକୁ ଥିବାବେଳେ ଆପ୍‌ ପକ୍ଷରୁ ୩ଜଣ ପ୍ରାର୍ଥୀଙ୍କୁ ଟିକେଟ ମିଳିଛି।

Categories
ଆଜିର ଖବର

ରିଲିଜ୍‌ ହେଲା କରନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କଲଙ୍କ୍‌’

ଆଜି ପରଦାକୁ ଆସିଛି କରନ୍‌ ଜୋହରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କଲଙ୍କ’। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଏହି ମଲ୍ଟି ଷ୍ଟାରର ଫିଲ୍ମରେ ବରୁନ୍‌ ଧୱନ, ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ମାଧୁରୀ ଦିକ୍ଷୀତ୍‌ ଓ ଆଦିତ୍ୟ ରୟ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ ପିରିୟଡିକ୍‌ ଡ୍ରାମ୍‌ ଫିଲ୍ମ। ଏହି ଫିଲ୍ମକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଛି। ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଗତ ଦିନର ଯୋଡ଼ି ସଞ୍ଜୟ ଦତ୍ତ ଓ ମାଧୁରୀଙ୍କୁ ପୁଣି ଥରେ ଦେଖିବାକୁ ମିଳିଛି। ପୂର୍ବରୁ ଫିଲ୍ମର ଟ୍ରେଲର୍‌କୁ ଦର୍ଶକେ ବହୁତ ପସନ୍ଦ କରିଥିବାବେଳେ ଏହାର ଗୀତଗୁଡ଼ିକ ମଧ୍ୟ ହିଟ୍‌ ରହିଛି। ଫିଲ୍ମରେ କ୍ରିତି ସାନନ୍‌ ଓ କିଆରା ଆଡ୍‌ଭାନୀ ପ୍ରମୁଖ ଅତିଥି କଳାକାର ଭାବେ ନଜର ଆସିଛନ୍ତି। କରନ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ରୂପେ ଏହି ଫିଲ୍ମକୁ ନେଇ ଦର୍ଶକେ ବହୁତ ଆଶାବାଦୀ ରହିଛନ୍ତି।

Categories
ଆଜିର ଖବର

ଆସନ୍ତା କାଲି ରିଲିଜ୍‌ ହେବ ନାହିଁ ‘ପିଏମ୍‌ ନରେନ୍ଦ୍ର ମୋଦି’ : ନିର୍ବାଚନ ପରେ ଆସିବ ପରଦାକୁ

‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ଲାଗିଲା ରୋକ୍‌। ନିର୍ବାଚନ ଆୟୋଗ (ଇସି) ବୁଧବାର ଅଭିନେତା ବିବେକ ଓବରୟଙ୍କ ଅଭିନୀତ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳିଚ୍ଚିତ୍ର ମୁକ୍ତିଲାଭକୁ ଅଟକାଇ ଦେଇଛନ୍ତି। ଆସନ୍ତା କାଲି ଏହି ଫିଲ୍ମଟି ମୁକ୍ତିଲାଭ କରିବାର ଥିଲା। ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ କାଲି ହେବାକୁ ରହିଛି। ନିର୍ବାଚନ କମିଶନ ଏହି ପରିପ୍ରେକ୍ଷୀରେ ଫିଲ୍ମର ମୁକ୍ତିଲାଭ ଉପରେ ରୋକ୍‌ ଲଗାଇଛନ୍ତି। ନିର୍ବାଚନ ଶେଷ ହେବା ପରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ତେବେ ଏହି ଫିଲ୍ମର ସ୍ଥଗିତାଦେଶ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଓ ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କା ପୂର୍ବକ ଏହି ଆବେଦନ କରାଯାଇଥିଲା।  ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ସଞ୍ଜୟ ଜୈନ୍‌ଙ୍କ ପୀଠ ଏହି ମାମଲାର ଶୁଣାଣି କରି ସ୍ଥଗିତାଦେଶ ଲଗାଇବାକୁ ମନା କରିଦେଇଥିଲେ। ଫିଲ୍ମକୁ ସେନସର୍‌ ବୋର୍ଡ ତରଫରୁ ମଧ୍ୟ ସାର୍ଟିଫିକେଟ୍‌ ମିଳିଯାଇଥିଲା।

Categories
ବିଶେଷ ଖବର

ବିଜେଡ଼ିର ଇସ୍ତାହାର ‘ନବୀନ ଓଡ଼ିଶାର ପରିଚୟ’ ଉନ୍ମୋଚିତ : ମହିଳା, ଯୁବ, ଚାଷୀଙ୍କ ଉପରେ ଗୁରୁତ୍ବ

ସମୀକ୍ଷା ବ୍ୟୁରୋ

ବିଜେଡ଼ି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡ଼ିର ନିର୍ବାଚନ ଇସ୍ତାହାର ୨୦୧୯କୁ ଉନ୍ମୋଚିତ କରିଛନ୍ତି। ଏହି ଇସ୍ତାହାରର ଶୀର୍ଷକ ରହିଛି ‘ନବୀନ ଓଡ଼ିଶାର ପରିଚୟ’। ୧୯ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡ଼ି ସରକାର ଏଥର ଇସ୍ତାହାରରେ ସବୁ ବର୍ଗଙ୍କୁ ସାମିଲ୍‌ କରିଛି। ବିଶେଷକରି ନାରୀ, ଯୁବ ଓ ଚାଷୀଙ୍କ ପ୍ରତି ବିଶେଷ ଅଗ୍ରାଧିକାର ଦିଆଯାଇଛି।  ତେବେ ଚଳିତ ନିର୍ବାଚନ ପାଇଁ ବିଜେଡ଼ିର ଇସ୍ତାହାରର ଥିମ୍‌ ରହିଛି ‘ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା’। ଘର ଘର ବୁଲି ମତ ସଂଗ୍ରହ କରାଯିବା ପରେ ଇସ୍ତାହାର ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଅମର ପଟ୍ଟନାୟକ।

ମହିଳାଙ୍କୁ ସମ୍ମାନ ତଥା ସଶକ୍ତ କରିବାପାଇଁ ଚଳିତ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି। ଇସ୍ତାହାରରେ ମଧ୍ୟ ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରାଯାଇଛି। ମହିଳାଙ୍କ ପାଇଁ ୫ ହଜାର କୋଟିର ସରକାରୀ କାମ ଦିଆଯିବାକୁ ଘୋଷଣା କରାଯାଇଥିବାବେଳେ ମାଗଣା ନାରୀ ଶିକ୍ଷା ଯୋଜନାରେ କେଜିଠାରୁ ଇଞ୍ଜିନିୟର ପର୍ଯ୍ୟନ୍ତ ମାଗଣା ଶିକ୍ଷା ଓ ଗରିବ ଝିଅମାନଙ୍କ ବାହାଘର ପାଇଁ ୨୫,୦୦୦ଟଙ୍କାର ସହାୟତା ରାଶି ଦିଆଯିବ, ଏସ.ଏଚ.ଜି ଗ୍ରୁପର ମହିଳାଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ବୋଲି ଇସ୍ତାହାରରେ ଉଲ୍ଲେଖ ରହିଛି।

ସେହିପରି କୃଷକଙ୍କ ପାଇଁ କାଳିଆ ଯୋଜନାକୁ ତ୍ବରାନ୍ବିତ ତଥା କାଳିଆ କମିଶନ ଗଠନ ହେବ ବୋଲି ସୂଚନା ରହିଛି। ସରକାର ଗଠନର ପ୍ରଥମ ଦିନରେ ହିଁ ବାକିଥିବା ୨୫ ଲକ୍ଷ ଚାଷୀଙ୍କୁ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ଦିଆଯିବ, ଭୂମିହୀନଙ୍କୁ ବାର୍ଷିକ ୧୨,୦୦୦ଟଙ୍କା ଓ ଚାଷୀଙ୍କୁ ବାର୍ଷିକ ୧୦,୦୦୦ଟଙ୍କା ଦିଆଯିବ, ଜଳସେଚନ ପାଇଁ ୫୦ହଜାର କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି। ସେହିପରି ଯୁବକମାନଙ୍କ ପାଇଁ ଶୂନ ପ୍ରତିଶତ ସୁଧରେ ମାଗଣା ଶିକ୍ଷା ଋଣ, ସ୍ଥାନୀୟ ଯୁବକଙ୍କ ପାଇଁ ରହିବ ୭୫ ପ୍ରତିଶତ ସଂରକ୍ଷଣ , ମେକ୍‌ଇନ୍‌ ଓଡ଼ିଶା ମାଧ୍ୟମରେ ୩୦ ଲକ୍ଷ ନିଯୁକ୍ତି, ବିଶ୍ବବିଦ୍ୟାଳୟ ତଥା କଲେଜରେ ମାଗଣା ଓ୍ବାଇଫାଇ, ଛାତ୍ରଛାତ୍ରୀଙ୍କୁ ୧ ଜିବି ଇଣ୍ଟରନେଟ୍‌ ମାଗଣା ଦିଆଯିବ ବୋଲି କୁହାଯାଇଛି। ସେହିପରି ବିଜୁ ସ୍ବାସ୍ଥ୍ୟ ଯୋଜନାରେ ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ଆଞ୍ଚଳିକ ବୈଷ୍ୟମତା ଦୂର କରିବା ପାଇଁ ଉନ୍ନୟନ ପରିଷଦ ଗଠନ ଓ  ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ପାଇଁ ଦାବି ଆଦି ଉପରେ ଗୁରୁତ୍ବ ଦିଆଯାଇଛି। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତାରେ ଯିଏ ପ୍ରଦାନ କରିବ, ତାକୁ ବିଜେଡ଼ି ସମର୍ଥନ କରିବ ବୋଲି ଏହି ଇସ୍ତାହାରରେ ଉଲ୍ଲେଖ ରହିଛି । ଏହି ଅବସରରେ ନବୀନ ବିଜେପିକୁ କଡା ସମାଲୋଚନା କରିବା ସହିତ  ବିଜେଡ଼ି ଯାହା ପ୍ରତିଶୃତି ଦେଇଆସିଛୁ ତାହାକୁ ପୂରଣ କରିଛି ବୋଲି କହିଛନ୍ତି। ଏହି ଇସ୍ତାହାରରେ ମହିଳା ସଶକ୍ତିକରଣ, ଯୁବ ସଶକ୍ତିକରଣ, ଚାଷୀ ସଶକ୍ତିକରଣକୁ ଅଧିକ ଗୁରୁତ୍ୱ ଦେଇଛି। ଇସ୍ତାହାର ଉନ୍ମୋଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପସନ୍ନ ପାଟ୍ଟଶାଣୀ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ବିଜେଡ଼ିର ଇସ୍ତାହାର ‘ନବୀନ ଓଡ଼ିଶାର ପରିଚୟ’ ଉନ୍ମୋଚିତ

ବିଜେଡ଼ି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ବିଜେଡ଼ିର ନିର୍ବାଚନ ଇସ୍ତାହାର ୨୦୧୯କୁ ଉନ୍ମୋଚିତ କରିଛନ୍ତି। ଏହି ଇସ୍ତାହାରରେ ସବୁ ବର୍ଗକୁ ଗୁରୁତ୍ବ ଦେବା ସହିତ ଜନମତ ଆଧାରରେ ଏହା ପ୍ରସ୍ତୁତ କରାଯାଇଛି। ବିଜେଡ଼ି ସବୁବେଳେ ପ୍ରତିଶ୍ରୁତି ରକ୍ଷା କରି ଆସିଛି, ବିଜେପି ଭଳି ଏଥିରେ ମିଥ୍ୟା ପ୍ରତିଶ୍ରୁତି ନାହିଁ। ଇସ୍ତାହାର ସମ୍ପର୍କରେ ସୂଚନା ଦେଇଛନ୍ତି ଅମର ପଟ୍ଟନାୟକ। ଇସ୍ତାହାରରେ ସବୁ ବର୍ଗକୁ ଗୁରୁତ୍ବ ଦିଆଯାଇଛି। ଘରଘର ବୁଲି ମତ ନେବା ପରେ ଏହି ଇସ୍ତାହାରକୁ ପ୍ରସ୍ତୁତ କରାଯାଇଛି। ଏହି ଇସ୍ତାହାରର ଶୀର୍ଷକ ରହିଛି ‘ନବୀନ ଓଡ଼ିଶାର ପରିଚୟ’। ମହିଳାମାନଙ୍କୁ ୫ ହଜାର କୋଟିର ସରକାରୀ କାମ, ସ୍ଥାନୀୟ ଯୁବକଙ୍କ ପାଇଁ ରହିବ ୭୫ ପ୍ରତିଶତ ସଂରକ୍ଷଣ , କାଳିଆ କମିଶନ ଗଠନ ,  ଭୁବନେଶ୍ବର ଓ କଟକ ପାଇଁ ମେଟ୍ରୋ ରେଳ, କାଳିଆ ଯୋଜନା ଜାରି ରହିବ, ବର୍ଷକୁ ଚାଷୀଙ୍କୁ ୧୦,୦୦୦ଟଙ୍କା , ଭୂମିହୀନଙ୍କୁ ୧୨ ହଜାରଟଙ୍କା, ଓଡ଼ିଶାର ବିଶ୍ବବିଦ୍ୟାଳୟ, କଲେଜରେ ମାଗଣା ଓ୍ବାଇଫାଇ, ଛାତ୍ରଛାତ୍ରୀଙ୍କୁ ୧ ଜିବି ଇଣ୍ଟରନେଟ୍‌ ମାଗଣା, ମେକ୍‌ଇନ୍‌ ଓଡ଼ିଶା ମାଧ୍ୟମରେ ୩୦ ଲକ୍ଷ ନିଯୁକ୍ତି, ବିନା ସୁଧରେ ମିଳିବ ଶିକ୍ଷାଋଣ, ଆଞ୍ଚଳିକ ବୈଷ୍ୟମତା ଦୂର କରିବା ପାଇଁ ଊନ୍ନୟନ ପରିଷଦ, ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ପାଇଁ ଦାବି ଆଦି ବିଷୟକୁ ଅଗ୍ରାଧିକାର ଦିଆଯାଇଛି। ଏହି ଅବସରରେ ନବୀନ ବିଜେପିକୁ କଡା ସମାଲୋଚନା କରିବା ସହିତ  ବିଜେଡ଼ି ଯାହା ପ୍ରତିଶୃତି ଦେଇଆସିଛୁ ତାହାକୁ ପୂରଣ କରିଛି ବୋଲି କହିଛନ୍ତି।

Categories
ଆଜିର ଖବର

ଓଡ଼ିଶା ଲାଗି ବିଜେପିର ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ଉନ୍ମୋଚିତ

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଓଡ଼ିଶା ଲାଗି ବିଜେପିର ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ପ୍ରକାଶ କରିଛନ୍ତି। ଗରିବଙ୍କ ବିକାଶକୁ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ୪୫ ଲକ୍ଷ ଚାଷୀଙ୍କୁ ପିଏମ୍‌ କିସାନ୍‌ ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ଦିଆଯିବା ସହ ଓଡ଼ିଶାରେ ଆୟୁଷ୍ମାନ ଯୋଜନାକୁ ଲାଗି କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି। ଆଦିବାସୀମାନଙ୍କୁ ଜମିପଟ୍ଟା ଦିଆଯିବ, ସବୁ ଗରିବଙ୍କୁ ଜମିପଟ୍ଟା ଦିଆଯିବ। ବିଜେପି ସରକାରକୁ ଆସିଲେ ଓଡ଼ିଶାର ସବୁ ଜିଲ୍ଲାରେ ପିପିପି ମୋଡରେ ମେଡିକାଲ କଲେଜ୍‌ ପ୍ରତିଷ୍ଠା କରାଯିବ। ମହିଳାମାନଙ୍କପାଇଁ ସ୍ୱରୋଜଗାରର ବ୍ୟବସ୍ଥା କରାଯିବ ଆଦି ଉପରେ ଗୁରୁତ୍ବ ଦିଆଯାଇଛି। ତିନିମାସ ମଧ୍ୟରେ ପେଶା ଆଇନ୍‌ ଲାଗୁ କରାଯିବ। ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ପାଣି ଓ ବିଜୁଳି ଯୋଗାଇଦିଆଯିବ, ଭ୍ରଷ୍ଟାଚାର ଓ ଗୁଣ୍ଡାଗର୍ଦ୍ଦିକୁ ଖତମ କରାଯିବ। ବିନା ସୁଧରେ ଚାଷୀଙ୍କୁ ଋଣ, ଚି୍ଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ଦିଆଯିବ, ରାଜ୍ୟର ସବୁ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା, ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରାଯିବା ନେଇ ଉଲ୍ଲେଖ ରହିଛି ଏହି ପତ୍ରରେ। ଅନୁଷ୍ଠିତ ସଭାରେ  ଅମିତ ଶାହଙ୍କ ବ୍ୟତୀତ ବିଜେପିରୁ ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )