ନୂଆଦିଲ୍ଲୀ : ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 27 ହଜାର 892ରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା 872ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 6185ଜଣ। ଏବେ ଅଧିକାଂଶ ରାଜ୍ୟରେ କରୋନା ମହାମାରୀର ମାତ୍ରା କମ୍ ଦେଖାଯାଉଛି । ଦେଶର 32ଟି ରାଜ୍ୟ ମଧ୍ୟରୁ କେବଳ 7ଟି ରାଜ୍ୟର 80 ପ୍ରତିଶତ ମାମଲା ସାମ୍ନାକୁ ଆସିଛି । ସେହିପରି ଏହି ସାତୋଟି ରାଜ୍ୟରେ 84.3 ପ୍ରତିଶତ କରୋନା ଜନିତ ମୃତ୍ୟୁ ହୋଇଛି । ଏହି ସମସ୍ତ ରାଜ୍ୟରେ ମୋଟ୍ 22,321ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ 736ଙ୍କର ମୃତ୍ୟୁ ହୋଇଛି ।
କରୋନା ଯୋଗୁଁ ଭାରତର ସ୍ଥିତି ବେଶ୍ ଜଟିଳ ରହିଛି । ତେବେ ଭାରତର 32ଟି ରାଜ୍ୟରେ କରୋନା ବ୍ୟାପିଥିବାବେଳେ ମାତ୍ର ସାତୋଟି ରାଜ୍ୟରେ କରୋନା ଆକ୍ରାନ୍ତ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ଦେଶର 80 ପ୍ରତିଶତ କରୋନା ରୋଗୀ ଏହି 7ଟି ରାଜ୍ୟରେ ରହିଛି ।
ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ ଆଦି ରାଜ୍ୟଗୁଡିକରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।
ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା 8068 ଥିବାବେଳେ ମୃତ୍ୟୁ ସଂଖ୍ୟା 342ରେ ପହଞ୍ଚିଛି । ଗୁଜୁରାଟରେ ସଂକ୍ରମିତଙ୍କ ସଂଖ୍ୟା 3301 ଥିବାବେଳେ 151ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 54 ରହିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 2918 ରହିଛି । ରାଜସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା 2185 ଥିବାବେଳେ ମୃତ୍ୟୁ ସଂଖ୍ୟା 33 ରହିଛି । ମଧ୍ୟପ୍ରଦେଶରେ ସଂକ୍ରମିତଙ୍କସଂଖ୍ୟା 2096 ଥିବାବେଳେ ମୃତ୍ୟୁ ସଂଖ୍ୟା 103 ରହିଛି । ତାମିଲନାଡୁରେ 24 ଜଣଙ୍କ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବାବେଳେ 1885 ସଂକ୍ରମିତ ରହିଛି । ସେହିପରି ଉତ୍ତରପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା 1868 ଥିବାବେଳେ ମୃତ୍ୟୁ ସଂଖ୍ୟା 29 ରହିଛି ।
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ହେଉଥିବାବେଳେ ଚାରୋଟି ରାଜ୍ୟ କରୋନ ମୁକ୍ତ ହୋଇପାରିଛନ୍ତି ।
ଭାରତରେ ଜାନୁଆରୀ 30 ତାରିଖରେ ସର୍ବପ୍ରଥମ କରୋନା ମାମଲା କେରଳରେ ଦେଖାଯାଇଥିଲା । ପରେ ଏହା ଭାରତର 32ଟି ରାଜ୍ୟକୁ ବ୍ୟାପିଯାଇଥିଲା । ତେବେ 4ଟି ରାଜ୍ୟଟି ଏବେ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇପାରିଛନ୍ତି । ଏହି ରାଜ୍ୟଗୁଡିକ ମଧ୍ୟରେ ରହିଛି ଗୋଆ, ମଣିପୁର, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶ । ଗୋଆରୁ ମାତ୍ର ସାତଜଣ କରୋନା ସଂକ୍ରମିତ ହୋଇଥିବାବେଳେ ସମେସ୍ତ ସୁସ୍ଥ ହୋଇଛନ୍ତି । ସେହିପରି ମଣିପୁର ଓ ତ୍ରିପୁରାରୁ ଦୁଇ ଜଣ ଲେଖାଏଁ କରୋନା ସଂକ୍ରମିତ ରହିଥିଲେ । ଏମାନେ ସୁସ୍ଥ ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ଜଣେ ମାତ୍ର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ମଧ୍ୟ ଏବେ ସୁସ୍ଥ ହୋଇଛନ୍ତି । ଏହି ଚାରୋଟି ରାଜ୍ୟରେ କରୋନା ଜନିତ ମୃତ୍ୟୁ ହୋଇନାହିଁ ।