Categories
ଆଜିର ଖବର

ଛାତ୍ରଛାତ୍ରୀଙ୍କ ପରିବହନ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଦୁର୍ଗମ ଅଞ୍ଚଳରେ ଥିବା ଜନବସତି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ୨୦୦୯ ମସିହା ଆଇନ ଅନୁସାରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ନେଇ ରାଜ୍ୟ ସରକାର ଉନ୍ନତି ଦିଗରେ ଏକ ପଦକ୍ଷେପ ନେଇଛନ୍ତି । ଏଣିକି ବାସସ୍ଥଳୀଠାରୁ ଦୁଇ,ତିନି କିମି ଦୂରରେ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ସେମାନଙ୍କ ଯାତାୟତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ପରିବାରରେ  ନିଜ ଗାଁ ଠାରୁ ଦୁଇ, ତିନି କିମି ଚାଲି ଚାଲି ଯାଉଥିବା ପିଲାଙ୍କ ପାଇଁ ପରିବହନ ଖର୍ଚ୍ଚ ପ୍ରଦାନ କରିବେ ରାଜ୍ୟ ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ , ଯଦି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତ ରୁ ଅଧିକ ରୁହେ ତେବେ ପିଲା ଓ ତତ୍ୱାବଧାରକଙ୍କୁ ମାସିକ ୬୦୦ଟଙ୍କା ପ୍ରଦାନ କରାଯିବ । ଉପସ୍ଥାନ ହାର ଯଦି ୫୦ ପ୍ରତିଶତରୁ ୬୪ପ୍ରତିଶତ ମଧ୍ୟରେ ରୁହେ ତେବେ ମାସିକ ୪୦୦ଟଙ୍କା  ପ୍ରଦାନ କରାଯିବ । ସେହିପରି ଯଦି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ୩୦ ପ୍ରତିଶତରୁ ୫୦ ପ୍ରତିଶତ ରୁହେ ସେମାନଙ୍କୁ ମାସିକ ୩୦୦ଟଙ୍କା ପରିବହନ ବାବଦ ଖର୍ଚ୍ଚ ପ୍ରଦାନ କରାଯିବ । ଉପସ୍ଥାନ ହାର ୩୦ନପ୍ରତିଶତରୁ କମ ହେଲେ ଆଦୌ ପରିବହନ ଖର୍ଚ୍ଚ ପ୍ରଦାନ କରାଯିବ ନାହିଁ । ଏହି ନିଷ୍ପତି ଅନୁଯାୟୀ ଛାତ୍ରଛାତ୍ରୀ ଓ ସେମାନଙ୍କ ତତ୍ୱାବଧାରଙ୍କୁ ନଗଦ ଟଙ୍କା ନ ଦିଆଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ।