ପୁଣି ତେରଚ୍ଛା ବାଣ ମାରିଲେ ସୌମ୍ୟ ରଂଜନ, ନବୀନଙ୍କୁ ନିନ୍ଦା, ଜାନକୀଙ୍କୁ ପ୍ରଶଂସା

Published: Jul 15, 2023, 5:52 pm IST
soumya

ଭୁବନେଶ୍ବର: ମଝିରେ ମଝିରେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଦଳରେ ରହି ଦଳ ବିରୋଧରେ ବାଣ ମାରିବାକୁ ଭଲ ପାଆନ୍ତି। କେତେବେଳେ ସଭା ସମିତିରେ ହେଉ କିମ୍ବା ଲେଖା ମାଧ୍ୟମରେ, ସେ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବାରେ ଆଗ୍ରହ ରଖିଥାନ୍ତି।

ସେହି ପରିପ୍ରେକ୍ଷୀରେ ବର୍ତ୍ତମାନ ସୌମ୍ୟରଂଜନ ଆଉ ଏକ ବାଣ ମାରିଛନ୍ତି। ଏକ କାର୍ଯ୍ୟକ୍ରମରେ ସେ ଯୋଗଦେଇ ସେତେବେଳର ଜାନକୀବାବୁଙ୍କ ଶାସନ ଭଲ ଥିଲା, ଏବେ ଶାସନ ଭଲ ନାହିଁ ବୋଲି କହିଛନ୍ତି। ଅର୍ଥାତ ନବୀନ ବାବୁଙ୍କ ଶାସନ ଭଲ ନାହିଁ ବୋଲି ଟିକିଏ ବଙ୍କେଇ କହିଛନ୍ତି। ସେ କହିଲେ ଯେ, ସେତେବେଳେ ମନ୍ତ୍ରୀ ବିଧାୟକମାନେ ସଚିବମାନଙ୍କୁ ଉଠ ବସ କରାଉଥିଲେ। ଏବେ ତାହା ଓଲଟା ହୋଇଛି।

ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନ ନେଇ କହିଲେ ଯେ, ଏବେର ଶାସନରେ ବିଧାୟକ ମନ୍ତ୍ରୀ ସଚିବଙ୍କ ଦ୍ବାରା ଉଠବସ ହେଉଛନ୍ତି। ସେମାନେ ଯାହା କହୁଛନ୍ତି ତାହା ବିଧାୟକ ଓ ମନ୍ତ୍ରୀ ମାନିବାକୁ ବାଧ୍ୟ ହେଉଛନ୍ତି। ନଚେତ ଚାକିରୀ ଚାଲିଯିବାର ଭୟ ରହିଛି ବୋଲି ସୌମ୍ୟରଂଜନ କହିଥିଲେ।

ସେ ପୁଣି କହିଥିଲେ ଯେ, ବର୍ତ୍ତମାନ ଲୋକେ ଜାନକୀବାବୁଙ୍କ ଶାସନକୁ ବେଶ ମନେ ପକାଉଛନ୍ତି। ସେତେବେଳେ ଜାନକୀବାବୁ ବାଘ ଓ ଛେଳିକୁ ଗୋଟିଏ ଘାଟରେ ପାଣି ପିଆଇ ଦେଉଥିଲେ। ହେଲେ ଏବେର ଶାସନରେ ତାହା ହେଉ ନାହିଁ ବୋଲି ସୌମ୍ୟରଂଜନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ।

ତେବେ ସଚିବଙ୍କ ଶାସନକୁ ନେଇ ସମାଲୋଚନା କରିଥିଲ ସୌମ୍ୟରଂଜନ। ସେ କହିଥିଲେ ଯେ, ଏବେ ଯେଉଁ ବ୍ୟବସ୍ଥା ଚାଲିଛି ତାହା ଭଲ। କାରଣ ସଚିବ ସବୁ କରିବେ। ବିଧାୟକ ବା ମନ୍ତ୍ରୀ କିଛି କରିବେ ନାହିଁ। କେତେ ଦୁର୍ନିତି ହେଲା ତାହା କେହି ଜାଣିବେ ନାହିଁ। ଘଟଣାଟି ମଧ୍ୟ ପ୍ରଘଟ ହେବ ନାହିଁ ବୋଲି କହି  ତେରଚ୍ଛା ବାଣ ମାରିଛନ୍ତି ସୌମ୍ୟ।

ସେ ପୁଣି କହିଛନ୍ତି ଯେ, ସଚିବମାନଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ। ହେଲେ ସେମାନଙ୍କୁ ଯେଉଁ ବିଧାୟକ ଓ ମନ୍ତ୍ରୀ ମୁଣ୍ଡାଇଛନ୍ତି ସେମାନଙ୍କର ଭୁଲ। ଚାକିରୀଆ ବହୂର ଶାଶୁ ଗୋଡ ମୋଡିବା ପରି ବର୍ତ୍ତମାନ ସେହି ସ୍ଥିତି ହୋଇଛି ବୋଲି ସୌମ୍ୟରଂଜନ କହିଛନ୍ତି। ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Related posts