Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି’ ସମ୍ମିଳନୀ

ଭୁବନେଶ୍ବର: ବିଭିନ୍ନ କ୍ଷେତ୍ରରେ ଲଗାତାର ଅଭିବୃଦ୍ଧି ସହ ଓଡ଼ିଶାରେ ଆଜି ରୂପାନ୍ତରଣର ଏକ ନୂଆ ଚିତ୍ର ସ୍ପଷ୍ଟ ହୋଇପାରିଛି । ରାଜ୍ୟରେ ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ଆଗଧାଡ଼ିର ରାଜ୍ୟ ଭାବେ ପରିଚୟ ହାସଲ କରିଛି।

ଏହି ଅଭିବୃଦ୍ଧି ହାରକୁ ଦୀର୍ଘସ୍ଥାୟୀ କରିବା ସହ ଯୁବପିିଢ଼ିଙ୍କୁ ସୁଦକ୍ଷ କରି ଭବିଷ୍ୟତର ମାନବ ସମ୍ବଳ ଆବଶ୍ୟକତା ଲାଗି ପ୍ରସ୍ତୁତ କରିବାକୁ ଭୁବନେଶ୍ୱରରେ ଚାଲିଥିବା ପ୍ରଥମ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ରେ ବ୍ୟାପକ ମାନସମନ୍ଥନ ହୋଇଛି।

ଏହି ଦୁଇଦିନିଆ ସମ୍ମିଳନୀ ମଙ୍ଗଳବାର ଦିନ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରମୁଖ ଶିଳ୍ପ ନେତୃତ୍ୱ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ତଥା ନିଯୁକ୍ତି ଓ ମାନବ ସମ୍ବଳ ବିକାଶ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ସେମାନଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ବିଶେଷକରି ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ପ୍ରଶାସକ ଓ ପ୍ରଶିକ୍ଷକମାନେ ବିଭିନ୍ନ ଅଧିବେଶନରେ ଯୋଡ଼ି ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ୧୬ଟି ବିଶେଷ ଅଧିବେଶନ ଜରିଆରେ ସେମାନେ ଭବିଷ୍ୟତର ଶିଳ୍ପ ପାଇଁ ଓଡ଼ିଶାରେ ରହିଥିବା ସମ୍ଭାବନା ତଥା ଭବିଷ୍ୟତ ଲାଗି ମାନବ ସମ୍ବଳ ପ୍ରସ୍ତୁତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରମୁଖ ବ୍ୟକ୍ତିତ୍ୱ ଓ ବିଶେଷଜ୍ଞମାନେ ସେମାନଙ୍କ ମତ ଓ ପରାମର୍ଶ ଉପସ୍ଥାପନ କରିଥିଲେ।

ମଙ୍ଗଳବାର ଦିନ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ ଯୋଗଦେଇ କହିଥିଲେ ଯେ, ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଅପାର ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପ ନୀତି ଆଜି ଦେଶବିଦେଶର ନିବେଶକମାନଙ୍କୁ ବିଶେଷ ଭାବେ ଆକୃଷ୍ଟ କରୁଛି। ପାରମ୍ପରିକ ଶିଳ୍ପ ସହ ଆଇଟି ଏବଂ ଆଇଟିଇଏସ୍‌, ମାନୁଫାକଚରିଂ, ଲଜିଷ୍ଟିକ୍‌ ଓ ସପ୍ଲାଏ ଚେନ୍‌ ତଥା ବିଭିନ୍ନ ସେବା କ୍ଷେତ୍ର ଲାଗି ଓଡ଼ିଶାରେ ବ୍ୟାପକ ସମ୍ଭାବନା ରହିଛି।

ଏହାଛଡ଼ା ଆଗାମୀ କାଲିର ଶିଳ୍ପ ଓ ବିଭିନ୍ନ କ୍ଷେତ୍ରର ଯେଉଁ ମାନବ ସମ୍ବଳର ଆବଶ୍ୟକତା ରହିଛି ତାହା ଆଜିଠାରୁ ପ୍ରସ୍ତୁତ କରିବା ପାଇଁ ଆମ ରାଜ୍ୟ ପ୍ରସ୍ତୁତ ହେଉଛି । ଏହି ଦୁଇଦିନିଆ ସମ୍ମିଳନୀରେ ଏହିସବୁ ବିଷୟରେ ଯେଉଁ ବ୍ୟାପକ ଆଲୋଚନା ହେଲା ତାହା ଆମକୁ ଏକ ନୂଆ ମାର୍ଗଦର୍ଶନ ଦେବାରେ ସହାୟକ ହେବ।

ସୋମବାର ଦିନ ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ ଯେ, ଏଭଳି କାର୍ଯ୍ୟକ୍ରମ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ତଥା ଭବିଷ୍ୟତ ଲାଗି ଯୁବପିିଢ଼ିଙ୍କ ଦକ୍ଷତା ବୃଦ୍ଧି ପରିପ୍ରେକ୍ଷୀରେ ନୂଆ ବାଟ ଦେଖାଇବ । ସେହିପରି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ୍‌ ଯୋଗଦେଇ ଓଡ଼ିଶାର ରୂପାନ୍ତରଣର ନୂଆ ଯୁଗ ସମ୍ପର୍କରେ ଉପସ୍ଥାପନା କରିଥିଲେ।

ସମ୍ମିଳନୀର ପ୍ରଥମ ଦିନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ସ୍କିଲï-ଇନ୍‌-ଓଡ଼ିଶା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ହୋଇଥିବାବେଳେ ଓଡ଼ିଶା ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର ଭାବେ ପରିଗଣିତ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ସମ୍ମିଳନୀ ପ୍ରମୁଖ ନିଯୁକ୍ତିଦାତା ଏବଂ ନିବେଶକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ।

ସମ୍ମିଳନୀର ଦ୍ୱିତୀୟ ଦିନରେ ‘ମିଶନ ଶକ୍ତି ଓଡ଼ିଶା’ ଶୀର୍ଷକରେ ଏକ ବିଶେଷ ଅଧିବେଶନ ହୋଇଥିଲା। ଏଥିରେ ମିଶନ ଶକ୍ତି ବିଭାଗର ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍‌ ଯୋଗଦେଇ ରାଜ୍ୟରେ ମହିଳା ସଶକ୍ତିକରଣର ସୁଦୂରପ୍ରସାରୀ ସୁଫଳ ସମ୍ପର୍କରେ କହିଥିଲେ।ରାଜ୍ୟର ଦ୍ରୁତ ଅଭିବୃଦ୍ଧି ପଛରେ ୭୦ ଲକ୍ଷରୁ ଅଧିକ ମହିଳା ଶକ୍ତିଙ୍କର ହାତ ରହିଛି ବୋଲି ସେ ବର୍ଣ୍ଣନା କରିଥିଲେ।

ଏହାସହ ମଙ୍ଗଳବାର ଦିନ ବିଭିନ୍ନ ବିଷୟରେ ହୋଇଥିବା ବୈଷୟିକ ଅଧିବେଶନରେ ପୂର୍ବତନ ଶିଳ୍ପ ନେତୃତ୍ୱ ତଥା ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକଫର ସଂତୃପ୍ତ ମିଶ୍ର, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ହେମନ୍ତ ଶର୍ମା ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର ସିଂ ପ୍ରମୁଖ ଯୋଗ ଦେଇଥିଲେ।

ଉଦଯାପନୀ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରୀମତୀ ଅଳକା ମିଶ୍ର ଯୋଗ ଦେଇଥିଲେ । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରମୁଖ ଶିଳ୍ପ ବ୍ୟକ୍ତିତ୍ୱ ଓ ମାନବ ସମ୍ବଳ ଓ ଦକ୍ଷତା ବିକାଶ ବିଶେଷଜ୍ଞମାନଙ୍କ ସକ୍ରିୟ ଯୋଗଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ଲକଡାଉନରେ ଏସଏଚଜି କୁ ବିନା ସୁଧରେ ଦିଆଗଲା ୧୪୫ କୋଟି ଟଙ୍କାର ଋଣ, ମିଶନଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଓ ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶକ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

1-୧୪ ଦିନ କ୍ୱାରାଣ୍ଟାଇନ୍‌ ଅବଧି ପୂରଣ ପରେ କେତେକ କ୍ଷେତ୍ରରେ କୋଭିଡ୍‌-୧୯ ଚିହ୍ନଟ ହେବା ଲକ୍ଷ୍ୟ କରି ତଥା ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ଏବଂ କୋଭିଡ୍‌-୧୯ ରୋଗପୁଷ୍ଟି ଅବଧି ସଂପର୍କିତ କେତେକ ରିପୋର୍ଟକୁ ବିଚାର କରି ପୂର୍ବରୁ ଘୋଷିତ ୧୪ ଦିନ କ୍ୱାରାଣ୍ଟାଇନ୍‌ ଅବଧିକୁ ରାଜ୍ୟ ସରକାର ୨୮ ଦିନକୁ ବୃଦ୍ଧି କରିଛନ୍ତି। ଓଡ଼ିଶାକୁ ଫେରୁଥିବା ସମସ୍ତ ବ୍ୟକ୍ତି ୨୮ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ ପୁନଃ ଗୁରୁତ୍ୱାରୋପ କରିଛନ୍ତି।୨୧ ଦିନ ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ଅବଧି ମଧ୍ୟରେ ସେମାନଙ୍କର ସନ୍ତୋଷଜନକ ଆଚରଣ ଓ ସ୍ୱାସ୍ଥ୍ୟାବସ୍ଥାକୁ ବିଚାର କରି ପରେ ୭ ଦିନ ପାଇଁ ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ ନିମନ୍ତେ ଅନୁମତି ମିଳିପାରିବ। ହୋମ୍‌ କ୍ୱାରାଣ୍ଟାଇନ୍‌ ସମୟରେ ସଂପୃକ୍ତ ବ୍ୟକ୍ତି ନିର୍ଦ୍ଧାରିତ କ୍ୱାରାଣ୍ଟାଇନ୍‌ ନିୟମଗୁଡ଼ିକ କଡ଼ାକଡ଼ି ପାଳନ କରିବେ।

2-ରାଜ୍ୟରେ କୋଭିଡ୍‌-୧୯ ପଜିଟିଭ୍‌ ସଂଖ୍ୟା ଗତ ଏକ ମାସରୁ ଊଦ୍ଧ୍ୱର୍ ସମୟ ମଧ୍ୟରେ ବିଶେଷ ବୃଦ୍ଧି ପାଇନଥିବା ବେଳେ ଗତ ଅଳ୍ପ କେତେଦିନ ମଧ୍ୟରେ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ ଏଥି ପାଇଁ ଜନସାଧାରଣ ବିଶେଷ ଭୟଭୀତ ହେବାର କାରଣ ନାହିଁ। ଏହି ପଜିଟିଭ୍‌ଗୁଡ଼ିକ ବାହାର ରାଜ୍ୟରୁ ଆସି ବିଭିନ୍ନ ସଂଗରୋଧ କେନ୍ଦ୍ର (କ୍ୱାରାଣ୍ଟାଇନ୍‌ ସେଣ୍ଟର)ରେ ରହିଥିବା କିଛି ଲୋକଙ୍କଠାରେ ହିଁ ଚିହ୍ନଟ ହୋଇଛି। ମାତ୍ର ସଙ୍ଗରୋଧ ଓ ନିର୍ଦ୍ଦେଶାବଳୀ ଅନୁପାଳନ ବଳରେ କରୋନାକୁ ପ୍ରତିହତ କରାଯାଇପାରିବ।

3-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, କୋଭିଡ୍‌-୧୯ ଲକ୍‌ ଡାଉନ୍‌ର ଅସାଧାରଣ ପରିସ୍ଥିତିରେ ରାଜ୍ୟର ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କର ଖାଦ୍ୟ ନିରାପତ୍ତା ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ସକି୍ରୟ ଅଂଶଗ୍ରହଣ ସହିତ ସେମାନଙ୍କ ନିଃସ୍ୱାର୍ଥପର ସେବା, ଉତ୍ସାହ ଓ ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଛନ୍ତି।

4-ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନିରାଶି୍ରତ ଏବଂ ଅସହାୟ ଲୋକମାନଙ୍କୁ ଲକ୍‌ଡାଉନ ସମୟରେ ମାଗଣା ରନ୍ଧାଖାଦ୍ୟ ଯୋଗାଇବାରେ ୭୧୨୭ଟି ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇ ୧ କୋଟି ୫୬ ଲକ୍ଷ ମିଲ୍‌ ଯୋଗାଇ ଦେଇଛନ୍ତି। ପୌରାଞ୍ଚଳରେ ଆହାର କେନ୍ଦ୍ର ପରିଚାଳନାରେ ମଧ୍ୟ ସେମାନେ ସକି୍ରୟ ଭୂମିକା ଗ୍ରହଣ କରିଛନ୍ତି। ଏ ପର୍ଯ୍ୟନ୍ତ ଆହାର କେନ୍ଦ୍ରଗୁଡ଼ିକୁ ୨ ଲକ୍ଷ ୫ ହଜାର ମିଲ୍‌ ଯୋଗାଇ ଦେଇଛନ୍ତି। ହସ୍‌ପିଟାଲ୍‌ରେ ଚିକିତ୍ସିତ ୪୪,୮୩୨ ରୋଗୀଙ୍କୁ ଖାଦ୍ୟ ପ୍ରସ୍ତୁତ କରି ଯୋଗାଇ ଦେଇଛନ୍ତି। କୋଭିଡ୍‌-୧୯ କଠିନ ପରିସ୍ଥିତିରେ ନିରାଶ୍ରିତ ଓ ଅସହାୟ ଲୋକମାନଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇଦେବାରେ ଏହି ମା’ମାନଙ୍କ ଅବଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତି ମିଲ୍‌ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦିଆଯିବ ବୋଲି ଘୋଷଣା କରିଛନ୍ତି।

5-ଲକ୍‌ ଡାଉନ୍‌ ସମୟରେ ୧୨୪୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ୪୦ ଲକ୍ଷରୁ ଊଦ୍ଧ୍ୱର୍ ମାସ୍କ ତିଆରି କରି ସ୍ୱଳ୍ପ ମୂଲ୍ୟରେ ଜନସାଧାରଣଙ୍କୁ ଯୋଗାଇ ଦେଇଛନ୍ତି। ଲକ୍‌ ଡାଉନ୍‌ରେ ଦୋକାନବଜାର ବନ୍ଦଥିବାବେଳେ ରାସନ୍‌ ଏବଂ ପନିପରିବା ଯୋଗାଇବାରେ ସ୍ୱୟଂ ସହାୟକ ଗୋଷ୍ଠୀର ୮୦୦୦ ସଦସ୍ୟା ଅନୁରୂପ ଭାବେ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ଦ୍ୱାରା ୫୯୫ଟି ଦୋକାନ ଓ ୧୫୪ଟି ମୋବାଇଲ୍‌ ଭ୍ୟାନ୍‌ ମାଧ୍ୟମରେ ୧୫,୨୭୪ କ୍ୱିଣ୍ଟାଲ୍‌ ପରିମାଣର ପନିପରିବା ଓ ଶୁଖିଲା ରାସନ୍‌ ସାମଗ୍ରୀ ବିକି୍ର ହୋଇଛି।

6-ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମା’ ଏସବୁ କାର୍ଯ୍ୟକ୍ରମ ସହିତ ମାଛଚାଷ, ଛତୁଚାଷ, ପନିପରିବା ଚାଷ, ଫାର୍ମ ପଣ୍ଡ ପରିଚାଳନା, ଗୋପାଳନ, ଅଙ୍ଗନବାଡିକୁ ଟେକ୍‌ ହୋମ୍‌ ରାସନ୍‌ ଯୋଗାଣ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁଲଭ ମୂଲ୍ୟ ଦୋକାନ ପରିଚାଳନା ଆଦି ମାଧ୍ୟମରେ ଅର୍ଥନୈତିକ କାର୍ଯ୍ୟକଳାପ ଜାରି ରଖିଛନ୍ତି।

7-ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ଅପ୍ରେଲ ମାସରୁ ଏ ପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ୧୪୫ କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯାଇଛି।

8-ନିଜ ପରିବାରର ସଦସ୍ୟମାନଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ପୃଥକ ରଖିବା ସହିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବାଧ୍ୟତାମୂଳକ ସଙ୍ଗରୋଧ ପାଳନ କରିନଥିବା ଲୋକମାନଙ୍କୁ ସେମାନଙ୍କ ଘରକୁ ଆସିବାକୁ ନଦେଇ ସେମାନଙ୍କ ଗ୍ରାମରେ କୋଭିଡ୍‌-୧୯ ବିରୋଧରେ ହେଉଥିବା ଯୁଦ୍ଧରେ ଜଣେ ଜଣେ କୋଭିଡ୍‌ ସଂଗ୍ରାମୀ ଭାବରେ ଭୂମିକା ନିର୍ବାହ କରିବାକୁ ମିଶନ ଶକ୍ତିର ନିର୍ଦ୍ଦେଶିକା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନଙ୍କୁ ଅନୁରୋଧ କରିଛନ୍ତି ।

9-ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୬୩୪୦ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୫୨,୭୨୩ ଜଣ ଫେରିଛନ୍ତି । ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି।

10-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏସ୍‌ସିବି ମେଡିକାଲ୍‌ କଲେଜ, କଟକର ଟେଲିମେଡିସିନ୍‌ ସେଣ୍ଟରରେ ଘରୋଇ ଚିକିତ୍ସକ/ଇଏସ୍‌ଆଇ ହାସପାତାଳଗୁଡ଼ିକ ନିମନ୍ତେ କୋଭିଡ୍‌-୧୯ ପରିଚାଳନା ସଂପର୍କିତ ଓ୍ବେବ୍‌ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଏବଂ ଏଥିରେ ୨୫୦ରୁ ଊଦ୍ଧ୍ୱର୍ ଡାକ୍ତର ଅଂଶଗ୍ରହଣ କରଛନ୍ତି।

11-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୪,୩୦୮ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୫,୭୫,୨୧୫ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

12-ଆଜି ରାଜ୍ୟର ୪୯୯୪ ଗ୍ରାମ ପଞ୍ଚାୟତରେ ୩,୧୮,୬୩୦ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୩୫,୧୫୪ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି।

13-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୮ରୁ ମଇ ୯ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୩୧ଟି ମାମଲା ଦାୟର କରାଯାଇଛି। ସେଥିରୁ ୨୮ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ, ୧ଟି ଗୁଜବ ପ୍ରଚାର ପାଇଁ ଏବଂ ୧ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ। ବିଭିନ୍ନ ଅଭିଯୋଗରେ ୪୯ ଜଣଙ୍କୁ ଗିରଫ କରାଯାଇଛି।