Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଶ୍ରୀଲଙ୍କା ଏବଂ ମରିସସରେ ୟୁପିଆଇ ସେବାର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ ଏବଂ ମରିସସର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନାଥ ଆଜି ଶ୍ରୀଲଙ୍କା ଏବଂ ମରିସସରେ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା ଏବଂ ରୁପେ କାର୍ଡ ସେବାର ଶୁଭାରମ୍ଭ କରିଛନ୍ତି।

ଫିନଟେକ୍ ଉଦ୍ଭାବନ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଭାବେ ଉଭା ହୋଇଛି। ଅଂଶୀଦାର ଦେଶମାନଙ୍କ ସହିତ ଆମର ବିକାଶ ଅଭିଜ୍ଞତା ଏବଂ ଉଦ୍ଭାବନ ବାଣ୍ଟିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀଲଙ୍କା ଏବଂ ମରିସସ୍ ସହିତ ଭାରତର ଦୃଢ଼ ସାଂସ୍କୃତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଦୃଷ୍ଟିରେ ରଖି, ଏହି ଶୁଭାରମ୍ଭ ଦ୍ରୁତ ଏବଂ ନିରବଚ୍ଛିନ୍ନ ଡିଜିଟାଲ କାରବାର ଅଭିଜ୍ଞତା ମାଧ୍ୟମରେ ବିଭିନ୍ନ ବର୍ଗର ଲୋକଙ୍କୁ ଉପକୃତ କରିବ ଏବଂ ଦୁଇ ଦେଶ ମଧ୍ୟରେ ଡିଜିଟାଲ ସଂଯୋଗକୁ ବଢ଼ାଇବ।

ଏହି ଶୁଭାରମ୍ଭ ଦ୍ୱାରା ଶ୍ରୀଲଙ୍କା ଏବଂ ମରିସସ୍ ଯାତ୍ରା କରୁଥିବା ଭାରତୀୟ ନାଗରିକ ତଥା ଭାରତକୁ ଯାତ୍ରା କରୁଥିବା ମରିସସ୍ ନାଗରିକଙ୍କ ପାଇଁ ୟୁପିଆଇ ସେଟଲମେଣ୍ଟ ସେବା ଉପଲବ୍ଧ ହେବ। ମରିସସରେ ରୁପେ କାର୍ଡ ସେବାର ସମ୍ପ୍ରସାରଣ ଦ୍ୱାରା ମରିସସ୍ର ବ୍ୟାଙ୍କଗୁଡିକ ମରିସସରେ ରୁପେ ବ୍ୟବସ୍ଥା ଉପରେ ଆଧାରିତ କାର୍ଡ ଜାରି କରିବାରେ ସକ୍ଷମ ହେବେ ଏବଂ ଉଭୟ ଭାରତ ଏବଂ ମରିସସରେ ରୁପେ କାର୍ଡର ବ୍ୟବହାରକୁ ସହଜ କରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ମାଲଦ୍ୱୀପକୁ ‘ଗୁପ୍ତଚର ଜାହାଜ’ ପଠାଇଲା ଚୀନ୍: ଶ୍ରୀଲଙ୍କାରେ ମଧ୍ୟ ପହଞ୍ଚିଲା ଭାରତର ଶକ୍ତିଶାଳୀ ବୁଡ଼ାଜାହାଜ!

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ତିକ୍ତତା କାହାକୁ ଅଛପା ନାହିଁ। ଗତ କିଛି ବର୍ଷ ମଧ୍ୟରେ ଚୀନ୍ ଭାରତର ପଡୋଶୀ ଦେଶ ନିଜର ପ୍ରଭାବ ପ୍ରତିଷ୍ଠା କରିଛି। ଏହା ଧୀରେ ଧୀରେ ଶ୍ରୀଲଙ୍କା, ମାଲଦ୍ୱୀପ, ପାକିସ୍ଥାନ, ନେପାଳ, ବାଂଲାଦେଶ ଭଳି ଦେଶରେ ଅନୁପ୍ରବେଶ କରୁଛି ଯାହା ଭାରତ ପାଇଁ ସୁରକ୍ଷା ଚିନ୍ତା ସୃଷ୍ଟି କରିଛି। ତେବେ ଭାରତ ମଧ୍ୟ ଏହାର ଉପଯୁକ୍ତ ଉତ୍ତର ଦେବା ଆରମ୍ଭ କରିଛି ଏବଂ ଚୀନ୍ ଶ୍ରୀଲଙ୍କାରେ ମଧ୍ୟ ସମାନ ଜବାବ ପାଇଛି ଯେଉଁଠାରେ ଏକ ଭାରତୀୟ ନୌସେନାର ବୁଡ଼ାଜାହାଜ ପହଞ୍ଚିଛି।

ଡେକାନ ହେରାଲ୍ଡ ରିପୋର୍ଟ ଅନୁଯାୟୀ, ଭାରତୀୟ ନୌସେନା ଶ୍ରୀଲଙ୍କାର ଏକ ପ୍ରମୁଖ ବନ୍ଦରକୁ INS କରଞ୍ଜ ବୁଡ଼ାଜାହାଜ ପଠାଇଛି। ଏହା ମାଧ୍ୟମରେ ଆଜିକାଲି ଚୀନ୍‌ର କୋଳରେ ବସିଥିବା ମାଲଦ୍ୱୀପ ଭଳି ଚୀନ୍‌କୁ ମଧ୍ୟ ଏକ ଦୃଢ ବାର୍ତ୍ତା ଦିଆଯାଇଛି। INS କରଞ୍ଜ ଶନିବାର ଦିନ ଶ୍ରୀଲଙ୍କାରେ ପହଞ୍ଚିଥିଲା, ଯେଉଁ ସମୟରେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି ନୌସେନାର ଗୁପ୍ତଚର ଜାହାଜ ‘ଜିଆଙ୍ଗ ୟାଙ୍ଗ ହଙ୍ଗ ୩’ ମାଲଦ୍ୱୀପ ଆଡକୁ ଯାଉଥିଲା।

ଏଥି ସହିତ ଯେତେବେଳେ ଭାରତୀୟ ନୌସେନାର ଡିଜେଲ-ଇଲେକ୍ଟ୍ରିକ୍ ବୁଡ଼ାଜାହାଜ INS କରଞ୍ଜ କଲମ୍ବୋ ବନ୍ଦରରେ ପହଞ୍ଚିଲା, ସେତେବେଳେ ଏହାକୁ ଶ୍ରୀଲଙ୍କା ନୌସେନା ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲା। କଲମ୍ବୋରେ ନୂଆଦିଲ୍ଲୀର ରାଷ୍ଟ୍ରଦୂତ ସନ୍ତୋଷ ଝା ଏହି ବୁଡ଼ାଜାହାଜ ପରିଦର୍ଶନ କରି କମାଣ୍ଡିଂ ଅଫିସର, କମାଣ୍ଡର ଅରୁଣାଭ ଏବଂ ତାଙ୍କ କ୍ରୁ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଶ୍ରୀଲଙ୍କା ନୌସେନାର ପ୍ରାୟ ୧୦୦ ଜଣ ମନୋନୀତ କର୍ମଚାରୀଙ୍କୁ ବୁଡ଼ାଜାହାଜ ବିଷୟରେ ସୂଚନା ଦିଆଯାଇଥିଲା।

ପରେ କମାଣ୍ଡିଂ ଅଫିସର ଶ୍ରୀଲଙ୍କା ନୌସେନାର ପଶ୍ଚିମ ନାଭାଲ୍ ଏରିଆର କମାଣ୍ଡର ରିୟର ଆଡମିରାଲ୍ ସମନ୍ ପେରେରାଙ୍କୁ ଭେଟିଥିଲେ। ଶ୍ରୀଲଙ୍କାର ରାଜଧାନୀରେ ଭାରତୀୟ ଉଚ୍ଚ ଆୟୋଗ ଦ୍ଵାରା ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଏହି ବୁଡ଼ାଜାହାଜ ସୋମବାର କଲମ୍ବୋ ବନ୍ଦରରୁ ପ୍ରସ୍ଥାନ କରିବ।

ରବିବାର ଦିନ ଶ୍ରୀଲଙ୍କା ଏହାର ସ୍ୱାଧୀନତା ଦିବସ ପାଳନ କରୁଥିବା ସମୟରେ ନୌସେନା ଶ୍ରୀଲଙ୍କାକୁ ବୁଡ଼ାଜାହାଜ ପଠାଇଛି। ବୁଡ଼ାଜାହାଜ ପଠାଇବା ପାଇଁ ଭାରତର ଉଦ୍ଦେଶ୍ୟ ଭାରତ ମହାସାଗରରେ ସୁରକ୍ଷା ଯୋଗାଇବା ପାଇଁ ଦେଇଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ଏହା ମଧ୍ୟ ଚୀନ୍ କୁ ଏକ ବାର୍ତ୍ତା ଦେଇଛି ଯେ, ଯଦିଓ ଏହା ଭାରତ ମହାସାଗରରେ ନିଜର କାର୍ଯ୍ୟକଳାପ ବୃଦ୍ଧି କରିବାରେ ଲାଗିଛି, ତେବେ ଭାରତ ମଧ୍ୟ ଜବାବ ଦେବାକୁ ପ୍ରସ୍ତୁତ ଅଛି। ଭାରତୀୟ ବୁଡ଼ାଜାହାଜ ଶ୍ରୀଲଙ୍କାରେ ପହଞ୍ଚିଛି, ଯେଉଁ ସମୟରେ ଚୀନ୍ ନୌସେନାର ‘ଗୁପ୍ତଚର ଜାହାଜ’ ଜିଆଙ୍ଗ ୟାଙ୍ଗ ହଙ୍ଗ-୩ ମାଲଦ୍ୱୀପର ରାଜଧାନୀ ମାଲେରେ ପହଞ୍ଚୁଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ବଡ ଆଶ୍ଵସ୍ତି, ପ୍ରତିବନ୍ଧକ ହଟାଇଲା ଆଇସିସି

ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଉପରେ ଲାଗୁ ହୋଇଥିବା ନିଲମ୍ବନକୁ ଆଇସିସି ହଟାଇ ଦେଇଛି। ଆଇସିସି ରବିବାର ଏହି ନିଷ୍ପତ୍ତି ନେଇଛି। ତୁରନ୍ତ ପ୍ରଭାବ ସହିତ ଆଇସିସି ଶ୍ରୀଲଙ୍କା କ୍ରିକେଟ୍ ଉପରେ ହୋଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ସରକାରୀ ହସ୍ତକ୍ଷେପ ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଶ୍ରୀଲଙ୍କା କ୍ରିକେଟ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ନଭେମ୍ବର ୧୦ ତାରିଖ ୨୦୨୩ରେ ଆଇସିସିର ସଦସ୍ୟ ଭାବରେ ଦାୟିତ୍ଵ ଉଲ୍ଲଂଘନ କରିଥିବାରୁ ଶ୍ରୀଲଙ୍କା କ୍ରିକେଟ୍ କୁ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ଆଇସିସି ବୋର୍ଡ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି ଯେ, ଦ୍ୱିପାକ୍ଷିକ ଏବଂ ଆଇସିସି ଇଭେଣ୍ଟରେ ଶ୍ରୀଲଙ୍କା ଖେଳିପାରିବ। କିନ୍ତୁ ବର୍ତ୍ତମାନ ଖେଳାଯାଉଥିବା ଅଣ୍ଡର -୧୯ ବିଶ୍ୱକପ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତରିତ କରାଯାଇଛି, ଯାହା ପୂର୍ବରୁ ଶ୍ରୀଲଙ୍କାରେ ଖେଳାଯିବାର ଥିଲା।

Categories
ବିଶେଷ ଖବର

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ନୌସେବା ଆରମ୍ଭ କରାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ନାଗାପଟ୍ଟିନମ୍ ଓ ଶ୍ରୀଲଙ୍କାର କାନକେସନଥୁରାଇ ମଧ୍ୟରେ ନୌସେବାକୁ ଆଜି (୧୪.୧୦.୨୦୨୩) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବା ସହ ସମ୍ବୋଧନ କରିଛନ୍ତି। ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାଗାପଟ୍ଟିନମ୍ ଓ କାନକେସନଥୁରାଇ ମଧ୍ୟରେ ନୌସେବାର ଉଦ୍ଘାଟନ ଯୋଗୁଁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କୂଟନୈତିକ ଓ ଆର୍ଥିକ ସମ୍ପର୍କର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବା ସହ ଏହା ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସଂସ୍କୃତି, ବାଣିଜ୍ୟ ଓ ସଭ୍ୟତାର ଇତିହାସ ଉପରେ ଅବଲୋକନ କରି ଶ୍ରୀ ମୋଦୀ କହିଥିଲେ ଯେ ନାଗାପଟ୍ଟିନମ୍ ଓ ଆଖାପାଖ ନଗରୀଗୁଡିକ ସାମୁଦ୍ରିକ ବାଣିଜ୍ୟ ନିମନ୍ତେ ଜଣାଶୁଣା। ଶ୍ରୀଲଙ୍କା ଓ ଅନ୍ୟାନ୍ୟ ଦେଶଗୁଡିକ ସହ ଏହି ବାଣିଜ୍ୟିକ ସମ୍ପର୍କ ରହିଥିବାବେଳେ ପ୍ରାଚୀନ ତାମିଲ ସାହିତ୍ୟରେ ପୁମ୍ପୁହର ଐତିହାସିକ ବନ୍ଦରର ଉଲ୍ଲେଖ ମଧ୍ୟ ରହିଛି।

ସେ ମଧ୍ୟ ସଂଗମ ଯୁଗ ସାହିତ୍ୟରେ ପାଟିନାପାଲ୍ଲାଇ ଓ ମଣିମେକଲାର ବିଷୟ ଉଲ୍ଲେଖ କରିଥିଲେ ଯାହା ଦୁଇ ଦେଶ ମଧ୍ୟରେ ନୌକା ଯାତାୟତ ନେଇ ସୂଚନା ଦେଇଥାଏ। ଶ୍ରୀ ମୋଦୀ ମଧ୍ୟ ମହାନ୍ କବି ସୁବ୍ରମନିୟମ ଭାରତୀଙ୍କ ସଙ୍ଗୀତ ‘ସିନ୍ଧୁ ନଧିୟିନୀ ମିଶାଇ’ଯାହା ଭାରତ ଓ ଶ୍ରୀଲଙ୍କାକୁ ସଂଯୋଗ କରୁଥିବା ସେତୁର ବର୍ଣ୍ଣନା ତାହାର ଅବତାରଣା କରିଥିଲେ। ଏହି ନୌସେବା ସମସ୍ତ ଐତିହାସିକ ଓ ସାଂସ୍କୃତିକ ସଂଯୋଗକୁ ପୁଣି ଜୀବନ୍ତ କରିଦେଇଛି ବୋଲି ସେ କହିଥିଲେ।

ଶ୍ରୀଲଙ୍କା ରାଷ୍ଟ୍ରପତି ବିକ୍ରମ ସିଂଘେଙ୍କ ନିକଟରେ ଭାରତ ଗସ୍ତ କାଳରେ ସଂଯୋଗୀକରଣକୁ ମୁଖ୍ୟ ବିଷୟ ବିବେଚନା କରି ଆର୍ଥିକ ଭାଗିଦାରିତା ଉପରେ ଏକ ଯୁଗ୍ମ ଦୃଶ୍ୟପତ୍ର ମଧ୍ୟ ତିଆରି ହୋଇଥିବା ଶ୍ରୀ ମୋଦୀ କହିଥିଲେ। “ସଂଯୋଗୀକରଣ କେବଳ ଦୁଇ ନଗରୀକୁ ଯୋଡୁନାହିଁ, ଏହା ଆମର ଦେଶ, ଜନସାଧାରଣ ଓ ହୃଦୟକୁ ମଧ୍ୟ ଯୋଡୁଛି” ବୋଲି ଶ୍ରୀ ମୋଦୀ କହିଥିଲେ। ସଂଯୋଗୀକରଣ, ବାଣିଜ୍ୟ, ପର୍ଯ୍ୟଟନ ଓ ଜନସମ୍ପର୍କ ବୃଦ୍ଧି କରିବା ସହ ଉଭୟ ଦେଶର ଯୁବଗୋଷ୍ଠୀ ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ।

ଦିଲ୍ଲୀ ଓ କଲମ୍ବୋ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପରେ ୨୦୧୫ରେ ଶ୍ରୀଲଙ୍କା ଗସ୍ତ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ। ପରେ ପରେ ଶ୍ରୀଲଙ୍କାରୁ ତୀର୍ଥନଗରୀ କୁଶୀନଗରକୁ ପ୍ରଥମ ଆନ୍ତର୍ଜାତିକ ବିମାନ ସେବା ମଧ୍ୟ ଉତ୍ସବଭାବେ ପାଳନ କରାଯାଇଥିଲା। ୨୦୧୯ରେ ଜାଫୁନା-ଚେନ୍ନାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିବାବେଳେ ଏବେ ନାଗାପଟ୍ଟିନମ୍ ଓ କନକେ୍ସନଥୁରାଇ ମଧ୍ୟରେ ନୌସେବା ଏ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ମୋଦୀ କହିଥିଲେ।

“ଆମର ସଂଯୋଗୀକରଣର ଦୂରଦୃଷ୍ଟି କେବଳ ପରିବହନ କ୍ଷେତ୍ର ମଧ୍ୟରେ ସୀମିତ ନୁହେଁ। ଭାରତ ଓ ଶ୍ରୀଲଙ୍କା ଅନ୍ତରଙ୍ଗ ଭାବେ ଅ୍ରାହୁରି ଅନେକ କ୍ଷେତ୍ର ଯେପରିକି ଫିନ-ଟେକ ଓ ଶକ୍ତି କ୍ଷେତ୍ରରେ ମଧ୍ୟ ଅଂଶୀଦାର ହୋଇଛନ୍ତି। ୟୁପିଆଇ ଯୋଗୁଁ ଡିଜିଟାଲ ଦେଣନେଣ ଏକ ଜନ ଆନ୍ଦୋଳନ ଓ ଜୀବନଧାରା ପାଲଟି ଯାଇଥିବାରୁ ଉଭୟ ଦେଶ ସରକାର ଫିନ୍ ଟେକ କ୍ଷେତ୍ରରେ ଭାରତର ୟୁପିଆଇ ଓ ଶ୍ରୀଲଙ୍କା ମଧ୍ୟରେ ସଂଯୋଗ ରଖିବା ପାଇଁ ଉଦ୍ୟମ କରୁଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ।

ଶକ୍ତି ଓ ସୁରକ୍ଷା ଓ ନିର୍ଭରଶୀଳତା ବୃଦ୍ଧି ନେଇ ଦୁଇ ଦେଶ ମଧ୍ୟରେ ଶକ୍ତି ଗ୍ରୀଡ୍ ସଂଯୋଗ ନେଇ ଚେଷ୍ଟା ଚାଲିଛି ଓ ଉଭୟ ଦେଶର ବିକାଶ ଯାତ୍ରାରେ ଏହା ସହାୟକ ହେବ।

ଭାରତ ଓ ଶ୍ରୀଲଙ୍କା ଦ୍ୱିପାକ୍ଷିକ ସମ୍ପର୍କରେ ପ୍ରଗତି ଓ ବିକାଶ ନେଇ ଭାଗଦାରିତା ଏକ ମଜବୁତ ଖମ୍ଭ ସଦୃଶ। “କାହାକୁ ମଧ୍ୟ ବାଦ ନ ଦେଇ ସମସ୍ତଙ୍କୁ ବିକାଶ ଧାରାରେ ସାମିଲ କରିବା ହେଉଛି ଆମର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀଲଙ୍କାରେ ଭାରତ ସହାୟତାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକ ସମସ୍ତଙ୍କ ମନକୁ ଛୁଇଁଛି। ଗୃହ ନିର୍ମାଣ, ଜଳ, ସ୍ୱାସ୍ଥ୍ୟ ଓ ଜୀବିକାର ସହାୟତାକୁ ନେଇ ଅନେକ ପ୍ରକଳ୍ପ ଦେଶର ଉତ୍ତର କ୍ଷେତ୍ରରେ ସମ୍ପୂର୍ଣ୍ଣ ହୋଇଛି ଓ କାନକେସନଥୁରାଇ ବନ୍ଦରର ସମ୍ପ୍ରସାରଣର ସହାୟତା ଯୋଗୁଁ ସେ ମଧ୍ୟ ଆନନ୍ଦ ପ୍ରକଟ କରିଥିଲେ। ସେ ଉତ୍ତରରୁ ଦକ୍ଷିଣକୁ ରେଳପଥ ସଂଯୋଗ ହେଉ ବା ଐତିହ୍ୟ ସମ୍ପନ୍ନ ଜାଫଥା ସାଂସ୍କୃତିକ କେନ୍ଦ୍ରର ନିର୍ମାଣ, ଶ୍ରୀଲଙ୍କାର ସବୁଆଡେ ଆମ୍ବୁଲାନ୍ସ ସେବାର ସମ୍ପ୍ରସାରଣ ଆମେ ସବୁଆଡେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ”ଭାବନା ଦେଇ କାର୍ଯ୍ୟ କରୁଛୁ ବୋଲି ଶ୍ରୀମୋଦୀ କହିଥିଲେ।

ନିକଟରେ ଭାରତ ଆୟୋଜନ କରିଥିବା ଜି-୨୦ ଶିଖର ସମ୍ମିଳନୀରେ ଭାରତ ପ୍ରାଧାନ୍ୟ ଦେଇଥିବା ବସୁଧୈବ କୁଟୁମ୍ବକମ୍ ଭଳି ଭାରତର ଲକ୍ଷକୁ ଆନ୍ତର୍ଜାତିକ ଗୋଷ୍ଠୀ ସ୍ୱାଗତ କରିଥିଲେ। ଏହି ଦୂରଦୃଷ୍ଟି ପଡୋଶୀ ରାଷ୍ଟ୍ରର ବିକାଶକୁ ମଧ୍ୟ ପ୍ରାଧାନ୍ୟ ଦେଉଛି। ସେ ମଧ୍ୟ ଭାରତ-ମଧ୍ୟପ୍ରାଚ୍ୟ ଆର୍ଥିକ କରିଡରର ଆରମ୍ଭ ଯାହା ଜି-୨୦ ଶିଖର ବୈଠକ କାଳରେ ଗ୍ରହଣ କରାଯାଇଥିଲା ତାହା ସେ ସବୁ ଅଞ୍ଚଳରେ ବ୍ୟାପକ ଆର୍ଥିକ ପ୍ରଭାବ ପକାଇଛି। ଆମ ଦୁଇଦେଶର ସମ୍ପର୍କ ସୁଦୃଢ ହେଲେ ଶ୍ରୀଲଙ୍କା ମଧ୍ୟ ଏଥିରୁ ଲାଭ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜି ନୌସେବାର ସଫଳ ଉଦ୍ଘାଟନ ନିମନ୍ତେ ସେ ରାଷ୍ଟ୍ରପତି, ସରକାର ଓ ଶ୍ରୀଲଙ୍କା ଜନସାଧାରଣଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ। ରାମେଶ୍ୱରମ୍ ଓ ତଲାଇମାନାର ମଧ୍ୟରେ ନୌସେବା ପୁଣି ଆରମ୍ଭ କରିବା ପାଇଁ ଚେଷ୍ଟା ଚାଲିଛି ବୋଲି ସେ ସୂଚନା ଦେଇଥିଲେ।

ଆମର ଦ୍ୱିପାକ୍ଷିକ ସମ୍ପର୍କ ଅତୁଟ ରଖିବା ପାଇଁ ଭାରତ ଅଙ୍ଗୀକାରବଦ୍ଧ ଓ ଏହା ଆମ ଦୁଇଦେଶର ଜନସାଧାରଣଙ୍କ ନିମନ୍ତେ ହିତକର ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଶ୍ରୀଲଙ୍କା ଏବଂ ମରିସସ୍‌ର ରାଷ୍ଟ୍ରପତିଙ୍କ ସହ କଥାହେଲେ ମୋଦି

ନୂଆଦିଲ୍ଳୀ : ଶ୍ରୀଲଙ୍କା ଏବଂ ରାଷ୍ଟ୍ରପତିଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଫଳତାର ସହିତ କରୋନା ମୁକାବିଲା ପାଇଁ ଉଭୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ଉଭୟ ନେତୃବୃନ୍ଦଙ୍କ ସହିତ କଥା ହୋଇଥିବା ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ୍ଟର ଜରିଆରେ ସେୟାର କରିଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ଏବଂ ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କେ ଜୁଗନାଉଥଙ୍କୁ ଫୋନ୍‌ କରି ଧନ୍ୟବାଦ ଜଣାଇଛନ୍ତି ମୋଦି ।

ଆପଣଙ୍କ ନେତୃତ୍ବରେ ଶ୍ରୀଲଙ୍କା କରୋନାର ସଠିକ୍‌ ମୁକାବିଲା କରୁଛି । ତେଣୁ ଆପଣଙ୍କୁ ଧନ୍ୟବାଦ ବୋଲି ମୋଦି ରାଜପକ୍ଷାଙ୍କୁ କହିଥିଲେ । ମରିସସ୍‌ ଏବଂ ଭାରତର ସଂସ୍କୃତି ଏବଂ ସଭ୍ୟତା ଏକ ପ୍ରକାରର । ଆପଣଙ୍କ ନେତୃତ୍ବରେ କରୋନାର ସଠିକ୍‌ ମୁକାବିଲା ଜାରି ରହିଥିବା ବେଳେ ମିତ୍ରରାଷ୍ଟ୍ର ଭାବରେ ଭାରତ ସର୍ବଦା ସହଯୋଗ ପାଇଁ ଆଗଭର ବୋଲି ମରିସସ୍‌ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ମୋଦି । ରାଜପକ୍ଷାଙ୍କ ସହିତ ବାର୍ତ୍ତାଳାପ ସମୟରେ କରୋନା ବ୍ୟତିତ ଦ୍ବିପାକ୍ଷିକ ସମ୍ପର୍କ ଏବଂ ଭାରତ ସହାୟତାରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ମୋଦି । (ଏଜେନ୍ସି)

Categories
ଆଜିର ଖବର ଖେଳ

ଟି20 ମହିଳା ବିଶ୍ବକପ୍‌ : ଶ୍ରୀଲଙ୍କାକୁ 7 ଓ୍ବିକେଟରେ ପରାସ୍ତ କଲା ଭାରତ

ମେଲବୋର୍ଣ୍ଣ : ଟି20 ମହିଳା ବିଶ୍ବକପ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତ ଶ୍ରୀଲଙ୍କାକୁ 7 ଓ୍ବିକେଟରେ ପରାସ୍ତ କରିଛି । ପୂର୍ବରୁ ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ନିଜର ସମସ୍ତ ଚାରି ଲିଗ୍‌ ମ୍ୟାଚ୍‌ରେ ବିଜୟୀ ହୋଇଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି 113 ରନ୍‌ ସଂଗ୍ରହ କରିଥିବା ବେଳେ ଭାରତ 3 ଓ୍ବିକେଟ ହରାଇ ବିଜୟ ହାସଲ କରି ନେଇଥିଲା । ଭାରତ ପକ୍ଷରୁ ଶେଫାଳି ବର୍ମା ସର୍ବାଧିକ 47 ରନ୍‌ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ମାନ୍ଧନା 17, ହରମନ୍‌ପ୍ରୀତ୍‌ କୌର 15 ରନ୍‌ ସଂଗ୍ରହ କରିଥିଲେ । ଶେଫାଳି 34ଟି ବଲ୍‌ର ସମ୍ମୁଖୀନ ହୋଇ 7 ଚୌକା ଏବଂ ଏକ ଛକ୍କା ସହାୟତାରେ 47 ରନ୍‌ ସଂଗ୍ରହ କରିଥିଲେ । ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା । ଅଭିଜ୍ଞ ଚମାରି ଅଟ୍ଟାପଟ୍ଟୁଙ୍କ 33 ଏବଂ କଭିସା ଦିହ୍ଲାରୀ (25*)ଙ୍କ ବ୍ୟାଟିଂ ଫଳରେ ଦଳ 113 ରନ୍‌ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ରାଧା ଯାଦବ 23 ରନ୍‌ରେ 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଚମତ୍କାର ବୋଲିଂ ପାଇଁ ରାଧା ଯାଦବଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଖେଳ

ଟି20 ମହିଳା ବିଶ୍ବକପ୍‌ : ଭାରତ ସମ୍ମୁଖରେ 114 ରନ୍‌ର ବିଜୟ ଲକ୍ଷ୍ୟ

ମେଲବୋର୍ଣ୍ଣ : ଟି20 ମହିଳା ବିଶ୍ବକପ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତ ସମ୍ମୁଖରେ 114 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା ବେଳେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ଦଳ ମାତ୍ର 113 ରନ୍‌ ସଂଗ୍ରହ କରିଥିଲା । ଶ୍ରୀଲଙ୍କା ପକ୍ଷରୁ ଅଭିଜ୍ଞ ଚମାରି ଅଟ୍ଟାପଟ୍ଟୁ ସର୍ବାଧିକ 33 ରନ୍‌ ସଂଗ୍ରହ କରିଥିଲେ । ଦଳର ମଧ୍ୟକ୍ରମ ବିଫଳ ହୋଇଥିବା ବେଳେ ତଳ ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ଉପଯୋଗୀ ଅବଦାନ ଫଳରେ ଦଳ 100 ରନ୍‌ ଅତିକ୍ରମ କରିଥିଲା । ନିମ୍ନକ୍ରମରେ କଭିସା ଦିହ୍ଲାରୀ(25*) ରନ୍‌ ସଂଗ୍ରହ କରିବାରୁ ଶ୍ରୀଲଙ୍କା 9 ଓ୍ବିକେଟ୍‌ ହରାଇ 113 ରନ୍‌ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ରାଧା ଯାଦବ 23 ରନ୍‌ ବିନିମୟରେ 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ରାଜେଶ୍ବରୀ ଗାଏକ୍ବାଡ 18 ରନ୍‌ ବିନିମୟରେ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ଶିଖା ପାଣ୍ଡେ, ଦୀପ୍ତି ଶର୍ମା ଏବଂ ପୁନମ ଯାଦବ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଶ୍ରୀଲଙ୍କାରୁ ଫେରିଲେ 11 ଓଡିଆ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଶ୍ରୀଲଙ୍କାରେ ଅଟକ ରହିଥିବା 11 ଓଡିଆଙ୍କୁ ଉଦ୍ଧାର କରାଯାଇଛି । ଠିକାଦାରଙ୍କ ଦ୍ବାରା ଏହି 11 ଜଣ ଶ୍ରମିକଙ୍କୁ ବେଆଇନ ଭାବରେ ଅଟକ ରଖାଯାଇଥିଲା । ବିଜେଡି ସାଂସଦ ସସ୍ମିତ ପାତ୍ର ବୈଦେଶିକ ମନ୍ତ୍ରାଳୟ ସହିତ ସମ୍ପର୍କ ସ୍ଥାପନ କରିବା ପରେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ଆଜି ଓଡିଶା ଅଣାଯାଇଛି । ସମସ୍ତ 11 ଜଣ ଶ୍ରମିକ ସୁରକ୍ଷିତ ଭାବରେ ଓଡିଶାରେ ପହଞ୍ଚିଛନ୍ତି ।

Categories
ଆଜିର ଖବର ଖେଳ

ଆଜି ପୁନେରେ ଅନ୍ତିମ ଟି20 ମୁକାବିଲା : ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ

ପୁନେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖଳାର ଅନ୍ତିମ ମ୍ୟାଚ୍‌ ଆଜି ପୁନେରେ ଖେଳାଯିବ । ଭାରତ ଏହି ମ୍ୟାଚ୍‌ ଜିତି ସିରିଜ୍‌ ବିଜୟର ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀଲଙ୍କା ସିରିଜ୍‌ ବରାବର ଲକ୍ଷ୍ୟରେ ରହିବ । ସନ୍ଧ୍ୟା 7ଟାରେ ଆରମ୍ଭ ହେବାକୁ ଥିବା ମ୍ୟାଚ୍‌ରେ ଭାରତ ସମାନ ଏକାଦଶ ସହିତ ଖେଳିବ ବୋଲି କୋହଲି ସୂଚନା ଦେଇଛନ୍ତି । ଅପର ପକ୍ଷରେ ଇସୁରୁ ଉଡାନା ଶ୍ରୀଲଙ୍କା ପକ୍ଷରୁ ପ୍ରତ୍ୟାବର୍ତ୍ତନ କରିବେ । ଉଲ୍ଲେଖଯୋଗ୍ୟ ଯେ, ଗୌହାଟୀରେ ଅନୁଷ୍ଠିତ ପ୍ରଥମ ଟି 20 ବର୍ଷାରେ ଧୋଇଯିବା ପରେ ଇନ୍ଦୋରରେ ମୁକାବିଲାକୁ ଭାରତ ଅନାୟାସରେ ଜିତି ନେଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ଶ୍ରୀଲଙ୍କାକୁ 263 ରନ୍‌ରେ ପରାସ୍ତ କରି ସିରିଜ୍‌ ଜିତିଲା ପାକିସ୍ତାନ

କରାଚୀ,23/12 : କରାଚୀରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ବିଜୟୀ ହେବା ସହିତ ସିରିଜ୍‌ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ପଛୁଆ ରହିବା ସତ୍ତ୍ବେ ପାକିସ୍ତାନ 263 ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମ ଇନିଂସରେ ପାକିସ୍ତାନ ମାତ୍ର 191 ରନ୍‌ ସଂଗ୍ରହ କରିଥିବା ବେଳେ ଶ୍ରୀଲଙ୍କା 271 ରନ୍‌ ସଂଗ୍ରହ କରିଥିଲା । 80 ରନ୍‌ର ପଛୁଆ ପାକିସ୍ତାନ ପକ୍ଷରୁ ଦ୍ବିତୀୟ ଇନିଂସରେ ଟପ୍‌ ଅର୍ଡରର ପ୍ରଥମ ଚାରି ବ୍ୟାଟ୍ସମ୍ୟାନ୍‌ ଶତକ ହାସଲ କରିଥିଲେ । ଦୁଇ ଓପ୍ନର ଆବିଦ୍‌ ଅଲୀ(174) ଏବଂ ସାନ୍‌ ମାସୁଦ୍‌(135) ପ୍ରଥମ ଓ୍ବିକେଟ୍‌ରେ 278 ରନ୍‌ ଯୋଡିଥିଲେ । ପରେ ଅଧିନାୟକ ଆଝାର ଅଲୀ (118) ଏବଂ ବାବର ଆଜାମ(100) ଶତକ ହାସଲ କରିବାରୁ ପାକିସ୍ତାନ 3 ଓ୍ବିକେଟ୍‌ ବିନିମୟରେ 555 ରନ୍‌ ସଂଗ୍ରହ କରିଥିଲା । 476 ରନ୍‌ର ବିଜୟ ଲକ୍ଷ୍ୟରେ ବ୍ୟାଟ୍ସମ୍ୟାନଙ୍କ ବିଫଳତା କାରଣରୁ ଶ୍ରୀଲଙ୍କା 212 ରନ୍‌ରେ ସମସ୍ତ ଓ୍ବିକେଟ ହରାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଓସାଡା ଫର୍ଣ୍ଣାଣ୍ଡୋ(102) ଶତକ ହାସଲ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତାରୁ ଦଳ ପରାଜୟ ବରଣ କରିଥିଲା । ଆବିଦ୍‌ ଅଲୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ଶ୍ରୀଲଙ୍କା ସିରିଜ୍‌ରୁ ବିଶ୍ରାମ ନେବେ ରୋହିତ ଶର୍ମା

ନୂଆଦିଲ୍ଲୀ,23/12 : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟି20 ସିରିଜ୍‌ର ବିଶ୍ରାମ ନେବେ ରୋହିତ ଶର୍ମା । ଆସନ୍ତା ଡିସେମ୍ବର 26 ତାରିଖରେ ଶ୍ରୀଲଙ୍କା ବିପକ୍ଷ ଟି20 ସିରିଜ୍‌ ପାଇଁ ଦଳ ଘୋଷଣା କରାଯାଇଛି । ତିନି ମ୍ୟାଚ୍‌ ବିପକ୍ଷ ସିରିଜ୍‌ ଆସନ୍ତା ଜାନୁୟାରୀ 5 ତାରିଖରୁ ଖେଳାଯିବ । ଅଷ୍ଟ୍ରେଲିଆ ବିଶ୍ବକପ୍‌ ପୂର୍ବରୁ ପ୍ରସ୍ତୁତି ପାଇଁ ଅନୁଷ୍ଠିତ ଏହି ସିରିଜ୍‌ରୁ ବିଶ୍ରାମ ପାଇଁ ରୋହିତ ବିସିସିଆଇକୁ ଅନୁରୋଧ କରିଥିବା ଜଣାପଡିଛି । ବିସିସିଆଇର ଜନୈକ ପ୍ରତିନିଧି ନିଜ ନାମ ଗୋପନ ରଖି ଏହି ସୂଚନା ପ୍ରଦାନ କରିଛନ୍ତି । ବିଗତ ଏକ ବର୍ଷ ହେବ ରୋହିତ ନିରନ୍ତର କ୍ରିକେଟ ଖେଳୁଥିବା ବେଳେ ଭାରତୀୟ ଦିନିକିଆ ଏବଂ ଟି20 ଦଳର ପ୍ରମୁଖ ସଦସ୍ୟ ରହି ଆସିଛନ୍ତି । ଚଳିତ ବର୍ଷ ରୋହିତ ଦିନିକିଆରେ 28ଟି ମ୍ୟାଚ୍‌ରୁ 57 ହାରରେ 1490 ରନ୍‌ ସଂଗ୍ରହ କରିଥିବା ବେଳେ 2019 ଦିନିକିଆ ବିଶ୍ବକପ୍‌ରେ 9ଟି ମ୍ୟାଚ୍‌ରୁ 81 ହାରରେ 648 ରନ୍‌ ସଂଗ୍ରହ କରିଥିଲେ । ରୋହିତଙ୍କ ଅନୁପସ୍ଥିତିରେ ଶିଖର ଧଓ୍ବନ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । (ଏଜେନ୍ସୀ)

Categories
ଆଜିର ଖବର

29 ତାରିଖରେ ଭାରତ ଗସ୍ତରେ ରାଜପକ୍ଷା

ଭାରତର ବଡ଼ କୂଟନୀତିକ ବିଜୟ ହୋଇଛି । ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାରତକୁ ହିଁ କରିବେ । ରବିବାର ସେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବା ପରେ ଭାରତର ଚିନ୍ତା ବଢ଼ିଥିଲା । ରାଜପକ୍ଷା ଭାରତ ଅପେକ୍ଷା ଚୀନକୁବେଶୀ ସମର୍ଥନ କରିବେ ବୋଲି ଚର୍ଚ୍ଚା ହେଉଥିଲା । ରାଜପକ୍ଷା ଶପଥ ନେବା କ୍ଷଣି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କୁ ସାକ୍ଷାତ କରିବା ପାଇଁ ଶ୍ରୀଲଙ୍କା ଗସ୍ତ କରିଥିଲେ । ଆସନ୍ତା 29ତାରିଖରେ ସେ ଭାରତ ଆସିବା ନେଇ ରାଜପକ୍ଷା ସମ୍ମତି ପ୍ରଦାନ କରିଥିବା ନେଇ ଜୟଶଙ୍କର ଟ୍ବିଟ୍‌ କରିଛନ୍ତି ।

Categories
ଆଜିର ଖବର

ଇଷ୍ଟର ଆକ୍ରମଣ ମାମଲା : ଶ୍ରୀଲଙ୍କାରେ ଜରୁରୀକାଳୀନ ପରସ୍ଥିତିର ଅବଧି ବଢିଲା

ଇଷ୍ଟର ଆକ୍ରମଣ ପରେ ଶ୍ରୀଲଙ୍କାରେ ଲାଗି ରହିଥିବା ଜରୁରୀ କାଳୀନ ପରସ୍ଥିତିର ଅବଧି ବଢାଯାଇଛି। ଶନିବାର ରାଷ୍ଟ୍ରପତି ମୈତ୍ରିପାଲା ଶିରିସେନା ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଶନିବାର ଏହି ଜରୁରୀ କାଳୀନ ପରସ୍ଥିତିର ଅବଧି ଶେଷ ହେବାକୁ ଥିବା ବେଳେ ଏହାକୁ ପୁନର୍ବାର ବଢାଇଛନ୍ତି ରାଷ୍ଟ୍ରପତି। ଜରୁରୀ କାଳୀନ ପରସ୍ଥିତି ସମୟରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ରାଷ୍ଟ୍ରର ସୁରକ୍ଷା ପାଇଁ ଏହା ଆବଶ୍ୟକ ବୋଲି କହିଛନ୍ତି ଶିରିସେନା। ଏହି ସମୟସୀମା ମଧ୍ୟରେ ଶ୍ରୀଲଙ୍କାରେ ୧୦୦ରୁ ଅଧିକଙ୍କୁ ଗିରଫ କରାଯାଇଥିବା ତନ୍ମଧ୍ୟରୁ ୧୦ରୁ ଅଧିକ ମହିଳା ରହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ, ଇଷ୍ଟର ଅବସରରେ ଶ୍ରୀଲଙ୍କାରେ ଘଟିଥିବା ବିସ୍ଫୋରଣରେ ୨୫୮ ଜଣଙ୍କ ପ୍ରାଣହାନି ଘଟିଥିଲା। ଆସନ୍ତା ଦଶ ଦିନ ମଧ୍ୟରେ ସଂସଦୀୟ ଅଧିବେଶନ ଆରମ୍ଭ ପୂର୍ବରୁ ଜରୁରୀ କାଳୀନ ବ୍ୟବସ୍ଥା ଉଠାଯିବ ବୋଲି ସୂଚନା ଦେଇଛନ୍ତି ଶିରିସେନା।

Categories
ଆଜିର ଖବର

ଭାରତ ଏବଂ ଶ୍ରୀଲଙ୍କା ଉପରେ ଆଇଏସ୍‌ ଆକ୍ରମଣ ଆଶଙ୍କା ନେଇ ଗୁଇନ୍ଦା ସୂଚନା

ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ ଆଇଏସ୍‌ର ରାଡାରରେ ଭାରତ ଏବଂ ଶ୍ରୀଲଙ୍କା ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଛି। ଇରାକ ଏବଂ ସିରିଆରେ ଆଇଏସ୍‌ ଉପରେ ଆକ୍ରମଣ ହେବା ପରେ ଏହି ଆତଙ୍କୀ ସଙ୍ଗଠନ ପକ୍ଷରୁ ବର୍ତ୍ତମାନ ବିଭିନ୍ନ ଭାରତ ମହାସାଗରୀୟ ଉପକୂଳ ରାଷ୍ଟ୍ରକୁ ଆକ୍ରମଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଇରାକ ଏବଂ ସିରିଆରେ ଏହି ସଙ୍ଗଠନର ନେଟଓ୍ବର୍କ ଶେଷ ହେବା ପରେ ବର୍ତ୍ତମାନ ଭାରତୀୟ ସହର କେରଳ ଏବଂ ଶ୍ରୀଲଙ୍କାର କଲମ୍ବୋକୁ ଟାର୍ଗେଟ୍‌ କରାଯାଇପାରେ ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଗୁଇନ୍ଦା ସାଟେଲାଇଟ୍‌ ସୂଚନା ଅନୁଯାୟୀ ଏହି ଅଞ୍ଚଳ ମାନଙ୍କରେ ଜେହାଦୀ ଆକ୍ରମଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହା ସହିତ ଅନ୍ୟ ଭାରତୀୟ ସହର ଗୁଡିକ ମଧ୍ୟରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କାଶ୍ମୀରରେ ମଧ୍ୟ ଆକ୍ରମଣର ପୂର୍ବାନୂମାନ ଲଗାଯାଇଛି।

Categories
ଆଜିର ଖବର

ସମ୍ମାନ ରକ୍ଷା ପାଇଁ କାର୍ଡିଫ୍‌ରେ ମୁକାବିଲା କରିବେ ଶ୍ରୀଲଙ୍କା- ଆଫଗାନିସ୍ତାନ

ଚଳିତ ବିଶ୍ବକପ୍‌ରେ ନିଜର ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଥିବା ଦୁଇ ଏସୀୟ ରାଷ୍ଟ୍ର ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ସମ୍ମାନ ରକ୍ଷା ପାଇଁ କାର୍ଡିଫ୍‌ରେ ପରସ୍ପରର ମୁକାବିଲା କରିବେ। ମଙ୍ଗଳବାର ଦିନ ତିନିଟା ସମୟରେ କାର୍ଡିଫ୍‌ର ସୋଫିଆ ଗାର୍ଡେନ୍‌ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ନ୍ୟୁଜିଲ୍ୟାଣ୍ଡ ନିକଟରୁ ଶୋଚନୀୟ ଭାବରେ ପରାସ୍ତ ହୋଇଥିବା ବେଳେ ଟପ୍‌ ଅର୍ଡର ଏବଂ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ ବୋଲିଂ ନିକଟରେ କରୁଣାରତ୍ନେଙ୍କ ବ୍ୟତିତ ସମସ୍ତ ଶ୍ରୀଲଙ୍କା ଖେଳାଳି ଆତ୍ମ ସମର୍ପଣ କରିଥିଲେ। ଶ୍ରୀଲଙ୍କା ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନର ଆାଶ ରଖିଛି। ଅନ୍ୟ ପକ୍ଷରେ ଆଫଗାନ ବୋଲିଂ ଆକ୍ରମଣ ଠିକ୍‌ ଥିଲେ ମଧ୍ୟ ଏହାର ଟପ୍‌ ଏବଂ ଲୋୟର ଅର୍ଡର ଖେଳାଳିଙ୍କୁ ଏହି ମ୍ୟାଚ୍‌ରେ ରନ୍‌ ସଂଗ୍ରହ କରିବାକୁ ପଡିବ। ପୂର୍ବ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ଦୁଇ ଦଳର ଅଧିନାୟକ ଗୁଲବଦିନ୍‌ ନାଏବ ଏବଂ ଦିମୁଥ କରୁଣାରତ୍ନେଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ରଶିଦ୍‌ ଖାନ୍‌ ଏବଂ ମହମ୍ମଦ ନବିଙ୍କ ପ୍ରଦର୍ଶନ ମଧ୍ୟ ଦୁଇ ଦଳ ମଧ୍ୟରେ ପ୍ରଭେଦ ସୃଷ୍ଟି କରିବ।

ମ୍ୟାଚ୍‌ ସମୟ : ଅପରାହ୍ନ ୩.୦୦

ସ୍ଥାନ : ସୋଫିଆ ଗାର୍ଡେନ୍‌, କାର୍ଡିଫ୍‌

Categories
ଆଜିର ଖବର

କେରଳରେ ହାଇ ଆଲର୍ଟ : କେରଳ ଉପକୂଳରେ ଆଇଏସ୍‌ ବୋଟ୍‌ ନେଇ ଗୁଇନ୍ଦା ସୂଚନା

କେରଳ ଉପକୂଳରେ ଆଇଏସ୍‌ର ଏକ ଜାହାଜ ଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଛି। ଗୁଇନ୍ଦା ସୂଚନା ଅନୁଯାୟୀ ଶ୍ରୀଲଙ୍କାରୁ ବାହାରିଥିବା ଏହି ଜାହାଜରେ ଆଇଏସ୍‌ ଆତଙ୍କୀ ମାନେ ରହିଛନ୍ତି। ଶ୍ରୀଲଙ୍କାରୁ ବାହାରି ଲାକ୍ଷା ଦ୍ବୀପରେ ପହଞ୍ଚିବ ଏହି ଜାହାଜ। ଏହି ସୂଚନା ପରେ କେରଳର ତଟବର୍ତ୍ତୀ ଅଞ୍ଚଳରେ ପୋଲିସ୍‌ ଏବଂ ନୌସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶ୍ରୀଲଙ୍କାରୁ ପ୍ରାପ୍ତ ହୋଇଥିବା ଗୁଇନ୍ଦା ସୂଚନା ଅନୁଯାୟୀ ଏହି ଜାହାଜରେ ୧୫ ଜଣ ଆତଙ୍କବାଦୀ ରହିଛନ୍ତି। କେରଳ ପୋଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଲଙ୍କା ଆକ୍ରମଣ ପରେ ଦେଶ ସମ୍ପୂର୍ଣ୍ଣ ଜାଗ୍ରତ ରହିଛି ଏବଂ ଏ ନେଇ ସମସ୍ତ ନୌସେନା ଅଧିକାରୀ ଏବଂ ତଟବର୍ତ୍ତୀ ପୋଲିସ୍‌ ମୁଖ୍ୟଙ୍କୁ ସତର୍କ କରାଇ ଦିଆଯାଇଛି। ଉଲ୍ଳେଖଯୋଗ୍ୟ ଯେ, ଅନେକ କେରଳ ଯୁବକ ଇରାକ୍‌ ଏବଂ ସିରିଆରେ ଆଇଏସ୍‌ ସହିତ ଜଡିତ ଅଛନ୍ତି। ଏପ୍ରିଲ୍‌ ୨୧ରେ ଇଷ୍ଟର ଅବସରରେ ୯ଟି ଆତ୍ମଘାତୀ ବୋମା ବିସ୍ଫୋରଣରେ ଶ୍ରୀଲଙ୍କାରେ ୨୫୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିଲେ।

Categories
ଆଜିର ଖବର

୪୧ସନ୍ଦିଗ୍ଧ ଆତଙ୍କୀଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କଲେ ଶ୍ରୀଲଙ୍କା ସରକାର

ଇଷ୍ଟରରେ ଶ୍ରୀଲଙ୍କାରେ ଘଟିଥିବା ବିସ୍ଫୋରଣ ପରେ ଶ୍ରୀଲଙ୍କା ସରକାର ଏହି ଘଟଣାରେ ସମ୍ପୃକ୍ତ ୪୧ ସନ୍ଦିଗ୍ଧ ଆତଙ୍କୀଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରି ଦେଇଛି। ଏହି ସମସ୍ତ ୪୧ ଜଣ ଆତଙ୍କୀ ନ୍ୟାସ୍‌ନାଲ୍‌ ଥାହ୍ବିଦ୍‌ ଜମ୍ମାଥ (ଏନ୍‌ଟିଜେ)ର ସଦସ୍ୟ ଅଟନ୍ତି। ପୋଲିସ୍‌ ମୁଖପାତ୍ର ରୁଆନ୍‌ ଗୁଣଶେକରାଙ୍କ ସୂଚନା ଅନୁଯାୟୀ ଟିଆଇଡି ଏବଂ ସିଆଇଡିର ତଦନ୍ତ ପରେ ଏହି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଇଷ୍ଟର ସମୟରେ ୯ ଜଣ ଆତ୍ମଘାତୀ ବିସ୍ଫୋରଣକାରୀ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟାଇଥିଲେ। ଏହି ବିସ୍ଫୋରଣରେ ୨୫୮ ଜଣଙ୍କ ପ୍ରାଣହାନି ଘଟିବା ସହିତ ୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୪୧ଟି ଆକାଉଣ୍ଟରୁ ପ୍ରାୟ ୧୩୪ ମିଲିୟନ୍‌ ଡଲାର ଅର୍ଥ ଜବତ କରାଯାଇଥିବା ବେଳେ ସମ୍ପତ୍ତିରୁ ୧୪ ମିଲିୟନ୍‌ ଡଲାର ଅର୍ଥ ଜବତ କରିଥିଲେ ଶ୍ରୀଲଙ୍କା ସରକାର।

Categories
ଆଜିର ଖବର

ଶ୍ରୀଲଙ୍କା ବୋମା ବିସ୍ଫୋରଣ : ଶିକ୍ଷକଙ୍କ ସମେତ ୧୦୬ ଜଣଙ୍କୁ ଗିରଫ କଲା ପୋଲିସ୍‌

ଇଷ୍ଟର ରବିବାରରେ ଶ୍ରୀଲଙ୍କାରେ ହୋଇଥିବା ବିସ୍ଫୋରଣରେ ୨୫୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିଲେ। ଏହି ବିସ୍ଫୋରଣ ପାଇଁ ଆଇଏସ୍‌ ନିଜକୁ ଦାୟୀ କରିଥିବା ବେଳେ ଘଟଣାରେ ଗିରଫଙ୍କ ସଂଖ୍ୟା ୧୦୭ ଛୁଇଁଛି। ଏହି ଘଟଣାରେ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ତାମିଲ ମିଡିୟମ୍‌ ଶିକ୍ଷକ ଏବଂ ସ୍କୁଲ ପ୍ରିନ୍ସିପାଲ୍‌ ରହିଛନ୍ତି । ଗିରଫ ଶିକ୍ଷକଙ୍କ ନିକଟରୁ ପୋଲିସ୍‌ ୫୦ଟି ସିମ୍‌କାର୍ଡ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ରବିବାର ସକାଳେ ଶ୍ରୀଲଙ୍କା ପୋଲିସ୍‌ ଏବଂ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍‌ କରାଯାଇ କଳ୍ପିତୟରୁ ୧୦ ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ମଧ୍ୟ ପୋଲିସ୍‌ର ଏକ ଅପରେସନରେ ୩ ଆଇଏସ୍‌ ଆତଙ୍କୀ ନିହତ ହୋଇଥିଲେ।

Categories
ଆଜିର ଖବର

ଶ୍ରୀଲଙ୍କାରେ ପୁନର୍ବାର ବିସ୍ଫୋରଣ : ୧୫ମୃତ

ରବିବାର ଇଷ୍ଟରରେ ହୋଇଥିବା ବିସ୍ଫୋରଣର ଦାଗ ଶ୍ରୀଲଙ୍କା ବାସୀଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଏକ ବିସ୍ଫୋରଣରେ ୧୫ ଜଣ ନିହତ ହୋଇଛନ୍ତି। ସୈନ୍ଥାମୁର୍ଥୁରେ ଘଟିତ ହୋଇଥିବା ଏହି ବିସ୍ଫୋରଣରେ ୧୫ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ଏବଂ ୩ ଜଣ ମହିଳା ରହିଛନ୍ତି। ଏହି ଘଟଣାରେ ପୋଲିସର ପାଲଟା ଗୁଳି ଚାଳନାରେ ୨ ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ଶ୍ରୀ ଲଙ୍କାର ଆମ୍ପରା ଜିଲ୍ଲାରେ ଇଷ୍ଟର ବୋମାମାଡର କିଛି ସନ୍ଦିଗ୍ଧ ଲୁଚି ରହିଥିବାର ଖବର ପାଇ ପୋଲିସ୍‌ ଚଢାଉ କରିଥିଲା। ଚଢାଉ ସମୟରେ ର୍କିଛି ରାଉଣ୍ଡର ଗୁଳି ଚାଳନା ପରେ ବିସ୍ଫୋରଣ ହୋଇଥିଲା ବୋଲି ମିଲିଟାରୀ ମୁଖପାତ୍ର ସୁମିଥ୍‌ ଅଟ୍ଟାପଟ୍ଟୁ ସୂଚନା ଦେଇଛନ୍ତି। ନିହତ ୧୫ ଜଣଙ୍କ ମଧ୍ୟରେ କୌଣସି ଆତଙ୍କୀ ଅଛନ୍ତି କି ନା ଏନେଇ କୌଣସି ସୂଚନା ମିଳି ପାରି ନାହିଁ। ଏହି ସ୍ଥାନରୁ ପୋଲିସ୍‌ ବହୁମାତ୍ରାରେ ବିସ୍ଫୋରକ, ଜିଲୋଟିନ୍‌, ଏସିଡ୍‌ ବୋତଲ ପ୍ରଭୃତି ଜବତ କରିଥିଲା। ସୂଚନାଯୋଗ୍ୟ ଯେ, ରବିବାର ଆଇଏସ୍‌ ଆଇଏସ୍‌ ପକ୍ଷରୁ କରାଯାଇଥିବା ବିସ୍ଫୋରଣରେ ୨୫୩ ଜଣ ନିହତ ହୋଇଥିବା ବେଳେ ୬୦୦ ରୁ ଅଧିକ ଆହତ ହୋଇଥିଲେ।

Categories
ଆଜିର ଖବର

ଆଇଏସ୍‌ ଲିଙ୍କ ଥିବା ୧୪୦ ଜଣଙ୍କ ସନ୍ଧାନ କରୁଛି ପୋଲିସ୍‌ : ସିରିସେନା

ନିକଟରେ ରବିବାର ହୋଇଥିବା ଭୟଙ୍କର ବିସ୍ଫୋରଣରେ ୨୫୩ ପ୍ରାଣହାନି ଘଟିଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ୍‌ ଅନ୍ୟୁନ ୫୮ ଜଣଙ୍କୁ ଗିରଫ କରି ସାରିଛି। ଶୁକ୍ରବାର ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା କହିଛନ୍ତି ଏହି ଆକ୍ରମଣଳରେ ଆଇଏସ୍‌ ଲିଙ୍କ ରହିଥିବାର ସୂଚନା ମିଳିଥିବା ବେଳେ ଆଇଏସ୍‌ ଲିଙ୍କ ଥିବା ୧୪୦ ଜଣ ଅପରାଧୀଙ୍କ ସନ୍ଧାନରେ ରହିଛି ଶ୍ରୀଲଙ୍କା ପୋଲିସ୍‌। ସିରିସେନାଙ୍କ ସୂଚନା ଅନୁଯାୟୀ ୨୦୧୩ରୁ ଶ୍ରୀଲଙ୍କାର ଯୁବଗୋଷ୍ଠୀ ଆଇଏସ୍‌ ଆତଙ୍କୀଙ୍କ ସହିତ ସମ୍ପର୍କ ରଖିଛନ୍ତି। ଏନେଇ ଏବଂ ରବିବାର ସଙ୍ଗଠିତ ହୋଇଥିବା ଆକ୍ରମଣ ନେଇ ପୋଲିସ ଏବଂ ପ୍ରତିରକ୍ଷା ସଚିବଙ୍କ ନିକଟରେ ଗୁଇନ୍ଦା ତଥ୍ୟ ରହିଥିବା ବେଳେ ଉଭୟ ଏହାକୁ ଲୁଚାଇ ଥିବାରୁ ଉଭୟଙ୍କୁ ବହିଷ୍କାର କରାଯାଇଛି। ପୂର୍ବରୁ ଏହି ଆକ୍ରମଣରେ ୩୫୯ ପ୍ରାଣହାନିର ସୂଚନା ଦିଆଯାଇଥିବା ବେଳେ ଆଜି ପୁନର୍ବାର ଗଣନା ପରେ ଏହି ସଂଖ୍ୟା ୨୫୩ ବୋଲି କୁହାଯାଇଛି।

Categories
ଆଜିର ଖବର

ଶ୍ରୀଲଙ୍କାର କଲୋମ୍ବ ନିକଟରେ ମାଜିଷ୍ଟ୍ରେଟ୍‌ କୋର୍ଟଙ୍କ ପଛରେ ପୁଣି ଏକ ବିସ୍ଫୋରଣ

ଗତ ରବିବାର ଦିନ ଶ୍ରୀଲଙ୍କାରେ ଭୟଙ୍କର ବିସ୍ଫୋରଣ ଘଟି ୩୫୯ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଆଜି ପୁନର୍ବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଗୁରୁବାର ଘଟିଥିବା ଏହି ବିସ୍ଫୋରଣରେ କୌଣସି ପ୍ରାଣହାନି ଘଟିନଥିବା ବେଳେ କେହି ଆହତ ମଧ୍ୟ ହୋଇନାହାନ୍ତି। ପୋଲିସ୍‌ ମୁଖପାତ୍ର ରୁଆନ୍‌ ଗୁଣ ଶେଖରା କହିଛନ୍ତି, କଲମ୍ବୋରୁ ୪୦ କିମି ଦୂର ପୁଗୋଡା ମାଜିଷ୍ଟ୍ରେଟ୍‌ କୋର୍ଟଙ୍କ ପଛରେ ଏହି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣଟି କୋର୍ଟ ପଛରେ ଘଟିଥିବା ବେଳେ ଏହାର ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ରୁଆନ ଗୁଣଶେଖର। ରବିବାରର ବିସ୍ଫୋରଣ ଠାରୁ ଏହା ସମ୍ପୂର୍ଣ୍ଣ ଅଲଗା ଥିଲା ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ସୂଚନାଯୋଗ୍ୟ ଯେ ରବିବାର ହୋଇଥିବା ଭୟଙ୍କର ବିସ୍ଫୋରଣରେ ୩୫୯ ପ୍ରାଣହାନି ଘଟିଥିବା ବେଳେ ୬୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ୍‌ ଅନ୍ୟୁନ ୫୮ ଜଣଙ୍କୁ ଗିରଫ କରି ସାରିଛି।