ଶ୍ରୀଲଙ୍କାକୁ 263 ରନ୍‌ରେ ପରାସ୍ତ କରି ସିରିଜ୍‌ ଜିତିଲା ପାକିସ୍ତାନ

Published: Dec 23, 2019, 2:39 pm IST

କରାଚୀ,23/12 : କରାଚୀରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ବିଜୟୀ ହେବା ସହିତ ସିରିଜ୍‌ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ପଛୁଆ ରହିବା ସତ୍ତ୍ବେ ପାକିସ୍ତାନ 263 ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମ ଇନିଂସରେ ପାକିସ୍ତାନ ମାତ୍ର 191 ରନ୍‌ ସଂଗ୍ରହ କରିଥିବା ବେଳେ ଶ୍ରୀଲଙ୍କା 271 ରନ୍‌ ସଂଗ୍ରହ କରିଥିଲା । 80 ରନ୍‌ର ପଛୁଆ ପାକିସ୍ତାନ ପକ୍ଷରୁ ଦ୍ବିତୀୟ ଇନିଂସରେ ଟପ୍‌ ଅର୍ଡରର ପ୍ରଥମ ଚାରି ବ୍ୟାଟ୍ସମ୍ୟାନ୍‌ ଶତକ ହାସଲ କରିଥିଲେ । ଦୁଇ ଓପ୍ନର ଆବିଦ୍‌ ଅଲୀ(174) ଏବଂ ସାନ୍‌ ମାସୁଦ୍‌(135) ପ୍ରଥମ ଓ୍ବିକେଟ୍‌ରେ 278 ରନ୍‌ ଯୋଡିଥିଲେ । ପରେ ଅଧିନାୟକ ଆଝାର ଅଲୀ (118) ଏବଂ ବାବର ଆଜାମ(100) ଶତକ ହାସଲ କରିବାରୁ ପାକିସ୍ତାନ 3 ଓ୍ବିକେଟ୍‌ ବିନିମୟରେ 555 ରନ୍‌ ସଂଗ୍ରହ କରିଥିଲା । 476 ରନ୍‌ର ବିଜୟ ଲକ୍ଷ୍ୟରେ ବ୍ୟାଟ୍ସମ୍ୟାନଙ୍କ ବିଫଳତା କାରଣରୁ ଶ୍ରୀଲଙ୍କା 212 ରନ୍‌ରେ ସମସ୍ତ ଓ୍ବିକେଟ ହରାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଓସାଡା ଫର୍ଣ୍ଣାଣ୍ଡୋ(102) ଶତକ ହାସଲ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତାରୁ ଦଳ ପରାଜୟ ବରଣ କରିଥିଲା । ଆବିଦ୍‌ ଅଲୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସୀ)

Related posts