Categories
ଜାତୀୟ ଖବର ବିଶେଷ ଖବର

କରୋନା ରୋଗୀ ସେବାକାରୀଙ୍କ ପାଇଁ ୫ ମିନିଟ ପର୍ଯ୍ୟନ୍ତ ତାଳି ମାରି ଧନ୍ୟବାଦ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

* ୨୨ ମାର୍ଚ୍ଚ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଇଁ ନିବେଦନ

* ୨୨ ମାର୍ଚ୍ଚ ଅପରାହ୍ଣ ୫ଟାରେ ନିଃସ୍ୱାର୍ଥପର ସେବାପ୍ରଦାନକାରୀଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିବାକୁ ଆହ୍ୱାନ

* ଭୟଭୀତ ହୋଇ ସାମଗ୍ରୀ ନକିଣିବାକୁ ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ; ଜରୁରି ସାମଗ୍ରୀ ମହଜୁଦ ନେଇ ଦେଲେ ଆଶ୍ୱାସନା

* ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ‘କୋଭିଡ-୧୯ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ’ ଗଠନ ପାଇଁ ଘୋଷଣା

*ଅପରାହ୍ଣ ୫ଟାରେ ସାଇରନ ବଜାଇ ସେବାକୀରଙ୍କୁ ଧନ୍ୟବାଦ ଜଣାଇବା ଲାଗି ସେ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ।

 

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ମୁକାବିଲା ଲାଗି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ନବରାତ୍ର ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଜନସାଧାରଣଙ୍କୁ ୯ଟି ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଏହି ମହାମାରୀର ମୁକାବିଲା ଲାଗି ସଂଯମ ଓ ସଂକଳ୍ପର ଆବଶ୍ୟକତା ରହିଛି। ସେ ସମସ୍ତ ନାଗରିକଙ୍କୁ ରୋଗ ସଂକ୍ରମଣ ରୋକିବା ଲାଗି କେତେକ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ। ଏହି ମହାମାରୀକୁ ହାଲୁକା ଭାବେ ନନେବାକୁ ସେ ଅନୁରୋଧ କରିବା ସହିତ ଏହାର ନିରାକରଣ ଲାଗି ସତର୍କ ରହିବା ପାଇଁ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ “ଆମେ ସୁସ୍ଥ ରହିଲେ ବିଶ୍ୱ ସୁସ୍ଥ ରହିବ” ମନ୍ତ୍ର ପାଳନ ପାଇଁ ଆହ୍ୱାନ କରିଥିଲେ। ‘ସାମାଜିକ ଦୂରତା’ ବା ସୋସିଆଲ ଡିଷ୍ଟାନ୍ସିଂ ନିୟମ ପାଳନ କରିବା ଲାଗି ସେ ନାଗରିକମାନଙ୍କୁ ଅନୁରୋଧ କରିଥିଲେ। ଏହି ନିୟମକୁ ଧୈର୍ଯ୍ୟର ସହ ପାଳନ କରିବା ଲାଗି ସେ ନାଗରିକମାନଙ୍କୁ ଅନୁରୋଧ କରିବା ସହ ଅତି ଜରୁରି ହେଲେ ଘରୁ ବାହାରିବା ଏବଂ ଘରେ ଥାଇ କାମ କରିବା ତଥା ଅଯଥା ଯାତ୍ରା ନକରିବା ପାଇଁ ଆହ୍ୱାନ କରିଥିଲେ। ଆସନ୍ତା କିଛି ସପ୍ତାହ ପର୍ଯ୍ୟନ୍ତ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକମାନେ ଘରୁ ନବାହାରିବା ଲାଗି ପ୍ରଧାନମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କୁ ଅନୁରୋଧ କରିଥିଲେ। ସେ ଡାକ୍ତରଖାନାଗୁଡ଼ିକ ଉପରେ ପଡ଼ୁଥିବା ଚାପ ବିଷୟରେ ଉଲ୍ଲେଖ କରି ନାଗରିକମାନଙ୍କୁ ଅନୁରୋଧ କରିଥିଲେ ଯେ ରୁଟିନ ସ୍ୱାସ୍ଥ୍ୟ ପରୀକ୍ଷା ଆବଶ୍ୟକ ନଥିଲେ ତାହାକୁ ଏଡ଼ାଇଯିବା ଦରକାର।

ଜନତା କର୍ଫ୍ୟୁ
ଆସନ୍ତା ୨୨ ମାର୍ଚ୍ଚ ରବିବାର ଦିନ ସକାଳ ୭ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଆହ୍ୱାନ କରିଥିଲେ । ଜରୁରି ସେବାରେ ନିୟୋଜିତ ଥିବା ଲୋକମାନଙ୍କୁ ବାଦ ଦେଇ ଅନ୍ୟମାନଙ୍କୁ ଘରୁ ନବାହାରିବା ଲାଗି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ଏପରି ଜନ ଆନ୍ଦୋଳନ ଏବଂ ଏଥିରୁ ମିଳିଥିବା ଅଭିଜ୍ଞତାକୁ ଆଧାର କରି ଆମେ ଆଗାମୀ ଦିନର ଆହ୍ୱାନକୁ ମୁକାବିଲା କରିପାରିବା। ମାର୍ଚ୍ଚ ୨୨ରେ ଆମର ପ୍ରୟାସ ଆମର ଆତ୍ମସଂଯମ ଏବଂ ଦେଶର ହିତ ପାଇଁ କର୍ତବ୍ୟ ପାଳନ ଦିଗରେ ଆମ ପ୍ରତିବଦ୍ଧତାର ପରିଚାୟକ ହେବ। ରାଜ୍ୟ ସରକାରମାନଙ୍କୁ ନେତୃତ୍ୱ ନେବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ଏନସିସି, ଏନଏସଏସ, ନାଗରିକ ସମାଜ ଭଳି ସଂଗଠନକୁ ଜନତା କର୍ଫ୍ୟୁ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଅନୁରୋଧ କରିଥିଲେ। ସେ ସମସ୍ତଙ୍କ ଅତିକମରେ ୧୦ ଜଣ ଲେଖାଏଁ ଲୋକଙ୍କୁ ଫୋନରେ ଜନତା କର୍ଫ୍ୟୁ ପାଳନ କରିବା ଲାଗି ସୂଚନା ଦେବାକୁ ଅନୁରୋଧ କରିଥିଲେ।

ନିଃସ୍ୱାର୍ଥ ସେବକମାନଙ୍କୁ ଧନ୍ୟବାଦ
ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ-୧୯ ମହାମାରୀର ମୁକାବିଲା ଦିଗରେ ବହୁ ସାହସୀ ଲୋକ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ସରକାରୀ କର୍ମଚାରୀ, ବିମାନ ବନ୍ଦର କର୍ମଚାରୀ, ଗଣମାଧ୍ୟମ କର୍ମୀ, ବସ, ଟ୍ରେନ, ଅଟୋ ସେବାରେ ଥିବା କର୍ମୀ ଏବଂ ହୋମ ଡେଲିଭରି କରୁଥିବା କର୍ମଚାରୀ। ଏଭଳି କଷ୍ଟକର ସମୟରେ ସେମାନେ ଦେଶ ପାଇଁ ବହୁତ ବଡ଼ ସେବା କରୁଛନ୍ତି । ସେମାନଙ୍କୁ ସମ୍ମାନ ଜଣାଇବା ଲାଗି ମାର୍ଚ୍ଚ ୨୨ ସନ୍ଧ୍ୟା ୫ଟାରେ ସମସ୍ତେ ସେମାନଙ୍କ ଘର ଦ୍ୱାର କିମ୍ବା ବାଲକୋନିରେ ଛିଡ଼ା ହୋଇ ୫ ମିନିଟ ପର୍ଯ୍ୟନ୍ତ ତାଳି ମାରି କିମ୍ବା ଘଂଟି ବଜାଇ ଧନ୍ୟବାଦ ପ୍ରକଟ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ସେହିପରି ଅପରାହ୍ଣ ୫ଟାରେ ସାଇରନ ବଜାଇ ସେମାନଙ୍କୁ ଧନ୍ୟବାଦ ଜଣାଇବା ଲାଗି ସେ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଥିଲେ।

ଆର୍ଥିକ ଆହ୍ୱାନର ମୁକାବିଲା
ଏହି ମହାମାରୀ ଦ୍ୱାରା ପଡ଼ିଥିବା ଆର୍ଥିକ ଆହ୍ୱାନର ମୁକାବିଲା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ‘କୋଭିଡ-୧୯ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ’ ଗଠନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏହି ଟାସ୍କଫୋର୍ସ ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା କରି ମତାମତ ସଂଗ୍ରହ କରିବ ଏବଂ ଏହାରି ଆଧାରରେ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପଦକ୍ଷେପ ନେବ। ଏହି ଟାସ୍କଫୋର୍ସ ମଧ୍ୟ ନିଆଯାଇଥିବା ନିଷ୍ପତିର କାର୍ଯ୍ୟାନ୍ୱୟନ ତଦାରଖ କରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ବ୍ୟବସାୟୀ ଗୋଷ୍ଠୀ ଏବଂ ଉଚ୍ଚ ଆୟ ବର୍ଗର ଲୋକମାନଙ୍କୁ ଅନୁରୋଧ କରି କହିଥିଲେ ଯେ ସେବା ଯୋଗାଉଥିବା ନିମ୍ନ ଆୟ ବର୍ଗର ଲୋକମାନଙ୍କ ଦରମା ଏଭଳି ସଂକଟଜନକ ପରିସ୍ଥିତିରେ ସେମାନେ କାଟିବା ଅନୁଚିତ । କାର୍ଯ୍ୟସ୍ଥଳୀକୁ ଆସିନପାରି ସେବା ଯୋଗାଇବାକୁ ଅସମର୍ଥ ହେଉଥିବା ଲୋକଙ୍କ ପ୍ରତି ମାନବିକତାର ସହ ବିଚାର କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ।

ଖାଦ୍ୟ, କ୍ଷୀର, ଔଷଧ ଆଦି ଜରୁରି ସାମଗ୍ରୀର ଅଭାବ ହେବ ନାହିଁ ଏବଂ ଏ ଦିଗରେ ଯଥେଷ୍ଟ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଥିଲେ । ତେଣୁ ଅଯଥା ଆତଙ୍କିତ ହୋଇ କିଣାକିଣି ନକରିବାକୁ ସେ ଅନୁରୋଧ କରିଥିଲେ। କୋଭିଡ-୧୯ ମୁକାବିଲା ଲାଗି ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। ଗୁଜବ ଓ ଭୁଲ ସୂଚନାକୁ ବିଶ୍ୱାସ ନକରିବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ। ଏଭଳି ବୈଶ୍ୱିକ ମହାମାରୀ ସମୟରେ “ମାନବତାର ବିଜୟ ଓ ଭାରତର ବିଜୟ” ଜରୁରି ବୋଲି ସେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ନୋଭେଲ କରୋନା ଭୂତାଣୁ କୋଭିଡ-୧୯ ପାଇଁ କେନ୍ଦ୍ର ସରକାର ଜାରି କଲେ ଅତିରିକ୍ତ ମାର୍ଗଦର୍ଶିକା, ଜାଣନ୍ତୁ କଣ

ନୂଆଦିଲ୍ଲୀ,କରୋନା ଭାଇରସ ପାଇଁ କେନ୍ଦ୍ର ସରକାର ପୁଣି ଥରେ ଅତିରିକ୍ତ ମାର୍ଗଦର୍ଶିକା ଜାରୀ କରିଛନ୍ତି। ସେଗୁଡିକ ହେଲା

* ୨୨ ମାର୍ଚ୍ଚ, ୨୦୨୦ ପରଠାରୁ ଗୋଟିଏ ସପ୍ତାହ ପାଇଁ କୌଣସି ଅନୁସୂଚିତ ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନକୁ ଭାରତରେ ଅବତରଣ କରିବା ଲାଗି ଅନୁମତି ମିଳିବ ନାହିଁ ।

*ଲୋକ ପ୍ରତିନିଧି, ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀଙ୍କୁ ବାଦ ଦେଲେ ୬୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକମାନଙ୍କୁ (ଡାକ୍ତରୀ ସହାୟତା ଚାହୁଁଥିବା ଲୋକମାନଙ୍କୁ ଛାଡ଼ି) ଘରେ ରହିବା ଲାଗି ରାଜ୍ୟ ସରକାର ଗୁଡ଼ିକ ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିବେ।

* ସେହିପରି ୧୦ ବର୍ଷରୁ କମ ବୟସର ପିଲାମାନଙ୍କୁ ଘରେ ରହିବା ଏବଂ ବାହାରକୁ ନବାହାରିବା ଲାଗି ନିର୍ଦ୍ଦେଶ ଦିଆଯାଉଛି ।

* ଛାତ୍ରଛାତ୍ରୀ, ରୋଗୀ ଓ ଦିବ୍ୟାଙ୍ଗ ଜନଙ୍କୁ ବାଦ ଦେଲେ ସମସ୍ତ ପ୍ରକାର ଯାତ୍ରା ରିହାତି ରଦ୍ଦ କରିବା ଲାଗି ରେଳପଥ ଓ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ଆଦେଶ ଦିଆଯାଇଛି ।

* ଜରୁରିକାଳୀନ/ଜରୁରି ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବାଦ ଦେଲେ ଘରୋଇ କ୍ଷେତ୍ରର ସମସ୍ତ କର୍ମଚାରୀମାନେ ଘରେ ଥାଇ କାମ କରିବା ଲାଗି ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

* ଭିଡ଼ ଏଡ଼ାଇବା ନିମନ୍ତେ କେନ୍ଦ୍ର ସରକାରଙ୍କ ସମସ୍ତ ଗ୍ରୁପ ବି ଓ ସି କର୍ମଚାରୀଙ୍କ ପାଇଁ ଶିଫ୍ଟ ଡ୍ୟୁଟି କିମ୍ବା ବିକଳ୍ପ ସପ୍ତାହରେ ଡ୍ୟୁଟି କରିବା ଲାଗି କୁହାଯାଇଛି ।

 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋରୋନା: ୧୧ ଦିନ ପର୍ଯ୍ୟନ୍ତ ସମସ୍ତ ଧର୍ମ ଅନୁଷ୍ଠାନକୁ ସର୍ବସାଧାରଣ ପ୍ରବେଶ ବାରଣ, ମାର୍ଗଦର୍ଶିକା ଜାରୀ କଲେ ରାଜ୍ୟ ସରକାର

ଭୁବନେଶ୍ୱର : କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 ରାଜ୍ୟ ସରକାର ଗତକାଲି ଧର୍ମାନୁଷ୍ଠାନଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶକୁ ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ ବାରଣ କରାଯାଇଛି ।

 ରାଜ୍ୟ ସରକାର ସବୁଦୃଷ୍ଟିରୁ ବିଚାର କରି ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍‌ମାନଙ୍କୁ ଅନ୍ୟ ଧର୍ମାନୁଷ୍ଠାନଗୁଡ଼ିକ ପାଇଁ ମଧ୍ୟ ସେହିଭଳି ମାର୍ଗଦର୍ଶିକା ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ୍‌, ମନ୍ଦିର, ମସଜିଦ୍‌, ଗୀର୍ଜା ଓ ଗୁରୁଦ୍ୱାରଗୁଡ଼ିକ ୨୦ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରବେଶକୁ ବାରଣ କରାଯାଇଛି ।

 ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଏହି ସମୟରେ ଧାର୍ମିକ ରୀତିନୀତି ବିନା ପ୍ରତିବନ୍ଧକରେ ଚାଲୁରହିବ ।

 ଅଦ୍ୟାବଧି ଓଡ଼ିଶାରେ ୬୧ଟି ନମୁନା ପରୀକ୍ଷା କରାଯାଇଛି । ସେଥିରୁ ୬୦ଟି କରୋନା ନେଗେଟିଭ୍‌ ଥିବାବେଳେ ଗୋଟିଏ ପଜିଟିଭ୍‌ ଚିହ୍ନଟ ହୋଇଛି ।

 ଗତକାଲି ୫ଟି ନମୁନା ପରୀକ୍ଷା କରାଯାଇଥିଲା ଏବଂ ସେସବୁ କରୋନା ନେଗେଟିଭ୍‌ ରିପୋର୍ଟ ଆସିଛି ।

 ଆଜି ଅପରାହ୍ନ ୨ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୩ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଡାକ୍ତରଖାନାରେ ଆଇସୋଲୋସନ୍‌ରେ ରଖାଯାଇଛି ।

 ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ଗୁଡ଼ିକରେ ଆଇସୋଲେସନ୍‌ ସୁବିଧା ଉପଲବ୍ଧ ଅଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ୩୧୮୩ଟି ଆଇସୋଲେସନ୍‌ ବେଡ୍‌ ପ୍ରସ୍ତୁତ ଅଛି ।

 ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲପ ଲାଇନ୍‌କୁ ୧୨,୨୬୮ କଲ୍‌ ଆସିଛି ।

 ଆଜି ଅପରାହ୍ନ ୨ଟା ସୁଦ୍ଧା ବିଦେଶରୁ ଫେରିଥିବା ୨୬୦୦ ଜଣଙ୍କ ନାମ ପଞ୍ଜୀକରଣ କରାଯାଇଛି ।

 ସହରାଞ୍ଚଳରେ ୪୫୦ଟି କୋଠା ଚିହ୍ନଟ କରାଯାଇଛି ଯେଉଁଥିରେ କି ୫୧ ହଜାର ୧୬୦ଜଣ ବ୍ୟକ୍ତି ଏହାର ସୁବିଧା ନେଇପାରିବେ ।

 ଆଜି ରାଜ୍ୟର ୬୭୯୮ଟି ଗ୍ରାମପଞ୍ଚାୟତରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କି ରାଜ୍ୟର ୨ ଲକ୍ଷ ୩୭ ହଜାର ପଞ୍ଚାୟତିରାଜ ପ୍ରତିନିଧି ଯୋଗ ଦେଇଥିଲେ ।

 ଗ୍ରାମାଞ୍ଚଳରେ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟର ୬ ହଜାର ୭୯୮ଟି ଗ୍ରାମପଞ୍ଚାୟତର

୭ ହଜାର ୧୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ସ୍ଥାପନ କରାଯାଇଛି । ଫଳରେ ଶଯ୍ୟା ସଂଖ୍ୟା ୪ ଲକ୍ଷ ୨୨ ହଜାର ୪୨୬କୁ ବୃଦ୍ଧି ପାଇଛି ।

 ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ମୋଟ ୪୮ ଲକ୍ଷ ୩୮ ହଜାର ୫୪୮ ଜଣ ହିତାଧିକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶନାମାନୁସାରେ ଅଗ୍ରୀମ ୪ ମାସର ଭତ୍ତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ସଂପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି । ହିତାଧିକାରୀମାନଙ୍କୁ ସେମାନଙ୍କ ଗ୍ରାମରେ ସିଧାସଳଖ ଅଗୀମ ଭାବେ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯଦି ଦୈବାତ୍‌ କୌଣସି କର୍ମଚାରୀଙ୍କର କୋଭିଡ୍‌-୧୯ ଭୂତାଣୁ ଲକ୍ଷଣ ଦେଖାଦିଏ, ତେବେ ସେ ତୁରନ୍ତ ନିଜର ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହିତ କାର୍ଯ୍ୟକ୍ଷେତ୍ରକୁ ନଆସି ୧୪ ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ୍‌ ଉଦ୍ଦେଶ୍ୟରେ ଛୁଟି ଆବେଦନ କରିବେ । ପୁନଶ୍ଚ ଯଦି କୌଣସି ସରକାରୀ କର୍ମଚାରୀ ୪ ମାର୍ଚ୍ଚ ପରେ ବିଦେଶରୁ ଫେରିଥିବା ପରିବାର ସଦସ୍ୟଙ୍କ ସହିତ ରହୁଥିବେ ତେବେ ସେ ୧୪ଦିନ ସଂଗରୋଧରେ ରହିବେ । ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ କାର୍ଯ୍ୟାଳୟ ମୁଖ୍ୟଙ୍କ ନିର୍ଦ୍ଦେଶ କ୍ରମେ ରୋଷ୍ଟର ଡୁ୍ୟଟିରେ କାର୍ଯ୍ୟାଳୟ ଆସିବେ । ଏ ସଂପର୍କିତ ଆବଶ୍ୟକୀୟ ନିର୍ଦ୍ଦେଶନାମା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଛି ।

 ସଂକ୍ରମଣ ସନ୍ଦେହକୁ ଦୃଷ୍ଟିରେ ରଖି ଜେଲ୍‌ ଅଧୀକ୍ଷକମାନଙ୍କୁ ଏକ ମୁକ୍ତ ବାୟୁ ଚଳାଚଳ କରୁଥିବା ସ୍ଥାନକୁ ଆଇସୋଲେସନ୍‌ ପ୍ରକୋଷ୍ଠ ଭାବେ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

 ଜିଲ୍ଲା ମୁଖ୍ୟାଳୟ କାରାଗାରମାନଙ୍କରେ ଇ-ମୁଲାକାତ ବ୍ୟବସ୍ଥା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

 ଅନ୍ୟାଦେଶ ପର୍ଯ୍ୟନ୍ତ ହାଇ-ଏଣ୍ଡ୍‌ ସେଲୁନ୍‌, ବୁ୍ୟଟିପାର୍ଲର, ସ୍ପା ଆଦି ନିଶ୍ଚିତ ଭାବେ ବନ୍ଦ ରହିବ।

 ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯିବ। ସଂଗ୍ରହାଳୟ, ଗ୍ରନ୍ଥାଗାର, ଥିଏଟରଗୁଡ଼ିକ ବନ୍ଦ ରହିବ।

 ଗାଧୁଆ, ପରିଷ୍କାର ପରିଚ୍ଛନ୍ନତା ଓ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ସର୍ବସାଧାରଣଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ପୋଖରୀ ଭଳି ଜଳାଶୟଗୁଡ଼ିକରୁ ଯଥାସମ୍ଭବ ଦୂରେଇ ରହିବା ଆବଶ୍ୟକ। ଏହା ପରିବର୍ତ୍ତେ ନଳକୂପ ଏବଂ ପାଇପ୍‌ ଜଳଯୋଗାଣ ବ୍ୟବସ୍ଥାର ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

 ଜରୁରୀକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆବାସିକ କଲ୍ୟାଣ ସଂଘ (ରେସିଡେଣ୍ଟ ୱେଲ୍‌ଫେୟାର ଆସୋସିଏସନ୍‌)ଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।

 ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ବିଭାଗ ପରିଚାଳନାଧୀନ ଭିତରକନିକା ପ୍ରକୃତି ଶିବିର, ରାଜ୍ୟର ସମସ୍ତ ଚିଡ଼ିଆଖାନା, ପରିବେଶ-ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବନ୍ଦ କରାଯାଇଛି । ଆଞ୍ଚଳକ ଉଦ୍ଭିଦ ଗବେଷଣା କେନ୍ଦ୍ର, ଭୁବନେଶ୍ୱରର ଉଦ୍ଭିଦ ଉଦ୍ୟାନକୁ ପ୍ରତିଦିନ ଅପରାହ@ ୨ଟାରୁ ବନ୍ଦ ରଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 ଦ୍ରବ୍ୟ ଓ ସାମଗ୍ରୀ ନେଇ ଚଳାଚଳ କରୁଥିବା ବସ୍‌, ଟ୍ରେନ୍‌ ଏବଂ ଗାଡ଼ିଗୁଡ଼ିକ ରାଜ୍ୟ ଭିତରେ କିମ୍ବା ଆନ୍ତରାଜ୍ୟ ସୀମାରେ ବନ୍ଦ ହେବ ନାହିଁ ।

 କୁକଡ଼ା, କୁକଡ଼ା ଅଣ୍ଡା ସହ ଅନ୍ୟ ପୋଲଟି୍ର ଉତ୍ପାଦ ନିରାପଦ ଅଟେ। ଏସବୁ ପରିହବନ ଓ ବ୍ୟବହାର ସମୟରେ ଆବଶ୍ୟକୀୟ ପରିଚ୍ଛନ୍ନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

 ବିପିୟୁଟି ଏବଂ ଭିସୁଟ୍‌ର ଶେଷ ସେମିଷ୍ଟାର ଏବଂ ବ୍ୟାକ୍‌ ପେପର୍‌ର ସମସ୍ତ ପରୀକ୍ଷାଗୁଡ଼ିକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

 ସୋମବାର ଅର୍ଥାତ୍‌ ୨୩ ମାର୍ଚ୍ଚ ୨୦୨୦ ଠାରୁ ଉଚ୍ଚ ମାଧ୍ୟମିକ ପରୀକ୍ଷା-୨୦୨୦କୁ ସ୍ଥଗିତ ରଖାଯାଇଛି।