Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚୀନ୍‌ରେ କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା 800କୁ ବୃଦ୍ଧି

ବେଜିଂ : ଚୀନ୍‌ରେ କୋରୋନା ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 800କୁ ବୃଦ୍ଧି ପାଇଛି । ଏହା ସହିତ 2002-03 ମସିହାରେ ଘଟିଥିବା ସାର୍ସ ଏପିଡେମିକ୍‌ ମୃତ୍ୟୁ ସଂଖ୍ୟାକୁ ଅତିକ୍ରମ କରିଛି । ଶନିବାର ଏହି ଭାଇରସ୍‌ ପ୍ରଭାବରେ ନୂତନ ଭାବରେ 89 ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 37200ରେ ପହଞ୍ଚିଛି । 2002-03ରେ ସାର୍ସ ଭାଇରସ୍‌ ପ୍ରଭାବରେ ବିଶ୍ବବ୍ୟାପୀ 774 ଲୋକଙ୍କର ପ୍ରାଣହାନି ଘଟିଥିବା ବେଳେ ଚଳିତ ବର୍ଷର ନୋଭେଲ୍‌ କୋରୋନା ଭାଇରସ୍‌ ପ୍ରଭାବରେ କେବଳ ଚୀନ୍‌ରେ ମୃତ୍ୟୁ ସଂଖ୍ୟା 800ରେ ପହଞ୍ଚିଛି । 37200ଙ୍କ ମଧ୍ୟରୁ 1470 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହା ସହିତ ଶନିବାର ଜାପାନରେ ପ୍ରଥମ କୋରୋନା ଭାଇରସ୍‌ ମୃତ୍ୟୁ ଘଟିଛି । କୋରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ଜଣେ 60 ବର୍ଷୀୟ ଆମେରିକୀୟ ନାଗରିକ ଶନିବାର ପ୍ରାଣ ହରାଇଛନ୍ତି ।