Categories
ଆଜିର ଖବର ଆଞ୍ଚଳିକ

ଅଚାନକ ବିଦ୍ୟାଳୟ ପରିଦର୍ଶନ କରି ସେବାଶ୍ରମରେ ପାଠ ପଢାଇଲେ ସମ୍ବଲପୁର ଜିଲ୍ଲାପାଳ

କନ୍ଦର୍ପ ବେହେରା
ସମ୍ବଲପୁର/ରେଢାଖୋଲ: ନାକ୍ଟିଦେଉଳ ବ୍ଲକ୍ ର ଖଣ୍ଡିଆମୁଣ୍ଡା ସେବାଶ୍ରମ ବିଦ୍ୟାଳୟକୁ ଜିଲ୍ଲାପାଳ ଅଚାନକ ଗସ୍ତକରି ପିଲାମାନଙ୍କୁ ପାଠ ପଢାଇଛନ୍ତି। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା କିସିଣ୍ଡା ପଂଚାୟତର ଖଣ୍ଡିଆମୁଣ୍ଡା ସେବାଶ୍ରମ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇଥିବାର ଖବର ମିଳିଛି। ସେ ସିଧାସଳଖ କ୍ଲାସ୍ ରୁମ୍ କୁ ଯାଇ ପ୍ରଥମେ ପ୍ରଧାନଶିକ୍ଷକ ସୁରୁବାବୁ ମେହେରଙ୍କ ଉପସ୍ଥିତିରେ ପିଲାମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ। ଇଂରାଜୀରେ ୧୦୦ ପର୍ଯ୍ୟନ୍ତ ସଂଖ୍ୟା ପିଲାମାନଙ୍କୁ ପଚାରିଥିଲେ। ଜିଲ୍ଲାପାଳ ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ପାଠ ପଢାଇଥିଲେ।

ଏଠାରେ ପ୍ରଶ୍ନ ଉଠେ ଯେ ଜିଲ୍ଲାପାଳ ଆସି ଏଠାରେ ବିଦ୍ୟାଳୟମାନଙ୍କୁ ପଶି ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଉଥିବା ବେଳେ ଏହା ଶିକ୍ଷକମାନଙ୍କ ଉପରେ କି ପ୍ରକାର ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି। ଜିଲ୍ଲାପାଳଙ୍କ ଗସ୍ତ ପରେ ଏହି ସେବାଶ୍ରମରେ ଶିକ୍ଷକ ଅଭାବ ସମସ୍ୟା ଦୂର ହେବା ନେଇ ଆଶା କରାଯାଉଛି। ସେହିପରି ସେବାଶ୍ରମ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ପାଇଁ ଜଣେ ମହିଳା ମେଟ୍ ରନର ଆବଶ୍ୟକତା ରହିଥିବା ବେଳେ ଜିଲ୍ଲାପାଳ ଏହା ଉପରେ ଧ୍ୟାନ ଦେବା ନେଇ ଆଶା କରାଯାଉଛି। ଏହା ପୂର୍ବରୁ ମଧ୍ୟ ଜିଲ୍ଲାପାଳ ଶିମିଳିପାଳ ଓ ଘୋଷରାମାଳ ଗସ୍ତ କରି ବିଦ୍ୟାଳୟକୁ ଯାଇ ପାଠ ପଢାଇଥିଲେ। ଜିଲ୍ଲାପାଳଙ୍କ ଏହି ଉଦ୍ୟମକୁ ଜନସାଧାରଣଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି।