Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ମୋର ଦଳ ନାହିଁ କି ଖବର କାଗଜ ନାହିଁ, ଯେଉଁମାନଙ୍କୁ ଗଢିଥିଲି ସେମାନେ ମୋତେ ଫସାଇଲେ: ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: ମୋର ଦଳ ନାହିଁ କି ଖବରକାଗଜ ନାହିଁ। ତେଣୁ ନିର୍ବାଚନ କଥା କାହିଁକି ଚିନ୍ତା କରିବି। ହେଲେ ବଡ ଦୁଃଖର କଥା ଯେ, ଯେଉଁମାନଙ୍କୁ ମୁଁ ସାମ୍ବାଦିକ କରିଥିଲି ସେମାନେ ମୋ ବିରୋଧରେ ମିଛ କହିଲେ। ସେମାନେ ମୋ ବିରୋଧରେ ମିଛ ମାମଲା ଋଜୁ କଲେ। ଏହିପରି ଏକ ମନ୍ତବ୍ୟ ଦେଇଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଂଜ ପଟ୍ଟନାୟକ।

ତାଙ୍କର ଶଶ୍ବର ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀରେ ଯୋଗ ଦେଇ ବହୁ ଦିନ ପରେ ମିଡିଆକୁ ସେ ସାକ୍ଷାତକାର ଦେଇଛନ୍ତି। ସେଥିରେ ସେ କହିଲେ ଯେ, ମୁଁ ଭାବୁଚି ସାମ୍ବାଦିକ ତିଆରି କରି ଭୁଲ କରିଛି। ଋଣ ନେବା ଘଟଣା ନୂଆ ନ ଥିଲା। ହେଲେ ଦୀର୍ଘ ବର୍ଷ ପରେ ସେମାନେ ମୋ ବିରୋଧରେ ମାମଲା ଋଜୁ କରିବା ମୋତେ ଆଶ୍ଚର୍ଯ୍ୟ ଲାଗିଛି।

ମୋ ପାଖରେ କାମ କରିଥିବା ସାମ୍ବାଦିକଙ୍କ ଏପରି କାର୍ଯ୍ୟକଳାପ ଦେଖି ମୁଁ ସମ୍ବାଦର ସଂପାଦକ ପଦରୁ ଓହରି ଗଲି ବୋଲି କହିଛନ୍ତି ସୌମ୍ୟରଂଜନ। ତେବେ ଆସନ୍ତା ନିର୍ବାଚନରେ ସେ ଲଢେଇ କରିବେ କି ନାହିଁ ପଚରାଯିବାରୁ ସେ କହିଲେ ମୁଁ କିଛି ନିଷ୍ପତି କରି ନାହିଁ। କାରଣ ବର୍ତ୍ତମାନ ମୁଁ କୌଣସି ଦଳରେ ନାହିଁ। ଯେତେଦୂର ସମ୍ଭବ ମୁଁ ଆସନ୍ତା ନିର୍ବାଚନ ଲଢି ନ ପାରେ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

Breaking News: ବିଜେଡିରୁ ବହିସ୍କୃତ ହେଲେ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହ ଆଉ ଜଣେ ବିଧାୟକ

ଭୁବନେଶ୍ବର: ଶେଷରେ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବିଜେଡି ବହିସ୍କାର କରିଛି। ଏ ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବହିସ୍କାର ଆଦେଶ ପ୍ରକାଶ ପାଇଛି। ଏଥିସହିତ ରେମୁଣାର ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ମଧ୍ୟ ଦଳରୁ ବହିସ୍କାର କରାଯାଇଛି।

ଏ ନେଇ ଦଳ ତଫରରୁ ଯେଉଁ ବହିସ୍କାର ଆଦେଶ ବାହାରିଛି ସେଥିରେ କୁହାଯାଇଛି ଯେ, ସୌମ୍ୟରଂଜନ ପଟ୍ଟନାୟକଙ୍କ ବର୍ତ୍ତମାନ ଋଣ ଠକେଇ ମାମଲରେ ତଦନ୍ତ ଭୁକ୍ତ ଅଛନ୍ତି। ତାଙ୍କ ବିରୋଧରେ ସମ୍ବାଦର ପୂର୍ବତନ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। କୋଟିକୋଟି ଟଙ୍କାର ଜାଲିଆତି ମାମଲାରେ ସେ ଜଡିତ ଥିବାରୁ ଦଳ ତାଙ୍କୁ ବହିସ୍କାର କରିଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ବିଜୁ ଜନତା ଦଳରୁ ଏକ ଘରକିଆ ହୋଇଗଲେ କି ସୌମ୍ୟରଂଜନ ପଟ୍ଟନାୟକ !!!

ଭୁବନେଶ୍ବର: ବର୍ତ୍ତମାନ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଦଳରେ ଏକ ଘରକିଆ ହୋଇଗଲେଣି। କାରଣ ବର୍ତ୍ତମାନ ଅଧିକାଂଶ ବିଜେଡି ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବିରୋଧ କରିବାରେ ଲାଗିଲେଣି। ଏହାଦ୍ବାରା ସୌମ୍ୟରଂଜନ ପଟ୍ଟନାୟକଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର ହେବା ସ୍ପଷ୍ଟ ହୋଇଗଲାଣି। ଯେଉଁ ଦଳର ଆର୍ଶିବାଦରେ ସେ ସାଂସଦ ଏବଂ ବିଧାୟକ ହୋଇଛନ୍ତି ସେହି ଦଳରେ ସେ ଅଛୁଆଁ ହେବାକୁ ବସିଲେଣି।

ତେବେ ସୌମ୍ୟରଂଜନଙ୍କୁ ବିଜେଡି ଏପରି ଆଘୋଷିତ ଏକ ଘରକିଆ କରିବାର କାରଣ ରହିଛି। ତାହା ହେଲା ସୌମ୍ୟବାବୁ ଯାହାର ସାହାଯ୍ୟ ପାଇବେ ପ୍ରଥମେ ତାକୁ ହିଁ ସେ ବିରୋଧ କରିବେ। ବିଜେଡିରେ ଯୋଗଦେବା ପୂର୍ବରୁ ସୌମ୍ୟରଂଜନଙ୍କ ରାଜନୈତିକ ପ୍ରତିପତି କିଛି ନ ଥିଲା। କେବଳ ମାତ୍ର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୁଆଁଇ ବ୍ୟତିତ ଆଉ କିଛି ପରିଚୟ ନ ଥିଲା। ହେଲେ ବିଜେଡିରେ ଯୋଗ ଦେବା ପରେ ସାଂସଦ ଏବଂ ବିଧାୟକ ହୋଇପାରିଛନ୍ତି।

ହେଲେ ଦୁଃଖର କଥା ଗତ କିଛିମାସ ଧରି ସୌମ୍ୟରଂଜନ ବିଜେଡି ଦଳ ଏବଂ ଏହାର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସେହିପରି ସେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନଙ୍କୁ ପୁରା ଟାର୍ଗେଟ କରିବାରେ ଲାଗିଛନ୍ତି। ସେ ତାଙ୍କର ଲେଖାରେ ଏବଂ ଭାଷଣରେ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିଛନ୍ତି।

ଏପରି ପରିସ୍ଥିତି ଦେଖି ବର୍ତ୍ତମାନ ବିଜେଡିର ବରିଷ୍ଠ ନେତାମାନେ ଧିରେ ଧିରେ ତାଙ୍କୁ ବିରୋଧ କରିବା ଆରମ୍ଭ କରିଲେଣି। ପୂର୍ବରୁ ତାଙ୍କର ଚିରାଚରିତ ପ୍ରତିଦ୍ବନ୍ଦି ଅନୁଭବ ପଟ୍ଟନାୟକ ବିରୋଧ କରିଆସୁଥିଲେ। ହେଲେ ଏବେ ସେଥିରେ ଯୋଡି ହେଲେଣି ଅରୁଣ ସାହୁ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକଙ୍କ ପରି ବରିଷ୍ଠ ନେତା। ସେମାନେ ସିଧା ସୌମ୍ୟରଂଜନ ପଟ୍ଟନାୟକ ଜଣେ ବ୍ଲାକମେଲର ବୋଲି କହି ବୁଲିଲେଣି।

ଅରୁଣ ଏବଂ ଅତନୁ ସୌମ୍ୟରଂଜନ ଜଣେ ସୁବିଧାବାଦୀ ନେତା ବୋଲି କହିଲେଣି। ତାଙ୍କୁ ମନ୍ତ୍ରୀ ପଦ ମିଳି ନ ଥିବାରୁ ସେ ବାଉଳି ହେଉଛନ୍ତି ବୋଲି ଅରୁଣ ସାହୁ ମନ୍ତବ୍ୟ ଦେଲେଣି। ସେତିକି ନୁହେଁ ସୌମ୍ୟବାବୁଙ୍କୁ ଯାହାକିଛି ବିରୋଧ କରିବା କଥା ଏହି ଦୁଇଜଣ କହିସାରିଲେଣି। ଭବିଷ୍ୟତରେ ଆହୁରି କିଛି ନେତା ମଧ୍ୟ ତୁଣ୍ଡ ଖୋଲିବେ ବୋଲି ଆଭାସ ମିଳିସାରିଲାଣି।

ସୌମ୍ୟରଂଜନ ଦଳ ଭିତରେ ରହି ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ସେମାନେ ପ୍ରଶ୍ନ ଉଠାଇଲେଣି। ବିଜେଡିର ଏପରି ନେତାମାନେ ସୌମ୍ୟଙ୍କୁ ବିରୋଧ କଲେଣି ଅର୍ଥ ଦଳ ଭିତରେ କିଛି ବିଚାର ଚାଲିଥିବାର ଅନୁମାନ କରିହେଉଛି। ସେଥିପାଇଁ ରାଜନୈତିକ ସମୀକ୍ଷକମାନେ ସୌମ୍ୟରଂଜନଙ୍କ ଭବିଷ୍ୟତକୁ ନେଇ ଅବଗଣନା ଆରମ୍ଭ କରିସାରିଲେଣି। ଯଦି ସୌମ୍ୟରଂଜନ ବିଜେଡିରୁ ବହିସ୍କୃତ ହୁଅନ୍ତି ତେବେ ତାଙ୍କର ରାଜନୌତିକ ଭବିଷ୍ୟତ ସଂପୂର୍ଣ୍ଣ ଅନ୍ଧକାର ହୋଇଯିବ ବୋଲି ଅନୁମାନ କରିସାରିଲେଣି।

Categories
ବିଶେଷ ଖବର ରାଜ୍ୟ ଖବର

ସୌମ୍ୟରଞ୍ଜନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଅନୁଭବ; କହିଲେ, ପ୍ରମାଣ ଦେଲେ ଛାଡି ଦେବି ରାଜନୀତି

ଭୁବନେଶ୍ବର: କିଛିଦିନର ବ୍ୟବଧାନ ପରେ ପୁଣି ଥରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ତାଙ୍କ ଖବର କାଗଜ ସମ୍ବାଦର ଆମଘର ହାଲଚାଲ ସ୍ତମ୍ବରେ ସେ ସିଧା ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି। ପୂର୍ବରୁ ସେ ଏହିପରି ସମାଲୋଚନା କରିଆସୁଛନ୍ତି। ତେବେ ତାଙ୍କର ସମାଲୋଚନା ସେହି ସମାଲୋଚନା ଭିତରେ ହିଁ ରହି କୁଆଡେ ଉଭେଇ ଯାଉଛି।

ତେବେ ଏଥର ସେ ତାଙ୍କ ସ୍ତମ୍ବରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଏକ ରାଜନୈତିକ ବ୍ୟକ୍ତିଭାବେ ପ୍ରମାଣିତ କରିବାକୁ ଚାହିଁଛନ୍ତି। ସେ କହିଛନ୍ତି ଯେ, ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ ବେଳେ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲୋକଙ୍କୁ ଆହ୍ବାନ କରିଛନ୍ତି। ଏହା ଜଣେ ପ୍ରଶାସକ ହିସାବରେ କହିବା ଠିକ ନୁହେଁ ବୋଲି ସୌମ୍ୟରଂଜନ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ହେଲେ ତାହା ପାଣ୍ଡିଆନ କିପରି କହୁଛନ୍ତି ବୋଲି ସୌମ୍ୟ ତାଙ୍କ ଲେଖାରେ ପ୍ରଶ୍ନ କରିଛନ୍ତି।

ସେହିପରି ସେ ଚନ୍ଦ୍ରଯାନ-୩ ଅଭିଯାନରେ ଛଅ ଶହ କୋଟି ଖର୍ଚ୍ଚ ହୋଇଥିବା ବେଳେ ପାଣ୍ଡିଆନଙ୍କ ଗସ୍ତ ଖର୍ଚ୍ଚ ମଧ୍ୟ ସେହିପରି ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଏପରି ଖର୍ଚ୍ଚ ପଛରେ କଣ ରହିଛି କାରଣ ତାହା ତାଙ୍କୁ ବୁଝାପଡୁ ନାହିଁ ବୋଲି ସୌମ୍ୟରଞ୍ଜନ କହିଛନ୍ତି। ସାରା ଦେଶ ଯେପରି ଚନ୍ଦ୍ର ଭ୍ରମଣକୁ ଆଗ୍ରହ ସହକାର ସ୍ବୀକାର କରୁଛନ୍ତି, ଠିକ ସେହିପରି ଓଡିଶାରେ ମଧ୍ୟ ପାଣ୍ଡିଆନଙ୍କ ଭ୍ରମଣକୁ ସମସ୍ତେ ଗ୍ରହଣ କରୁଥିବାର ମନେ ହେଉଛି ବୋଲି ସେ କହିଛନ୍ତି।

ତେବେ ସୌମ୍ୟରଞ୍ଜନଙ୍କ ଏହି ଲେଖାକୁ କଡା ସମାଲୋଚନା କରିଛନ୍ତି ବିଜେଡି ନେତା ଅନୁଭବ ପଟ୍ଟନାୟକ। ସେ ସୌମ୍ୟରଞ୍ଜନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ ତାଙ୍କ ଟୁଇଟରରେ ସୌମ୍ୟରଞ୍ଜନଙ୍କ ଉଲ୍ଲେଖରେ ଲେଖିଛନ୍ତି ଯେ, ୧୫ ଦିନ ପରେ ଆପଣ ନିଜ ଖବରକାଗଜରେ ଆଉ ଏକ ଲେଖା ଲେଖିଛନ୍ତି, ଯେଉଁଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ଆପଣ ଅତ୍ୟଧିକ ନିରାଶ ଏବଂ ହତାସ ହୋଇ ପଡିଛନ୍ତି।

ଆପଣ ଉଲ୍ଲେଖ କରିଛନ୍ତି ଯେ ୫ଟି ସଚିବ ଭିକେ ପାଣ୍ଡିଆନ ଏକ ବୈଠକରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରାଇବା ପାଇଁ ଲୋକଙ୍କୁ ଆହ୍ବାନ କରିଥିଲେ। ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି ଯେ ପାଣ୍ଡିଆନ ଏହା କେଉଁଠି କହିଥିଲେ ତାହାର ପ୍ରମାଣ ଦିଅନ୍ତୁ। ୧୨ ଘଣ୍ଟା ମଧ୍ୟରେ ଆପଣ ଏହାକୁ ଆପଣଙ୍କ ଚ୍ୟାନେଲରେ ପ୍ରମାଣ ସହିତ ପ୍ରସାରଣ କରନ୍ତୁ। ଯଦି ଏହା ପ୍ରମାଣିତ କରାଇ ଦେବେ, ତେବେ ମୁଁ ରାଜନୀତିରୁ ସନ୍ୟାସ ନେବି ବୋଲି ଅନୁଭବ ସୌମ୍ୟଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଅନୁଭବ ଆହୁରି କହିଛନ୍ତି ଯେ, ଆପଣ ଯଦି ଏହାର ପ୍ରମାଣ ଦେଇ ନ ପାରିବେ ତେବେ ଓଡିଶା ଲୋକେ ଜାଣିବେ ଯେ, ଆପଣ ଜଣେ ମିଛୁଆ।

୫ଟି ସଚିବଙ୍କ ଗସ୍ତ ଖର୍ଚ୍ଚକୁ ନେଇ ମଧ୍ୟ ଅନୁଭବ ସୌମ୍ୟରଂଜନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ, ଆପଣ ଉଲ୍ଲେଖ କରିଛନ୍ତି ଯେ ୫-ଟି ସଚିବଙ୍କ ଗସ୍ତରେ ୩୦୦ କୋଟି ଖର୍ଚ୍ଚ ହୋଇଛି। ଆପଣଙ୍କ ପାଖରେ କୈଣସି ପ୍ରମାଣ ଅଛି କି? ଆପଣ ଭଲଭାବେ ଜାଣିଛନ୍ତି ଯେ କିଛି ବର୍ଷ ପୂର୍ବେ ଓଡିଶାର ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ବିଜ୍ଞାପନ ପାଇଁ ୬୦୦ କୋଟି ଖର୍ଚ୍ଚ କରିଛନ୍ତି। ସେତେବେଳେ ଆପଣଙ୍କର ବିବେକ କେଉଁଠାରେ ଥିଲା ବୋଲି ପ୍ରଶ୍ନ ପଚାରିଛନ୍ତି ଅନୁଭବ।

ସେ ପୁଣି କହିଛନ୍ତି ଯେ, ଆପଣ ଏବଂ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀଙ୍କ ସହିତ ଚନ୍ଦ୍ରକୁ ଯାଇ ସେଠାରେ ବସନ୍ତୁ। ୫-ଟି ସଚିବ ଯେଉଁ ଓଡିଶା ଗସ୍ତ କରୁଛନ୍ତି ସେଥିରେ ସେ ତାଙ୍କ ପରିବାରକୁ ଭେଟିବାକୁ ଯାଉ ନାହାଁନ୍ତି। ସେ ଓଡିଶାର ଲୋକମାନଙ୍କୁ ଭେଟିବାକୁ ଯାଉଛନ୍ତି, ସେମାନଙ୍କର ଅଭିଯୋଗ ଶୁଣୁଛନ୍ତି ଏବଂ ସେମାନଙ୍କଠାରୁ ନିବେଦନ ଗ୍ରହଣ କରୁଛନ୍ତି। ଏଥିରେ କେଉଁଠି ଭୁଲ ରହିଲା ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି।

ଖଣ୍ଡପଡା ରାଜନୀତିକୁ ନେଇ ଅନୁଭବ ମଧ୍ୟ ସୌମ୍ୟଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପାଣ୍ଡିଆନଙ୍କ ନୟାଗଡ ଗସ୍ତ ବେଳେ ସେ ଖଣ୍ଡପଡାବାସୀଙ୍କଠାରୁ ସର୍ବାଧିକ ସଂଖ୍ୟକ ନିବେଦନ ଗ୍ରହଣ କରିଛନ୍ତି। ଏହା ଦର୍ଶାଉଛି ଯେ ଖଣ୍ଡପଡାର ଲୋକମାନେ ଆପଣଙ୍କ ଉପରେ ସଂପୂର୍ଣ୍ଣ ବିଶ୍ୱାସ ହରାଇଛନ୍ତି। ଏହା ଆପଣଙ୍କୁ କଷ୍ଟ ଦେଉଛି, ଯେଉଁଥି ପାଇଁ ଆପଣ ଆପଣଙ୍କର ଖବରକାଗଜ ଲେଖା ମାଧ୍ୟମରେ କ୍ରୋଧ ବାହାର କରୁଛନ୍ତି।

ସୌମ୍ୟରଂଜନ ତାଙ୍କ ସମ୍ଭରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି କର୍ମିମାନେ ଘେରାଉ କରିବା ଠିକ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। ତାହାର ଜବାବ ମଧ୍ୟ ଅନୁଭବ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ବହୁ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ ଚାର୍ଜସିଟ୍ ହୋଇଛନ୍ତି। ସେ ଜାମିନରେ ଆସିଥିବା ଜଣେ ଅପରାଧୀ। ଆପଣଙ୍କ ଚ୍ୟାନେଲ ଏବଂ ଖବରକାଗଜ ମଧ୍ୟ ତାଙ୍କ ଠକେଇ ସଂପର୍କରେ ପ୍ରସାରଣ କରିଥିଲା। ଜାମିନରେ ଆସିଥିବା ଏପରି ଅପରାଧୀଙ୍କୁ ଆପଣ ସମର୍ଥନ କରୁଛନ୍ତି ବୋଲି ଆପଣ ଲଜ୍ଜିତ ନୁହଁନ୍ତି କି ବୋଲି ଅନୁଭବ ସୌମ୍ୟଙ୍କୁ ପ୍ରଶ୍ନ କରିଛନ୍ତି।

ଆପଣଙ୍କର ଏହି ଲେଖାରୁ ଆପଣଙ୍କ ବ୍ୟକ୍ତିଗତ ଏବଂ ରାଜନୈତିକ ଲୋଭ ଓଡ଼ିଶାର ଲୋକଙ୍କ ଆଗରେ ସଂପୂର୍ଣ୍ଣ ଭାବେ ପ୍ରକାଶ ପାଇଛି। ତଥାପି ମୁଁ ଆଶା କରେ ୧୨ ଘଣ୍ଟା ମଧ୍ୟରେ ମୁଁ ମାଗିଥିବା ପ୍ରମାଣ ଆପଣ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ପ୍ରସାରଣ କରିବେ ବୋଲି ଅନୁଭବ ଉଲ୍ଲେଖ କରିଛନ୍ତି।

ସୌମ୍ୟରଂଜନ ପଟ୍ଟନାୟକ ଏବଂ ଅନୁଭବ ପଟ୍ଟନାୟକଙ୍କ ମଧ୍ୟରେ ଏପରି ଜବାବ ପ୍ରତିଜବାବକୁ ନେଇ ଓଡିଶା ରାଜନୀତିରେ ବେଶ ରୋଚକ ଖେଳିଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣି ତେରଚ୍ଛା ବାଣ ମାରିଲେ ସୌମ୍ୟ ରଂଜନ, ନବୀନଙ୍କୁ ନିନ୍ଦା, ଜାନକୀଙ୍କୁ ପ୍ରଶଂସା

ଭୁବନେଶ୍ବର: ମଝିରେ ମଝିରେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଦଳରେ ରହି ଦଳ ବିରୋଧରେ ବାଣ ମାରିବାକୁ ଭଲ ପାଆନ୍ତି। କେତେବେଳେ ସଭା ସମିତିରେ ହେଉ କିମ୍ବା ଲେଖା ମାଧ୍ୟମରେ, ସେ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବାରେ ଆଗ୍ରହ ରଖିଥାନ୍ତି।

ସେହି ପରିପ୍ରେକ୍ଷୀରେ ବର୍ତ୍ତମାନ ସୌମ୍ୟରଂଜନ ଆଉ ଏକ ବାଣ ମାରିଛନ୍ତି। ଏକ କାର୍ଯ୍ୟକ୍ରମରେ ସେ ଯୋଗଦେଇ ସେତେବେଳର ଜାନକୀବାବୁଙ୍କ ଶାସନ ଭଲ ଥିଲା, ଏବେ ଶାସନ ଭଲ ନାହିଁ ବୋଲି କହିଛନ୍ତି। ଅର୍ଥାତ ନବୀନ ବାବୁଙ୍କ ଶାସନ ଭଲ ନାହିଁ ବୋଲି ଟିକିଏ ବଙ୍କେଇ କହିଛନ୍ତି। ସେ କହିଲେ ଯେ, ସେତେବେଳେ ମନ୍ତ୍ରୀ ବିଧାୟକମାନେ ସଚିବମାନଙ୍କୁ ଉଠ ବସ କରାଉଥିଲେ। ଏବେ ତାହା ଓଲଟା ହୋଇଛି।

ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନ ନେଇ କହିଲେ ଯେ, ଏବେର ଶାସନରେ ବିଧାୟକ ମନ୍ତ୍ରୀ ସଚିବଙ୍କ ଦ୍ବାରା ଉଠବସ ହେଉଛନ୍ତି। ସେମାନେ ଯାହା କହୁଛନ୍ତି ତାହା ବିଧାୟକ ଓ ମନ୍ତ୍ରୀ ମାନିବାକୁ ବାଧ୍ୟ ହେଉଛନ୍ତି। ନଚେତ ଚାକିରୀ ଚାଲିଯିବାର ଭୟ ରହିଛି ବୋଲି ସୌମ୍ୟରଂଜନ କହିଥିଲେ।

ସେ ପୁଣି କହିଥିଲେ ଯେ, ବର୍ତ୍ତମାନ ଲୋକେ ଜାନକୀବାବୁଙ୍କ ଶାସନକୁ ବେଶ ମନେ ପକାଉଛନ୍ତି। ସେତେବେଳେ ଜାନକୀବାବୁ ବାଘ ଓ ଛେଳିକୁ ଗୋଟିଏ ଘାଟରେ ପାଣି ପିଆଇ ଦେଉଥିଲେ। ହେଲେ ଏବେର ଶାସନରେ ତାହା ହେଉ ନାହିଁ ବୋଲି ସୌମ୍ୟରଂଜନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ।

ତେବେ ସଚିବଙ୍କ ଶାସନକୁ ନେଇ ସମାଲୋଚନା କରିଥିଲ ସୌମ୍ୟରଂଜନ। ସେ କହିଥିଲେ ଯେ, ଏବେ ଯେଉଁ ବ୍ୟବସ୍ଥା ଚାଲିଛି ତାହା ଭଲ। କାରଣ ସଚିବ ସବୁ କରିବେ। ବିଧାୟକ ବା ମନ୍ତ୍ରୀ କିଛି କରିବେ ନାହିଁ। କେତେ ଦୁର୍ନିତି ହେଲା ତାହା କେହି ଜାଣିବେ ନାହିଁ। ଘଟଣାଟି ମଧ୍ୟ ପ୍ରଘଟ ହେବ ନାହିଁ ବୋଲି କହି  ତେରଚ୍ଛା ବାଣ ମାରିଛନ୍ତି ସୌମ୍ୟ।

ସେ ପୁଣି କହିଛନ୍ତି ଯେ, ସଚିବମାନଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ। ହେଲେ ସେମାନଙ୍କୁ ଯେଉଁ ବିଧାୟକ ଓ ମନ୍ତ୍ରୀ ମୁଣ୍ଡାଇଛନ୍ତି ସେମାନଙ୍କର ଭୁଲ। ଚାକିରୀଆ ବହୂର ଶାଶୁ ଗୋଡ ମୋଡିବା ପରି ବର୍ତ୍ତମାନ ସେହି ସ୍ଥିତି ହୋଇଛି ବୋଲି ସୌମ୍ୟରଂଜନ କହିଛନ୍ତି। ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Categories
ବିଶେଷ ଖବର

ରାଜନୀତିରେ ବାରମ୍ବାର ବାଟ ବଦଳାଇବାରେ ଅଭ୍ୟସ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ଅଣନିଃଶ୍ଵାସୀ ହୋଇ ପଡିଲେଣି କି?  

କେଦାର ମିଶ୍ର 

ଓଡିଶାରେ ସର୍ବାଧିକ ଥର ଭୁଲ ରାଜନୈତିକ ନିଷ୍ପତ୍ତି ନେବାରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କର ବିଶେଷ ଖ୍ୟାତି ରହିଛି। ସେ ଓଡିଶାର ପ୍ରାୟ ସବୁ ରାଜନୈତିକ ଦଳରେ କିଛି କିଛି ଦିନ ରହି ସାରିଛନ୍ତି। କଂଗ୍ରେସ, ବିଜେପି, ଏନସିପି ଓ ବିଜେଡି ଭଳି ଦଳରେ ତାଙ୍କର ଯୋଗଦାନ ଯେତିକି ଗୁରୁତ୍ୱପୂର୍ଣ୍ଣ ରହିଥିଲା, ସେସବୁ ଦଳକୁ ଛାଡିବାରେ ମଧ୍ୟ ସେ ଇତିହାସ ତିଆରି କରିଛନ୍ତି।ସେ ନିଜେ ଏକ ଆଞ୍ଚଳିକ ଦଳ ଗଢି ତାକୁ ଭାଙ୍ଗି ମଧ୍ୟ ସାରିଛନ୍ତି। ଏବେ ଅବଶ୍ୟ ସେ ବିଜେଡିରେ ଅଛନ୍ତି ଓ ବିଭିନ୍ନ ସଭା ସମିତିରେ ଆଜି ମଧ୍ୟ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କର ଭୂୟସୀ ପ୍ରଶଂସା କରୁଛନ୍ତି। ତେବେ ସୌମ୍ୟ ବାବୁଙ୍କର ଲେଖାଲେଖି ଓ ତାଙ୍କର ସାଧାରଣ ସଭା ଗୁଡିକର ଭାଷଣରେ ଏବେ ବିଜେଡି ପ୍ରତି ମୋହଭଙ୍ଗର ଆଭାସ ସ୍ପଷ୍ଟ ବାରି ହୋଇପଡୁଛି। ତାଙ୍କ ଅଧୀନରେ ରହିଥିବା ଓଡିଶାର ସର୍ବାଧିକ ପ୍ରସାରିତ ଖବର କାଗଜ ସମ୍ବାଦ ଓ ଟେଲିଭିଜନ ଚାନେଲ କନକ ଟିଭିରେ ସରକାର ବିରୋଧୀ ଓ ସରକାର ସପକ୍ଷବାଦୀ ଖବରର ତାଳମେଳ ଏବେ ଆଉ ଦେଖିବାକୁ ମିଳୁନାହିଁ।

ବହୁ ଦଳ ବୁଲି ବୁଲି ସେ ଯେତେବେଳେ ବିଜୁ ଜନତା ଦଳରେ ଯୋଗଦେଲେ ଓ ସିଧା ସଳଖ ରାଜ୍ୟସଭାକୁ ନିର୍ବାଚିତ ହେଲେ, ସେତେବେଳେ ଆଶା କରାଯାଉଥିଲା ଯେ, ଏବେ ବୋଧେ ସେ ଆଉ ବିଚଳିତ ହେବେନାହିଁ। ୧୫ ବର୍ଷରୁ ଅଧିକ ସମୟ ନବୀନ ପଟ୍ଟନାୟକଙ୍କର ତୀବ୍ର ସମାଲୋଚକ ରହି ଆସିଥିବା ସୌମ୍ୟ ବାବୁ, ହଠାତ ରୂପ ବଦଳ କରିବା ଅନେକଙ୍କୁ ଆଶ୍ଚର୍ୟ କରି ଦେଇଥିଲା। ଏପରିକି ତାଙ୍କର ଘନିଷ୍ଠ ସହଯୋଗୀମାନେ ମଧ୍ୟ ସୌମ୍ୟ ବାବୁଙ୍କୁ ବିଜେଡିରେ ଦେଖି ଚକିତ ହୋଇ ପଡିଥିଲେ।

ବିଜେଡିରେ ତାଙ୍କର ଅବସ୍ଥାନକୁ ଦୁଇ ବର୍ଷ ମାତ୍ର ହୋଇଛି। ଦୁଇ ବର୍ଷ ଭିତରେ ସେ ରାଜ୍ୟସଭା କୁ ଯାଇ, ସେଠାରୁ ଇସ୍ତଫା ଦେଇ, ଅବିକା ବିଧାନସଭାର ସଦସ୍ୟ। ଦୀର୍ଘ ବର୍ଷ ଧରି ନିର୍ବାଚନୀ ରାଜନୀତିରେ ପରାଜୟ ଭୋଗିଥିବା ସୌମ୍ୟ ବାବୁଙ୍କୁ ପରିଶେଷରେ ଏକ ବିରାଟ ବିଜୟ ଉପହାର ସ୍ଵରୂପ ମିଳିଛି। ଖଣ୍ଡପଡାରେ ତାଙ୍କର ବିପୁଳ ବିଜୟ, ହୁଏତ ଗୋଟେ ବାର୍ତ୍ତା ଦେଇଥିଲା ଯେ ତାଙ୍କୁ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିପାରେ। ନିର୍ବାଚନ ପରେ ପରେ ସୌମ୍ୟଙ୍କ ମନ୍ତ୍ରୀପଦ ଓ ତାଙ୍କୁ ବାଚସ୍ପତି କରାଯାଇପାରେ ବୋଲି ଉଡା ଖବର ଘୂରିବା, ତାଙ୍କ ଲାଗି ସବୁଠୁ ବଡ ଅଡୁଆ ପାଲଟିଗଲା। ମନ୍ତ୍ରୀମଣ୍ଡଳରେ ସୌମ୍ୟଙ୍କ ଯୋଗଦାନ ନିଶ୍ଚିତ ବୋଲି ଯେଉଁ ପ୍ରଚାର ଚାଲିଥିଲା, ସେଥିରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ପାଣି ଢାଳିଦେଲେ। ତାପରେ ସୌମ୍ୟଙ୍କ ରାଜନୀତିରେ ପୁରୁଣା ଅଭ୍ୟାସର ପୁନରାବୃତ୍ତି ଘଟୁଛି।

ଏବେ ସୌମ୍ୟବାବୁ ତାଙ୍କର ପୁରୁଣା ସଂପାଦକୀୟ ସ୍ତମ୍ଭ “ଆମ ଘରର ହାଲଚାଲ” ନିୟମିତ ଲେଖିବା ଆରମ୍ଭ କରିଛନ୍ତି। ଜଣେ ବିଚକ୍ଷଣ ଲେଖକ ଓ ସମ୍ପାଦକ ଭାବରେ ତାଙ୍କର ପ୍ରତିଭା ରହିଛି, ହେଲେ ଏହି ପ୍ରତିଭା ତାଙ୍କ ରାଜନୈତିକ ଜୀବନର ସବୁଠୁ ବଡ ଜଞ୍ଜାଳ ହେବା ଆରମ୍ଭ କରିଛି। ତାଙ୍କ ସଂପାଦକୀୟ ଅଗ୍ରଲେଖ ଗୁଡିକୁ ନେଇ ବିଜେପି ଓ ବିଜେପିର ପୃଷ୍ଠପୋଷକତାରେ ଚାଲିଥିବା କେତେକ ଗଣମାଧ୍ୟମ, ଏବେ ବଢିଆ ପ୍ରସଙ୍ଗ ପାଇ ଯାଇଛନ୍ତି। ଏଠି ଉଲ୍ଲେଖଯୋଗ୍ୟ ଯେ ୨୦୧୬-୧୭ ରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଲେଖା ଗୁଡିକୁ ବିଜେପି ଠିକ ଏଭଳି ବ୍ୟବହାର କରୁଥିଲା। ନବୀନଙ୍କ ବିରୋଧରେ ବିଜେଡ଼ିର ଜଣେ ବିଧାୟକଙ୍କ ଲେଖାରୁ ଜୀରା ରୁ ଶିରା କାଢିବାର ସୁଯୋଗ ଏବେ ବିଜେପି ନେଉଛି। ନେବା ସ୍ଵାଭାବିକ ମଧ୍ୟ। ଜଣେ ସମ୍ପାଦକ ଭାବରେ ସୌମ୍ୟ ବାବୁ ସରକାରର ସ୍ତାବକ ହୋଇ ପାରିବେ ନାହିଁ। ଏକ ସନ୍ତୁଳିତ ମତ ରଖିବାକୁ ଯାଇ ତାଙ୍କୁ ସରକାରକୁ କିଛିଟା ସମାଲୋଚନା ମଧ୍ୟ କରିବାକୁ ପଡିବ। ବାସ, ସେଇଠି ରହିଛି ଅସଲ ସମସ୍ୟା। ଆଜିକାଲିର ରାଜନୀତିରେ ସବୁକିଛି କଳା ନଚେତ ଧଳା। ମଝାମଝି ବୋଲି କିଛି ନାହିଁ। ଏବେ ବିଜେଡି ଭିତରେ ସୌମ୍ୟରଞ୍ଜନ ସବୁଠୁ ମୁଣ୍ଡବିନ୍ଧା ବୋଲି ଏକ ଧାରଣା କ୍ରମେ ସୃଷ୍ଟି ହୋଇ ଚାଲିବ ଓ ଏହାର ଆଧାରରେ ଅଳ୍ପ କିଛିମାସ ବା ବର୍ଷ  ପରେ ସୌମ୍ୟଙ୍କୁ ବିଜେଡ଼ିରୁ ବିଦା କରିବାର ବାଟ ପରିଷ୍କାର ହୋଇଯିବ।

ସୌମ୍ୟ ନିଜେ ଏ ପ୍ରକାର ଘଟୁ ବୋଲି ଚାହୁଁଛନ୍ତି ନା ତାଙ୍କ ବିରୋଧରେ ତାଙ୍କ ଲେଖାକୁ ପ୍ରୟୋଗ କରାଯାଉଛି, ତାହା ମଧ୍ୟ ଏକ ଜଟିଳ ପ୍ରଶ୍ନ। ସ୍ଵଭାବତଃ ଅସ୍ଥିର ସୌମ୍ୟରଞ୍ଜନଙ୍କ ରାଜନୀତିରେ ବିଜେଡି ପ୍ରତି ମୋହଭଙ୍ଗ ହେବା ଓ ଅନ୍ୟ ଦଳ ପ୍ରତି ଆସକ୍ତି ବଢିବା, କିଛି ନୂଆ କଥା ନୁହେଁ। ତେବେ ବିଜେଡିରେ ସୌମ୍ୟ ବାବୁ ଆଉ କେତେଦିନ ରହି ପାରୁଛନ୍ତି, ତାହାର ଅବଗଣନା, କେହି କେହି ଆରମ୍ଭ କରି ଦେଲେଣି!

Categories
ବିଶେଷ ଖବର

ବିଜେଡିରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ଭୂମିକାକୁ ନେଇ ସନ୍ଦେହ, ତାଙ୍କୁ ଦଳ କୋଳେଇ ନେଇ କିଛି ଭୁଲ କରିଛି କି ?

ସମୀକ୍ଷା ବ୍ୟୁରୋ

ଆମେ କହୁଛୁ ବିଧାନସଭା ଚାଲିଥିବା ବେଳର ଏକ ଘଟଣା। ହଠାତ୍ ଗୃହ ଭିତରୁ ଜଣେ ଟାଣୁଆ ବିଜେଡି ବିଧାୟକ ରାଗ ତମତମ ହୋଇ ବାହରକୁ ବାହାରି ଆସିଲେ। ତାଙ୍କର ଏପରି ଅବସ୍ଥା ଦେଖି ସାମ୍ବାଦିକମାନେ ତାଙ୍କ ଚାରିପଟେ ଘେରି ଗଲେ। ହେଲେ ସେ କିଛି କହିଲେ ନାହିଁ। ସିଧା ଜଣେ ମନ୍ତ୍ରୀଙ୍କ ଚ୍ୟାମ୍ବର ଭିତରକୁ ପଶିଯାଇ ଲଥ କରି ବସିଗଲେ। ସେତେବେଳେ ସେ ଚ୍ୟାମ୍ବରରେ ମନ୍ତ୍ରୀ ନ ଥିଲେ। ଏକାକି ବସିଥିବାର ଦେଖି ତାଙ୍କ ପାଖକୁ ଆମେ ଗଲୁ। ପଚାରିଲୁ ଭାଇ କଣ ହେଲା କି ? ସେ ରାଗ ତମତମ ହୋଇ କହିଲେ ଯେ, ସମ୍ବାଦରେ ଛପାଯାଇଥିବା ନାବାଳିକା ନିର୍ଯ୍ୟାତନ ରିପୋର୍ଟକୁ ନେଇ ବର୍ତ୍ତମାନ ବିରୋଧୀ ଘେରି ଗଲେଣି। ରାଜ୍ୟରେ ଏହି ନିର୍ଯ୍ୟାତନର ସ୍ଥିତି କଣ ଅଛି ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଦାବୀ କରୁଛନ୍ତି। ଗୃହ ବାରମ୍ବାର ମୁଲତବି ଘୋଷଣା ହେଲାଣି। ଆଉ କେଉଁ ଖବରକାଗଜରେ ବାହାରିଥିଲେ ଅଲଗା କଥା। ହେଲେ ଖୋଦ ସୌମ୍ୟବାବୁ ଖବରକାଗଜରେ ଏ କଥା ବାହାରିଲା। ସରକାରଙ୍କୁ ଅଡୁଆ ହେବା ପରି କିପରି ରିପୋର୍ଟ ଛାପୁଛନ୍ତି ଦେଖୁ ନାହାଁନ୍ତି । ସେ ଏପରି ଅବସ୍ଥା କରିଦେଲେଣି ଯେ, ଏପଟେ ସରକାରଙ୍କୁ ଅଡୁଆ ସେପଟେ ଦଳକୁ ମଧ୍ୟ ଅଡୁଆ ହେଉଛି।

ଆମେ ପଚାରିଲୁ ସୌମ୍ୟବାବୁ ହେଉଛନ୍ତି ଜଣେ ମିଡିଆ ଲୋକ, ସେ ବିଜେଡିରେ ଯୋଗଦେବେ ବୋଲି କଣ ତାଙ୍କ କାଗଜ ମଧ୍ୟ ଆପଣଙ୍କ ଦଳରେ ସାମଲି ହେବ କି? ସେ ଚଟାପଟ କହିଲେ, କାହିଁକି ସାମିଲ ହେବ ନାହିଁ, ତାଙ୍କର ପେପର ପାଇଁ ତ ତାଙ୍କୁ ଦଳରେ ମିଶାଗଲା, ରାଜ୍ୟସଭା ସଦସ୍ୟ କରାଗଲା, ବିଧାୟକ କରାଗଲା। ସେ ଯେ ଜଣେ ଭଲ ନେତା, ସେଥିପାଇଁ ତ ତାଙ୍କୁ ଦଳରେ ମିଶାଯାଇ ନାହିଁ। ତାଙ୍କ ରାଜନୈତିକ ଜୀବନରେ ସେ କେତେଥର ଜିତିକି ଆସିଛନ୍ତି କି ? ବିଜେଡିରେ ଆସିବା ପରେ ସବୁ ପଦପଦବୀ ଦିଆଗଲା, ବିଜେଡି ବ୍ରାଣ୍ଡରେ ସେ ଜିତିକି ଆସିଲେ। ଦଳ ଏତେସବୁ ତ୍ୟାଗ କରିବା ପରେ ସେ କାହିଁକି ସରକାରଙ୍କ ବିରୋଧରେ ଏପରି ଲେଖୁଛନ୍ତି। ଏହା କଣ ଠିକ୍ କଥା!

ତାପରଦିନ ମଧ୍ୟ ସେହି କଥା। ସମ୍ବାଦର ଆଉ ଏକ ରିପୋର୍ଟକୁ ନେଇ ବିଧାନସଭାରେ ତୁମ୍ବି ତୋଫାନ ହେଲା। ଆମେ ସେ ବିଧାୟକଙ୍କୁ ଖୋଜିଲୁ। ଭାଗ୍ୟବସତଃ ଅପରାହ୍ନରେ ତାଙ୍କର ଦେଖା ମିଲିଲା। ପଚାରିଲୁ ଆଜ୍ଞା ଆଜି ମଧ୍ୟ ସମ୍ବାଦର ଏକ ରିପୋର୍ଟକୁ ନେଇ ଗୃହରେ ଝଡ ସୃଷ୍ଟି ହୋଇଛି। ସେତିକି ନୁହେଁ, ସମ୍ବାଦରେ ବାହାରିଛି ଯେ, ତାଙ୍କ ଖବରକୁ ନେଇ ଗୃହରେରେ  ତୁମ୍ବି ତୋଫାନ। ସେଥିପାଇଁ ସେମାନେ ବେଶ୍ ଖୁସି। କଣ ଘଟଣାଟି ଟିକେ କହୁ ନାହାଁନ୍ତି। ସେ ହସିଦେଲେ, କହିଲେ ଆପଣ ସବୁ ଜାଣିଛନ୍ତି। ମୋତେ ବକରା ବନାଇବାକୁ ଚାହୁଛନ୍ତି। ଆମେ କହିଲୁ ନାହଁ ଆଜ୍ଞା, ପ୍ରକୃତରେ ଭିତର କଥାଟା କଣ ଆମେ ଜାଣି ନାହୁଁ। ଯାହା ଚର୍ଚ୍ଚା ଚାଲିଛି ଯେ ନବୀନବାବୁ ତାଙ୍କୁ ମନ୍ତ୍ରୀ କଲେ ନାହିଁ ବୋଲି ସେ କୁଆଡେ ଖପ୍ପା ହୋଇଛନ୍ତି। ସେ ଉତ୍ତର ଦେଲେ ଆପଣ ତ ଜାଣିଛନ୍ତି ମୋତେ କାହିଁକି ପଚାରୁଛନ୍ତି। ନାହିଁ ଆଜ୍ଞା, ଆମର କହିବା କଥା ଯେ, ବର୍ତ୍ତମାନ ଆପଣଙ୍କ ସୁପ୍ରିମୋ ଏ କଥା ଜାଣିସାରିବେଣି। ସେ ବର୍ତ୍ତମାନ କଣ କିଛି ପଦକ୍ଷେପ ନେଉଛନ୍ତି କି ନା ନାହିଁ। ଆମର ଏପରି ପ୍ରଶ୍ନରେ ସେ ଟିକିଏ ଅପ୍ରସ୍ତୁତ ହୋଇଗଲେ। କହିଲେ କେଜାଣି ଆମେ ମଧ୍ୟ ଜାଣିପାରୁ ନାହୁଁ କଣ ଚାଲିଛି।

ଆଜ୍ଞା, ସୌମ୍ୟବାବୁ  ଯେତେବେଳେ ଆମ ଦଳରେ ମିଶିଲେ, ମୋ ପରି କେତେକ ନେତା ଏହି ନିଷ୍ପତିକୁ ପସନ୍ଦ କରି ନ ଥିଲୁ। ଏପରିକି ତାଙ୍କୁ କହିଥିଲୁ ଯେ, ଆପଣ ତାଙ୍କୁ ଦଳରେ ମିଶାଉଛନ୍ତି ଠିକ୍ ଅଛି, ହେଲେ ସେ ଦଳ କଥା ମାନି ଚଳିବେ ସେ ବିଶ୍ବାସ ରଖନ୍ତୁ ନାହିଁ। ସେତେବେଳେ ଆମ କଥା କେତେକଙ୍କୁ  ଗନ୍ଧାଇଥିଲା। ହେଲେ ଏବେ ଆମ ସୁପ୍ରିମୋ ବୁଝୁଥିବେ। ଏପରି ଲୋକଙ୍କୁ ଆଣି ଦଳର ତ କୌଣସି ଲାଭ ହେଉ ନାହିଁ ବରଂ କ୍ଷତି ହେବାରେ ଲାଗିଛି।

ବିଧାନସଭା ସରିବାର କିଛି ଦିନ ପରେ ସେ ବିଧାୟକଙ୍କୁ ଭୁବେନଶ୍ବରର ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଲା। ତାଙ୍କୁ ଦେଖି ସେହି କଥା ପୁଣି ଥରେ ପଚାରିବାକୁ ଇଚ୍ଛା ହେଲା। ଆଜ୍ଞା ଦଳ କେମିତ ଚାଲିଛି ବୋଲି ପଚାରି ଦେଲୁ। ସେ କହିଲେ ଜାଣିଛନ୍ତି ସୌମ୍ୟବାବୁ ନୟାଗଡରେ ଏକ ଦଳ କରି ଯୁବକମାନଙ୍କୁ ଶପଥ କରାଉଛନ୍ତି। ଆମେ କହିଲୁ ହଁ ଏଥିରେ କିଛି ଅସୁବିଧା ହେଲା କି ?  ସେ ହସି ହସି କହିଲେ ହୋଇନି, ଅସୁବିଧା କରିବାକୁ ବର୍ତ୍ତମାନ ସୌମ୍ୟବାବୁ ରାସ୍ତା ତିଆରି କରୁଛନ୍ତି। ଆପଣ ସୌମ୍ୟବାବୁଙ୍କୁ ବୋଧହୁଏ ଜାଣି ନାହାଁନ୍ତି। ଆପଣ ସେଦିନ ବିଧାନସଭାରେ କହୁଥିଲେ ଯେ, ସୌମ୍ୟବାବୁଙ୍କୁ ମନ୍ତ୍ରୀ କରାଗଲା ନାହିଁ ବୋଲି ସେ ତାଙ୍କ କାଗଜରେ ସରକରାଙ୍କୁ ଅଡୁଆରେ ପକାଉଛନ୍ତି। କଥାଟି ସେତିକିରେ ସରି ନାହିଁ। ସୌମ୍ୟବାବୁ ପୁରା ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖିସାରିଲେଣି।

ତାଙ୍କ କାର ପାଖକୁ ଚାଲିଚାଲି ଯିବା ବେଳେ ସେ ଆଉ କିଛି କଥା କହିଲେ, ଯାହା ଆମକୁ ଆଶ୍ଚର୍ଯ୍ୟ କରିଥିଲା। ସେ କହିଲେ, ଗତ ନିର୍ବାଚନରେ ସୌମ୍ୟବାବୁ ତାଙ୍କର ବହୁ ପ୍ରାର୍ଥୀଙ୍କୁ ଟିକେଟ ଦେବା ପାଇଁ ଲବି କରିଥିଲେ। କାରଣ ହେଲା ତାଙ୍କ ଲୋକ ଜିତିକି ଆସିଲେ ବିଜେଡି ମାଧ୍ୟମରେ ତାଙ୍କ ବ୍ୟକ୍ତିଗତ ରାଜନୀତିକୁ ସୁଦୃଢ କରିଦେବେ। ହେଲେ ଭାଗ୍ୟ ଭଲ ନବୀନବାବୁ ଏ ସବୁ ଜାଣିପାରି ତାହା କରାଇ ଦେଲେ ନାହିଁ। ଆପଣ ବିଶ୍ବାସ କରିବେ ନାହିଁ, ବର୍ତ୍ତମାନ ସୌମ୍ୟବାବୁ ବିଜେଡିକୁ କିପରି କରାୟତ କରିବେ ସେ ନେଇ ଖାଲି ଦିନରାତି ଚିନ୍ତା କରୁଛନ୍ତି। ନବୀନବାବୁ ଅବସର ନେଲେ ସେ ଦଳର ମୁଖିଆ ହେବେ ବୋଲି ତାଙ୍କର ବଡ ଇଚ୍ଛା ଅଛି।

ଏକଥା ଶୁଣି ଆମେ ହତବାକ ହେଲୁ। ସୋମ୍ୟବାବୁ କଣ ଭିତରେ ଭିତରେ ଏତେ କଥା ଭାବି ସାରିଲେଣି। ତେବେ ଭବିଷ୍ୟତ କଣ ହେବ ବୋଲି ଆମେ ତାଙ୍କୁ ପଚାରିଲୁ। ସେ କହିଲେ କିଛି ନାଇଁ। ଏମିତି ବହୁ ନେତା ଅଛନ୍ତି ଯେଉଁମାନେ ଦଳ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନରେ ବିଭୋର ହୋଇ ଦଳରୁ ତଡା ଖାଇଛନ୍ତି। ଏବେ ଘରେ ବସି ରହିଛନ୍ତି। ସେମିତି ତାଙ୍କର ଅବସ୍ଥା ହେବ। ସତକଥା ଆଜ୍ଞା, ଆମ ଦଳ ସୌମ୍ୟବାବୁଙ୍କୁ କୋଳେଇ ନେଇ ମସ୍ତବଡ ଭୁଲ କରିଛି। ଦେଖନ୍ତୁ ଆଗକୁ ସେ ଆହୁରି କଣ କରୁଛନ୍ତି। ଦିନେ ନା ଦିନେ ସେ ଦଳ ପାଇଁ ସମସ୍ୟା ସୃଷ୍ଟି କରିବେ। ଏପରି କଥା କହି କହି ସେ ତାଙ୍କ କାର ଭିତରକୁ ପଶି ଆମକୁ ବାଏ କଲେ। ହେଲେ ତାଙ୍କ କଥାର କେତେ ଗୁରତ୍ବ ରହିଛି ତାହା ଠିକରେ ବୁଝି ହେଲା ନାହିଁ।