Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

Invest Odisha: ୧୯ ଟି ପ୍ରକଳ୍ପକୁ ମିଳିଲା ଅନୁମୋଦନ, ୪,୮୦୪ କୋଟି ଟଙ୍କା ପୁଂଜି ନିବେଶ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ୧୨୫ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୪,୮୦୪.୩୫ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି, ଯାହା ବିଭିନ୍ନ କ୍ଷେତ୍ରରେ ୧୭,୫୫୩ ନିଯୁକ୍ତି ସୃଷ୍ଟି କରିବାର ପ୍ରତିଶ୍ରୁତି ଦେବା ସହ ପୁଞ୍ଜି ନିବେଶ ସ୍ଥଳ ଭାବେ ରାଜ୍ୟର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ପୋଷାକ ଓ ବୟନଶିଳ୍ପ, ଇସ୍ପାତ ଡାଉନଷ୍ଟ୍ରିମ୍, ପେଣ୍ଟ୍ (ରାସାୟନିକ), ପ୍ଲାଷ୍ଟିକ୍, ପ୍ୟାକେଜିଂ ଓ ମେଟାଲ୍ ଡାଉନଷ୍ଟ୍ରିମ୍, ରସାୟନିକ, ଖାଦ୍ୟ, ପାନୀୟ ଓ ଆନୁଷଙ୍ଗିକ କ୍ଷେତ୍ର, ଇସ୍ପାତ (ଫେରୋଆଲୋୟସ୍), ଆଇଟି ଭିତ୍ତିଭୂମି, କୃଷି ପ୍ରକ୍ରିୟାକରଣ, ଅକ୍ଷୟ ଶକ୍ତି/ସର୍କୁଲାର ଅର୍ଥନୀତି ଏବଂ ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ରରେ ଏହି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ରହିଛି।

ଏହି ବିବିଧ ପୁଞ୍ଜିନିବେଶ କେବଳ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରୁ ନାହିଁ ବରଂ ସଂପୃକ୍ତ ଅଞ୍ଚଳର ସମୃଦ୍ଧ ଖଣିଜ ସମ୍ପଦ, ଧାତବ ବିଜ୍ଞାନ ଦକ୍ଷତା ଏବଂ ଆଇଟି କ୍ଷେତ୍ରରେ ବୈଷୟିକ ଉନ୍ନତି ପାଇଁ ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଉଛି। କୃଷି ଶିଳ୍ପରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି, ଯାହା ରାଜ୍ୟର କୃଷି ସମ୍ଭାବନାକୁ ଉପଯୋଗ କରିଛି। ୧୦ଟି ଜିଲ୍ଲାରେ ବିସ୍ତାରିତ ଏହି ରଣନୈତିକ ପୁଞ୍ଜିନିବେଶ ଓଡ଼ିଶା ପାଇଁ ବ୍ୟାପକ ଶିଳ୍ପ ବିକାଶ ରଣନୀତିକୁ ପ୍ରତିଫଳିତ କରୁଛି।

କେନ୍ଦ୍ରାପଡ଼ାରେ ଟେକ୍ସଟାଇଲ୍ ସୁବିଧା ପ୍ରତିଷ୍ଠା, ପୋଷାକ ଓ ବୟନ ଶିଳ୍ପ କ୍ଷେତ୍ରରେ ୨୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ବୃଦ୍ଧି ପାଇଁ ୱେଲସ୍ପନ୍ ଲିଭିଂ ଲିମିଟେଡ୍ ୨୦୦.୦୦ କୋଟି ଟଙ୍କା ବିନିଯୋଗ କରୁଛି।

ଟାଟା ଷ୍ଟିଲ୍ ଡାଉନଷ୍ଟ୍ରିମ୍ ପ୍ରଡକ୍ଟସ୍ ଲିମିଟେଡ୍ ପକ୍ଷରୁ ଯାଜପୁରର କଳିଙ୍ଗ ନଗରରେ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଇସ୍ପାତ ସେବା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଥିଲେ ୭୩୫ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ଏହା ୩୩୫ ସମ୍ଭାବ୍ୟ ନିଯୁକ୍ତି ପ୍ରତିଶ୍ରୁତି ଦେଇଛି।

ଇସ୍ପାତ କ୍ଷେତ୍ରରେ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ ଯାଜପୁରରେ ୯୭୭.୪୩ କୋଟି ଟଙ୍କା ବିନିଯୋଗ କରି ୨ଲକ୍ଷ ୨୦ ହଜାର ମେଟ୍ରିକ୍ ଟନ୍ ଫେରୋ କ୍ରୋମ୍ ଏବଂ ୨୦ ମେଗାୱାଟ୍ ଡବ୍ଲ୍ୟୁଏଚ୍ଆରବି ପାୱାର ଉତ୍ପାଦନ କରି ୧୧୯୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।

ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ୧୫୦ କୋଟି ଟଙ୍କା ବିନିଯୋଗ ଏବଂ ଇସ୍ପାତ ଶିଳ୍ପରେ ୩୧୫ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରଖି ଯାଜପୁରର ଜେଏସ୍ଏଲ୍ ଷ୍ଟେନଲେସ୍ ଷ୍ଟିଲ୍ ପାର୍କରେ ଏକ ଷ୍ଟେନଲେସ୍-ଷ୍ଟିଲ୍ ସର୍ଭିସ୍ ସେଣ୍ଟର ୟୁନିଟ୍ ସ୍ଥାପନ କରୁଛି । କେନ୍ଦୁଝରର ବଡବିଲରେ ଆନୁଷଙ୍ଗିକ ସୁବିଧା ଥିବା ୫୨,୮୦୦ ମେଟ୍ରିକ୍ ଟନ୍ ଇସ୍ପାତ କାଷ୍ଟିଂ ମିଲ୍ ଓ ରୋଲିଂ ମିଲ୍ ପ୍ରତିଷ୍ଠା ପାଇଁ କ୍ରାକର୍ସ ଇଣ୍ଡିଆ ଆଲଏଜ୍ ଲିମିଟେଡ୍ ୧୦୧.୫୦ କୋଟି ଟଙ୍କା ବିନିଯୋଗ ପୂର୍ବକ ଇଷ୍ପାତ ଶିଳ୍ପ କ୍ଷେତ୍ରରେ ୨୪୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।

ସୁନ୍ଦରଗଡ଼ରେ ଏନଭାଇରୋକେୟାରଇନଫ୍ରାସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ର ୧୦୦ କୋଟି ଟଙ୍କା ବିନିଯୋଗରେ ୨,୮୮,୦୦୦ ଟିପିଏ କ୍ଷମତା ବିଶିଷ୍ଟ ଏକ ମାଇଲ୍ଡ ଷ୍ଟିଲ୍ ଷ୍ଟ୍ରିପ୍ ଏବଂ ପାଇପ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରୁଛି, ଯାହା ଷ୍ଟିଲ୍ ଡାଉନଷ୍ଟ୍ରିମରେ ୨୯୫ ସମ୍ଭାବ୍ୟ ନିଯୁକ୍ତି ପ୍ରଦାନ କରୁଛି। ରୁଙ୍ଗଟା ପେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଢେଙ୍କାନାଳରେ ପେଣ୍ଟସ୍, ଆଲାଇଡ୍ ପ୍ରଡକ୍ଟସ୍ ଏବଂ ଇଣ୍ଟରମିଡିଏଟ୍ ର ଏକ ଉତ୍ପାଦନ ୟୁନିଟ୍ ସହିତ ନିଜର ଉପସ୍ଥିତି ବଢ଼ାଇଛି। ୯୯୧ କୋଟି ଟଙ୍କାର ନିବେଶ ପେଣ୍ଟ (କେମିକାଲ) ଶିଳ୍ପରେ ୭୦୦ ନିଯୁକ୍ତି ସୃଷ୍ଟି କରିବ।

ବାଲେଶ୍ୱରର ବାଲିଆପାଳ ଶିଳ୍ପାଞ୍ଚଳରେ ମୋଡୁଲୁସ୍ ଓଲିଓକେମ୍ ଆଣ୍ଡ ସର୍ଫେକ୍ଟଣ୍ଟାସ୍ ପ୍ରାଇଭେଟ୍ ଲିମିଟେଡ୍ ର ବ୍ୟାପକ ରାସାୟନିକ ଉତ୍ପାଦନ ୟୁନିଟ୍ ହେଉଛି ୩୧୩.୫୧ କୋଟି ଟଙ୍କାର ପୁଞ୍ଜିନିବେଶ, ଯାହା ରସାୟନିକ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ଏବଂ ୩୦୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବ।

ଟ୍ରାନ୍ସନୋଭା ଏକ୍ସପ୍ରେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାର ଏକ କେମିକାଲ୍ ହବ୍ ୧୨୦ .୩୯ କୋଟି ଟଙ୍କା ନିବେଶ କରି ବଲ୍କ ଇଣ୍ଡଷ୍ଟ୍ରିଆଲ୍ କେମିକାଲ ଷ୍ଟୋରେଜ୍, ରି-ପ୍ୟାକିଂ ଏବଂ ହ୍ୟାଣ୍ଡଲିଂ ସୁବିଧା ସ୍ଥାପନ କରି ୨୫୮ଟି ସମ୍ଭାବ୍ୟ ନିଯୁକ୍ତି ପ୍ରଦାନ କରୁଛି।

ଓଡ଼ିଶାରେ ପାଦ ଥାପିବା ପରେ ପେଣ୍ଟ ଜିଆଣ୍ଟ ବର୍ଗର ଏହାର ଦୁଇଟି ଆନୁଷଙ୍ଗିକ କମ୍ପାନି ମଧ୍ୟରୁ ପ୍ରଥମଟି ଗ୍ରୋ ମ୍ୟାକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ଖୋର୍ଦ୍ଧାରେ ପ୍ଲାଷ୍ଟିକ୍ ରଙ୍ଗ ବାଲଟି, ଢାଙ୍କୁଣି, ବୋତଲ ଓ ଡ୍ରମ୍ ଉତ୍ପାଦନ ୟୁନିଟ୍ ରେ ୫୪.୫୫ କୋଟି ଟଙ୍କା ନିବେଶ କରି ପ୍ଲାଷ୍ଟିକ୍ କ୍ଷେତ୍ରରେ ୧୫୨ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିଛି।

ଦ୍ୱିତୀୟଟି ହେଉଛି ଅନୁପମ ପ୍ରଡକ୍ଟସ୍ ଲିମିଟେଡ୍ ଯାହା ଖୋର୍ଦ୍ଧାରେ ଖାଲି ମେଟାଲ ଟିଣ କଣ୍ଟେନର ପାଇଁ ୫୧ କୋଟି ଟଙ୍କାର ଉତ୍ପାଦନ ୟୁନିଟ୍ ସ୍ଥାପନ କରି ପ୍ୟାକେଜିଂ ଏବଂ ମେଟାଲ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ସହ ୨୩୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।

ରାଜଶ୍ରୀ ପଲିପ୍ୟାକ୍ ଲିମିଟେଡ୍ ଏବଂ କେଶବ ପ୍ଲାଷ୍ଟଟେକ୍ (ପି) ଲିମିଟେଡ୍ ଯଥାକ୍ରମେ ଖୋର୍ଦ୍ଧା ଓ ରେଙ୍ଗାଲି ଶିଳ୍ପାଞ୍ଚଳ, ସମ୍ବଲପୁରରେ ଉତ୍ପାଦନ ୟୁନିଟ୍ ସହିତ ପ୍ଲାଷ୍ଟିକ୍ ଶିଳ୍ପରେ ଯୋଗଦାନ ରଖିଛନ୍ତି। ମିଳିତ ଭାବେ ୧୦୨.୨୫ କୋଟି ଟଙ୍କା ବିନିଯୋଗରେ ଏହି ଦୁଇଟି ପ୍ରକଳ୍ପ ଦ୍ବାରା ୫୫୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

୧୯୦ କୋଟି ଟଙ୍କା ବିନିଯୋଗ ଏବଂ ଭିତ୍ତିଭୂମି କ୍ଷେତ୍ରରେ ୧୬୦ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ଥିବା ସୁନ୍ଦରଗଡ଼ରେ ପିଏମ୍-ଗତି ଶକ୍ତି ମଲ୍ଟି ମୋଡାଲ ଟର୍ମିନାଲ ଯୋଜନା ଅଧୀନରେ ଢଂସର ଗ୍ରୁପ୍ ଏକ ଘରୋଇ ମାଲ ପରିବହନ ଟର୍ମିନାଲ (ପିଏଫଟି ) ଆରମ୍ଭ କରିଛି।

କୈବଲ୍ୟା ଲଜିଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ୍ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଥିବା ଏକ ମଲ୍ଟି ମୋଡାଲ ଆଭ୍ୟନ୍ତରୀଣ କଣ୍ଟେନର ଡିପୋ (ଆଇସିଡି)ରେ ୧୧୦ କୋଟି ଟଙ୍କା ବିନିଯୋଗ କରି ୪୮୦ ଟି ସମ୍ଭାବ୍ୟ ନିଯୁକ୍ତି ସହିତ ଖାଦ୍ୟ ଉତ୍ପାଦ, ରପ୍ତାନି ପ୍ରକ୍ରିୟାକରଣ ଏବଂ ସୀମା ଶୁଳ୍କ କ୍ଲିୟରିଂ ସୁବିଧା ପାଇଁ ଭିତ୍ତିଭୂମି ପ୍ରଦାନ କରୁଛି।

ଆଶୀର୍ବାଦ ଫୁଡ୍ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍ ଯାଜପୁରରେ ୫୬.୩୫ କୋଟି ଟଙ୍କା ବିନିଯୋଗରେ ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଅଟା କଳ ସ୍ଥାପନ କରୁଛି, ଯାହା ଖାଦ୍ୟ, ପାନୀୟ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଯୋଗଦାନ ଦେଇ ୧୧୮ଟି ସମ୍ଭାବ୍ୟ ନିଯୁକ୍ତି ପ୍ରଦାନ କରୁଛି। ସୁମ୍ମା ରିଅଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୨୨୬.୫୭ କୋଟି ଟଙ୍କା ବ୍ୟୟରେ ଏକ ଆଇଟି ଭିତ୍ତିଭୂମି କମ୍ପ୍ଲେକ୍ସ ର ଶୁଭାରମ୍ଭ କରିଛି, ଯେଉଁଥିରେ ୧୦ ହଜାର ଆଇଟି ପ୍ରଫେସନାଲ ନିଯୁକ୍ତି ସୁଯୋଗ ପାଇବେ।

ଭବାନୀ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ନୂଆପଡ଼ାରେ ଏକ ୫ ମେଗାୱାଟ୍ ର କୋ-ଜେନ୍ ପାୱାର ପ୍ଲାଣ୍ଟ ସହିତ ୨୦୦ କେଏଲପିଡି ଶସ୍ୟ ଭିତ୍ତିକ ଇଥାନଲ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛି, ଯାହା କି ବିଜୁ ଅର୍ଥନୈତିକ କରିଡରରେ ୨୩୭.୮୦ କୋଟି ଟଙ୍କା ବିନିଯୋଗରେ କୃଷି ପ୍ରକ୍ରିୟାକରଣରେ ଉଲ୍ଲେଖନୀୟ ଯୋଗଦାନ ଦେବ ଏବଂ ୧୫୦ ନିଯୁକ୍ତି ସୃଷ୍ଟି କରିବ।

ସେହିପରି ଜିଏଆଇଏ ନିଓ ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍ ୮୭.୦୦ କୋଟି ଟଙ୍କା ବିନିଯୋଗ କରି କଟକ ବାଙ୍କୀ-ଡମପଡ଼ାରେ କମ୍ପ୍ରେସଡ ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରୁଛି। ବାର୍ଷିକ ୩,୬୦୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏହି ପଦକ୍ଷେପ ଅକ୍ଷୟ ଶକ୍ତି/ସର୍କୁଲାର ଅର୍ଥନୀତି କ୍ଷେତ୍ରରେ ୭୬ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ପୋଷାକ ଏବଂ ବୟନ ଶିଳ୍ପଠାରୁ ଆରମ୍ଭ କରି ଭିତ୍ତିଭୂମି ପର‌୍ୟ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବିସ୍ତୃତ ଏହି ପ୍ରକଳ୍ପଗୁଡିକ ଓଡ଼ିଶାର ବହୁମୁଖୀ ଅଭିବୃଦ୍ଧି ରଣନୀତି ଏବଂ ଶିଳ୍ପ ବିକାଶ ଦିଗରେ ପଦକ୍ଷେପକୁ ପ୍ରତିଫଳିତ କରୁଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସାରା ବିଶ୍ୱର ନିବେଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ନିରନ୍ତର ଏବଂ ଅନ୍ତର୍ଭୁକ୍ତି ଅଭିବୃଦ୍ଧି ପାଇଁ ନିବେଶକାରୀମାନଙ୍କ ପ୍ରତିବଦ୍ଧତା ରାଜ୍ୟର ବିକାଶ ପାଇଁ ଏକ ଉଚ୍ଚ ମାନଦଣ୍ଡ ସ୍ଥାପିତ କରୁଛି। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାକୁ ଏକ ଶିଳ୍ପ ଶକ୍ତିରେ ପରିଣତ କରିବା ସହ ନିଯୁକ୍ତି ଓ ସମୃଦ୍ଧି ସୃଷ୍ଟି କରିବ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟ ସରକାର ୮୭୩ କୋଟି ଟଙ୍କା ନିବେଶରେ ୯ଟି ନୂଆ ପ୍ରକଳ୍ପକୁ ଦେଲେ ମଞ୍ଜୁରୀ

ଭୁବନେଶ୍ୱର: ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଆଜି ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା ଏସଏଲଏସ୍ଡବ୍ଲ୍ୟୁସିଏ ବୈଠକରେ ଆଉ ଏକ ଶିଖରରେ ପହଞ୍ଚିଛି।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୯ଟି ନୂତନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯାହା ରାଜ୍ୟର ଅର୍ଥନୈତିକ ଗତିପଥକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଇଛି।

ଓଡ଼ିଶା ସରକାର ଏବଂ ବ୍ୟବସାୟୀ ସମୁଦାୟ ମଧ୍ୟରେ ସହଯୋଗୀ ସମନ୍ୱୟ ବୃଦ୍ଧି ପାଇବାରେ ଲାଗିଛି, କାରଣ ଆଜିର ଏହି ବୈଠକରେ ସମୁଦାୟ ୮୭୩.୫୭ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ସହିତ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୨୫୧୬ ଜଣଙ୍କ ପାଇଁ ନିଯୁକ୍ତିର ନୂତନ ମାର୍ଗ ଖୋଲିବାକୁ ଯାଉଛି, ଯାହା ନିବେଶ ପାଇଁ ଏକ ଚୁମ୍ବକ ଭାବରେ ରାଜ୍ୟର ପ୍ରତିଷ୍ଠାକୁ ସୁଦୃଢ଼ କରିବ।

ଏସଏଲଏସ୍ଡବ୍ଲ୍ୟୁସିଏରେ ଅନୁମୋଦନ ପାଇଥିବା ଉଦ୍ୟୋଗଗୁଡ଼ିକ ମଧ୍ୟରୁ ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ର କମ୍ପ୍ରେସ୍ଡ ବାୟୋ ଗ୍ୟାସ୍ ଏବଂ ଫର୍ମେଣ୍ଟେଡ୍ ଅର୍ଗାନିକ୍ ସାର ପ୍ଲାଣ୍ଟ ପ୍ରକଳ୍ପ ଜରିଆରେ ବାର୍ଷିକ ୩୩,୦୬୫ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ରାସାୟନିକ ଉତ୍ପାଦନ ଏବଂ ଅକ୍ଷୟ ଶକ୍ତି ଆଦି ଦୁଇ ପ୍ରକାର ଲାଭ ପ୍ରତିଶ୍ରୁତି ଦେଇଛି। ଦେଓଗଡ଼ରେ ଅବସ୍ଥିତ ଏହି ପଦକ୍ଷେପ ଉଦ୍ୟେଗ କ୍ଷେତ୍ରରେ ଚିତ୍ରକୁ ପରିବର୍ତ୍ତନ କରିବାକୁ ଯାଉଛି।

ପର୍ଲ ପ୍ରିସିସନ୍ ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ନଳ, ୱାଟର ଟ୍ୟାଙ୍କ, ପାଇପ୍ ଏବଂ ଫିଟିଙ୍ଗ୍ସ ଉତ୍ପାଦନ ୟୁନିଟ୍ ପାଇଁ ଯୋଜନା ସହ ଏହି ତାଲିକାରେ ସାମିଲ ହୋଇଛି।

ପର୍ଲ ପ୍ରିସିସନର ବାର୍ଷିକ କ୍ଷମତା ୩୦ନିୟୁତ ପିସିରୁ ଅଧିକ ଯାହାକି ଉତ୍କର୍ଷତା ପ୍ରତିପାଦନରେ ସେମାନଙ୍କର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି। ଜଗତସିଂହପୁରର ପାରାଦୀପ ପ୍ଲାଷ୍ଟିକ ପାର୍କରେ ଏହି ପ୍ରକଳ୍ପ ନିର୍ମାଣ ହେବ।

ପ୍ଲାଷ୍ଟିକ କ୍ଷେତ୍ରରେ ଇଣ୍ଡୋପେଟ୍ ପଲିପ୍ଲାଷ୍ଟ ପ୍ରାଇଭେଟ୍ ଲିମିଟେଡ୍ ବାର୍ଷିକ ୮ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଫୁଡ୍ ଗ୍ରେଡ୍ ପେଟ୍ ବୋତଲ, ଜାର୍ ଏବଂ ପ୍ରି-ଫର୍ମ ପାଇଁ ଏକ ଉଚ୍ଚ କ୍ଷମତା ବିଶିଷ୍ଟ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବାକୁ ଯାଉଛି। ଖୁବ୍ ଶୀଘ୍ର ଖୋର୍ଦ୍ଧାରେ ସ୍ଥାପିତ ହେବାକୁ ଥିବା ଏହି ପ୍ରକଳ୍ପ ଉଭୟ ନିଯୁକ୍ତି ସୁଯୋଗ ଏବଂ ପ୍ଲାଷ୍ଟିକ ଉତ୍ପାଦନ ଉତ୍କର୍ଷତା ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ।

ଟିଆରଏଲ କ୍ରୋସାକି ରିଫ୍ରାକ୍ଟୋରିଜ୍ ଲିମିଟେଡ୍ର ବ୍ୟାପକ ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ଇସ୍ପାତ ଶିଳ୍ପର ଆନୁଷଙ୍ଗିକ କ୍ଷେତ୍ରରେ ପ୍ରଗତି ଘଟିଛି। ୫୭ ହଜାର ମେଟ୍ରିକ୍ ଟନ୍ ମୌଳିକ କଞ୍ଚାମାଲ ଗ୍ରାଇଣ୍ଡିଂ ୟୁନିଟ୍, ୧୧,୭୦୦ ମେଟ୍ରିକ୍ ଟନ୍ କଞ୍ଚାମାଲ ଗ୍ରାଇଣ୍ଡିଂ ୟୁନିଟ୍, ୮,୯୦୦ ମେଟ୍ରିକ୍ ଟନ୍ ଉଚ୍ଚ ଆଲୁମିନା କଞ୍ଚାମାଲ ଗ୍ରାଇଣ୍ଡିଂ ୟୁନିଟ୍ ଏବଂ ୧୪,୪୦୦ ମେଟ୍ରିକ୍ ଟନ୍ ଗ୍ରୋଗ୍ ପ୍ରୋସେସିଂ ୟୁନିଟ୍ ସହ ଏହି ଉଦ୍ୟୋଗ ଝାରସୁଗୁଡ଼ାରେ ଅବସ୍ଥିତ।

ଏସଏଲଏସଡବ୍ଲୁସିଏ ଦ୍ୱାରା ଅନୁମୋଦିତ ଏହି କ୍ଷେତ୍ରର ଅନ୍ୟ ଏକ ପ୍ରକଳ୍ପ ହେଉଛି ଚୋସୁନ୍ ସର୍ଭେଶ ରିଫ୍ରାକ୍ଟୋରିଜ୍ ପ୍ରାଇଭେଟ୍ ଲିମିଟେଡ୍ ର ୧୪,୪୦୦ ମେଟ୍ରିକ୍ ଟନ୍ ଟ୍ୟାପ୍ ହୋଲ୍ କ୍ଲେ ୟୁନିଟ୍। ଏହା କୁଆଁରମୁଣ୍ଡା ସୁନ୍ଦରଗଡ଼ରେ ଅବସ୍ଥିତ। ଚୋସୁନ୍ ହେଉଛି ଏକ ଦକ୍ଷିଣ କୋରିଆ କମ୍ପାନୀ, ଯାହା ଗୁଣାତ୍ମକ ରିଫ୍ରାକ୍ଟରି ନିର୍ମାତା ଭାବରେ ଖ୍ୟାତି ଅର୍ଜନ କରିଛି ।

ସାଇଜାର ଏଣ୍ଟରପ୍ରାଇଜ୍ ପ୍ରାଇଭେଟ୍ ଲିମିଟେଡ୍ ଏଚ୍ ଆର୍ ଏବଂ ସିଆର୍ କଏଲ ପ୍ରସ୍ତୁତି ପାଇଁ ଏକ ଇସ୍ପାତ ପ୍ରକ୍ରିୟାକରଣ ୟୁନିଟ୍ ନିର୍ମାଣ କରି ଇସ୍ପାତ (ଡାଉନଷ୍ଟ୍ରିମ୍) କ୍ଷେତ୍ରକକୁ ସମୃଦ୍ଧ କରିଥାଏ। ଯାଜପୁରର କଳିଙ୍ଗ ନଗରରେ ଅବସ୍ଥିତ ଏହି ପ୍ରକଳ୍ପ ଓଡ଼ିଶାର ଇସ୍ପାତ ପ୍ରକ୍ରିୟାକରଣ କ୍ଷମତାକୁ ବୃଦ୍ଧି କରିବ। ୦.୧୨ ଏମଟିପିଏ ଏସ୍ଏମ୍ଏସ୍ ଏବଂ ୦.୧ ଏମଟିପିଏ ଟିଏମଟି ପ୍ଲାଣ୍ଟ ପାଇଁ ବିକ୍ରମ ପ୍ରାଇଭେଟ୍ ଲିମିଟେଡ୍ ର ସମ୍ପ୍ରସାରଣ ପ୍ରକଳ୍ପ ଓଡ଼ିଶାର ଇସ୍ପାତ ଉତ୍ପାଦନ ଦକ୍ଷତାରେ ଆଉ ଏକ ଦିଗ ଯୋଡ଼ିଛି।

ସୁନ୍ଦରଗଡ଼ର ଲହୁଣୀପଡ଼ାରେ ଅବସ୍ଥିତ ଏହି ପଦକ୍ଷେପ ଓଡ଼ିଶାର ଶକ୍ତିଶାଳୀ ଇସ୍ପାତ କ୍ଷେତ୍ରରେ ଆଉ ଏକ ସଂଯୋଗ। କୋଷ୍ଟାଲ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ର ମକା ପ୍ରକ୍ରିୟାକରଣ ଏବଂ ମକା ଷ୍ଟାର୍ଚ ଉତ୍ପାଦନ ୟୁନିଟ୍ ସହିତ କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିଛି। ନବରଙ୍ଗପୁର ଜିଲ୍ଲାର ବାମୁନି ଶିଳ୍ପାଞ୍ଚଳରେ ଅବସ୍ଥିତ ଏହି ଉଦ୍ୟୋଗ ଜିଲ୍ଲାର ମକା ଉତ୍ପାଦନ କ୍ଷମତାର ଲାଭ ଉଠାଇବ।

ଏତଦ୍ ବ୍ୟତୀତ ଏସ୍ ଏନ୍ ଏମ୍ ହୋଟେଲ୍ ଏବଂ ରିସୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ର ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ପର‌୍ୟ୍ୟଟନ କ୍ଷେତ୍ର ଉନ୍ନତ ହୋଇଛି। ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ଚିକିଟିରେ ହୋଟେଲ ଏବଂ ରିସୋର୍ଟ ସୁବିଧା କରାଯିବ। ଏହି ପ୍ରକଳ୍ପ ପର‌୍ୟ୍ୟଟନ କ୍ଷେତ୍ରରେ ବ୍ୟାପକ ଶିଳ୍ପଭିତ୍ତିକ ଅଭିବୃଦ୍ଧି ପାଇଁ ରାଜ୍ୟର ପ୍ରୟାସକୁ ପ୍ରୋତ୍ସାହିତ କରୁଛି।

ଏହି ସବୁ ପ୍ରକଳ୍ପ ଫଳପ୍ରଦ ହେବାର ନିକଟତର ହେବା ସହ ଓଡ଼ିଶା ନିଜର ପ୍ରଗତି ଯାତ୍ରାରେ ନୂଆ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛି, ଯେଉଁଥିରେ ଦୂରଦୃଷ୍ଟି ସମ୍ପନ୍ନ ଶିଳ୍ପ ଉଦ୍ୟୋଗ ଏବଂ ଏକ ସମୃଦ୍ଧ ଅର୍ଥନୈତିକ ଭବିଷ୍ୟତ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।

୧୨୧ତମ ଏସଏଲଏସଡବ୍ଲ୍ୟୁସିଏ ବୈଠକ ଅଭିବୃଦ୍ଧି, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଉପରୋକ୍ତ ଅଞ୍ଚଳରେ ବୃଦ୍ଧି ପାଉଥିବା ଶିଳ୍ପଶକ୍ତି ଭାବରେ ସେଗୁଡିକର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାର ପ୍ରମାଣ ରୂପେ ଉଭା ହୋଇଛି।

Categories
ବିଶେଷ ଖବର ବ୍ୟବସାୟ

ଛଅଟି ପ୍ରକଳ୍ପକୁ ଅନୁମୋଦନ ଦେଲେ ରାଜ୍ୟ ସରକାର, ବିନିଯୋଗ ହେବ ୪୯୩ କୋଟି ଟଙ୍କା

ଭୁବନେଶ୍ୱର: ଶିଳ୍ପାୟନ ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଆଉ ଏକ ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ୪୯୩.୬୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ୬ଟି ନୂତନ ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପରେ ୧,୩୧୭ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସମ୍ଭାବନା ରହିଛି।

ଆଜି ଲୋକସେବା ଭବନରୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡରେ ଆୟୋଜିତ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା SLSWCA ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଓଡିଶା ପାଇଁ ପ୍ରକଳ୍ପର ଯଥାର୍ଥତା ଦର୍ଶାଇଛନ୍ତି। ଏହି ପ୍ରକଳ୍ପଗୁଡିକୁ ନୀତିଗତ ଅନୁମୋଦନ ପ୍ରଦାନ କରି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗଗୁଡିକୁ ଅନୁମୋଦିତ ପ୍ରକଳ୍ପଗୁଡିକ ପାଇଁ ଆବଶ୍ୟକ ଜମି ଏବଂ ଜଳର ବାସ୍ତବ ମୂଲ୍ୟାଙ୍କନ କରିବାକୁ ଏବଂ ସେମାନଙ୍କର ପ୍ରାଥମିକ ଭିତ୍ତିଭୂମିକୁ ସହଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୋଲୋମୋ ଭଳି ସମ୍ଭାବ୍ୟ ଦ୍ୱୀପ ସମେତ ଚିଲିକା ହ୍ରଦରେ ପର‌୍ୟ୍ୟଟନ ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ପର‌୍ୟ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ବୈଠକରେ ଉପସ୍ଥାପିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ଇସ୍ପାତ ଡାଉନଷ୍ଟ୍ରିମ, ଖାଦ୍ୟ ପ୍ରକ୍ରିୟାକରଣ, ପର‌୍ୟ୍ୟଟନ ଏବଂ ପ୍ଲାଷ୍ଟିକ୍ ଡାଉନଷ୍ଟ୍ରିମରୁ ଆସିଥିଲା।

ଏହି ପ୍ରସ୍ତାବଗୁଡିକ ଉପସ୍ଥାପନ କରି ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା କହିଛନ୍ତି ଯେ ଏହି ଶିଳ୍ପଗୁଡିକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅର୍ଥନୈତିକ କାର‌୍ୟ୍ୟକଳାପକୁ ବୃଦ୍ଧି କରିବ।

ଅନୁମୋଦିତ ପ୍ରକଳ୍ପଗୁଡିକ ହେଲା

୧- ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ୨,୫୦,୦୦୦ ଟିଏମଟି ରେବର ଏବଂ ୨,୫୦,୦୦୦ ମେଟ୍ରିକ ଟନ ୱାୟାର ରୋଡ ମିଲ ସ୍ଥାପନ ପାଇଁ ଜଟିଆ ଷ୍ଟିଲ ଲିମିଟେଡ ୧୨୫ କୋଟି ଟଙ୍କା ବିନିଯୋଗ କରିବ। ଏଥିରେ ୧୫୦ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ରହିଛି।

୨-ସାରଙ୍ଗୀ ମେଟାଲ ୱାର୍କସ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ୬୫.୩୭ କୋଟି ଟଙ୍କା ବିନିଯୋଗ ଏବଂ ୫୬୮ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସହିତ ଡ୍ରାଇଭଲାଇନ୍ ଏବଂ ଟର୍କ ଟ୍ୟୁବ୍ ଉତ୍ପାଦନ ପାଇଁ ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ଏକ ଷ୍ଟିଲ୍ ଡାଉନଷ୍ଟ୍ରିମ ୟୁନିଟ୍ ସ୍ଥାପନ କରିବ।

୩- ୧୨୧ କୋଟି ଟଙ୍କା ବିନିଯୋଗରେ ସୋନପୁରରେ ୨.୫ ମେଗାୱାଟ ପାୱାର ପ୍ଲାଣ୍ଟ ସହିତ ଗୋଟିଏ ୧୦୦ KLPD ଇଥାନଲ ପ୍ଲାଣ୍ଟ ସ୍ଥାପନ ପାଇଁ JRS Ventures Pvt Ltd ପ୍ରସ୍ତାବ ପାରିତ ହୋଇଛି। ଏଥିରେ ୧୧୪ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି।

୪- ୮୦.୨୫ କୋଟି ଟଙ୍କା ବିନିଯୋଗରେ ଗଞ୍ଜାମ ଜିଲ୍ଲାର ସୋମୋଲୋ ଦ୍ୱୀପରେ ଏକ ହୋଟେଲ ଏବଂ ରିସର୍ଟ ସ୍ଥାପନ କରିବ ଏସଏନଏମ ହୋଟେଲ ଏବଂ ରିସର୍ଟ ପ୍ରାଇଭେଟ ଲିମିଟେଡ୍। ଏଥିରେ ୧୮୫ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି।

୫- ଖୋର୍ଧା ଜିଲ୍ଲାରେ ବାର୍ଷିକ ୧୫୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏକ କାର୍ବନ / ଗ୍ରାଫାଇଟ୍ ବ୍ଲକ୍ କଟିଙ୍ଗ ଏବଂ ମେସିନିଂ ସୁବିଧା ପ୍ରତିଷ୍ଠା କରିବାକୁ ଡାନିଏଲି କୋରସ୍ ରେଫ୍ରାକ୍ଟୋରୀ ସଲ୍ୟୁସନ୍ସ ଲିମିଟେଡ୍ ୫୧ କୋଟି ଟଙ୍କା ବିନିଯୋଗ କରିବ। ଏଥିରେ ୧୫୦ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି।

୬- ୫୧ କୋଟି ଟଙ୍କା ବିନିଯୋଗରେ କଟକ ଜିଲ୍ଲାର ଟାଙ୍ଗୀରେ ୧୮,୦୦୦ MTPA କ୍ଷମତା HDPE ଏବଂ PVC ପାଇପ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ ଆର୍ଶିବାଦ ପାଇପ୍ ପ୍ରାଇଭେଟ ଲିମିଟେଡ୍।ଏଥିରେ ୧୫୦ ଲୋକଙ୍କ ପାଇଁ ରୋଜଗାର ସମ୍ଭାବନା ରହିଛି।

ଏହି ବୈଠକରେ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଡ. ମୋନା ଶର୍ମା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ସଚିବ ଜଳ ସମ୍ପଦ ଅନୁ ଗର୍ଗ, ପ୍ରମୁଖ ସଚିବ ଶିଳ୍ପ ଶ୍ରୀ ହେମନ୍ତ କୁମାର ଶର୍ମା, ପ୍ରମୁଖ ସଚିବ ପର୍ଯ୍ୟଟନ ଶ୍ରୀ ସୁରେନ୍ଦ୍ର କୁମାର, ପ୍ରମୁଖ ସଚିବ ଶକ୍ତି ଶ୍ରୀ ନିକୁଞ୍ଜାବିହାରୀ ଧଳ, ପ୍ରମୁଖ ସଚିବ ଇସ୍ପାତ ଏବଂ ଖଣି ଶ୍ରୀ ଦେଓ ରଂଜନ କୁମାର ସିଂ, ପ୍ରମୁଖ ଶାସନ ସଚିବ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ଶ୍ରୀ ଅଶୋକ କୁମାର ମୀନା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।