Categories
ଆଜିର ଖବର

ସୂର୍ଯ୍ୟବଂଶୀରେ ଅକ୍ଷୟଙ୍କ ସହ ନଜର ଆସିବେ କ୍ୟାଟ୍ରିନା କୈଫ୍‌

ଦୀର୍ଘଦିନ ପରେ ପରଦାରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‍ଙ୍କ ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ରୋହିତ୍‍ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ରିନାଙ୍କୁ ଅକ୍ଷୟଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିବ। ଅକ୍ଷୟ ଏହି ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ରର ନାୟିକା କିଏ ହେବେ ନେଇ ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲା। କିନ୍ତୁ ଏବେ କ୍ୟାଟ୍ରିନା ଏହି ଚଳଚ୍ଚିତ୍ରର ନାୟିକା ଭୂମିକାରେ ନଜର ଆସିବେ ବୋଲି ଅକ୍ଷୟ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଶେୟାର କରି ସ୍ପଷ୍ଟ କରିଛନ୍ତି। ଫଟୋରେ ଅକ୍ଷୟଙ୍କୁ କ୍ୟାଟ୍ରିନା କୈଫ୍‍, ରୋହିତ୍‍ ଶେଟ୍ଟୀ ଓ କରଣ ଜୋହରଙ୍କ ସହ ଦେଖିବାକୁ ମିଳିଛି। କ୍ୟାପ୍ସନରେ ଅକ୍ଷୟ ‘ସୂର୍ଯ୍ୟବଂଶୀ ଗର୍ଲଙ୍କୁ ସ୍ୱାଗତ’ ବୋଲି ଲେଖିଛନ୍ତି। ପୂର୍ବରୁ ମଧ୍ୟ ଅକ୍ଷୟ ଓ କ୍ୟାଟ୍ରିନା ‘ହମ୍‌କୋ ଦିଓ୍ବାନା କର୍‌ଗୟେ’, ‘ସିଂ ଇଜ୍‌ କିଙ୍ଗ୍‌’, ‘ଓ୍ବେଲକମ୍‌’, ‘ନମେସ୍ତ ଲଣ୍ଡନ୍‌’ ‘ତିସ୍‌ମାର ଖାନ୍‌’, ‘ଦେ ଦନା ଦନ୍‌’,  ଆଦି ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି। ଦୁହିଁଙ୍କ ଯୋଡ଼ିକୁ ପରଦାରେ ଲୋକେ ଖୁବ୍‍ ପସନ୍ଦ କରିଥିଲେ। ଏବେ ଦୀର୍ଘଦିନ ପରେ ଦୁହେଁ ପୁଣି ପରଦାକୁ ଏକାଠି ପ୍ରତ୍ୟାବର୍ତ୍ତନ କରୁଛନ୍ତି। ‘ସୂର୍ଯ୍ୟବଂଶୀ’ ଆସନ୍ତା ବର୍ଷ ଇଦ୍‍ ଅବସରରେ ମୁକ୍ତିଲାଭ କରିବ। ଇଦ୍‌ ଅବସରରେ ସଲମନ୍‌ ଖାନ୍‌ ଓ ଭନ୍‌ସାଲୀଙ୍କ ଫିଲ୍ମ ‘ଇନ୍‌ସାହ୍ଲା’ ମଧ୍ୟ ମୁକ୍ତିଲାଭ କରିବାର ରହିଛି। ତେବେ ଇଦ୍‌ ଅବସରରେ ଭାଇଜାନ୍‌ଙ୍କ ଫିଲ୍ମ ମୁକ୍ତିଲାଭ ହୋଇଥାଏ। ଏକା ଦିନରେ ଦୁଇ ବିଗ୍‌ଷ୍ଟାର୍‌କୁ ଲଢେଇକୁ ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ରହିବେ ନିଶ୍ଚୟ।