Categories
ଆଜିର ଖବର ଖେଳ ଜାତୀୟ ଖବର

୨୦୨୩ ର ଶ୍ରେଷ୍ଠ ଟେଷ୍ଟ ଦଳ ଘୋଷଣା କଲା ଆଇସିସି, ଜାଣନ୍ତୁ କେଉଁ ଫର୍ମାଟରେ କେତେଜଣ ଭାରତୀୟ ସାମିଲ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୨୦୨୩ ବର୍ଷର ସର୍ବୋତ୍ତମ ଟେଷ୍ଟ ଦଳ ଘୋଷଣା କରିଛି। ଏହି ଦଳରେ ଭାରତର ଦୁଇ ଖେଳାଳି ସ୍ଥାନ ପାଇଛନ୍ତି। ଆଇସିସି ଦ୍ୱାରା ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସଙ୍କୁ ୨୦୨୩ର ଶ୍ରେଷ୍ଠ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ଟି -୨୦ ଭଳି ପାକିସ୍ତାନର କୌଣସି ଖେଳାଳି ମଧ୍ୟ ଟେଷ୍ଟ ଦଳରେ ସ୍ଥାନ ପାଇନାହାଁନ୍ତି।

୨୦୨୩ ବର୍ଷର ଆଇସିସିର ଶ୍ରେଷ୍ଠ ଟେଷ୍ଟ ଦଳରେ ଅଷ୍ଟ୍ରେଲିଆର ପାଞ୍ଚଜଣ ଖେଳାଳି, ଭାରତରୁ ଦୁଇଜଣ, ଇଂଲଣ୍ଡରୁ ଦୁଇଜଣ, ଶ୍ରୀଲଙ୍କାରୁ ଜଣେ ଏବଂ ନ୍ୟୁଜିଲ୍ୟାଣ୍ଡର ଜଣେ ଖେଳାଳି ଅଛନ୍ତି। ଆଇସିସି ୨୦୨୩ର ଶ୍ରେଷ୍ଠ ଟେଷ୍ଟ ଦଳରେ ଭାରତର ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅନ୍ତର୍ଭୁକ୍ତ କରିଛି। ଅଷ୍ଟ୍ରେଲିଆର ଓପନର୍ ଉସମାନ ଖ୍ୱାଜା, ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍, ୱିକେଟ୍ କିପର ଆଲେକ୍ସ କେରି, ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଏବଂ ମିଚେଲ ଷ୍ଟାର୍କ ସ୍ଥାନ ପାଇଛନ୍ତି।

୨୦୨୩ ବର୍ଷର ଶ୍ରେଷ୍ଠ ଟେଷ୍ଟ ଦଳରେ ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ, ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ, ଇଂଲଣ୍ଡର ଜୋ ରୁଟ ଏବଂ ଷ୍ଟୁଆର୍ଟ ବ୍ରଡ ମଧ୍ୟ ସାମିଲ ହୋଇଛନ୍ତି। ତେବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଜିତିଥିବା ଅଷ୍ଟ୍ରେଲୀୟ ଦଳର ପାଞ୍ଚଜଣ ସଦସ୍ୟ ଏହି ଦଳରେ ଅନ୍ତର୍ଭୁକ୍ତ।

ପ୍ରକାଶ ଯେ ପ୍ରତିବର୍ଷ ଆଇସିସି ସମସ୍ତ ତିନୋଟି ଫର୍ମାଟ୍ର ଶ୍ରେଷ୍ଠ ପୁରୁଷ ଏବଂ ମହିଳା ଦଳ ଚୟନ କରେ। ବିଶ୍ଵର ବିଭିନ୍ନ ସ୍ଥାନରୁ ୧୧ ଜଣ ଖେଳାଳି ଯେଉଁମାନେ ଭଲ ପ୍ରଦର୍ଶନ କରନ୍ତି ଏହି ଦଳଗୁଡିକରେ ସ୍ଥାନ ପାଆନ୍ତି। ଆଇସିସି ୨୦୨୩ର ଶ୍ରେଷ୍ଠ ଟି-୨୦, ସର୍ବୋତ୍ତମ ଦିନିକିଆ ଏବଂ ସର୍ବୋତ୍ତମ ଟେଷ୍ଟ ଦଳ ଘୋଷଣା କରିଛି।

୨୦୨୩ର ଆଇସିସିର ଶ୍ରେଷ୍ଠ ଟେଷ୍ଟ ଦଳ- ଉସମାନ ଖ୍ୱାଜା, ଦିମୁଥ କରୁଣାରତ୍ନେ, କେନ ୱିଲିୟମସନ, ଜୋ ରୁଟ, ଟ୍ରାଭିସ ହେଡ, ରବିନ୍ଦ୍ର ଜାଡେଜା, ଆଲେକ୍ସ କେରୀ (ୱିକେଟ୍ କିପର), ପ୍ୟାଟ କମିନ୍ସ (ଅଧିନାୟକ), ଆର ଅଶ୍ୱିନ, ମିଚେଲ ଷ୍ଟାର୍କ ଏବଂ ଷ୍ଟୁଆର୍ଟ ବ୍ରଡ।

ଆଇସିସି ODI ଟିମ୍ ଅଫ୍ ଦି ଇୟର ୨୦୨୩- ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଟ୍ରାଭିସ୍ ହେଡ୍, ବିରାଟ କୋହଲି, ଡାରିଲ ମିଚେଲ, ହେନ୍ରିଚ୍ କ୍ଲାସେନ୍ (ୱିକେଟ୍ କିପର), ମାର୍କୋ ୟାନସେନ୍, ଆଦାମ ଜାମ୍ପା, କୁଲଦୀପ ଯାଦବ, ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମି।

୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳ – ଯଶସ୍ୱୀ ଜୟଶ୍ଵାଲ, ଫିଲ୍ ସଲ୍ଟ, ନିକୋଲାସ ପୁରାନ୍ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ମାର୍କ ଚାପମାନ, ସିକନ୍ଦର ରଜା, ଅଳ୍ପେଶ ରାମଜାନି, ମାର୍କ ଅଡାୟର, ରବି ବିଷ୍ନୋଇ, ରିଚାର୍ଡ ନଗାରୱା ଏବଂ ଅର୍ଶଦୀପ ସିଂ।

Categories
ଆଜିର ଖବର

ଶ୍ରୀଲଙ୍କାକୁ 263 ରନ୍‌ରେ ପରାସ୍ତ କରି ସିରିଜ୍‌ ଜିତିଲା ପାକିସ୍ତାନ

କରାଚୀ,23/12 : କରାଚୀରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ବିଜୟୀ ହେବା ସହିତ ସିରିଜ୍‌ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ପଛୁଆ ରହିବା ସତ୍ତ୍ବେ ପାକିସ୍ତାନ 263 ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମ ଇନିଂସରେ ପାକିସ୍ତାନ ମାତ୍ର 191 ରନ୍‌ ସଂଗ୍ରହ କରିଥିବା ବେଳେ ଶ୍ରୀଲଙ୍କା 271 ରନ୍‌ ସଂଗ୍ରହ କରିଥିଲା । 80 ରନ୍‌ର ପଛୁଆ ପାକିସ୍ତାନ ପକ୍ଷରୁ ଦ୍ବିତୀୟ ଇନିଂସରେ ଟପ୍‌ ଅର୍ଡରର ପ୍ରଥମ ଚାରି ବ୍ୟାଟ୍ସମ୍ୟାନ୍‌ ଶତକ ହାସଲ କରିଥିଲେ । ଦୁଇ ଓପ୍ନର ଆବିଦ୍‌ ଅଲୀ(174) ଏବଂ ସାନ୍‌ ମାସୁଦ୍‌(135) ପ୍ରଥମ ଓ୍ବିକେଟ୍‌ରେ 278 ରନ୍‌ ଯୋଡିଥିଲେ । ପରେ ଅଧିନାୟକ ଆଝାର ଅଲୀ (118) ଏବଂ ବାବର ଆଜାମ(100) ଶତକ ହାସଲ କରିବାରୁ ପାକିସ୍ତାନ 3 ଓ୍ବିକେଟ୍‌ ବିନିମୟରେ 555 ରନ୍‌ ସଂଗ୍ରହ କରିଥିଲା । 476 ରନ୍‌ର ବିଜୟ ଲକ୍ଷ୍ୟରେ ବ୍ୟାଟ୍ସମ୍ୟାନଙ୍କ ବିଫଳତା କାରଣରୁ ଶ୍ରୀଲଙ୍କା 212 ରନ୍‌ରେ ସମସ୍ତ ଓ୍ବିକେଟ ହରାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଓସାଡା ଫର୍ଣ୍ଣାଣ୍ଡୋ(102) ଶତକ ହାସଲ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତାରୁ ଦଳ ପରାଜୟ ବରଣ କରିଥିଲା । ଆବିଦ୍‌ ଅଲୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସୀ)