Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଶ୍ରମିକ ସ୍ପେସିଆଲ୍‌ ଟ୍ରେନ୍‌ରେ ଆଉ ଜଣେ ମହିଳାଙ୍କ ପ୍ରସବ

ଭୁବନେଶ୍ବର : ଓଡିଶା ଆସୁଥିବା ଏକ ଶ୍ରମିକ ସ୍ପେସିଆଲ୍‌ ଟ୍ରେନ୍‌ରେ ଆଉ ଜଣେ ମହିଳା ପ୍ରସବ କରିଛନ୍ତି । ଶୁକ୍ରବାର ସକାଳୁ ଟିଟଲାଗଡ ରେଳ ଷ୍ଟେସନ୍‌ରେ ଜଣେ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଉକ୍ତ ମହିଳା ଜଣକ ହେଉଛନ୍ତି ବଲାଙ୍ଗୀରର ଥୋଡିବାହାଲ ଗ୍ରାମର ମୀନା କୁମ୍ଭାର (19) । ମୀନା ଏକ ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ଲିଙ୍ଗମପଲ୍ଲୀରୁ ବଲାଙ୍ଗୀର ଫେରୁଥିବା ବେଳେ ଟିଟିଲାଗଡରେ ଭୋର୍‌ 5.40ରେ ପ୍ରସବ ହୋଇଥିଲା ।

ଟିଟିଲାଗଡ ଷ୍ଟେସନ୍‌ରେ ନବଜାତକଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କରାଯାଇଥିବା ବେଳେ ଜନନୀ ଆମ୍ବୁଲାନ୍ସରେ ମହିଳା ଏବଂ ନବଜାତ ଶିଶୁଙ୍କୁ ଡାକ୍ତରଖାନା ନିଆଯାଇଥିଲା । ନବଜାତର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବତଟ ରେଳବାଇରେ ଏହା ତୃତୀୟ ଘଟଣା ହୋଇଥିବା ବେଳେ ଭାରତ ବର୍ଷରେ ଏହା 37 ତମ ଘଟଣା ।