Categories
ଆଜିର ଖବର

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଝିଅ ସୁନିତା ହାତ ଛାଡ଼ି ଧରିଲେ ଶଙ୍ଖ

ନିର୍ବାଚନ ପୂର୍ବରୁ ଦଳ ବଦଳ ରାଜନୀତି ଏକ ସ୍ବାଭାବିକ ପ୍ରକ୍ରିୟା । ନିକଟରେ କଂଗ୍ରେସ ଟିକଟ ବଣ୍ଟନରେ ପରିବାରବାଦକୁ ଆପଣାଇବ ନାହିଁ ବୋଲି ସ୍ପଷ୍ଟ କରିଛି । ଏପରିକି ଗୋଟିଏ ପରିବାରର ଜଣକୁ ଟିକଟ ଦିଆଯିବା ପରେ କଂଗ୍ରେସ ଭିତରେ ଅନ୍ତଃକନ୍ଦଳ ଚାଲିଥିବା ଅନୁଭୂତ ହେଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ ଆଜି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି । ନବୀନ ନିବାସରେ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି ସୁନୀତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନୀତାଙ୍କୁ ସ୍ୱାଗତ କରିଛନ୍ତି । ପୂର୍ବରୁ ଝାରସୁଗୁଡ଼ା ବିଧାୟକ ନବ ଦାସ ଓ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବାବେଳେ ଏବେ ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଥିବା ସୁନିତା ବିଜେଡ଼ିରେ ପ୍ରବେଶ କରିଛନ୍ତି । କଂଗ୍ରେସ ନେତାଙ୍କ ବିଜେଡିରେ ମିଶିବାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ତଥା ରାଜ୍ୟରେ କଂଗ୍ରେସର ଚିନ୍ତା ବଢିଯାଇଛି । ପ୍ରଦେଶ କଂଗ୍ରେସ କମିଟି ଉଭୟ ଲୋକସଭା ଓ ବିଧାନସଭାର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ କମିଟିର ଅନୁମୋଦନ ପାଇଁ ପଠାଇଛି ।  ଏଥିରେ ସୁନିତାଙ୍କ ନାମ ସୁନ୍ଦରଗଡ଼ ବିଧ‌ାନସଭା ଆସନ ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ଅଚାନକ ସୁନିତା ଦଳ ଛାଡ଼ିଛନ୍ତି ।  ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେମାନନ୍ଦଙ୍କ ଦୁଇ ଭାଇ କ୍ଷୀରସାଗର ବିଶ୍ବାଳ ଓ ବିହାରୀ ବିଶ୍ବାଳ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ନିର୍ବାଚନ ପୂର୍ବରୁ କଂଗ୍ରେସ ଶିବିର ଛାଡ଼ି ନେତାମାନେ ବିଜେଡ଼ି ମୁହାଁ ହେବା ଦଳର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । କଂଗ୍ରେସ ନେତୃତ୍ବଙ୍କ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି ।