ଡାକ୍ତରୀ ଛାତ୍ରୀ ପାୟଲ ଏସ୍ ତାଡ୍ବୀଙ୍କ ଆତ୍ମହତ୍ୟା ଘଟଣା ନୂଆ ମୋଡ ନେଇଛି। ମୁମ୍ବାଇ ପୋଲିସ୍ ହାତରୁ ମାମଲାର ତଦନ୍ତ ଭାର ନିଜ ହାତକୁ ନେଇଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। ଜାତିଗତ ଆକ୍ଷେପ ନେଇ ପାୟଲ୍ ଆତ୍ମହତ୍ୟା କରିଥିବାର ଅଭିଯୋଗ ଆସିଥିଲା। ଏହି ମାମଲାରେ ତିନି ବରିଷ୍ଠ ଡାକ୍ତରଙ୍କ ନାମ ସାମ୍ନାକୁ ଆସିବା ପରେ ମୁ୍ମ୍ବାଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ହସ୍ତାନ୍ତର କରାଯାଇଛି ବୋଲି ମୁମ୍ବାଇ ପୋଲିସ୍ ଅଧିକାରୀ ମଞ୍ଜୁନାଥ ସିଙ୍ଘେ ପ୍ରକାଶ କରିଛନ୍ତି। ଭକ୍ତି ମେହେର, ହେମା ଆହୁଜା ଏବଂ ଅଙ୍କିତା ଖଣ୍ଡେଲଓ୍ବାଲଙ୍କ ନାମ ଏହି ମାମଲାରେ ସାମ୍ନାକୁ ଆସିଛି। ଶୁକ୍ରବାର ସୁଦ୍ଧା କ୍ରାଇମବ୍ରାଞ୍ଚ ଏହାର ରିପୋର୍ଟ ମୁମ୍ବାଇ କୋର୍ଟରେ ଦାଖଲ କରିବ ବୋଲି ଜଣା ପଡିଛି।
Tag: thesamikhsya
ଆଫଗାନିସ୍ତାନର ଏକ ବିଶ୍ବବିଦ୍ୟାଳୟରେ ବୋମା ବିସ୍ଫୋରଣ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ମାର୍ଶାଲ ଫହିମ୍ ଜାତୀୟ ପ୍ରତିରକ୍ଷା ବିଶ୍ବବିଦ୍ୟାଳୟ ପରିସରରେ ଏହି ବିସ୍ଫୋରଣ ଘଟିଛି। କାବୁଲରେ ଘଟିଥିବା ଏହି ବିସ୍ଫୋରଣରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ଦୁଇ ଜଣ ସୁରକ୍ଷାକର୍ମୀ ମଧ୍ୟ ନିହତ ହୋଇଛନ୍ତି। ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାର ତଦନ୍ତ ଜାରି ରହିଛି ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି। ଏହି ଆକ୍ରମଣ ଘଟଣାରେ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି।
ଏୟାରସେଲ-ମାକ୍ସିସ୍ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ଙ୍କ ପୁଅ କର୍ତ୍ତୀ ଚିଦାମ୍ବରମଙ୍କୁ ଗିରଫରଚ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ସ୍ବତନ୍ତ୍ର କୋର୍ଟ। ମେ ୩୦ ତାରିଖରେ ଦିଲ୍ଳୀର ଏକ କୋର୍ଟ କର୍ତ୍ତୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛି। ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ କୋର୍ଟ କର୍ତ୍ତୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ସ୍ବତନ୍ତ୍ର ବିଚାରପତି ଓ ପି ସାଇନି ଏହି ମାମଲାର ବିଚାର କରିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ମାମଲାରେ କର୍ତ୍ତୀଙ୍କ ଆଗୁଆ ଜାମିନ ଆବେଦନ ଉପରେ ରିପୋର୍ଟ ଦାଖଲ କରିବା ପାଇଁ ତିନି ସପ୍ତାହ ସମୟ ମାଗିଥିବାରୁ ସ୍ବତନ୍ତ୍ର କୋର୍ଟ କର୍ତ୍ତୀଙ୍କୁ ସୁରକ୍ଷା ପ୍ରଦାନର ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଇଡିର ମୁଖ୍ୟ ସିଙ୍ଗାପୁର ଗସ୍ତରେ ରହିଥିବାରୁ ରିପୋର୍ଟ ପ୍ରସ୍ତୁତିରେ ବିଳମ୍ବ ହେଉଛି ବୋଲି ଇଡି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଆଜିଠୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ କ୍ରିକେଟ ବିଶ୍ବକପ୍। ୪୫ ଦିନ ବ୍ୟାପୀ ଆଇସିସିର ଏହି ମେଗା ଇଭେଣ୍ଟରେ ୧୦ ଟି ଟିମ୍ ଭାଗ ନେବାକୁ ଯାଉଛନ୍ତି। ଓଭାଲ୍ରେ ଉଦ୍ଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ମ୍ୟାଚ୍ ପୂର୍ବରୁ ଡେଲ୍ ଷ୍ଟେନ୍ ଆହତ ହୋଇ ବାଦ୍ ପଡିବା ଦକ୍ଷିଣଆଫ୍ରିକା ପାଇଁ ସମସ୍ୟା ସୃଷ୍ଟି କରିଛି। ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ଆୟୋଜକ ଇଂଲଣ୍ଡ ସହଜ ବିଜୟ ସହିତ ଅଭିଯାନ ଆରମ୍ଭ କରିବାର ଲକ୍ଷ୍ୟ ରଖିଛି। ଭାରତୀୟ ସମୟ ୩.୦୦ ରେ ମ୍ୟାଚ୍ ଆରମ୍ଭ ହେବ। କେଭିନ୍ ପିଟରସନ୍, ଶିବାନୀ ଦାଣ୍ଡେକର ଏବଂ ପ୍ୟାଡ୍ଡି ମେକ୍ଗନିସେସ୍ ଉଦ୍ଘାଟନୀ କାର୍ଯ୍ୟକ୍ରମ ପରିଚାଳନା କରିବେ।
ସ୍ଥାନ : ଦ ଓଭାଲ , ଲଣ୍ଡନ
ସମୟ- ଅପରାହ୍ନ ୩.୦୦
ଚଳିତ ସପ୍ତଦଶ ଲୋକସଭା ନିର୍ବାଚନରେ ଅପ୍ରତ୍ୟାଶିତ ପରାଜୟ ପରେ ସମାଜବାଦୀ ପାର୍ଟିର ରାସ୍ତା ଆପଣେଇବାର ନିଷ୍ପତ୍ତି ନେଇଛି କଂଗ୍ରେସ ଦଳ। ଦଳର କୌଣସି ବି ପ୍ରବକ୍ତା ଜାତୀୟ ଗଣମାଧ୍ୟମରେ ଅନୁଷ୍ଠିତ କୌଣସି ବିତର୍କରେ ଭାଗ ନେଇ ପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ଗୁରୁବାର ଦିନ ଏଆଇସିସି ମିଡିଆ ଦାୟିତ୍ବରେ ରହିଥିବା ରଣଦୀପ ସୁର୍ଜେଓ୍ବାଲା ସୋସିଆଲ ମିଡିଆ ଜରିଆରେ ଏହି ଘୋଷଣା କରିଛନ୍ତି। ଟ୍ବିଟ୍ଟର ଜରିଆରେ ସୁର୍ଜେଓ୍ବାଲା ଘୋଷଣା କରିଛନ୍ତି କି ଆସନ୍ତା ଏକ ମାସ ପର୍ଯ୍ୟନ୍ତ କଂଗ୍ରେସର କୌଣସି ପ୍ରବକ୍ତା କୌଣସି ଗଣମାଧ୍ୟମର ବିତର୍କରେ ଅଂଶଗ୍ରହଣ କରି ପାରିବେ ନାହିଁ। ସମସ୍ତ ମିଡିଆ ଚ୍ୟାନେଲ୍ ଏବଂ ସମ୍ପାଦକ ମାନଙ୍କୁ ଅନୁରୋଧ କୌଣସି କଂଗ୍ରେସ କର୍ମୀଙ୍କୁ ବିତର୍କକୁ ଆମନ୍ତ୍ରଣ କରନ୍ତୁ ନାହିଁ।
ବିଜେପିର ବରିଷ୍ଠ ନେତା ପେମା ଖାଣ୍ଡୁ ବୁଧବାର ଦିନ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବିଗ୍ରେଡିୟର୍ ବି ଡି ମିଶ୍ରାଙ୍କ ଦ୍ବାରା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପେମାଙ୍କ ସମେତ ମନ୍ତ୍ରିମଣ୍ଡଳର ୧୧ଜଣ ମନ୍ତ୍ରୀଙ୍କର ମଧ୍ୟ ଶପଥ ଗ୍ରହଣ କରାଇଛନ୍ତି ରାଜ୍ୟପାଳ। ଖାଣ୍ଡୁ ଅରୁଣାଚଳ ପ୍ରଦେଶର ୧୦ମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ଆସାମ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା ଓ ମେଘାଳୟର ମୁଖ୍ୟମନ୍ତ୍ରୀ ପ୍ରମୁଖ ସାମିଲ୍ ହୋଇଛନ୍ତି। ଖାଣ୍ଡୁଙ୍କ ନେତୃତ୍ବରେ ବିଜେପି ୬୦ ସଦସ୍ୟ ବିଧାନସଭାରେ ୪୧ଟି ଆସନ ଜିତିଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଏହି ଅବସରରେ ପେମା ଖାଣ୍ଡୁଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଟୁଇଟ୍ ମଧ୍ୟ କରିଛନ୍ତି।
ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ଇନିଂସ୍। ନବୀନଙ୍କ ସହ ତାଙ୍କ ପୂରା ଟିମ୍ ଅର୍ଥାତ୍ ନବୀନଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନବୀନଙ୍କ ସମେତ ସମସ୍ତ କ୍ୟାବିନେଟ୍ ଓ ରାଷ୍ଟ୍ର ପାହ୍ୟା ମନ୍ତ୍ରୀଙ୍କ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଶପଥ ପାଠ ସମାରୋହରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ପ୍ରଥମେ କ୍ୟାବିନେଟ୍ ମନ୍ତ୍ରୀଗଣ ଶପଥ ନେଇଥିଲେ ପ୍ରଫୁଲ ମଲ୍ଲିକ। ଏହାପରେ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡାକ୍ତର ଅରୁଣ କୁମାର ସାହୁ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା, ନବ କିଶୋର ଦାସ ଓ ସୁଶାନ୍ତ ସାହୁ ସିଂହ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ସୁଦାମା ମାରାଣ୍ଡି ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିଛନ୍ତି। ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବରେ ଅଶୋକ ପଣ୍ଡା, ସମୀର ଦାଶ, ପଦ୍ମିନୀ ଦିଆନ୍, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକା ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି।
ଏହି ଉତ୍ସବରେ ପ୍ରାୟ 6 ହଜାର ଦର୍ଶକ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଏହି ଉତ୍ସବରେ ଦେଶର ଅନେକ ଶିଳ୍ପପତି ଯୋଗଦେଇଥିଲେ। ସେହିପରି ପ୍ରଥମ ଥର ପାଇଁ ନବୀନଙ୍କ ଶପଥ ଉତ୍ସବରେ ଯୋଗଦେଇଥିଲେ ତାଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭଉଣୀ ଗୀତା ମେହେଟ୍ଟା। ଶପଥ ଗ୍ରହଣ ଶେଷ ହେବା ପରେ ନବୀନ ସଚିବାଳୟ ଯାଇ ନିଜ ଚ୍ୟାମ୍ବରରେ କାମ ଆରମ୍ଭ କରିଥିଲେ। ସଚିବାଳୟରେ ବିଭିନ୍ନ କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସ୍ବାଗତ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ତାଙ୍କ କର୍ମଚାରୀଗଣ। ଏହାପରେ ଡିଜିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ନବୀନଙ୍କୁ ସ୍ବାଗତ କରିଥିଲେ। ବାହାରୁ ଆସିଥିବା ଶିଳ୍ପପତିମାନେ ମଧ୍ୟ ସଚିବାଳୟ ଯାଇ ନବୀନଙ୍କୁ ସ୍ବାଗତ କରି ଓଡିଶାର ପ୍ରଗତି ସହିତ ସାମିଲ ହେବେ ବୋଲି ଜଣାଇଥିଲେ।
ଲକି ଚ୍ୟାୟାର
ନିର୍ବାଚନ ଘୋଷଣା ପରେ ନବୀନ ସଚିବାଳୟ ଯାଇ ନ ଥିଲେ। ଏପରିକି ନିର୍ବାଚନ ସରିବା ପରେ ମଧ୍ୟ ଯାଇ ନ ଥିଲେ। ହେଲେ ଫନୀ ବାତ୍ୟା ସମୀକ୍ଷା ବୈଠକ କରିବାକୁ ଦୀର୍ଘ ଏକ ମାସ ପରେ ସଚିବାଳୟ ଯାଇ ବାତ୍ୟା ମୁକାବିଲା ବୈଠକ କରିଥିଲେ। ଏହାପରେ ଆଉ ନବୀନ ସଚିବାଳୟ ଯାଇ ନ ଥିଲେ। ହେଲେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ ତାଙ୍କର ଚିରାଚରିତ ତୃତୀୟ ମହଲାକୁ ଯାଇ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କ ସାଥୀରେ ସମସ୍ତ କର୍ମଚାରୀ ମଧ୍ୟ ଥାଆନ୍ତି। ସେ ମୁଖ୍ୟମନ୍ତ୍ରୀ ବସିବା ପାଇଁ ଉଦ୍ଧିଷ୍ଠ କାଠ ଚ୍ୟାୟରେ ବସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ ‘ଲକି ଚ୍ୟାୟାର’। ଏହାପରେ ସେ ସେହି ଚ୍ୟାୟରରେ ବସି କାମ ଆରମ୍ଭ କରିଥିଲେ
ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୧କୁ ଫେରିବେ ଅନୁ
ମିଠୁ ମାମଲାରେ ଛନ୍ଦି ହୋଇପଡ଼ିଥିବା ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ୍ଙ୍କୁ ସଙ୍ଗୀତଭିତ୍ତିକ ରିଅଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍’ର ସିଜିନ୍ ୧୦ର ବିଚାରକ ପଦରୁ ବାହାର ହେବାକୁ ପଡ଼ିଥିଲା। ତେବେ ମିଳିଥିବା ସୂଚନା ଅନୁସାରେ ଅନୁ ପୁଣି ଥରେ ଇଣ୍ଡିଆନ୍ ଆଇଡଲର ଏକାଦଶ ସଂସ୍କରଣକୁ ଫେରିବେ। କଣ୍ଠଶିଳ୍ପୀ ଶ୍ୱେତା ପଣ୍ଡିତ ତାଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ଶ୍ୱେତା କହିଥିଲେ ତାଙ୍କୁ ୧୫ ବର୍ଷ ହୋଇଥିବାବେଳେ ଏଭଳି ଘଟଣା ଘଟିଥିଲା। ଏହାପରେ ଅନ୍ୟମାନେ ମଧ୍ୟ ଅନୁରୂପ ଅଭିଯୋଗ ଆଣିଥିଲେ।
ପୁଣିଥରେ ଭଦ୍ରାଙ୍କୁ ସମନ ଜାରି କଲା ଇଡି
ଇଡି ରର୍ବଟ ଭଦ୍ରାଙ୍କୁ ଗୁରୁବାର ବା ଆସନ୍ତାକାଲି ହାଜର ହେବା ପାଇଁ ସମନ ଜାରି କରିଛି। ତାଙ୍କ ବେନାମୀ ସମ୍ପତ୍ତିର ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି। ଦୁବାଇର ୧୪କୋଟିର ଭିଲା ଏବଂ ଲଣ୍ଡନରେ ଏକ ପ୍ଲଟ, ଯାହାର ଦାମ ଆନୁମାନିକ ୨୬କୋଟି ଟଙ୍କା ହେବ। ଏହି ସମ୍ପତ୍ତିକୁ ନେଇ ଭଦ୍ରାଙ୍କୁ ଜେରା କରାଯିବ ବୋଲି ଜଣାପଡିଛି। ଭଦ୍ରା ସ୍କାଇଲାଇଟ ହସ୍ପିଟାଲିଟୀ ମନି ଲଣ୍ଡରିଂ ଅଧିନିୟମ ଅନୁସାରେ ବିଭିନ୍ନ ମାମଲାରେ ଇଡିର ରାଡାରରେ ଅଛନ୍ତି। ଯେଉଁଥିରେ ଗୁରୁଗ୍ରାମ ଏବଂ ବେକାନିରର ଜମି କାରବାର ସାମିଲ ଅଛି। ଭଦ୍ରାଙ୍କ ଆଗୁଆ ଜାମିନ ଖାରଜ କରିବାକୁ ଇଡି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା।
ପର୍ବତାରୋହୀ କଳ୍ପନା ଦାସଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଏଭରେଷ୍ଟ ବେସ୍ କ୍ୟାମ୍ପ୍-୪କୁ ତାଙ୍କର ମୃତଦେହ ଅଣାଯାଇଛି। ନେପାଳୀ ଶେର୍ପା ମୃତଦେହ ଠାବ କରି ବେସ୍ କ୍ୟାମ୍ପକୁ ଆଣିଛନ୍ତି। ସେଠାରୁ କଳ୍ପନାଙ୍କ ମୃତଦେହ କାଠମାଣ୍ଡୁ ପଠାଯିବ।ଏହା ପରେ ତାଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯିବ ବୋଲି କ୍ରୀଡା ବିଭାଗ ସୂଚନା ଦେଇଛି। କଳ୍ପନାଙ୍କ ମୃତଦେହ ଆଣିବା ପାଇଁ ଓଡିଶାରୁ ୩ଜଣିଆ ଟିମ୍ ପଠାଯାଇଛି। ନେପାଳ କାଠମାଣ୍ଡୁରୁ କଳ୍ପନାଙ୍କ ମରଶରୀର ଅଣାଯିବ।ନେପାଳରେ ଭାରତୀୟ ଦୂତବାସ ସହ ମିଶି ଓଡ଼ିଶା ସରକାର କାମ କରୁଛନ୍ତି। ତାଙ୍କ ମରଶରୀରକୁ ଓଡ଼ିଶା ଆଣିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ କରାଯାଇଛି। ଓଡିଶାର ଏକମାତ୍ର ପର୍ବତ ଆରୋହଣକାରୀ କଳ୍ପନା ଦାସଙ୍କ ଗୁରୁବାର ଦିନ ପରଲୋକ ଘଟିଥିଲା। ୫୨ ବର୍ଷ ବୟସରେ ସେ ଏଭରେଷ୍ଟରୁ ଓହ୍ଲାଇବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।
ମଙ୍ଗଳବାର ଦିନ ଜାପାନରେ ଜଣେ ଦୁର୍ବୃତ୍ତଙ୍କ ଛୁରୀ ଆଘାତ ଜଣେ ଶିଶୁ ସମେତ ଅନ୍ୟ ଜଣେ ମହିଳାଙ୍କର ପ୍ରାଣହାନୀ ଘଟିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦୁବୃର୍ତ୍ତଜଣକ ସର୍ବସାଧାରଣସ୍ଥଳରେ ଅମାନୁଷିକ ଭାବେ ଛୁରୀ ଭୁସି ଚାଲିଥିଲା। ଆଜି ସକାଳ ୭ଟା ୪୪ରେ ଜାପାନର କାୱାସାକିରେ ଏପରି ଅମାନବୀୟ ଘଟଣା ଆଜି ଘଟିଛି। ମୃତକଙ୍କ ମଧ୍ୟର ଶିଶୁଙ୍କ ସମେତ ମହିଳା ରହିଛନ୍ତି। ମୃତକଙ୍କ ସଂଖ୍ୟା ବଢିବା ନେଇ ସୂଚନା ମଧ୍ୟ ରହିଛି। ଏହି ଘଟଣାରେ ପ୍ରାୟ ୧୭ଜଣ ଆହତ ହୋଇଛନ୍ତି। ସନ୍ଦେହରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚାରାଉଚରା କରୁଛି।
ଲୋକସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ଦଳରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଅଧ୍ୟକ୍ଷ ପଦ ଛାଡ଼ିବା ପାଇଁ ଜିଦ୍ ଧରିଥିବାବେଳେ ତାଙ୍କୁ ମନାଇବାରେ ଲାଗିଛନ୍ତି କଂଗ୍ରେସ ନେତୃବୃନ୍ଦ। ମଙ୍ଗଳବାର ସକାଳେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ପ୍ରବକ୍ତା ରଣଦୀପ ସୁର୍ଜେଓ୍ବାଲା ତାଙ୍କ ସହିତ ଭେଟ କରିଛନ୍ତି। ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏବେ ଦଳକୁ ବିକଳ୍ପ କେହି ମିଳିନାହାନ୍ତି। ଏବଂ ରାହୁଲଙ୍କୁ ନିଜ ଇଚ୍ଛା ମୁତାବକ ଦଳରେ ବଦଳାଇ ପାରିବେ, ବା ଦଳକୁ ଚଲାଇପାରିବେ ବୋଲି ସୂଚନା ମିଳିଛି। ତେବେ ମିଳିଥିବା ସୂଚନା ଅନୁସାରେ ରାହୁଲ୍ କିଛି ସର୍ତ୍ତ ଅନୁସାରେ ଅଧ୍ୟକ୍ଷ ପଦଭାର ସମ୍ଭାଳିବେ। ବରିଷ୍ଠ ନେତା ଅହମ୍ମଦ ପଟେଲ୍, ପ୍ରିୟଙ୍କା ଗାନ୍ଧିଙ୍କ ସହ ବୈଠକ ପରେ ଏହି କଥାରେ ରାହୁଲ୍ ସହମତି ପ୍ରକାଶ କରିଥିବା ଜଣାପଡିଛି। ଚଳିତ ଲୋକସଭାରେ କଂଗ୍ରେସର ବଡ଼ ହାର ପରେ ପଞ୍ଜାବ, ଓଡ଼ିଶା, ଝାରଖଣ୍ଡ, ମଧ୍ୟପ୍ରଦେଶ ସମେତ ଅନ୍ୟ କିଛି ପ୍ରଦେଶର ଅଧ୍ୟକ୍ଷ ତଥା କିଛି ବରିଷ୍ଠ ନେତୃବୃନ୍ଦ ଇସ୍ତଫା ଦେଇ ସାରିଛନ୍ତି। ରାହୁଲ୍ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଇସ୍ତଫା ଦେବାକୁ ଅଡି ବସିଥିଲେ, କିନ୍ତୁ ତାଙ୍କ ଇସ୍ତଫା ପ୍ରସ୍ତାବକୁ କଂଗ୍ରେସର କାର୍ଯ୍ୟକାରିଣୀ ଟିମ୍ ଅଗ୍ରାହ୍ୟ କରିଦେଇଥିଲେ। ତେବେ ତାଙ୍କୁ ବୁଝାଇବାରେ କଂଗ୍ରେସ ନେତୃବୃନ୍ଦ କେତେଦୂର ସଫଳ ହେଉଛନ୍ତି, ତାହା ଦେଖିବାକୁ ବାକି ରହିଲା । ଆଜି ଅପରାହ୍ନ ୪ ଟା ସମୟରେ କଂଗ୍ରେସର ବୈଠକରେ ଏହା ସ୍ପଷ୍ଟ ରୂପେ ଜଣାପଡ଼ିବ ।
ଲୋକସଭା ନିର୍ବାଚନରେ ବିଜେପିର ବୃହତ୍ ବିଜୟ ପରେ ଅନ୍ୟାନ୍ୟ ଦଳମାନେ ସମୀକ୍ଷା କରିବା ଆରମ୍ଭ କରିଛନ୍ତି। ବିଜେପିର ବିଜୟର ପ୍ରଭାବ ଏବେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଉପରେ ପଡିଛି। ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ୪୨ଟି ଆସନରୁ ବିଜେପି ୧୮ଟି ଆସନ ହାତେଇଛି। ଏହା ଟିଏମସି ପାଇଁ ଚିନ୍ତାର ବିଷୟ ହୋଇଥିବାବେଳେ ତାଙ୍କ ଦଳରୁ ଦୁଇ ଟିଏମସ ନେତା ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଛି। ଚଳିତ ନିର୍ବାଚନରେ ବିଜେପି – ଟିଏମସିର ଲଢେଇ ବେଶ୍ ଚର୍ଚ୍ଚାରେ ରହିଥିଲା। ମିଳିଥିବା ସୂଚନା ଅନୁସାରେ ଭାରତୀୟ ଜନତା ପାର୍ଟି ନେତା ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟ ମଙ୍ଗଳବାର ଦୁଇ ଜଣ ତୃଣମୂଳ କଂଗ୍ରେସ ବିଧାୟକଙ୍କ ସହିତ ବିଜେପିରେ ଯୋଗ ଦେଇପାରନ୍ତି। ସୂତ୍ର ଅନୁସାରେ ମୁକୁଲ ରାୟ ସୋମବାର ନିଜର ପୁଅ ଏବଂ ଟିଏମସିର ୨ ଜଣ ବିଧାୟକଙ୍କୁ ବିଜେପିରେ ସାମିଲ କରାଇବାକୁ ଦିଲ୍ଲୀରୁ କୋଲକାତା ଗସ୍ତ କରିଛନ୍ତି। ଟିଏମ୍ସି ଦଳ ବିରୋଧୀ ଗତିବିଧି ଅଭିଯୋଗରେ ଶୁଭ୍ରାଂଶୁ ରାୟଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରିଥିଲା। ମୁକୁଲ ରାୟ ପୂର୍ବରୁ ଟିଏମସିର ନେତା ଥିଲେ ଏବଂ ମମତା ବାନାର୍ଜୀଙ୍କ ପରେ ପଶ୍ଚିମବଙ୍ଗରେ ପ୍ରଭାବଶାଳୀ ନେତା ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ମୁକୁଲ।
ପଶ୍ଚିମବଙ୍ଗର ରାଜଧାନୀ କୋଲକାତାଠାରେ ଦୁଇ ଐତିହାସିକ ମସଜିଦ୍ ଯଥାକ୍ରମେ ନଖୋଡା ମସ୍ଜିଦ୍ ଓ ଟିପୁ ସୁଲତାନ୍ ମସଜିଦ୍ରେ ମହିଳାଙ୍କୁ ନମାଜ୍ ପଢିବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ଦୁଇ ମସ୍ଜିଦ୍ରେ ମହିଳାଙ୍କ ପାଇଁ ଅଲଗା ଅଲଗା ହଲ୍ କରାଯାଉଛି, ଯେଉଁଠି ସେମାନେ ନମାଜ୍ ପାଠ କରିପାରିବେ। ଏହା ସହିତ ମହିଳାଙ୍କ ପାଇଁ ସ୍ବତନ୍ତ୍ର ପ୍ରବେଶର ବ୍ୟବସ୍ଥା ସହିତ ଶୌଚାଳୟର ମଧ୍ୟ ବ୍ୟବସ୍ଥା କରାଯାଉଛି। ବଙ୍ଗର ଇମାମ୍ ଆସୋସିଏସନ୍ ଲିଖିତ ଦାବି ଦ୍ବାରା ଏହି ଦୁଇ ମସଜିଦ୍ର କମିଟି ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଉଛନ୍ତି। ନଖୋଡ଼ା ମସଜିଦ୍ ବାଦୀ ମସ୍ଜିଦ୍ ରୂପେ ପରିଚିତ। ଦୁଇ ମସଜିଦ୍ରେ ମହିଳାଙ୍କ ନମାଜ ପାଠ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ କୋଲକାତା ନଗର ନିଗମଙ୍କୁ ସୂଚନା ଦିଆଯାଇଛି। ନଗର ନିଗମ ତରଫରୁ ଏହି ଦୁଇ ମସଜିଦ୍ରେ ମହିଳା ଓ ଦିବ୍ୟାଙ୍ଗ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେଉଛନ୍ତି।
ଆଇଇଡି ବିସ୍ଫୋରଣରେ ୧୧ ଯବାନ ଆହତ
ଝାଡ଼ଖଣ୍ଡ ଷଢାଇକଳାର ଅନ୍ତର୍ଗତ କୁଚାଇରେ ମାଓବାଦୀମାନେ ଖଞ୍ଜି ଥିବା ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ୧୧ଜଣ ଯବାନ ଆହତ ହୋଇଛନ୍ତି। ସମସ୍ତ ଯବାନଙ୍କୁ ରାଞ୍ଚିକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ମଙ୍ଗଳବାର ଭୋର ପ୍ରାୟ ୪ଟା ୫୦ ସମୟରେ ଝାଡ଼ଖଣ୍ଡ ପୋଲିସ ଓ ୨୦୯ର କୋବ୍ରାବାଟାଲିୟନ୍ର ଯବାନମାନେ ମିଳିତ ସ୍ପେଶାଲ ଅପରେସନ୍ରେ ବାହାରିଥିଲେ। ଷଢାଇକଳାର କୁଚାଇ ନିକଟରେ ମାଓବାଦୀମାନେ ପୂର୍ବରୁ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ କୋବ୍ରା ବାଟାଲିୟନ୍ର ୮ଜଣ ଓ ୩ ଜଣ ପୋଲିସ ଆହତ ହୋଇଛନ୍ତି। ଘଟଣା ପରେ ସଂପୃକ୍ତ ଅଞ୍ଚଳକୁ ଘେରା ବନ୍ଦୀ କରି ସର୍ଚ୍ଚ ଅପରେସନ୍ କରାଯାଉଛି।
ସମୀକ୍ଷା ବ୍ୟୁରୋ
ପଞ୍ଚମ ଥର ପାଇଁ ନୁହେଁ, 2024 ରେ ଯେଉଁ ନିର୍ବାଚନ ହେବ ସେଥିରେ ବିଜେଡି ବିପୁଳ ଭୋଟର ବିଜୟ ହୋଇ ଷଷ୍ଠ ଥର ପାଇଁ ଓଡିଶାରେ ଶାସନ କରିବ। ଏହା କୌଣସି ନେତାଙ୍କ ବାଣୀ ନୁହେଁ। ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ ଟିଭିକୁ ଏକ ସାକ୍ଷାତକାର ଦେଇ ଏହା କହିଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେପି ଯେତେ କଲେ ମଧ୍ୟ ଓଡିଶାରେ ଶାସନ କରିପାରିବ ନାହିଁ। ବର୍ତ୍ତମାନ ଓଡିଶାରେ ବିଜେପିର ଯାହା ବୃଦ୍ଧି ଘଟିଛି ତାହା କଂଗ୍ରେସ ଭୋଟ। ଓଡିଶାରେ କଂଗ୍ରେସ ଭୁଷୁଡି ପଡିବାରୁ ସେହି ଭୋଟ ବିଜେପି ହାତେଇ ନେଲା। ଗତ ନିର୍ବାଚନଠାରୁ ଏଥର ବିଜେଡିର ଭୋଟ ହାର 2 ପ୍ରତିଶତ ବୃଦ୍ଧି ପାଇଛି। ବିଜେପି କୋତେଟି ସାଂସଦ ଆସନ ନେଇଛି ଅର୍ଥ ନୁହେଁ ବିଜେଡି ଭୋଟ ହ୍ରାସ ପାଇଛି। ହେଲେ ବିଜେପି ଓଡିଶାରେ ଲଢେଇ କରିବାରେ ସକ୍ଷମ ହୋଇଛି, ମାତ୍ର ଏହି ଦଳ ଓଡିଶାରେ ଆଉ ଆଗକୁ ଯାଇପାରିବ ନାହିଁ ବୋଲି ନବୀନ ପରୋକ୍ଷରେ ଇସାରା ଦେଇଛନ୍ତି।
ସାରା ଦେଶର ମୋଦି ଲହର ପାଇଁ ବିଭିନ୍ନ ଆଞ୍ଚଳିକ ଦଳ ଭୁଷିଡି ପଡିଛି। ହେଲେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ନବୀନ ହାୱାରେ ମୋଦି ଲହର କାମ ଦେଇପାରି ନାହିଁ। ପଶ୍ଚିମ ବଂଗରେ ମମତାଠାରୁ ଆରମ୍ଭ କରି ଚନ୍ଦ୍ରବାବୁ ନାଇଡୁ ପର୍ଯ୍ୟନ୍ତ ମୋଦି ଲହରକୁ ରୋକିବାର ସକ୍ଷମ ହୋଇପାରି ନାହାଁନ୍ତି। ହେଲେ ନବୀନଙ୍କ ଏପରି ବିଜୟ ସାରା ଦେଶ ପାଇଁ ଏକ ଉଦାହରଣ ପାଲଟି ଯାଇଛି। ଓଡିଶାରେ କଣ ପାଇଁ ମୋଦି ଲହର କାମ ଦେଲା ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ, କେବେଳ ଜନହିତକର କାମ ମୁଖ୍ୟ ସଫଳତା। ଓଡିଶାରେ ଯେପରି ଜନ କଲ୍ୟାଣ କାର୍ଯ୍ୟ କରାଯାଇଛି ସେଥିରେ କୌଣସି ଶକ୍ତି ବିଜେଡିକୁ ରୋକିପାରିବ ନାହିଁ। ଆସନ୍ତା ବର୍ଷଗୁଡିକରେ ଏହି କାର୍ଯ୍ୟକୁ ଆହୁରି ବୃଦ୍ଧି କରାଯିବ ବୋଲି ନବୀନ କହିଛନ୍ତି। ବର୍ତ୍ତମାନ କଂଗ୍ରେସର ଅବସ୍ଥା ସଂପର୍କରେ ନବୀନ କହିଛନ୍ତି ଯେ, ଦେଶରେ ପୁଣି ଥରେ କଂଗ୍ରେସ କ୍ଷମତାକୁ ଆସିବାକୁ ହେଲେ ବହୁତ ପରିଶ୍ରମ କରିବାକୁ ପଡିବ।
ବର୍ତ୍ତମାନ ବିଜେଡିରୁ ବହୁ ନେତା ଦଳ ଛାଡିଥିବାରୁ ଏହା ଦ୍ବାରା ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ନବୀନ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ନିର୍ବାଚନ ସମୟରେ କେତେକ ଟିକେଟ ନ ପାଇବାରୁ ଦଳ ଛାଡିଛନ୍ତି। ଆଉ କେତେକଙ୍କୁ ଦଳ ବହିସ୍କାର କରିଛି। ହେଲେ ଏହା ଦ୍ବାରା ବିଜେଡିର କୌଣସି କ୍ଷତି ହୋଇ ନାହିଁ କି ଭବିଷ୍ୟତରେ କିଛି କ୍ଷତି ହେବାର ନାହିଁ ବୋଲି ନବୀନ ରୋକଠୋକ କହିଛନ୍ତି। ମୁଖ୍ୟତଃ ଜାତୀୟ ଗଣମାଧ୍ୟମ ବୈଜୟନ୍ତ ପଣ୍ଡାଙ୍କ ବହିସ୍କାରକୁ ଲକ୍ଷ କରି ଏହି ପ୍ରଶ୍ନ ପଚାରିଥିବାର ଜଣାପାଡିଛି।
ସେହିପରି ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ବୋଲି ଏକ ପ୍ରଶ୍ନ ଉତ୍ତରରେ ନବୀନ କହିଛନ୍ତି ଯେ, ବିଜେଡି ଦଳରୁ କେହି ଜଣେ ଉତ୍ତରାଧିକାରୀ ହେବେ। ହେଲେ ତାଙ୍କୁ ଓଡିଶାର ଜନସଧାରଣ ବାଛିବେ ବୋଲି ନବୀନ ସ୍ପଷ୍ଟ କରିଛନ୍ତି। ଦୀର୍ଘ ଦିନ ଧରି ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ବୋଲି ଆଲୋଚନା ଚାଲିଛି। ଅନେକ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିଜେଡିର ଉତ୍ତରାଧିକାରୀ ହେବେ ବୋଲି କହୁଛନ୍ତି। ହେଲେ ନବୀନ ସେ କଥାକୁ ସଂପୂର୍ଣ୍ଣ ଭାବେ ଏଡେଇ ଯାଇଛନ୍ତି। ତାଙ୍କ ଉତ୍ତରାଧିକାରୀ ଓଡିଶାର ଜନସାଧାରଣ ବାଛିବେ ବୋଲି ନବୀନ କହିଛନ୍ତି। ବିଜେଡିର ବିପୁଳ ବିଜୟ ପରେ ଏହା ହେଉଛି ନବୀନଙ୍କ ପ୍ରଥମ ସାକ୍ଷାତକାର।
ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳରୁ ଇସ୍ତଫା ଦେବା କାର୍ଯ୍ୟକ୍ରମ ଜାରି ରହିଛି। ଆଜି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ସୁନୀଲ୍ ଜାଖଡ୍ ଓ ପ୍ରଭାରୀ ଆଶା କୁମାରୀ ଇସ୍ତଫା ଦେଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପଞ୍ଜାବରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ସୁନୀଲ୍ ଜାଖଡ୍ ଗୁରୁଦାସପୁର ଆସନରୁ ବିଜେପି ନେତା ଅଭିନେତା ସନ୍ନି ଦେଓଲଙ୍କଠାରୁ ପରାଜୟ ଗ୍ରହଣ କରିଛନ୍ତି। ପଞ୍ଜାବର ୧୩ଟି ଲୋକସଭା ଆସନରୁ କଂଗ୍ରେସ ୮ଟି ଆସନ ଜିତିଛି। ଆଜି ସକାଳେ ଝାରଖଣ୍ଡର କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଦଳରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବବର୍ ଓ ଆମେଠିର ଜିଲ୍ଲାଧ୍ୟକ୍ଷ ଯୋଗେନ୍ଦ୍ର ସମେତ କେତେକ ନେତାମାନେ ଦଳର ପରାଜୟ କାରଣକୁ ନିଜ ଉପରେ ନେଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଓଡ଼ିଶାର କଂଗ୍ରେସ ସମିତି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଓ କର୍ଣ୍ଣାଟକ କଂଗ୍ରେସ ପ୍ରଚାର ଅଧ୍ୟକ୍ଷ ଏଚ କେ ପାଟିଲ୍ଙ୍କ ସମେତ ଅନ୍ୟ କିଛି ଛୋଟବଡ଼ ନେତାମନେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
ଦୁଇ ଅଗ୍ରଣୀ ଡାଏରୀ କମ୍ପାନୀ ଅମୁଲ୍ ଓ ମଦର ଡାଏରୀ କ୍ଷୀରରେ ମୂଲ୍ୟ ବୃଦ୍ଧି କରିଥିବାବେଳେ ଏବେ ଏହି ଡାଏରୀ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଛି ପତଞ୍ଜଳି ଡାଏରୀ। ସୋମବାର ଦିନ ଯୋଗଗୁରୁ ରାମଦେବ ପତଞ୍ଜଳିର ଟୋନଡ୍ ମିଲ୍କକୁ ବଜାର ପ୍ରବେଶ କରାଇଛନ୍ତି, ଯାହା ଅମୁଲ୍ ଓ ମଦର ଡାଏରୀ କ୍ଷୀରଠାରୁ ୪ଟଙ୍କା ଶସ୍ତା ଅଛି। ଏହି କ୍ଷୀର ମୂଲ୍ୟ ୪୦ଟଙ୍କା ରହିଛି। ଦିଲ୍ଲୀ ଏନ୍ସିଆର୍, ରାଜସ୍ଥାନ ସହ ହରିୟାଣା ଓ ମହାରାଷ୍ଟ୍ରର କିଛି ଅଞ୍ଚଳରେ ଏହା ମେ ୨୮ ତାରିଖରୁ ଉପଲବ୍ଧ ହେବ। ଏହି ଅବସରରେ ରାମଦେବ ଗଣମାଧ୍ୟମକୁ ପତଞ୍ଜଳି ବହୁତ ଶୀଘ୍ର ବଜାରକୁ ହର୍ବାଲ୍ କ୍ଷୀର ଆଣିବାର ଯୋଜନା କରୁଛି ବୋଲି କହିଥିଲେ। ପତଞ୍ଜଳିର ନୂଆ ‘ଟୋନ୍ଡ ମିଲକ୍’ର ବଜାର ପ୍ରବେଶ ଅବସରରେ ଯୋଗଗୁରୁ ବାବା ରାମଦେବ ବିଜେପିର ବୃହତ୍ ବିଜୟକୁ ଉଚ୍ଛ୍ବସିତ ପ୍ରଶଂସା କରିଛନ୍ତି । ବିଜେପିର ବିପୁଳ ବିଜୟକୁ ପ୍ରଶଂସା କରି ଭୋଟ୍ଗଣତି ଦିବସ ମେ ୨୩କୁ ମୋଦି ଦିବସ ରୂପେ ପାଳନ କରିବାକୁ ଯୁକ୍ତି ବାଢିଛନ୍ତି ରାମଦେବ । ବିଜେପିର ଐତିହାସିକ ବିଜୟକୁ ସର୍ବଦା ମନେ ରଖିବା ପାଇଁ ଯୋଗ ଗୁରୁ ଏହି ଦିନକୁ ବିଶେଷ ଦିବସ ଘୋଷଣା କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ମେ ୨୩ ଭାରତୀୟ ଇତିହାସରେ ଗୌରବଶାଳୀ ଦିନ। ଏହି ଦିନରେ ମୋଦୀ ସରକାର ପ୍ରଚଣ୍ଡ ବହୁମତ ସହିତ ପୁର୍ନବାର କ୍ଷମତାସୀନ ହୋଇଛି। ୫୦ ପ୍ରତିଶତରୁ ଅଧିକ ଭୋଟ୍ ଦେଇ ଜନତା ମୋଦୀ, ବିଜେପି ଓ ଏନଡିଏ ଉପରେ ଭରସା ପ୍ରକଟ କରିଛନ୍ତି। ତାଙ୍କ ମତରେ ଯେ, ମେ ୨୩ ଦିନଟିକୁ ଭାରତୀୟ ରାଜନୀତି ଦୃଷ୍ଟିରୁ ସର୍ବଦା ମନେ ରଖାଯାଉ। ତେଣୁ ସେ ଦାବି କରିଛନ୍ତି ଯେ, ଏହି ଦିନକୁ ମୋଦୀ ଦିବସ କିମ୍ବା ଲୋକ କଲ୍ୟାଣ ଦିବସ ରୂପେ ପାଳନ କରାଯାଉ। ମୋଦି ଜଣେ ଗରିବ ତଥା ପଛୁଆ ବର୍ଗର ହୋଇ ମଧ୍ୟ ନିଜର ଦମ୍ ଦେଖାଇଛନ୍ତି । ମୋଦିଙ୍କ ନେତୃତ୍ବାଧୀନ ବିଜେପି ଚଳିତ ଥର ୩୦୦ରୁ ଅଧିକ ଆସନ ପାଇଛି । ଏହା ଗଣତନ୍ତ୍ରରେ ଲୋକଙ୍କ ବିଶ୍ବାସର ପରାକାଷ୍ଠାର ଦିନ । ତେଣୁ ଏହି ଦିନଟିକୁ ଏକ ବିଶେଷ ଦିବସ ରୂପେ ପାଳନ କରିବାକୁ ଯୋଗଗୁରୁ ଦାବି କରିଛନ୍ତି ।
ବେଙ୍ଗାଲୁରୁରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ଏକ ଏୟାର ଏସିଆ ବିମାନ ଜରୁରୀ ଅବତରଣ କରିଛି। ଏକ ଧମକପୂର୍ଣ୍ଣ କଲ୍ ମିଳିବା ପରେ ବିମାନଟିର ଜରୁରୀ କାଳୀନ ଅବତରଣ କରାଯାଇଥିଲା। ରବିବାର ସନ୍ଧ୍ୟାରେ ବେଙ୍ଗାଲୁରୁର ବାଗ୍ଡୋଗ୍ରାରୁ ବିମାନଟି ଛାଡିଥିଲା। ଏୟାର ଏସିଆର ବେଙ୍ଗାଲୁରୁ ସ୍ଥିତ ଅଫିସ୍କୁ ଏକ ଫୋନ୍ କଲ୍ ମିଳିଥିଲା ଏବଂ ଯାତ୍ରୀଙ୍କୁ କ୍ଷତି ପହଞ୍ଚାଇବା ପରି କିଛି ସାମଗ୍ରୀ ବିମାନରେ ରହିଥିବାର ଖବର ଦିଆଯାଇଥିଲା। ବିମାନରେ ୧୭୯ ଯାତ୍ରୀ ଏବଂ ୬ ଜଣ ବିମାନ ପରିଚାରକ ଉପସ୍ଥିତ ରହିଥିଲେ। ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ପରେ ବିମାନଟିକୁ ନିଛାଟିଆ ସ୍ଥାନକୁ ନେଇ ତନ୍ନ ତନ୍ନ କରି ପରୀକ୍ଷା କରାଯିବା ପରେ କଲ୍ଟି ଗୁଜବ ଥିଲା ବୋଲି କୁହାଯାଇଛି।
କଳାଧନ ପାଇଁ ସବୁଠୁ ନିରାପଦ ସ୍ଥାନ ‘ସୁଇସ ବ୍ୟାଙ୍କ’ ତରଫରୁ ଭାରତୀୟ ଆକାଉଣ୍ଟଧାରୀଙ୍କୁ ନୋଟିସ୍ ମିଳିଛି। ସୁଇସ୍ ବ୍ୟାଙ୍କ ଭାରତକୁ ଖାତାଧାରୀଙ୍କ ବାବଦରେ ସୂଚନା ପ୍ରଦାନ କରିବା ଆରମ୍ଭ କରିଛି। ବ୍ୟାଙ୍କ ତରଫରୁ ଗତ ସପ୍ତାହରେ ୧୧ ଜଣ ଭାରତୀୟ ଖାତାଧାରକଙ୍କୁ ନୋଟିସ ଜାରି ହୋଇଥିବା ଜାତୀୟ ଗଣମାଧ୍ୟର ରିପୋର୍ଟରୁ ଜଣାପଡ଼ିଛି। ଗତ ମାର୍ଚ୍ଚ ପରଠାରୁ ଏଯାଏଁ ଅତିକମରେ ୨୫ ଭାରତୀୟ ଆକାଉଣ୍ଟଧାରୀଙ୍କୁ ନୋଟିସ ଜାରି କରଥିବା ସ୍ୱିସ ଅଧିକାରୀମାନେ ତଥ୍ୟ ପ୍ରଦାନ କରିଛନ୍ତି। ଏଥି ସହିତ ବ୍ୟାଙ୍କ ତରଫରୁ ସଂପର୍କୀତ ଲୋକଙ୍କ ବାବାଦରେ ତଥ୍ୟ ମଗାଯାଇଛି। ନୋଟିସରେ ସୁଇଜରଲାଣ୍ଡ ଭାରତୀୟ ଗ୍ରାହକଙ୍କ ବାବଦରେ ସୂଚନା ପ୍ରଦାନ କରିବାକୁ ଶେଷ ସୁଯୋଗ ଦିଆଯାଇଛି। ସ୍ବିସ୍ ସରକାର ଅଧିସୂଚନା ଜାରି କରି ଆକାଉଣ୍ଟଧାରୀଙ୍କ ବିଷୟରେ ତଥ୍ୟ ସାର୍ବଜନୀନ କରିଛି। କିନ୍ତୁ ଏଥିରେ ଆକାଉଣ୍ଟଧାରୀଙ୍କ ପୂରା ନାମ ବଦଳରେ ମୂଳ ଅକ୍ଷର ରହିଛି। ଏହା ସହିତ ଉପଭୋକ୍ତାଙ୍କ ରାଷ୍ଟ୍ରୀୟତା ଓ ଜନ୍ମତିଥି ଆଦି ତଥ୍ୟ ରହିଛି। ଯେଉଁ ଦୁଇ ଭାରତୀୟ ନାମଙ୍କ ପୂରା ଉଲ୍ଲେଖ ରହିଛି, ସେ ହେଉଛନ୍ତି କୃଷ୍ଣ ଭଗବାନ ରାମଚନ୍ଦ୍ର, ଯିଏ ୧୯୪୯ ମସିହାରେ ଜନ୍ମ ହୋଇଥିଲେ। ସେହିପରି ଡିସେମ୍ବର ୧୯୭୨ରେ ଜନ୍ମିତ କଳ୍ପେଶ ହର୍ଷଦ କିନାରୀଓ୍ବାଲା। ଅନ୍ୟ ନାମଗୁଡ଼ିକ ମଧ୍ୟରେ ୧୯୪୪ ନଭେମ୍ବର ୨୪ ତାରିଖରେ ଜନ୍ମିତ ମିସେଜ୍ ଏଏସ୍ବିକେ, ୧୯୮୩ ନଭେମ୍ବର ୨ରେ ଜନ୍ମିତ ଶ୍ରୀମତୀ ପିଏଏଏସ୍, ୧୯୭୩ ମସିହା ନଭେମ୍ବର ୨୨ରେ ଜନ୍ମିତ ଶ୍ରୀମତୀ ଆରଏଏଏସ୍, ୧୯୪୪ ନଭେମ୍ବର ୨୪ରେ ଜନ୍ମିତ ଏପିଏସ୍, ୧୯୪୯ ଅଗଷ୍ଟ ୧୪ରେ ଜନ୍ମିତ ଶ୍ରୀମତି ଏଡିଏସ୍, ୧୯୩୫ ମେ ୨୦ରେ ଜନ୍ମିତ ଏମଏଲ୍ଏ, ୧୯୬୮ ଫେବୃଆରୀ ୨୧ରେ ଜନ୍ମିତ ମିଷ୍ଟର ଏନଏମଏ ଓ ୧୯୭୩ ଜୁନ୍ ୨୭ରେ ଜନ୍ମିତ ମିଷ୍ଟର ଏମଏମଏ ସାମିଲ୍ ଅଛନ୍ତି। ସୁଇସ୍ ସରକାରଙ୍କ ତରଫରୁ ଜାରି ଏହି ନୋଟିସ୍ରେ ଏହି ସମ୍ବନ୍ଧିତ ଗ୍ରାହକ ତଥା ତାଙ୍କର ପ୍ରାଧିକୃତ ପ୍ରତିନିଧି ଆବଶ୍ୟକ ଦସ୍ତାବିଜ୍ ସହ ୩୦ ଦିନି ଭିତରେ ଅପିଲ୍ ପାଇଁ ଉପସ୍ଥିତ ରହିବାକୁ କୁହାଯାଇଛି। ଏହା ସହିତ ସମ୍ପୃକ୍ତ ଗ୍ରାହକ ତଥା ତାଙ୍କର ପ୍ରାଧିକୃତ ପ୍ରତିନିଧି ଏହି ସମ୍ବନ୍ଧୀୟ ତଥ୍ୟ ଭାରତ ସରକାରଙ୍କ ନ ଜଣାଇବାର କାରଣ ମଧ୍ୟ ଜଣାଇବେ ବୋଲି ନିର୍ଦ୍ଦେଶ ରହିଛି।
ସମଗ୍ର ଦେଶରେ ଲୋକସଭା ଏବଂ ଚାରି ରାଜ୍ୟର ବିଧାନସଭା ଫଳାଫଳ ଆସିବା ପରେ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଉଠାଇ ଦେଇଛନ୍ତି। ଗୁରୁବାର ଏବଂ ଶୁକ୍ରବାର ନିର୍ବାଚନ ଫଳାଫଳ ଆସିବା ପରେ ଶନିବାର ଦିନ ବିଜୟୀ ପ୍ରାର୍ଥୀଙ୍କ ନାମ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଶନିବାର ଫଳାଫଳ ନିର୍ବାଚନ କମିଶନଙ୍କ ପକ୍ଷରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ ଆଜି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିଲା। ଦେଶର ସମସ୍ତ ଲୋକସଭା ଆସନ ସହିତ ୪ଟି ରାଜ୍ୟରେ ୧୦ ମାର୍ଚ୍ଚରେ ଆଦର୍ଶ ଆଚରଣ ବିଧି ଲଗାଯାଇଥିଲା। ଏପ୍ରିଲ୍ ୧୧ରୁ ନିର୍ବାଚନ ଆରମ୍ଭ ହୋଇ ମେ ୧୯ରେ ଶେଷ ହୋଇଥିଲା।